Unknown

 

 

 

 

 

 

 

 

 

ବିକ୍ରମାଦିତ୍ୟ

ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

 

ସ୍ୱଗତ- ଅତୀତ- ସ୍ମୃତି ପୁରାବୃତ୍ତମୟି,

ସୁଖଦୁଃଖ- ଉନ୍ମେଷିଣି, କହ କୃପା ବହି

ରାଜର୍ଷି ବିକ୍ରମାଦିତ୍ୟ ପବିତ୍ର ଆଖ୍ୟାନ,

 

ଫେଡ଼ି ତବ ରଙ୍ଗାଳୟ ମହାଯବନିକା

ଦେଖାଅ ସେ ନାଟକର ପୂର୍ଣ୍ଣ ଅଭିନୟ;

ଭାବ- ଯଜ୍ଞବେଦିକାରେ ବସି ଦୁର୍ବାସନେ

ଶିଖାଅ ସେ ଅଭିନୟ କରି ମୋତେ ଚାଟ ।

 

ଅମରା କୌସ୍ତୁଭ-ଭୁଷା ପୁଷ୍ପରମାଳିନୀ *

କାମଗତି, ଦୀପ୍ତିମତୀ ଭବେ ଅପ୍ରତିମା,

ଜ୍ୟୋତ୍ସ୍ନାସାର ଉପାଦାନେ ହୋଇ ସେ ଗଠିତ,

ସୌଦାମିନୀ ପ୍ରଭା-ଜଳେ ଅରିଅଛି ସ୍ନାନ ।

*ଇନ୍ଦ୍ରସଭା

 

ଦେବ-ପ୍ରତିଭା ସେ କିବା, ସ୍ୱଭାବ-ଭାସ୍କର,

ଉପଯୁକ୍ତ ବ୍ୟବହାରେ ଜଳେ ଦାଉ ଦାଉ !

 

ପ୍ରତିଦ୍ୱାରେ ଗବାକ୍ଷରେ ଯାଉଁଳି କବାଟ

ହୀରାଦ୍ୱୀପ୍ତ, ଦିଶେ ତାର ନେତ୍ରପତ୍ର ପ୍ରାୟ,

 

ଉଭା ବହୁ ସ୍ୱର୍ଣ୍ଣସ୍ତମ୍ଭ ହୋଇ ଧାଡ଼ି ଧାଡ଼ି

ଧରି ରତ୍ନ ମେହେରାବୀଚୟ, ଶବଳିତ,

ଝୁଲୁଛି ମାଣିକ୍ୟ ହାଣ୍ଡି, ମାଣିକ୍ୟର ଝାଡ଼,

ଥୋପା ଥୋପା ଗଜମୁକ୍ତା ଗୁମ୍ଫିତ ରୁଚିରେ ।

 

ସ୍ୱର୍ଣ୍ଣଦୀ-ଶୀକର-ସିକ୍ତ ଶୀତ-ସମୀରଣ

ଖେଳେ ତହିଁ ମନ୍ଦେ ମନ୍ଦେ, ବିତରି ସତତ

ନନ୍ଦନର ପାରିଜାତ-ପୁଷ୍ପ-ପରିମଳ ।

ସେ ମହାସଭାରେ ମେଘ-ମର୍କତ ଆସନ,

 

ବିଦ୍ୟୁ ତହିଁ ବିଜଡ଼ିତ କୁନ୍ଦନ ଲତିକା,

ତାରାରାଜି ପ୍ରଜ୍ୱଳିତ ରତ୍ନ-ଦୀପାବଳୀ,

ଚନ୍ଦ୍ର ଚନ୍ଦ୍ରଶାଳାଚୂଳେ ହୀରକ କଳସ !

 

ସ୍ୱର୍ଗ ପ୍ରଦର୍ଶନୀରୂପେ ବିରାଜେ ସେ ସଭା,

ଧରେ ଯାହା ଗର୍ଭେ, ତାହା ସକଳ ସ୍ୱର୍ଗୀୟ,

 

ବିନଶ୍ୱର ପାର୍ଥିବତା ନାହିଁ ତହିଁ କିଛି;

ପବିତ୍ର କୁଷ୍ମାଣ୍ଡେ ମନା ଅଲାବୁ ମିଶ୍ରଣ ।

 

ଏସନ ସଭାରେ ଦିନେ ବିଜେ ବଜ୍ରପାଣି

ଗଜଦନ୍ତ-ସିଂହାସନେ, ଉପବିଷ୍ଟ ଦେବେ

ମେଘେ-ମଞ୍ଚେ, ଯତବ୍ରତ ଦେବର୍ଷିଙ୍କ ସହ;

କରୁଛନ୍ତି ପିକକଣ୍ଠ ଗନ୍ଧର୍ବନିକର

 

ପଞ୍ଚମେ ସଙ୍ଗୀତାଳାପ ଝଙ୍କାରି ବଲ୍ଲକୀ,

ନୃତ୍ୟେ ରତ ଅପସରୀଏ, ଅଶେଷ ଠାଣିରେ !

ସେ ଦୃଶ୍ୟ ମଧୁର ବଡ଼, ପ୍ରାଣ ଉନ୍ମାଦକ,

ଯେସନ ଚନ୍ଦ୍ରିକାହାସି-ମଧୁ-ପର୍ବନିଶା !

 

ଆଖ୍ୟାରେ ଗନ୍ଧର୍ବସେନ ଇନ୍ଦ୍ରଙ୍କ କୁମର

କଳୁଥିଲେ ନୃତ୍ୟକଳା ସଭା ମଧ୍ୟେ ବସି,

ସ୍ୱଭାବତଃ ନାରୀନୃତ୍ୟ ଚାଞ୍ଚଲ୍ୟ-ଉତ୍ପାଦୀ,

ଏକେ ସେ ଯୁବକ, ହେଲେ ଚଳଚିତ୍ତ ତହିଁ ।

 

ବୁଝି ପାରି ବଜ୍ରୀ ତାହା ଆକାର ଇଙ୍ଗିତୁ

ଉଠିଲେ ପ୍ରଜ୍ଜ୍ୱଳି ଖରେ ରୋଷେ ଘୃଣାଭରେ,

 

ବଳିଗଲା ତାଙ୍କ କ୍ରୋଧ ଦୂର୍ବାସା କ୍ରୋଧକୁ,

ଭାଷିଲେ ତନୁଜେ ଚାହିଁ ଆରକ୍ତି ନୟନେ,-

 

‘‘ବର୍ବର, ନୋହୁ ତୁ ଯୋଗ୍ୟ ବସିବାକୁ ଏଥି,

ଅପବିତ୍ର କଲୁ ଆଜି ପୁଣ୍ୟ-ଦେବସଭା,

ହୋଇ ତୁ କାମାନ୍ଧ ମୂଢ଼, ପ୍ରାକୃତ ପ୍ରକାରେ

ପାପ-ପଦେ ଦେବ- ଧର୍ମେ ଦେଲୁ ପୁଷ୍ପାଞ୍ଜଳୀ,

 

କେଡ଼େ ଅକରଣୀ ତୋର, ଅହୋ କି ଅଦ୍ଭୁତ !

ହେଲା ନାହିଁ ଲଜ୍ଜା ତିଳେ ସୁରଗଣ ପ୍ରତି,

କିମ୍ୱା ଭୀତ ମୋହେ ପ୍ରତି, ଧିକ୍‌ କୁଳାଙ୍ଗାର !

ସହେ ନାହିଁ ପାପଭାର ପବିତ୍ରା ଅମରା,

 

ଅତଏବ ଆରେ ଦୁଷ୍ଟ ପାଶବ-ଆଚାରି,

ଏହି ମୁହୂର୍ତ୍ତରେ ତୁହି ହୋଇ ସ୍ୱର୍ଗଚ୍ୟୁତ,

ରହ ଯାଇ ମର୍ତ୍ତପୁରେ ଖର ରୂପ ଧରି ।’’

ଶୁଣି ଏ କଠୋର ଶାପ ପୁରନ୍ଦରସୂନୁ,

 

ଭୟେ କମ୍ପି ଥରହର, କୃତାଞ୍ଜଳିପୁଟେ

ନିବେଦିଲେ ପିତୃପଦେ କରୁଣେ କାତରେ,-

 

‘‘ଅଜ୍ଞାନ ବାଳୁତ ମୁହିଁ, ପିତଃ, ଦୁରାଚାର,

ମାତ୍ର ତୁମ୍ଭେ କ୍ଷମାମୟ ପିତା, ପୁତ୍ର ପ୍ରତି

 

ପିତୃସ୍ନେହେ ନୈସର୍ଗିକ ବିଧି, ପିତାପାଶେ

କ୍ଷମଣୀୟ ଆତ୍ମଜର କୋଟି ଅପରାଧ !

ଘଟେ ସୁଦ୍ଧା ଅତିବଡ଼ ଧୀମାନ ଜନର

ସ୍ଖଳନ ଏ ଭବେ ପଦ, କି ଚାରା ବା ଏଥି

ମୋ ଭଳି ତରଳମତି ଅଜ୍ଞ ବାଳକର ?

 

ଜାଣୁ ଜାଣୁ ଏହା କଲ ସିନା ଦଗ୍‌ଧ ମୋତେ

ତୀବ୍ର *ଦୁରୀଷଣାନଳେ, ଅହୋ କି ଯନ୍ତ୍ରଣା !

ବରଂ ଏହାଠାରୁ ଶ୍ରେୟ ଶିରେ ବଜ୍ରାଘାତ,

ସଦ୍ୟ ପ୍ରାୟଶ୍ଚିତ୍ତ ତାହା ମୋହୋ ଦୁଷ୍କୃତିର ।

*ଅଭିସମ୍ପାତାଗ୍ନିରେ

 

ପିତୃଦେବ, ଶୁଣିଛି ମୁଁ ମର୍ତ୍ତ୍ୟର ବେଭାର

ନିର୍ମମ, ନିଷ୍ଠୁର, ନାହିଁ ତହିଁ ମୈତ୍ରୀ, ପ୍ରୀତି

ଅନାବିଳା, ଜଳେ ଖରେ ସ୍ୱାର୍ଥ-ହୁତାଶନ,

ପୁଣି ତାହା ବିସର୍ପିତ ଦ୍ୱେଷ-ହିଂସା-ବିଷେ;

 

ଯେହୁ ଧର୍ମ ଅପଳାପ ଭୂମି, ନାହିଁ ଯହିଁ

ସାମ୍ୟ-ସୁଧା, ଝରେ ନାହିଁ ସ୍ନେହ-ମନ୍ଦାକିନୀ,

ଫୁଟେ ନାହିଁ ପୁଣି ଆହା ଶାନ୍ତି-ପାରିଜାତ,

ସେ ଅସ୍ୱର୍ଗରାଜ୍ୟେ ପିତଃ, ଯିବାକୁ ସର୍ବଥା

 

ନ ବଳେ ମାନସ, ହୁଏ ମହାଭୟ ଜାତ,

ମାଗୁଛି ଏ ଭିକ୍ଷା ତେଣୁ, ପ୍ରକାଶି କରୁଣା

କର ଶାପମୁକ୍ତ ଏହି ହତଭାଗ୍ୟ ସୁତେ !’’

ଶୋକବୋଳା କାତରୋକ୍ତି ଶୁଣି ସୁନାସୀର

 

ଗନ୍ଧର୍ବସେନର, ହେଲେ ଦୟାର୍ଦ୍ର ହୃଦୟ,

ଝିମିଟେ *ମିଲାଇଗଲା ସେ ଦୁର୍ବାର କୋଧ,

ଅଳ୍ପକ୍ଷଣସ୍ଥାୟୀ ସିନା ମହତର କୋପ,

ଜଳର ଉଷ୍ଣତା ପ୍ରାୟ, କୋପ ନୁହେ ତାହା,

+ମୁହୂର୍ତ୍ତକରେ

 

କେବଳ କୋପର ଛଳ, ଅବ୍ୟଥ ବର ସେ

ଦୁର୍ନୀତି ଦମନ ପକ୍ଷେ, ଅତ୍ୟୁକ୍ତି ଏ ନୁହେ ।

 

ଭାଷିଲେ ସହସ୍ରାମ୍ୱକ କୋମଳ ବଚନେ-

‘‘ବତ୍ସ, ଆସେ ନାହିଁ ଫେରି କାହିଁ କେଉଁ କାଳେ

 

କହିଗଲା କଥା, ତଥା ବହିଗଲା ପାଣି,

ହସ୍ତଚ୍ୟୁତ ତୀର ଆଉ ନ ଆସେ ହସ୍ତକୁ;

ହେବ ନାହିଁ ପଣ୍ଡ ବାବୁ, ବଚନ ମୋହର,

ଫଳିବ ନିକର * ତାହା ଏକା ଜଗତ୍ପିତା

*ନିଶ୍ଚୟ

 

କୁକର୍ମର ଦଣ୍ଡଦାତା, କହିଲେ ସେ ତୋତେ

ମୋହଦ୍ୱାରା ଶାସ୍ତି, ମୁହିଁ ନିମିତ୍ତ ମାତର !

ହେବ ନାହିଁ ଭୋଗିବାକୁ ଏ ଅଭିସମ୍ପାତ

ଚିରଦିନ ତୋତେ, ରାତ୍ରେ ହେବୁ ତୁ ମାନବ,

 

ଦିବସେ ଗର୍ଦଭ ରୂପ ଧରିବୁ ଆବର ।

କିଛିକାଳ ଏହିପରି ରହିବୁ ମର୍ତ୍ତ୍ୟରେ,

ଧାରା ନଗରୀର ରାଜା ପରମ ଧାର୍ମିକ,

ଧରନ୍ତି ସେ ଧାର ନାମ, କରିବେ ସେ ଯେବେ

 

ଭସ୍ମୀଭୁତ ତୋର ଏହି ଗର୍ଦଭ ଶରୀର,

ଶାପମୁକ୍ତ ହୋଇ ତେବେ ଆସିବୁ ମୋ ପାଶେ ।

ସହିବାକୁ ଦୁଃଖ କେବେ ନ ହେବୁ ବିମୁଖ,

ନାହିଁ ତ ସୁଖର ସାଧ୍ୟ ସୁଖ ଉତ୍ପାଦନେ,

ଦୁଃଖର ତା ସାଧ୍ୟ, ଦୁଃଖସୁଖଠାରୁ ଶ୍ରେୟ,

କରେ ଦୁଃଖ ଚରିତ୍ରକୁ ବିଶୁଦ୍ଧ ନିର୍ମଳ,

ଦୂଷିତ ଆବିଳ ଜଳେ ସ୍ଫଟିକାରୀ *ଯଥା ।

କ୍ଳେଶ ଏକା ଜୀବନର ପ୍ରବୀଣ ବିନ୍ଧାଣୀ,

*ପ୍ରଚଳିତ ନାମ ଫିଟିକିରୀ ।

ଭାଙ୍ଗିଦେଇ ଜୀବନର ଗମନସୋପାନ,

ଗଢ଼ିଦିଏ କରି ତାକୁ ଅନିନ୍ଦ୍ୟ ସୁନ୍ଦର !’’

ନୀରବନ୍ତେ ଆଖଣ୍ଡକ, ସେହି ମୁହୂର୍ତ୍ତରେ

ଖସି ଅଭିଶପ୍ତ ସ୍ୱର୍ଗୁ, କ୍ଷୀଣପୁଣ୍ୟ ଯଥା,

ପୃଥିବୀ ପରଶେ ହେଲେ ପ୍ରାପ୍ତ ଖରବେର ।

ତହୁଁ ଯାଇ ଧାରାରାଜ୍ୟେ ହୋଇ ଉପସ୍ଥିତ,

ରହିଲେ ବିରସ ମନେ ଜୀବନ୍ମୃତ ପ୍ରାୟ,

ନିବସନ୍ତି ରାତ୍ରେ ନିତ୍ୟ ନରରୂପେ ଗ୍ରାମେ,

 

ଦିବସେ ଗଦର୍ଭରୂପେ ଏକ ସରୋବରେ ।

ଅଶୁଭ ସମୟ ଆସେ ତୁରଙ୍ଗ ଗତିରେ,

ମାତ୍ର ଯାଏ ମଠେ ଅତି, କର୍ମଠ ଯେସନ,

ଅଟେ ଏହା ପ୍ରକୃତିର ଶାଶ୍ୱତ ନିୟମ !

 

ଏହିରୂପେ କିଛିକାଳ ହୋଇଗଲା ଗତ,

ଭାବୁଥାନ୍ତି ଅନୁକ୍ଷଣ ବିପନ୍ନ ବାସବି,

‘‘କେମନ୍ତେ ଭେଟିବି ଯାଇ ଧାରା-ନଗରୀଶେ,

କେତେ ଦିନେ ହେବ ଅବା ଦୁର୍ଗତି ମୋଚନ,

 

ହୋଇ ଦେବରାଜସୁତ, କୃତକର୍ମ ଦୋଷେ,

ହରାଇ ବସିଲି ହାୟ ! କେଡ଼େ ବଡ଼ପଣ,

ଜନ୍ମି ଦେବ ଔରସରୁ, ଦେବ ଦେହ ବହି

ଲଭିଲି ପଶୁତ୍ୱ ଏବେ, ଧିକ ମୋ କରଣି ।

 

ଅହୋ ! କି ଭୀଷଣ ଶତ୍ରୁ ଦୁଗନ୍ତ ଯୌବନ,

କରେ ନିତ୍ୟ ଆୟୁଃ ପାନ ଚରିତ୍ର ସହିତ ।

ଯଦ୍ୟପି ଆକୃତିବନ୍ତ ହୋଇଥାନ୍ତା ସେହୁ,

ଦିଅନ୍ତି ସମ୍ପ୍ରତି ତାକୁ ଅନଳେ ନିକ୍ଷେପି !’’

 

ଏହିପରି ଭାବୁ ଭାବୁ କେତେ କାଳ ପରେ

ନିୟତି ଘଟାଇଦେଲା ଶୁଭଯୋଗ ଆଣି;

କରେ ଆନୟନ ଯଥା ଜୀବନେ ସେ ଦୁଃଖ,

ତଥା ସୁଖ-ସୁଧା ସୁଦ୍ଧା ଦାତବ୍ୟ ତାହାରି ।

ଦୈବେ ଦିନେ ବିପ୍ର ଜଣେ ବାସର-ଶୈଶବେ *

*ପ୍ରାତଃକାଳରେ

 

ପ୍ରବେଶି ମଘବାସୂନୁ-ନିବାସତଡ଼ାଗେ,

ସ୍ନାନ ତର୍ପଣାଦି ଶେଷେ ବାହୁଡ଼ିବାବେଳେ

ସମ୍ୱୋଧି ତାହାଙ୍କୁ ଐନ୍ଦ୍ରି, ଜଳଗର୍ଭେ ଥାଇ

ଭାଷିଲେ ଏସନ ନମ୍ରେ- ‘‘ମର୍ତ୍ତ୍ୟଦେବ, ହେଉ

ମଙ୍ଗଳ ତୁମ୍ଭର, କର କିଛି ଉପକାର

 

ମୋର, ପର ଉପକାରେ ମିଳେ ଯେ ସୁଫଳ

ସୁଧାମୟ, ଥିବ ତୁମ୍ଭେ ତାହା ସୁବିଦିତ,

କି କହିବି ଅଧିକ ମୁଁ, ସେହି ତ ତ୍ରିଦିବ !

 

ଧନ୍ୟ ସେ, ଝରେ ଯା ନେତ୍ରୁ ଅଶ୍ରୁ ପରଦୁଃଖେ,

ସେହି ଅଶ୍ରୁ ନିଶ୍ଚେ ସ୍ୱର୍ଗ ମନ୍ଦାକିନୀ-ଧାରା !

 

କହ ଯାଇ ଧାରେଶ୍ୱରେ ବହି ଅନୁଗ୍ରହ,

ମୋହର ଏ ବାର୍ତ୍ତା- ମୁହିଁ ଦେବରାଜ-ସୁତ,

ନାମ ମୋ ଗନ୍ଧର୍ବସେନ, ପିତୃ ଅଭିଶାପେ

ରହିଛି ମୁଁ ତାଙ୍କ ରାଜ୍ୟେ ଆସି ବହୁଦିନୁ

ଏହି ସରୋବର ମଧ୍ୟେ, ସ୍ୱୀୟ କନ୍ୟାଦାନେ

କରନ୍ତୁ ସେ ଯଥାଯୋଗ୍ୟ ସମ୍ମାନିତ ମୋତେ ।’’

ତଥାସ୍ତୁ ଉଚ୍ଚାରି ଦ୍ୱିଜ, ଯାଇ ଯଥାକାଳେ

ନିବେଦିଲେ ଏ ବୃତ୍ତାନ୍ତ ନରବର ଧାରେ ।

ଶୁଣି ରାଏ ଏ ଅଦ୍ଭୁତ ଅଶ୍ରୁତ ସମ୍ୱାଦ,

ହେଲେ ହେଁ ଆଶ୍ଚର୍ଯ୍ୟ, କଲେ ନାହିଁ ଅବିଶ୍ୱାସ,

ଜାଣନ୍ତି ସେ ଏ ଦୁର୍ଜ୍ଞେୟ ବିଷମ ସଂସାରେ

ନୁହେଁ କିଛି ଅସମ୍ଭବ, ଏ ତ ରହସ୍ୟର

ରଙ୍ଗଭୂମି, ନାହିଁ ଏଥି କେଉଁ ଅଭିନୟ ?

ବାର୍ତ୍ତାବହୁ ବିପ୍ରେ ଘେନି ତହୁଁ ଧାରାଧୀଶ,

ହେଲେ ଉପସ୍ଥିତ ସେହି ପୁଷ୍କରିଣୀତୀରେ ।

ଅନନ୍ତର ଉଚ୍ଚକଣ୍ଠେ କହିଲେ ବ୍ରାହ୍ମଣ-

 

‘‘ହେ ଗନ୍ଧର୍ବସେନ, ବିଜେ ନୃପମଣି ଏଥି,

ଅଛି ଯା ବକ୍ତବ୍ୟ ତବ ବଖାଣ ସତ୍ୱର ।’’

 

ଉଠିଲାକ ପରକ୍ଷଣେ ଜଳରାଶି ଭେଦି

ଏସନ ଭାରତୀ- ‘‘ନୃପ, ଇନ୍ଦ୍ରସୂତ ମୁହିଁ,

ନିବେଦିଛି ମୋ ଅଭୀଷ୍ଟ ପୂର୍ବରୁ ଛାମୁରେ

ଏହି ଦ୍ୱିଜଦ୍ୱାରା, ହୁଏ ଯଦି ମନୋନୀତ

 

ତାହା, ତେବେ କର ସେହି ଶୁଭମହୋତ୍ସବ ।’’

ଉତ୍ତରିଲେ ଭୂପ- ‘‘ଯିବି କିରୂପେ ବିଶ୍ୱାସ

ତୁମ୍ଭେ ଇନ୍ଦ୍ରପୁତ୍ର ବୋଲି, ଗଢ଼ି ଦେବ ଯେବେ

ଆଜି ରାତ୍ରି ମଧ୍ୟେ ଏକ ଲୌହମୟ ଗଡ଼

 

ଏହି ସ୍ଥାନେ, ଦୀର୍ଘେ ଦଶ କ୍ରୋଶ, ପ୍ରସ୍ଥେ ତଥା,

ଉତ୍ସର୍ଗରେ ତିନି କ୍ରୋଶ, ସପରିଖ, ତେବେ

ବୁଝିବି ଯଥାର୍ଥା ତୁମ୍ଭେ ମହେନ୍ଦ୍ର-ତନୟ ।’’

ବୋଇଲେ ବଜ୍ରିଜ ତହୁଁ, ‘‘ହେଉ ତେବେ ରାଏ,

 

 

ଯାଅ ଆଜି, କାଲି ଆସି ଦେଖିବ ପ୍ରଭାତେ ।’’

ଶୁଣି ଏହା ନରନାହା ବାହୁଡ଼ି ନଗରେ,

ପରଦିନ ପ୍ରତ୍ୟୁଷରେ ଆସି ପୁନରପି

ହେରିଲେ ଅଦ୍ଭୁତ ଦୃଶ୍ୟ, ହୋଇଛି ନିର୍ମିତ

ଦୁର୍ଗ ସ୍ୱନିର୍ଦ୍ଦେଶମତେ, ଅଧିକନ୍ତୁ ତାହା

ବିମଣ୍ଡିତ ରାଜୋଚିତ ଭାବେ । ଆୟସୀ ଭିତ୍ତିକା

ପିହିତ *ପୁରଟ-ପତ୍ରେ ଟଙ୍ଗା ତହିଁ କେତେ

ଚିତ୍ର, -ପ୍ରକୃତିର ଦିବ୍ୟ ସାମୟିକ ରୂପ,

*ସ୍ୱର୍ଣ୍ଣ ପତ୍ରରେ

ଚାରିଦିଗେ ରାଜେ ଚାରୁ ସୁବିଶାଳ ଦ୍ୱାର,

ଖୋଦିତ ଊର୍ଦ୍ଧ୍ୱରେ ତାର ଦଶ ଅବତାର,

ଚଣ୍ଡିଯୁଦ୍ଧ, ରାମାୟଣ, ଭାରତ ଘଟନା,

ଭୂତଳେ ଅତୁଳ ସେହି ଆଲେଖ୍ୟ ମହିମା,

କୃତ୍ରିମ ସେ, ମାତ୍ର ଦିଶେ ନୈସର୍ଗିକ ପ୍ରାୟ ।

ଦ୍ୱାରେ ଦ୍ୱାରେ ଲମ୍ୱମାନ ଜାଲି-ଯବନିକା,

ଝଟକେ ତହିଁରେ ଥୋପା ଥୋପା ହୀରା-ନୀଳା-

ମୋତି-ମାଣିକ୍ୟାଦି ରତ୍ନରାଜି, ଝଟକେ କି

 

ପ୍ରାତେ ହିମକଣିକିତ ଲୂତାତନ୍ତୁ ଜାଲି,

ବାଳାରୁଣ ରକ୍ତ ପୀତ ମିଶ୍ରିତ କିରଣେ ।

ବିସ୍ତୀର୍ଣ୍ଣ ପରିଖା ପୂର୍ଣ୍ଣ ନିର୍ମଳ ସଲିଳେ,

ଉଠି କ୍ଷୁଦ୍ର କ୍ଷୁଦ୍ର ବୀଚି ମନ୍ଦ ଗନ୍ଧବହେ

 

ଦେଉଅଛି ଶିର ପିଟି ଦୁର୍ଗ ପାଦତଳେ ।

ଅବଲୋକି ପ୍ରଜାପାଳ ଏସନ ନବର

ଅପୂର୍ବ, ଭାବିଲେ ଅହୋ, କେଡ଼େ ଅମାନୁଷୀ

କଳ୍ପନା-ଅତୀତ କ୍ରିୟା ହେଲା ଆଜି ମୋର

 

ପ୍ରତ୍ୟକ୍ଷେ ଗୋଚର, ଯାର କ୍ଷମତା ଏ ଭଳି

ଅଲୌକିକ, ନୁହେ ସେହୁ ଦୁର୍ବଳ ମାନବ ।

ପ୍ରକାଶ୍ୟେ ଆହ୍ୱାନ ତହୁଁ ଭାଷିଲେ ମଧୁରେ-

‘‘ହେ ଗନ୍ଧର୍ବସେନ, ତୁମ୍ଭେ ମହେନ୍ଦ୍ରତନୁଜ,

ଅନୁକୂଳ ସାକ୍ଷ ତାର ତବ ଏ କରଣୀ ।

 

ତୁଟିଲା ସନ୍ଦେହ ମୋର, ହେଲି କୃତସତ୍ୟ,

ବରିବି ଜାମାତୃପଦେ ତୁମ୍ଭଙ୍କୁ ନିଶ୍ଚୟ;

 

ହେଉଛି ବିଦାୟ ଆଜି, ଶୁଭଲଗ୍ନ ବୁଝି

ବିବାହ ସମ୍ଭାର ସହ ଆସିବି ସତ୍ୱର ।’’

ଅନନ୍ତର ନିରୁପିତ ବିବାହ ଦିବସେ

ଭିଆଇ ଉତ୍ସବ, ରାଏ ପାତ୍ରମିତ୍ର ସହ

ବିଜେ ହେଲେ ପଟୁଆରେ, ପୁରନାରୀବ୍ରାତ

ଚଳିଲେ ଜେମାଙ୍କୁ ଘେନି ଶିବିକା ଆରୋହି ।

ବାଜିଲା ମଙ୍ଗଳ ବାଦ୍ୟ, ଉଡ଼ିଲା ନିଶାଣ,

କୃତ୍ରିମ ଉଦ୍ୟାନଶ୍ରେଣୀ ମୋହନ ମାଧୁରୀ

ରାଜିଲା ଦ୍ୱିପାଶେ, ମଧ୍ୟେ ଧାରା ନରପାଳ

ଚଳିଲେ ମଣ୍ଡଣିମନ୍ତ ବାରଣେ ଆରୋହି ।

ଚାଲିଲା ପୁରତେ ଛତ୍ର, ତରାସ, ଆଢ଼େଣୀ

ମଣିମୟ; ସ୍ୱର୍ଣ୍ଣମୟ ରାଜଦଣ୍ଡ ଟେକି

ଚାଲିଲା ଖୁଣ୍ଟିଆ, ଘୋଷି ଉଚ୍ଚେ ଘନ ଘନ

‘‘ରାଜ ବିଜେ, ରାଜ ବିଜେ’’ ଦୋଳିଲା ଚାମର

କୁଟିଳ-କୁଞ୍ଚିତ ଖଦି, ମଧୁରେ ସଧୀରେ ।

ମିଳିଲେ ସକଳେ ଯାଇ ପୁଷ୍ପରିଣୀ ତୀରେ ।

 

ସେହି ହିରଣ୍ମତୀ ପୁରୀ ମଧ୍ୟେ, ହେରି ତାର

ସୁଧାବୋଳା ମଧୁରିମା, ଅଦୃଷ୍ଟପୂରବ,

ମଣିଲେ ବିସ୍ମୟମିଶା ଆନନ୍ଦ ଅନ୍ତରେ

ନିଶ୍ଚୟ ଏ ସ୍ୱପ୍ନ-ସ୍ୱର୍ଗ ! ଅଙ୍କିତ ତହିଁରେ

ହେମଦୀପ୍ତ ବର୍ଣ୍ଣଚୟେ ଶୁଭଶ୍ଳୋକାବଳୀ,

ଅଙ୍କିତ ଦୟାର୍ଦ୍ର ହୃଦେ ପରଦୁଃଖ ଯଥା ।

ନୁହେଁ ମାନବର ସାଧ୍ୟ ଏ ପୁରୀନିର୍ମାଣ,

ଏ ଉପ-ଅମରାପୁରୀ ନିର୍ମାଣ ଯଦ୍ୟପି

ହୋଇଥାନ୍ତା ସାଧ୍ୟାୟତ୍ତ ନରର, ତେବେ ସେ

ଲଭିଥାନ୍ତା ଦେବଲୋକ ଊର୍ଦ୍ଧ୍ୱରେ ଆସନ !

ବସିଲା ବିବାହ-ସଭା ମଣ୍ଡିତ ମଣ୍ଡପେ,

ଉପବିଷ୍ଟ ନୃପ ସହ ବିବାହ ଯାତ୍ରୀଏ

ଯଥାଯୋଗ୍ୟ ସ୍ଥାନେ, ଘେରି ରତ୍ନମୟ ବେଦୀ

ବସିଗଲେ କୁଶାସନେ ବ୍ରହ୍ମା ପୁରୋହିତେ,

ଆବର ବରଣୀ ବିପ୍ରେ କୁଶବଟୁ କରେ,

କେହି ଅବା ଶ୍ରୁବ, ସ୍ରୁଚ, ପାଠପୋଥି ଧରି ।

ବାଜିଲା ମଙ୍ଗଳ ବାଦ୍ୟ, ଘୋଷେ କମ୍ୱୁପଙ୍‌କ୍ତି

 

ଅମ୍ୱୁପତି ଯଥା- ସ୍ଥୂଳ ଅବିଚ୍ଛିନ୍ନ ସ୍ୱରେ,

ମୁହୁର୍ମୁହୁ ହୁଳାହୁଳି, ସେ ଶବଦ-ସାଗରେ

 

ସୃଜିଲା ଲହରୀମାଳ, ଉଛୁଳିଲା ଦିଗ ।

ଜଣାଇଲା ପାଟଯୋଷୀ * ଗଣି ଶୁଭବେଳା

ନୃପତି ଛାମୁରେ, ତହୁଁ ରାଏ ଆଦେଶିଲେ

ପୁରୋହିତେ, ଆନୟନେ ଦେବେନ୍ଦ୍ର-କୁମାରେ ।

*ପଟ୍ଟଜ୍ୟୋତିଷ ଶ୍ରୀଦଜ

 

ମିଳି ସରୋବରତୀରେ ସତ୍ୱର ପୁରୋଧା

କହିଲେ ସମ୍ୱୋଧି ଉଚ୍ଚେ- ‘‘ହେ ଗନ୍ଧର୍ବସେନ,

ଉପସ୍ଥିତ ଲଗ୍ନ, ଆସ ବିବାହ-ମଣ୍ଡପେ ।’’

ଅନନ୍ତର ଉଠି ସରୁଁ ବୀଭତ୍ସ ଗର୍ଦଭ

 

ଜଳାର୍ଦ୍ର ଶରୀରେ ହେଲା ଉପସ୍ଥିତ ଖରେ

ସଭା ମଧ୍ୟେ, ଦେଖି ତହିଁ ତୌର୍ଯ୍ୟତ୍ରିକ ଲୀଳା,

ନିହି ଅଂସେ + ମୁଖ, କଲା କର୍କ ଆରାବେ

ସଂଦୁର୍ବୋଧ୍ୟ ସ୍ଫୁର୍ତ୍ତିସୂଚୀ ସଙ୍ଗୀତ ଆଳାପ ।

+ସ୍କନ୍ଧରେ

 

ଅବଲୋକି ଏ ଅଦ୍ଭୁତ ଅଶ୍ରୁତ ଘଟଣା

ଗଣିଲେ ତାଟଙ୍କା ସର୍ବେ, ନୃପ, ସଭାଜନେ,

ନୀରବ ନିଷ୍ପନ୍ଦ ଭାବ ଭଜିଲାକ ସଭା ।

 

କିଛିକ୍ଷଣ ପରେ ସେହି ନୀରବତା କ୍ରୋଡ଼େ

ଉଚ୍ଛୃଙ୍ଖଳ ହାସ୍ୟରାଶି ଉଠିଲା ଉଦ୍ଭାସି,

ପୋତିଲେ ତଳକୁ ମଥା ଲଜ୍ଜାବଶେ ରାଏ ।

ନ କହିଲେ ପ୍ରତ୍ୟକ୍ଷରେ କେହି କିଛି ଭୟେ,

 

ମାତ୍ର କଲେ ବହୁ ବ୍ୟଙ୍ଗ ଲଘୁତମ ସ୍ୱରେ,

କେ କହିଲା, ‘‘ବିଜେ ଦେଖ ଇନ୍ଦ୍ରଙ୍କ ତନୁଜ

ବରବେଶେ, କି ଶୋଭାରେ ଆହା ଏ ରୂପର !

ଦେଖି ଚାହିଁ ବରିଛନ୍ତି ରାଜା ଏ ଜାମାତା,

 

ଶଙ୍ଖୁଆଙ୍କ ଦାନାବୁଡ଼ା ।’’ କେ ବୋଲେ, ଏ ବର

କରୁଚି- ରୁଚିର କିମ୍ୱା ସୁନିନ୍ଦ୍ୟ ସୁନ୍ଦର,

ବିବାହେ ଏ ଯୁଗ୍ମକର୍ମୀ-ବର, ବାଦ୍ୟକାର;

ଅଶ୍ୱିନୀକୁମାର-ଜୀର୍ଣ୍ଣ ସୁନ୍ଦର ସଂସାରେ,

 

ଏ ତା’ ନବ ସଂସ୍କରଣ-ଗର୍ଦଭୀ-କୁମାର ।’’

ବସିଥିଲେ ସଭାଗୃହେ ପୁରନାରୀବ୍ରାତ

ଲୋକଚକ୍ଷୁ ଅନ୍ତରାଳେ, ଦେଖି ସେ ଗର୍ଦଭେ

ଉଠିଲେ ଚମକି, ଚାହିଁ ପରସ୍ପର ମୁଖେ

 

ସବିସ୍ମୟେ, ଏହି କଥା ହେଲେ କହା କହି-

‘‘ଅହୋ, କି ଅଶୁଭ, କିପାଁ ବିବାହ କାଳରେ

ଉପସ୍ଥିତ ଅମଙ୍ଗଳ-ଧୂମକେତୁ ଖର ?

 

ସତେ କି ଏ ଶୋଭା-ସ୍ୱପ୍ନ-ପ୍ରତିମାକୁ, ହାୟ,

ଛନ୍ଦିବେ ଗର୍ଦଭ ପଦେ ଆମ୍ଭ ନରବର !

ସୃଜିଲା କି ବିହି, ଶୋଭା-ରାଜ୍ୟ-ପାଟରାଣୀ

ଫୁଲେ ତୁଚ୍ଛ କୀଟ ପାଇଁ, ଅବା ମଳୟଜେ

(ଦେବଭୋଗ୍ୟ) ଖଳ କାଳ ହୁଳାହୁଳୀ ଲାଗି ?

 

ହା ବିଧାତଃ ! ତବ ପକ୍ଷେ କିବା ଅସମ୍ଭବ ?

ଜେମାଭାଗ୍ୟେ ଏ ଲଜ୍ଜା- ଏ ତୀବ୍ର ଉପହାସ

କେଉଁ ପାପେ ଅବା ଶାପେ ? ହାୟ କି ବିପାକ !

 

ରଖିଛ ତ ତୁମ୍ଭେ ଆହା ଶୋଭାଙ୍ଗୀ କମଳେ

କଦର୍ଯ୍ୟ ଦୁର୍ଗନ୍ଧମୟ ପଙ୍କସହବାସେ,-

ମିଶାଇ ମାଟିରେ ରତ୍ନେ-ମୋତି ଶୁକ୍ତିକାରେ;

ନିହିଛି ତ ପୁଣି ରଙ୍ଗା ପାପହା ସଲିଳେ

 

ସର୍ପ, ଭେକ, ମତ୍ସ୍ୟ, କୂର୍ମ, କୁମ୍ଭୀର, ମକରେ;

କି ବୈଚିତ୍ର୍ୟ ଉପସ୍ଥିତ ଅଘଟନେ ଅବା !’’

ଭାଷିଲା ଜରତୀ ଜଣେ, ‘‘କିପାଁ ନିନ୍ଦ ବିହି ?

 

ଅଛି ଏଥି କିଛି ଗୁପ୍ତ ରହସ୍ୟ ନିହିତ,

ଏହିକ୍ଷଣି ଅବଶ୍ୟ ତା’ ହେବ ଉଦ୍ଘାଟିତ;

ଆସେ ଯାହା ଅମଙ୍ଗଳରୂପେ, ହୁଏ ତାହା

ମଙ୍ଗଳ ନିଦାନ ଶେଷେ, ଥାଏ ପୂର୍ଣ୍ଣ ସିନା

 

କଷି ଆମ୍ରେ ଅମ୍ଳ କଷାରସ, ମାତ୍ର ସେହି

ରସ ହୁଏ ପରିମାଣେ ଅମୃତ ସମାନ !’’

ଏ ଉତ୍ତାରେ ଉପବିଷ୍ଟ ପଣ୍ଡିତମଣ୍ଡଳୀ

କହିଲେ ସମ୍ୱୋଧୀ ନୃପେ, ‘‘ଧାରାରାଜ, ଏ କି

 

ଇନ୍ଦ୍ରପୁତ୍ର ? ପତ୍ରେ ହୁଏ ପ୍ରତାରଣା ପରି;

ଦେଖା ନାହିଁ କାହିଁ କେବେ ଏରୂପ ବିବାହ,

ଶୁଣା ଅଛି ମାତ୍ର ପୂର୍ବେ ଉପକଥା ଏକ-

ବିବାହ ଗର୍ଦଭ ଉଷ୍ଟ୍ରୋ, ଦେଖି ସେ ବିବାହେ

ଗର୍ଦଭ ଉଷ୍ଟ୍ରର ରୂପ, ହୋଇ ବିମୋହିତ,

ବୋଇଲା ‘ଆହାରେ କିବା ଅପରୂପ ରୂପ !’

ତଥା ଉଷ୍ଟ୍ର ସୁଦ୍ଧା ଶୁଣି ଗର୍ଦଭ ଆରାବ,

କହିଲା, ‘କି ସୁଧା ସ୍ୱର-କର୍ଣ୍ଣ ରସାୟନ !’

କିନ୍ତୁ ସେ ବିବାହ ଥିଲା ସବର୍ଣ୍ଣ ବିବାହ

ପଶୁ ପଶୁ ମଧ୍ୟେ, ନୁହେଁ ଏ ତାହା ସମାନ,

ନର ପଶୁ ପରିଣୟ କିମାଶ୍ଚର୍ଯ୍ୟ ଅହୋ !

ଦେବ କି ହେ ସତେ ଟେକି ଜାଣୁ ଜାଣୁ ରାଏ;

ସୁଧାପୂର୍ଣ୍ଣ ସ୍ୱର୍ଣ୍ଣକୁମ୍ଭ ଦାନବ ହସ୍ତରେ ?

ଅଦ୍ୟକାର ଏ ଘଟଣା ହେବ ବିଘୋଷିତ

ବହୁକାଳ କାଳ-କଣ୍ଠେ, ଆଜିର ଏ ଦିନ

ନୋହିବ ପର୍ଯ୍ୟବସିତ ଷଷ୍ଟିତମ ପଳେ,*

*ଷାଠିଏ ବର୍ଣ୍ଣ ।

 

ବହୁଯୁଗ ବ୍ୟାପିବ ତା’ ଦୀର୍ଘ ପରମାୟୁ,

ଅନନ୍ତ ସମୟ ସ୍ରୋତେ ଖେଳିବ ଯାବତ

ଅତ୍ୟଦ୍ଭୁତ ଏ ଘଟଣା, ଦେଶକାଳାତୀତ,

ସ୍ମରଣୀୟ ଆଜ ଦିନ ଅନସ୍ତ ତାବତ !’’

 

ଗର୍ଦଭ ସ୍ୱରୂପୀ ଐନ୍ଦ୍ରି ଶୁଣି ଏ ବଚନ,

ହେରି ପୁଣି ନୃପତିଙ୍କ ମୌନ ଭାବ, ହେଲେ

ହତାଶ, ନ ହେଲେ ମାତ୍ର ହତାକାଙ୍‌କ୍ଷ କଦା,

ମରିଯାଏ ଆଶା, କିନ୍ତୁ ଆକାଙ୍‌କ୍ଷା ଅମର ।

 

ହୋଇ ସେ ଦୀକ୍ଷିତ ସେହି ଆକାଙ୍‌କ୍ଷା ମନ୍ତ୍ରରେ

କହିଲେ ସମ୍ୱୋଧି ତହୁଁ ଭାବି ବୈବାହିକେ *

ବିନୟ ତରଳ-କଣ୍ଠେ, ସଂସ୍କୃତ ଭାଷାରେ-

‘‘ନରପତେ, କୃତସତ୍ୟ ନ କର ଅନ୍ୟଥା,

*ଶ୍ୱଶୁର

 

କ୍ଷତ୍ରିୟ ନୃପତି ତୁମ୍ଭେ, ସତ୍ୟ ଅବତାର,

ନ ଭୁଲ ନ ଭୁଲ ରାଏ, ସତ୍ୟର ମହିମା;

 

ଅନ୍ଧାର-ଦିହୁଡ଼ି ସତ୍ୟ, ଜଗତ-ନୟନ

ରବି ଶଶୀ ବିତରନ୍ତି ଯେ ମହା ଆଲୋକ,

ସତ୍ୟର ଆଲୋକ ତାହା, ସ୍ନିଗ୍‌ଧ ସୁଧାମୟ !

ସତ୍ୟ ସ୍ୱର୍ଗ, ସତ୍ୟ ମୋକ୍ଷ, ଦେବତ୍ୱ ସତ୍ୟ ହିଁ,

ପୁଣି ସତ୍ୟ ସୃଷ୍ଟିସତ୍ତା, ସତ୍ୟ ସଂପାଳନ

ମାନବର ଅବିଚ୍ଛିନ୍ନ ନିତ୍ୟ ଧର୍ମ-ବ୍ରତ ।

ସତ୍ୟ ଦୃଢ଼ ସେତୁବନ୍ଧ ଭବ ପାରାବାରେ

ଶୋକ-ତାପ-ପାପ-ଦୁଃଖ-ବୀଚି ବିଭୀଷଣ,

ସତ୍ୟ ସତ୍ୟବାନ ଦେହେ ସୁରକ୍ଷା-କବଚ ।

ଥିଲେ ପରିଜ୍ଞାତ ସତ୍ୟ-ଗୌରବ-ଗରିମା

ସାଧୁ- ଯୁଧିଷ୍ଠିର, ଧର୍ମରାଜ, ସତ୍ୟରାଜ,

ସନିର୍ବନ୍ଧ ଅନୁରୋଧେ ସୁଦ୍ଧା କୃଷ୍ଣଙ୍କର,

ସ୍ୱୟଂ କୃଷ୍ଣଗତପ୍ରାଣ, କୃଷ୍ଣଭକ୍ତବର,

ନ ତେଜିଲେ ସତ୍ୟ କେବେ, ‘‘ଆଶତ୍ଥାମା ହତ’’

କହି, ଶେଷେ କହିଥିଲେ ‘‘ନରେ ବା ଗୁଞ୍ଜରେ’’

କିଳି ଦେଲେ ମିଥ୍ୟାବେକ ସତ୍ୟ-ଅନର୍ଗଳରେ,

 

ସଶରୀରେ ସ୍ୱର୍ଗେ ସେହୁ ଗଲେ ସତ୍ୟ ହେତୁ ।

ପରିଧେୟ ବସ୍ତ୍ର ଜୀବ-କଳେବର,

ହୁଏ ଜୀବ ମାନ୍ୟାମାନ୍ୟ ଗୁଣାଗୁଣ ହେତୁ-

ବସ୍ତ୍ରହେତୁ ନୁହେ, ଅତଃ ଉଚ୍ଚନୀଚ ନ୍ୟାୟ

ନୁହେଁ ସୁସଙ୍ଗତ କେବେ ଦେହ ସମ୍ପର୍କରେ ।

ନୀଚକୁ ବା କିପାଁ ଘୃଣା, ନୀଚର ମହିମା

ନୁହେଁ ତ ସାମାନ୍ୟ, ତାହା ଅଗାଧ ଅସୀମ,

ରଖେ ସିନା ବୃଷ୍ଟିବାରି ସଞ୍ଚି ନୀଚଭୂମି !

ମୋର ଏ ରାସଭତନୁ ପିତୃ ଅଭିଶାପୁଁ,

ହେବି ରାତ୍ରି ହେଲେ ନର, ନ କର ସନ୍ଦେହ ।’’

ସଭାସ୍ଥ ସକଳ ଜନେ ଶୁଣି ଏ ଭାରତୀ

ଉଚ୍ଚାରିଲେ ସମସ୍ୱରେ ନିଶ୍ଚେଁ ଏ ବାସବି

ଛଦ୍ମରୂପୀ, ନୁହେ କେବେ ପ୍ରକୃତି ଗର୍ଦଭ,

ସମ୍ଭବେ କି ପଶୁମୁଖେ ଶୁଦ୍ଧ ଦେବଭାଷା ?

କର କନ୍ୟାଦାନ ରାଏ, ପରିହରି ଦ୍ୱିଧା ।

ବିଷମ ଦୁଃସହ ଖେଦେ ନୃପତିଙ୍କ ମତି

 

ଯାଇଥିଲା କାହିଁ ଉଡ଼ି, ନ ଜାଣନ୍ତି ସେହି,

ମାତ୍ର ଏହି ଖରରୂପୀ ମାଘବେୟ ବାଣୀ

 

ଆଣିଲା ଓହ୍ଲାଇ ତାକୁ ପ୍ରକୃତି ରାଜ୍ୟକୁ;

ନିଦାଘ-ସଂଦଗ୍‌ଧ ମହୀ ଶୁଣିଲା କି ଆହା

ବର୍ଷାନ୍ମୁଖୀ ନବ ମେଘ ସାନ୍ତ୍ୱନା-ନିସ୍ୱନ !

ପଡ଼ିଲା ବିଷାଦ-ବକ୍ଷେ ଆଶାଲୋକ ରେଖା,

 

କ୍ଷୀଣ ତାରାଲୋକ ଯଥା ଉଆଁସ ଅନ୍ଧାରେ;

ବାଜିଲା ଆଶାର ବଂଶୀ ପ୍ରାଣ-ବୃନ୍ଦାବନେ,

ମଧୁରେ ମଧୁରେ, ଆହା, ସୁଧାସିକ୍ତ ତାନେ ।

ନୈରାଶ୍ୟର ମହାଧ୍ୟାନ ତୁଟିଯାନ୍ତେ ଖରେ

 

ଶୋଭିଲା ନୃପତି ନେତ୍ରେ ତୃପ୍ତିର ମୟୂଖ,

ଆନନ୍ଦ-ଅମୃତବୀଚି ଖେଳିଲା ବଦନେ;

ଆଶା ଆଶ୍ୱାସିନୀ ଶକ୍ତି ତଡ଼ିଲା କ୍ଷଣକେ

ମନୁ ଶୋକବୋଳାସ୍ମୃତି, ତହୁଁ ନବୋତ୍ସାହେ

ସମାପି ଉଦ୍‌ବାହ କ୍ରିୟା ରାଏ ଯଥାବିଧି,

ରତ ହେଲେ ମହୋଲ୍ଲାସେ ଧନ-ବିତରଣେ ।

 

ଦ୍ୱିତୀୟ ସର୍ଗ

 

ଅସ୍ତୋନ୍ମୁଖ ରବି-ରଶ୍ମି-ରଜ୍ଜୁ ଧରି ଧୀରେ

ଅବତରି ଦିବୁ ସନ୍ଧ୍ୟା, ଅସିତବସନା,

ନିଭାଇଲା ପ୍ରକୃତିର ଚାରୁ ହାସ୍ୟଚ୍ଛଟା ।

ସ୍ତରେ ସ୍ତରେ ସ୍ୱର୍ଣ୍ଣଘନ ପ୍ରତୀଚୀ ଗଗନେ

 

ଶୋଭିଲା, ଶୟାଳୁ ଯଥା ଆଗ୍ନେୟ ଭୁଜଗ,

ରାଜେ ତାରାରାଜି ତହିଁ ଫଣାମଣିରୂପେ ।

ହେଲେ ବୃକ୍ଷେ ଛାୟାଶୂନ୍ୟ ଅନ୍ଧାର ପରଶେ,

ମନୁଷ୍ୟତ୍ୱହୀନ ଯଥା ଦୁର୍ବୁଦ୍ଧି ମାନବେ

 

ଅବିଦ୍ୟା ସଙ୍ଗମେ । ସନ୍ଧ୍ୟା ଅନ୍ଧକାର ସହ

ଢାଳିଲା ଗାମ୍ଭୀର୍ଯ୍ୟଧାରା ପ୍ରକୃତି ପରାଣେ ।

ଗଭୀର ଆକାଶ ଦୃଶ୍ୟ ଗଭୀର ଧରଣୀ,

ସବୁ ଗଭୀରତାମୟ, ବାଜିଲା ଗଭୀରେ

 

ଦେବାଳୟେ ଶଙ୍ଖ, ଆହା ପ୍ରକୃତି ତାପସୀ,

ଉଚ୍ଚାରେ କି ଏକାକ୍ଷରୀ ଓଁ କାର ମନ୍ତର ?

ସେ ପ୍ରଣବ ପୂତ ଧ୍ୱନି ବହି ସାନ୍ଧ୍ୟବାତ

ମିଶାଇଲା ଦିଶେ ଦିଶେ ମହାଶୂନ୍ୟେ ନେଇ ।

 

ମିଶିଗଲା ମହୀରୁହେ ଅନନ୍ତ ତିମିରେ,

ସନ୍ତାପ-ସାଗରେ ଲୀନ ଚିତ୍ତ ଶାନ୍ତି ଯଥା ।

ସାୟାହ୍ନେ ଗନ୍ଧର୍ବସେନ ଯାଇ କକ୍ଷାନ୍ତରେ

ତେଜି ପଶୁଦେହ, ଧରି ଦେବଦେହ, ଆସି

 

ଉପସ୍ଥିତ ସଭା ମଧ୍ୟେ; ମୁହୂର୍ତ୍ତ ଅନ୍ତରେ

ହେଲେ ଉପବିଷ୍ଟ ଯାଇ ନୃପତି ସକାଶେ ।

ବିରାଜେ ପାବନ ସୌମ୍ୟ ବଦନମଣ୍ଡଳେ

ଦେବତ୍ୱର ଦିବ୍ୟ ବିଭା, ମହିମା-ମଣ୍ତିତ,

 

ଉଠୁଛି ଆଭାସି ନେତ୍ରେ ଅମର ପ୍ରତିଭା ।

ମୁଖ-ପୁଷ୍ପ, ହାସ୍ୟ-ପୁଷ୍ପ, ଆହା କି ମାଧୁରୀ

ପୁଷ୍ପ ପରେ ପୁଷ୍ପବୃଷ୍ଟି ହେଉଛି ସତତ !

ଦେବପ୍ରଭା ପୁଣି ଦେବଦେହ ସୌରଭରେ

 

ହେଲା ସଭା ସମୁଜ୍ଜ୍ୱଳ, ସ୍ନିଗ୍‌ଧ ସୁବାସିତ ।

ହେରି ସଭାଜନ ବୃନ୍ଦ ଏ ଦୃଶ୍ୟ ଅଦ୍ଭୁତ,

ଲଭିଲେ ବିସ୍ମୟ ! ନୋହି ସନ୍ଦିଗ୍‌ଧ ହୃଦୟ,

ଉଠିଲା ସଭାରୁ ରବ ‘‘ଇନ୍ଦ୍ରପୁତ୍ର’’ ବୋଲି ।

 

ପୁରନାରୀ ଗହଣରେ ବସି ରାଜବାଳା

ଆଙ୍କୁଥିଲା କି ଅଦ୍ଭୁତ ଦାରୁଣ ଶୋକର

କଳ୍ପିତ ଅରୂପ ଛବି, ଅନଶ୍ରୁ ନୟନେ,

ହୁଏ ସିନା ନିର୍ବାପିତ ଶୋକାଗ୍ନି ଲୋତକେ,

 

ଯେ ଶୋକ ଲୋତକରୋଧୀ, ଦୁର୍ବିଜୟ ତାହା,

ଯନ୍ତ୍ରଣାଦାୟକ, ଅହୋ, ଯମଦୂତ ପରି;

ଦହେ ସେହୁ ଅନ୍ତସ୍ଥଳ ଅନ୍ତଃକରଣର

ପ୍ରଚ୍ଛନ୍ନେ, ପାଦପେ ଯଥା କୋଟର ଅନଳ ।

 

ହୃଦୟ-କପାଟ-ପୁଟ ଉଦ୍‌ଘାଟି କିଶୋରୀ

ବିଷାଦର କି ଦାରୁଣ ଦୃଶ୍ୟ ପ୍ରଦର୍ଶନେ

ଇଚ୍ଛୁଥିଲା ମୁହୁର୍ମୁହୁ, ମାତ୍ର ମନୋମତ

ଦର୍ଶକ ଅଭାବେ ବାଳା ରଖୁଥିଲା କିଳି

 

ଅତି କଷ୍ଟେ ସେ କପାଟେ ଧୈର୍ଯ୍ୟ-ଅର୍ଗଳରେ ।

ପ୍ରବେଶନ୍ତେ ଏ ସମୟେ ‘‘ଇନ୍ଦ୍ରସୁତ’’ ଧ୍ୱନି

ଶ୍ରବଣ-କୁହରେ ତାର, ତହୁଁ ସେ ସତ୍ୱର

ଚାହିଁଲା ଗନ୍ଧର୍ବସେନେ ଚୋରା ଚାହାଣିରେ,

 

ଉନ୍ମୋଚି ଓଢ଼ଣା ଶିରୁଁ ଆବେଗ ଉଚ୍ଛାସେ,

ଚାହିଁ ଯଥା ଫୁଲରାଣୀ ମଧୁପ-ମୋହିନୀ

ପଲ୍ଲବେ ଆଡ଼େଇ ଦେଇ ଅନ୍ତ ଗଗନେ ।

 

ଭାବିଲା ସ୍ୱଗତେ ବାଳା, ‘‘ଏ କି ସ୍ୱପ୍ନ ? ଯେବେ

ସ୍ୱପ୍ନ, ତେବେ ସତ୍ୟଠାରୁ ସ୍ୱପ୍ନ ମହୀୟାନ,

ତେବେ ସ୍ୱପନ ହିଁ ସୁଖ, ଚେତନା ଯାତନା;

କିପାଁ ସ୍ୱପ୍ନେ ଭ୍ରାନ୍ତି ଆଖ୍ୟା ପ୍ରଦାନେ ସଂସାର ?

 

ହେଲେ ପଛେ ହେଉ ଭ୍ରାନ୍ତି, ମାତ୍ର ତାହା ପରି

ମଧୁର ସୁନ୍ଦର କିଛି ନାହିଁ ଜଗତରେ ।’’

ଉପବାସୀ ଚକ୍ଷୁ ତାର ଲଭିଲା ସହସା

ଅମୃତ ପାରଣା, ଗଲା ଶୁଖି ଆଶଙ୍କାର

 

ତପ୍ତ ବୈତରଣୀ, ହୃଦେ ବହିଲା ପ୍ରଖରେ

ଆଶା-ତୃପ୍ତି-ଆନନ୍ଦର ତ୍ରିବେଣୀ ପ୍ରବାହ !

ଦିଶୁଥିଲା ଯେ ଆନନ ନୈରାଶ୍ୟେ ମଳିନ

ପ୍ରାବୃଟ ଚନ୍ଦ୍ରିକା ପ୍ରାୟ, ଭଜିଲା ସେ ଏବେ

 

ପ୍ରସନ୍ନତା, ସଜୀବତା, ଯଥା କମଳିନୀ

ହୋଇ ଘନଛାୟାମୁକ୍ତ ବାସରୁ-ଯୌବନେ,

କରେ ଉପଲବ୍‌ଧି ପୁଣି ପୂର୍ବ ମଧୁରିମା ।

 

ନିନ୍ଦୁଥିଲା ଯେଉଁ ଭାଗ୍ୟେ ଯାମପୂର୍ବେ ଜେମା,

ଭାବୁଥିଲା ଅର୍ପି ଯାକୁ ବଳି ଦୁଃଖ ପଦେ

ଲଭିବ ନିଷ୍କୃତି, ଆହା ! ସେହି ଭାଗ୍ୟେ ଏବେ

ଦେଖିଲା ମମତାଯୁକ୍ତ ଗୌରବ-ନେତ୍ରରେ,

 

ନିୟତି ବ୍ୟବସ୍ଥା-ଗ୍ରନ୍ଥେ ଏହା ମହାଧାରା-

ଆଜି ଯେ ନିନ୍ଦ୍ୟ; ସେ କାଲି ପ୍ରଶସ୍ତି-ପିହିତ !

ଅନନ୍ତର ଶଶବ୍ୟସ୍ତେ ଉଠି ନୃପମଣି

ନବୀନ ଜାମାତୃବରେ ଆଲିଙ୍ଗି ଆଦରେ

 

ବର୍ଜି ଆନନ୍ଦାଶ୍ରୁ ସ୍ନେହେ ଚୁମ୍ୱିଲେ ମସ୍ତକ ।

‘‘କ୍ଷମିବ ମୋ ଦୋଷ ବାବୁ’’ ଭାଷିଲେ ଧାରେଶ,

‘‘ପୋଷିଥିଲି ସନ୍ଦେହ ମୁଁ ମନେ ତୁମ୍ଭ ପ୍ରତି

ପାପବୁଦ୍ଧି ଦୋଷେ, ତୁଚ୍ଛ କ୍ଷୁଦ୍ରନର ମୁହିଁ,

 

କ୍ଷୁଦ୍ର ମୋ ହୃଦୟ, କାହୁଁ ପାରିବି ବା ବୁଝି

ଦେବଲୀଳା, ପଡ଼ିବ କି ଗୋସ୍ପଦ ସଲିଳେ

ମହାକାୟ ପ୍ରକୃତିର ମହା ପ୍ରତିଛାୟା ?

ଅବା ଚନ୍ଦ୍ର ପ୍ରତିବିମ୍ୱ ନଖ-ଦର୍ପଣରେ ?’’

 

ଏହା ଭାଷି ନରେଶ୍ୱର ଆନନ୍ଦବିହ୍ୱଳେ

ଘେନି କନ୍ୟାଜାମାତାଙ୍କୁ ମହାଆଡ଼ମ୍ୱରେ

ଯାତ୍ରା କଲେ ସଦଳରେ ନଗରାଭିମୁଖେ ।

 

ପର ଦିନ ନରନାହା ଯୌତୁକ ସ୍ୱରୂପେ

ଅର୍ପିଲେ କନ୍ୟାକୁ ବହୁ ଧନ, ରତ୍ନ, ଗଜ,

ବାଜୀ, ଦାସ, ଦାସୀ ସହ ରମ୍ୟ ଅଟ୍ଟାଳିକା

ଏକ, ବିମଣ୍ଡିତ ଦିବ୍ୟ ରାଜୋଚିତ ସାଜେ ।

 

ରହିଲେ ଗନ୍ଧର୍ବସେନ ରାଜକନ୍ୟା ସହ

ସେ ଆବାସେ, ସୁଖମୟ, ପରମ ହରଷେ ।

ପବିତ୍ର ଦାମ୍ପତ୍ୟ ପ୍ରେମ-ମନ୍ଦାକିନୀଧାରା,

ବହିଲା ବେନିଙ୍କ ହୃଦେ ଖରତର ଭାବେ,

ବୃଦ୍ଧି ଲଭି କ୍ରମେ କ୍ରମେ ସ୍ନେହ-ଅନୁରାଗ-

ବୀଚି, ବେନି ହୃଦେ-ସିନ୍ଧୁ କରି ଦେଲା ଏକ ।

ବିଭିନ୍ନ ଶରୀର, ମାତ୍ର ଏକଇ ପରାଣ,

ଏକ ଆଳବାଳସ୍ଥିତ ଯୁଗ୍ମ ତରୁବର

କାଳବଶେ ମିଶି କିବା ହୋଇଅଛି ଏକ ?

କିମ୍ୱା ଏକସୂତ୍ରେ ଗୁନ୍ଥା ଯୁଗଳ ମୁକୁତା,

ଅବା ଏକ ବାଦ୍ୟଯନ୍ତ୍ରେ ଲଗ୍ନ ଦୁଇ ତାର ?

ବେନିଙ୍କ ସୌନ୍ଦର୍ଯ୍ୟେ ଥିଲେ ବେନିଏ ମୋହିତ,

ସୌନ୍ଦର୍ଯ୍ୟ ବହିର୍ବିକାଶ ଅଟଇ କେବଳ-

ହୃଦୟ ଅନ୍ତର୍ନିହିତ ପବିତ୍ର ପ୍ରୀତିର,

ସୌନ୍ଦର୍ଯ୍ୟ ମଧ୍ୟରେ ନାହିଁ ସାନ ବଡ଼ ଭେଦ;

ଏଣୁ ସେ ଦମ୍ପତି ସଦା ଅବଲୋକୁଥିଲେ

ପରସ୍ପର ସୌନ୍ଦର୍ଯ୍ୟରେ ଅନନ୍ତ ବିଶ୍ୱର

 

ଅନନ୍ତ ସୌନ୍ଦର୍ଯ୍ୟରାଶି । ଜଣକ ହୃଦୟେ

ଉଠେ ଯେବେ ଯେଉଁ ଭାବେ, ପ୍ରତିଫଳେ ତାହା

ସେହି ଦଣ୍ଡେ ଆନ ପ୍ରାଣେ, ପ୍ରତିଫଳେ ଯଥା

ଦର୍ପଣେ ପତିତ ଖରା ଗୃହଭିତ୍ତିପରେ ।

 

ଭାବି ଏକ ଆରେକକୁ ସ୍ୱଧର୍ମ-ସହାୟ,

ଜୀବନର ମହାସଙ୍ଗୀ ସଂସାର-କାନ୍ତାରେ,

ଅର୍ଦ୍ଧକଳେବର, ମଣୁଥିଲେ ପରସ୍ପରେ

ନୟନ-ସଙ୍ଖାଳି, ତଥା ଉଭେ ଉଭୟର

 

ବଚନକୁ ମଣୁଥିଲେ ସୁଶ୍ରାବ୍ୟ-ସଙ୍ଗୀତ !

ଆଦର୍ଶ ପୁରୁଷ ଧର୍ମେ ମିଶି ଊର୍ଜସ୍ୱଳ

ଆଦର୍ଶ ରମଣୀଧର୍ମ, ମର୍ତ୍ତ୍ୟେ ସୃଜିଥିଲା

ଶାନ୍ତିର ବୈକୁଣ୍ଠ ଧାମ; ବିରାଜେ ଯେ ଗୃହେ

 

ପବିତ୍ର ଦାମ୍ପତ୍ୟ-ପ୍ରେମ ଅମର-ବାଞ୍ଚିତ,

ସ୍ୱର୍ଗ, ତୀର୍ଥ, ତପୋବନ ନାମାନ୍ତର ତାର ।

ଏରୂପେ ଗନ୍ଧର୍ବସେନ କ୍ଷେପିଲେ ସମୟ,

ଦିବସେ ଗର୍ଦଭ, ରାତ୍ରେ ନରରୂପ ଧରି ।

 

ନବଦମ୍ପତିଙ୍କ ସ୍ନେହ ସୌହାର୍ଦ ବନ୍ଧନ

ହେଲା କ୍ରମେ ଦୃଢ଼ତର, ବଢ଼ିଲା ମମତା

ଅନୁଦିନ ପରସ୍ପର ପ୍ରତି, ତଦ୍ଦର୍ଶନେ

ବଢ଼ିଲା ଧାରେଶ୍ୱରଙ୍କ ସନ୍ତୋଷ ବିଶେଷ ।

 

ଜାମାତା ଦେବକୁମାର, କନ୍ୟା ନାରୀଦେବୀ,

କି ଅମୃତ ଦୃଶ୍ୟ ଦେବଦେବୀ ସମ୍ମିଳନ !

କି ଅବା ସେ ସ୍ୱପନର ପ୍ରେମ-ପକ୍ଷିଯୁଗ

ବିକସନ୍ତି ସ୍ୱପନର ପ୍ରେମ-କୁଲାୟରେ !

 

ପୂଜୁଥିଲା ଯଥା ଜେମା ପତି-ପଦାମ୍ୱୁଜ

ଭକ୍ତି-ପାତିବ୍ରତ୍ୟ-ଫୁଲେ, ତଥା ଦେବପତି

ଢାଳୁଥିଲେ ପ୍ରାଣେ ତାର ପ୍ରଣୟ-ଆଶିଷ-

ଧାରା, ଅନାବିଳ, ପୁଣି ଶୀତଳ ମଧୁର !

 

ଦୁହିଁଙ୍କର ଗୁଣ-ଋଣ ଦୁହେଁ ଗୁଣ-ଧନେ

ଦେଉଥିଲେ ଶୁଝି ସଦ୍ୟ, କରି ଦ୍ୱିଗୁଣିତ ।

ଇନ୍ଦ୍ରପୁତ୍ର ଔରସରେ କିଛିଦିନାନ୍ତରେ

ହେଲା ଉପପତ୍ନୀ ଗର୍ଭୁ ପୁତ୍ର ଏକ ଜାତ,

 

ସୁନ୍ଦର, ଲକ୍ଷଣବନ୍ତ, ଆଦରେ ଜନକ

ଦେଲେ ନବଜାତ ଶିଶୁ ନାମ ଭର୍ତ୍ତୁହରି ।

ଗଣି ଶିଶୁ ଜନ୍ମଲଗ୍ନ ପ୍ରବୀଣ ଗଣକେ

ବୋଇଲେ- ‘‘ଏ ହେବ ମହାପ୍ରତିଭା-ପିହିତ !

 

କୋଷ୍ଠୀର ସର୍ବୋଚ୍ଚ କେନ୍ଦ୍ରେ ସ୍ଥିତ ବୃହସ୍ପତି

ମିତ୍ର ଗ୍ରହ ସଙ୍ଗେ, ତାଙ୍କ ଶୁଭ ଦୃଷ୍ଟି ସଦା

ଉଜ୍ଜ୍ୱଳିବ ବାଳକର ସୌଭାଗ୍ୟ-ମନ୍ଦିରା

ହେବ ସୁପଣ୍ଡିତ, କବି-କାବ୍ୟକତାନିଧି,

 

କେବଳ ସ୍ତ୍ରୈଣତା ଦୋଷେ ଅର୍ଜିବ ଅଖ୍ୟାତି,

କଳାଦାଗେ କଳଙ୍କିତ କଳାକର ଯଥା,

ଜୀବନ-ସାୟାହ୍ନେ ହେବ ସ୍ୱାଧ୍ୟାୟ-ନିରତ ।

 

ବସିଣ ନିଭୃତେ ଦିନେ ଧାରଖ୍ୟ ଧାରେଶ

ଭାଳିଲେ ସ୍ୱଗତେ, ‘‘ରୂପେ ଗୁଣେ ମୋ ଜାମାତା

ରାଜା ରୂପ-ଗୁଣ-ରାଜ୍ୟେ, ମାତ୍ର ଦିନ ପଶୁ,

ଏ ଲଜ୍ଜା ତାହାର ମୁହିଁ କରିବି କ୍ଷାଳନ ।

 

ରାତ୍ରେ ତାର ଅପତନୁ ରହିଥାଏ ପଡ଼ି

ଗତପ୍ରାଣ ପ୍ରାୟ, ଆଜି ନଷ୍ଟ କରି ତାହା

କରିବି ଗନ୍ଧର୍ବସେନେ ମୁକ୍ତ ଖର ରୂପୁଁ,

ଅମର ସେ, ନ ସମ୍ଭବେ ମରଣ ତାହାର ।’’

 

ଏହା ଭାବି ସେହି ରାତ୍ରେ ପ୍ରିୟ ଜାମାତାର

ତ୍ୟକ୍ତ ପଶୁଦେହ କଲେ ଅନକେ ନିକ୍ଷେପ,

ମୁହୂର୍ତ୍ତକେ ହେଲା ତାହା ଭସ୍ମେ ପରିଣତ ।

 

ଅନନ୍ତର ଇନ୍ଦ୍ରାଙ୍ଗଜ ମିଳି ନୃପ ପାଶେ

କୋମଳ-କୃତଜ୍ଞ-କଣ୍ଠେ ବୋଇଲେ, ‘ହେ ନୃପ,

ହେଲା ଏତେକାଳେ ଆସି ଶାପାନ୍ତ ମୋହର,

ଦଗ୍‌ଧ କଲେ ତୁମ୍ଭେ ମୋର ଗର୍ଦଭ ଶରୀର,

 

ହେବି ଶାପମୁକ୍ତ ମୁହିଁ, ଥିଲା ନିର୍ଦ୍ଧାରିତ ।

ସାଧିଲ ମହୋପକାର ତୁମ୍ଭେ ମୋର ରାଏ,

ଘେନୁଛ ମେଲାଣି, ହେଉ ମଙ୍ଗଳ ତୁମ୍ଭର

ଯିବି ଏବେ ପିତୃ କତି, ତନୟା ତୁମ୍ଭର

 

ହୋଇଅଛି ଅନ୍ତଃସତ୍ତା, ଜନ୍ମିବ ଯେ ସୁତ

ଗର୍ଭୁ ତାର, ନୃପବର, ହେବ ସେ ବାଳକ

ପ୍ରଦୀପ୍ତ ଆଦିତ୍ୟ ସମ ବିପୁଳବିକ୍ରମୀ,

ଦୁଦ୍ଧର୍ଷ ପ୍ରତାପଶାଳୀ, ବହିବ ଶରୀରେ

 

ସହସ୍ର ମାତଙ୍ଗବଳ, ହେବ ପୁଣି ଜ୍ଞାନୀ

ନୀତିଜ୍ଞ, ପରୋପକାରୀ, ସାହାସୀ, ଧାର୍ମିକ,

କରିବ ସେ ଏକଛାତ୍ରା ସସାଗରାଧରା,

ତାର କୀର୍ତ୍ତୀ-ଯାଗ ଧୂମ-ପବିତ୍ର-ସୁରଭି

 

ବହିବ ଅନନ୍ତ କାକ ଭାରତୀୟ ବାୟୁ,

ଯାବତ ଥିବ ଏ ଧରା, ଥିବ ଏ ଭାରତ,

ରଖିବ ବିକ୍ରମାଦିତ୍ୟ ବୋଲି ତାହା ନାମ ।’’

 

ଶୁଣି ରାଜଜେମା ସ୍ୱାମି-ତ୍ରିଦିବପ୍ରୟାଣ,

ବେଶବାସ ଅସମ୍ଭାଳେ ଧାଇଁ ଆସି ଖରେ,

ପଡ଼ି ସ୍ୱାମୀ ପଦତଳେ, ଢାଳିଲା ଲୋତକ,

ଯଥା କ୍ଷୀଣା ସୌଦାମିନୀ, ନଭଃ-ସ୍ୱର୍ଣ୍ଣଲତା

 

ଅବଲୁଣ୍ଠି ପ୍ରତ୍ୟାବୃତ୍ତ ବାରିବାହପଦେ,

କରେ ବର୍ଷାଧାରା ବ୍ୟାଜେ ଶୋକାଶ୍ରୁ ବର୍ଜନ !

ଆହା କି ସୁନ୍ଦର ସେହି ବିହ୍ୱଳିତ ବେଶ,

ଅଯତ୍ନବିନ୍ୟସ୍ତ କେଶ ପଡ଼ି ବାଳାମୁଖେ

ଦିଶେ ବିଶୃଙ୍ଖଳ ଯଥା ଶୋଭାର ବିପଣୀ !

ଉଡ଼ାଇ ଶୈବାଳ ରାଶି ଧୀର ସମୀରଣ

ପକାଉଛି ଆଣି କିବା ପଙ୍କଜିନୀ ପରେ ?

ଭାଷିଲା ଆରତେ ଜେମା ଶୋକେ-ଗଦଗଦେ,

‘‘ସତେ କିହେ ଛାଡ଼ିଯିବ ପ୍ରଭୋ, ଏ ଦାସୀକି,

ସତେ କି ସେବକୀ ହେବ ବଞ୍ଚିତ ଏଣିକି

ସେ ପଦସେବାରୁ ଦେବ, ସତେ କି ହେ କହ

ଫଳିବ ନିଷ୍ଠୁର-ଫଳ କରୁଣା-ପାଦପେ ?

ତୁମ୍ଭେ ପ୍ରାଣ, ମୁଁ ଶରୀର, ପ୍ରାଣର ଅଭାବେ

ସମ୍ଭବେ କି, ସୁରମଣି ଅସ୍ତିତ୍ୱ ଦେହର ?

ତୁମ୍ଭେ ସ୍ୱଚ୍ଛ ଝର ଶୈଳ-କର୍କଶ ସଂସାରେ,

ପଦାଶ୍ରିତା ଲତା ମୁହିଁ, ଶୁଖିଗଲେ ଝରେ,

କେମନ୍ତେ ବଞ୍ଚିବି ଭଲା ଅନାଥା ଲତିକା ?

 

ପ୍ରାଣ-ତରଣୀର ମୋର ତୁମ୍ଭେ କର୍ଣ୍ଣଧାର

ଏ ଭବ-ସାଗରେ, ମୁହିଁ ଆରୋହୀ କେବଳ

ତୁମ୍ଭ ବିନା ସେ ତରଣୀ ଆରୋହୀ ସହିତେ

ଦୁଃଖ-ବାତ୍ୟାବର୍ତ୍ତେ ପଡ଼ି ହେବ ନିମଜ୍ଜିତ ।

ଯିବ ଯଦି ଦିବେ, ନାଥ, ନିଅ ଏ ଦାସୀକି,

 

ଉପେକ୍ଷି ଛାୟାକୁ କେବେ ଯାଏ ନାହିଁ କାୟା;

ହୁଏ ଯଦି ସ୍ଥାନାନ୍ତର ଜ୍ୱଳନ୍ତ ପ୍ରଦୀପ,

ଚାଲିଯାଏ ଶିଖା ତେବେ ସଙ୍ଗେ ସଙ୍ଗେ ତାର;

ବହିଗଲେ ସରୁଁ ଜଳ, ରହେ କି ଶଫରୀ ?’’

 

ରମଣୀ-କରୁଣ-ବାଣୀ ଶୁଣି ଇନ୍ଦ୍ରସୂତ

ଉଠାଇ ସାଦରେ ତାକୁ ଅବନୀ-ଶଯ୍ୟାରୁ

ସ୍ୱହସ୍ତେ ଆଡ଼େଇ ଦେଇ ବିକ୍ଷିପ୍ତ ଅଳକ

ନିହିଲେ ପ୍ରେୟସୀ ମୁଖେ ଦୃଷ୍ଟି ଅପଲକ,

 

ଅନ୍ଧାରେ ଆଡ଼େଇ ଦେଇ ଅହମୂର୍ଖେ ଆହା

ଦେଖିଲେ କି ଦିନମଣି କମଳିନୀ ମୁଖ ?

 

ମିଶିଲା ନୟନଜ୍ୟୋତି ନୟନଜ୍ୟୋତିରେ,
ବହିଲା ପ୍ରେମର ଧାରା ନୟନୁ ନୟନୁ,

ନୟନେ ନୟନେ ହେଲା ଅନ୍ତିମ ସମ୍ଭାଷ,

କି ଗଭୀର ଉପଦେଶ ଢାଳିଲା ତରୁଣ

ବିଦଗ୍‌ଧ ତରୁଣୀପ୍ରାଣେ ନୟନ ସଙ୍କେତେ,

ନୀରବ ଭାଷାରେ ବାଳୀ କି ବୁଝିଲା ତହୁଁ,

କେ ଭେଦିବ ପ୍ରେମର ସେ ରହସ୍ୟ ନିଗୂଢ ?

ଏହି ଭାବେ କିଛିକ୍ଷଣ ହୁଅନ୍ତେ ଅତୀତ,

ଭାଷିଲେ ଗନ୍ଧର୍ବସେନ ପ୍ରୀତିବୋଳା ସ୍ୱରେ-

‘‘ରାଜବନ୍ୟେ, ଏ ସଂସାର-ସନ୍ଦର୍ଭ ଜଟିଳ,

ବିଷମ ସମସ୍ୟାପୂର୍ଣ୍ଣ, ନୁହେଁ ଏ ସଂସାର,

ନିଦ୍ରା-ଚିତ୍ରପଟାଙ୍କିତ ସୁଖ-ସ୍ୱପ୍ନ ଏହା ।

ନୁହେଁ ଏ ମିଳନଧାମ, ନିଶ୍ଚେ ବିଚ୍ଛେଦର

ଭୂମି, ନୁହେଁ ଚିର ଏଥି କାହାରି ମିଳନ,

ନେଇ ପାରେ ନାହିଁ ସଙ୍ଗେ ଏଥୁ କିଛି କେହି,

ଥାଉ ଆନ କଥା ଦୂରେ, ନିଜର ଶରୀରେ

 

(ସଂସାରେ ପ୍ରଥମ ପ୍ରିୟ, ଦ୍ୱିତୀୟ ଜୀବନ)

ନେବାକୁ ସଙ୍ଗରେ କାର ନାହିଁ ଅଧିକାର,

ମାଟିର ଅର୍ଜନ ରହେ ପଡିଣ ମାଟିରେ ।

 

ପ୍ରାକ୍ତନ ନିୟମେ ଜୀବ ଆସେ ଏକୁଟିଆ,

ଯିବାବେଳେ ସେହିପରି ଯାଏ ମଧ୍ୟ ଏକା ।

ନୁହନ୍ତି ଆମର କେହି ଏ ମର ଜଗତେ,

କରୁଛନ୍ତି ଅଲକ୍ଷ୍ୟରେ ସର୍ବେ ମହାଗତି,

 

କି ସ୍ଥାବର, କି ଜଙ୍ଗମ, ମୃତ୍ୟୁ ଅଭିମୁଖେ ।

ତୁମ୍ଭେ ସୁଦ୍ଧା କାଳିବଶେ ଯିବ ଦିନେ ଚାଲି,

ଆଜି କିମ୍ବା କାଲି, ନତୁ ଦୂର ଭବିଷ୍ୟତେ,

ମୋହରି ଗନ୍ତବ୍ୟଦେଶେ, ଅବଶ୍ୟ ସେ ଦିନ

 

ଘଟିବ ଉଭୟ ଭାଗ୍ୟେ ଅଖଣ୍ଡ ମିଳନ ।

ନାହିଁ ଗୋ ସେ ଦେଶେ, ସେହି ପୁଣ୍ୟମୟ ଦେଶେ

ବିଚ୍ଛେଦ-ଜନିତ ପ୍ରେମ ଶିରଶ୍ଛେଦ ପ୍ରିୟେ,

କିମ୍ବା ସେ ଦେଶର ପ୍ରେମ ନୁହେଁ ଜ୍ୱାଳାମୟ,

 

ଯଥା ଏ ପାର୍ଥିବ ପ୍ରେମ, ଭଙ୍ଗୁର, ଅସାର !

ଜୀବନ-ସାୟାହ୍ନ ତବ ନୋହିଛି ଯାବତ,

ତାବତ ନିବସ ଧନି, ମର୍ତ୍ତ୍ୟେ ଧୌର୍ଯ୍ୟ ଧରି ।

ଯାଉଛି ମୁଁ ଅଗ୍ରେ, ଏବେ ଘେନୁଛି ବିଦାୟ

 

ରହିଥିବି ସ୍ୱର୍ଗେ ତବ ଗତିପଥ ଚାହିଁ,

ଯଥାକାଳେ ପରସ୍ପରେ ହେବ ତହିଁ ଭେଟ ।’’

ଏହି କାଳେ ଉପସ୍ଥିତ ଆସି ଦେବରଥ,

ଅମର ବିଭବେ ପୂର୍ଣ୍ଣ, ଦିବ୍ୟ ଜ୍ୟୋତିର୍ମୟ,

 

ପ୍ରବାହିତ ଦେବବାୟୁ-ସ୍ନିଗ୍‌ଧ ସୁଶୀତଳ,

ହେଲ ସ୍ଥଳୀ ସୁରଭିତ ଦେବସୌରଭରେ;

ବସିଲେ ଗନ୍ଧର୍ବସେନ ଦେବରୂପ ଧରି

ସେହି କାମଗତି ରଥେ, ଝଟକେ ଶରୀରେ

 

କିରଣ-କଞ୍ଚୁକେ, ଶିରେ କିରଣ-କିରୀଟ !

ଦୀପି ଅନମ୍ବର ବକ୍ଷ ଚଳିଲା ସ୍ୟନ୍ଦନ,

ଘନ ଘନ ଜୟଘଣ୍ଟା ହେଲା ନିନାଦିତ,

କ୍ରମେ କ୍ରମେ ଉଠି ଊର୍ଦ୍ଧ୍ୱେ ଅମର-ବିମାନ

 

ଶୂନ୍ୟେ, ମହାଶୂନ୍ୟେ, ଯଥା ପ୍ରଦୀପ-ପଞ୍ଜରୀ

ଦୀପାବଳୀ ଅମାବାସ୍ୟା ରାତ୍ରେ, ଗଲା ଖରେ

ଅନନ୍ତ ଅନନ୍ତ ମହାନୀଳିମାରେ ମିଶି ।

ଜାମାତୃବିଚ୍ଛେଦ ରାଏ ଏବେ ଶୋକାକୁଳ,

 

ମିଶିଲା ସେ ଶୋକେ ଭୟ, କ୍ଷତେ ଚୂର୍ଣ୍ଣ ପ୍ରାୟ,

ଜାମାତୃ ଭବିଷ୍ୟ-ବାଣୀ ଶୁଣିଲା ବେଳରୁ

ଅରୁଅଛି ଅନ୍ତରାତ୍ମା, ଭାବୀ କନ୍ୟାସୂତ

ହେବ ଚକ୍ରବର୍ତ୍ତୀ, ଏହି ଭୀତ କରିଦେଲା

 

ବୃଦ୍ଧ ନୃପେ ମ୍ରିୟମାଣ, ଜପିଲେ ସେ ତହୁଁ

ନିଜ ଅଧିକାରଚ୍ୟୁତି ମନ୍ତ୍ର, ବୁଝାଇଲେ

ମନ୍ତ୍ରିବର୍ଗ କେତେ, ମାତ୍ର ସେ କଳ୍ପିତ ଭୟ

ନ ମାନି କାହାରି ଦତ୍ତ ସାନ୍ତ୍ୱନା କିଛି ହିଁ,

 

ଲଭିଲା ଉତ୍ତରୋତ୍ତର ବୃଦ୍ଧି ବହୁଗୁଣେ ।

ତ୍ରାସେ ହୋଇ ଛନ୍ନମତି, ସ୍ଥିର କଲେ ଶେଷେ

ସଂହାରି ଦୌହିକେ ଜାତମାତ୍ରେ, ମୁକ୍ତ ହେବେ

ଆସନ୍ନ ଆଶଙ୍କା-ରାହୁ ଭୀଷଣ କବଳ ।

 

ପାଞ୍ଚି ଏହି ପାପପାଞ୍ଚ, ହକାରି ପ୍ରହରୀ

ଜଗାଇଲେ କନ୍ୟାଗୃହ ଚୌପାଶେ ନିବିଡ଼େ,

ପ୍ରଦାନି ଆଦେଶ ସର୍ବେ ବିଶେଷ ଭାବରେ,

ଦେବାକୁ ସମ୍ବାଦ ତ୍ୱରା ଶିଶୁଜନ୍ମ କ୍ଷଣେ ।

 

ଏଣେ ଯଥାକାଳେ ଯାଇ ବାଜିଲା ବାଳାର

ପିତୃକୃତ ଷଡ଼ଯନ୍ତ୍ର ସମ୍ବାଦ ଶ୍ରବଣେ

ଶତବଜ୍ରୁଁ ବଳି, ହାୟ କ୍ଷତ ମଧ୍ୟେ କ୍ଷତ !

ସ୍ୱଭାବେ ତ ଥିଲା ପତି-ବିଚ୍ଛେଦ-ବିଧୁରା,

 

ତହିଁପରେ ଭାବୀ ଆଶାଭରସାର ସ୍ଥଳ

ଅଜାତ ଶିଶୁର ହତ୍ୟାଶଙ୍କା, ଅହୋ, ହେଲା

ଅଗ୍ନିବୃଷ୍ଟି ପରେ ଅଗ୍ନିବୃଷ୍ଟି, ଦେଲା କରି

ଭସ୍ମୀଭୂତ ହୃଦ ତାର, ବୁଝିଲା ସେ ଏବେ,

 

ସ୍ୱାର୍ଥପାଇଁ କେଉଁ ପାପେ ପରାଙ୍ମୁଖ ନର ?

ଶିରେ କର ଦେଇ ବାଳା ଭାଳିଲା ଏସନ,

କି ପାପ ସଂକଳ୍ପ ! ଅହୋ, ସତେ କି ଜନକ

ଏଭଳି ବୀଭତ୍ସପଣ ପୋଷିଛନ୍ତି ମନେ !

 

ସତେ କି ଏହିରୂପେ ଦେବେ ପୂର୍ଣ୍ଣାହୁତି

ଅପତ୍ୟ-ବାତ୍ସଲ୍ୟ-ଯଜ୍ଞେ ! ହେଉଛି ସ୍ମରଣ,

ଖେଳୁଥିଲି ବାଲ୍ୟେ ଦିନେ ଧନୁର୍ବାଣ ଘେନି,

ବିନ୍ଧୁଥିଲି ଇତସ୍ତତଃ ନିର୍ଲକ୍ଷ୍ୟେ ଶାୟକ,

 

ସ୍ତନ୍ୟପାୟୀ ଶିଶୁସହ ହୋଇଥିଲା ଉଭା

ପାଳିତ କୁରଙ୍ଗୀ ମୋର, ଦୈବେ ଏକ ଶର

ବାଜନ୍ତେ କୁରଙ୍ଗଶାବ କୋମଳ ଗାତ୍ରରେ,

ଛାଡିଲା ସେ ପ୍ରାଣ, ତହୁଁ ମାତା ତାର ହୋଇ

 

ଶୋକାଚ୍ଛ୍ୱାସେ ରୁଦ୍ଧକଣ୍ଠ, ଚାହିଁ ଥରେ ମୋତେ

ଥରେ ମୃତ ଶିଶୁ ମୁଖେ, ବ୍ୟାକୁଳ ନୟନେ,

ସମ୍ଭାଳି ନ ପାରି ଧୈର୍ଯ୍ୟ ତେଜିଲା ଜୀବନ;

ସେ ପାପର ପ୍ରାୟଶ୍ଚିତ ଏତା କାଳେ ଅବା

 

ଘଟାଇଲା ବିହି ଆଣି ଦଗ୍ଧ ଭାଗ୍ୟେ ମୋର !

ଶୁଣିଛି ପୁରାଣେ, କ୍ରୂର ରକ୍ଷୋଧର୍ମୀ କଂସ

କରିଥିଲା ଦେବକୀଙ୍କୁ ବନ୍ଦିନୀ ଏପରି,

ମାତ୍ର ତାହା ଭ୍ରାତା ଭଗ୍ନୀ ସମ୍ପର୍କର କଥା,

 

ହୋଇ ଜନ୍ମଦାତା ପିତା, ଏଡ଼େକ ନିଷ୍ଠୁର

କନ୍ୟାପକ୍ଷେ, କେଉଁକାଳେ ଶୁଣା ନାହିଁ କାହିଁ;

ଆଚରିବା ଥାଉ ତେବେ ଏଭଳି ପାତକ,

ଉଚ୍ଚାରଣେ ଅପବିତ୍ର ନ ମଣିବ ଭଲା

 

କେବଣ ନାସ୍ତିକ ସ୍ୱୀୟ କଣ୍ଠରସନାକୁ ।

ହୋଇ ଗର୍ଭଧାରୀ ମାତା, କେମନ୍ତେ ଦେଖିବି

ସ୍ୱଚକ୍ଷୁରେ ପୁତ୍ରହତ୍ୟା, ଫାଟିଯିବ ଛାତି,

ଆହା ସେ କରୁଣ ଦୃଶ୍ୟ ସହିବ କି କେବେ

 

ମାତୃଚକ୍ଷୁ, ମାତୃହୃଦ ବାତ୍ସଲ୍ୟ-ଗଠିତ !

କଷ୍ଟଭୋଗ ଅବସାନେ ପ୍ରାଣତ୍ୟାଗଠାରୁ

ତା ଆଗୁଁ ମରଣ ଶ୍ରେୟଃ, ହେଲେ ହେଉ ପଛେ

ଆତ୍ମହତ୍ୟା ମହାପାପ, ମାତ୍ର ତା ଯନ୍ତ୍ରଣା

 

ନୁହେଁ ତୀବ୍ର ଉପସ୍ଥିତ ଯନ୍ତ୍ରଣା ସମାନ ।

କି ଅଶାନ୍ତି ଛାୟାପାତ ହେଲା ପ୍ରଭୋ, ପ୍ରାଣେ,

ଶାନ୍ତିମୟ ତୁମ୍ଭେ, ସୃଜ ଅଶାନ୍ତି କିପାଇଁ ?

ରଖିଛି ଜଡ଼ିତ କିପାଁ ସଙ୍ଗେ ଦୁଃଖ,

 

ଚରାଚର ତବ ସୃଷ୍ଟ, ତୁମ୍ଭରି ସର୍ଜିତ

ସୁଖ, କେ ସୃଜିଲା ଦୁଃଖ, ତୁମ୍ଭ ବିନା ଆଉ ?

ଆନନ୍ଦରେ ଆସି ଜୀବ ଦୁଇ ଦିନ, ଯାଇ ପୁଣି

ମିଶିଲେ ତୁମ୍ଭର ସତ୍ୟ ସଦାନନ୍ଦମୟ

 

କ୍ରୋଡ଼େ, ପ୍ରଭୋ, ଏଥିରେ ବା କି କ୍ଷତି ତୁମ୍ଭର ?

ମାନବ ପଛକେ ହେଉ ସ୍ୱଭାବଦୁର୍ବଳ,

ମାତ୍ର ତବ ଶକ୍ତି-ଶଙ୍ଖ-ପାଞ୍ଚଜନ୍ୟ ଧ୍ୱନି

ଭାଙ୍ଗିବାକୁ ଅକ୍ଷମ କି ସେହି ଦୁର୍ବଳତା ?

 

ନାହିଁ ପଳାୟନ ପଥ, ଅବରୁଦ୍ଧ ତାହା

ଅସ୍ତ୍ର-କଣ୍ଟକିତ ଭୀମ ପ୍ରହରି-ପାଦପେ,

ଜଳରେ କୁମ୍ଭୀରଭୀତି, ସ୍ଥଳେ ବ୍ୟାଘ୍ରଭୀତି,

ଉଭୟ ସଙ୍କଟାକୀର୍ଣ୍ଣ, ଏ ବେନି ମଧ୍ୟରେ

 

ନାହିଁ ତ ତୃତୀୟ ସ୍ଥାନ, ଅତଃ ଏ ଦୁଷ୍କାଳେ

ମୃତ୍ୟୁ ହିଁ ପରମାଶ୍ରୟ, ବସି ମୃତ୍ୟୁ-ନାବେ

ପାରି ହେବି ଅବହେଳେ ଏ ଦୁଃଖ-ବାରିଧି !

ହେ ହରି, ଅନାଥନାଥ, ବିପନ୍ନ-ବାନ୍ଧବ,

 

ସ୍ୱାର୍ଥ-ଦ୍ୱେଷ-ବିଷ-ଦିଗ୍‌ଧ ଏ ପାପ ପୃଥିବୀ

ଲାଗୁଛି ଅସୁଖ ମୋତେ, ରୋଗି-ଶଯ୍ୟା ପ୍ରାୟ

ନାହିଁ ଆଉ ଆକାଙ୍କ୍ଷାର ଦାରୁଣ ପିପାସା,

ହେଲାଣି ଅଜୀର୍ଣ୍ଣ, ପ୍ରଭୋ, ଆଶା-ବାରି ପାନେ

 

ବିଷାକ୍ତ ପଙ୍କିଳ ପୁଣି କୀଟାଣୁ-ଦୂଷିତ,

ଘେନ ଏବେ ଏ ଦାସୀକି ଶ୍ରୀପଦସମୀପେ,

ଖଣ୍ଡିବ ସେ ରୋଗ ମୋର ତବ ପାଦୋଦକେ,

ଲୋଡ଼ା ନାହିଁ, ପ୍ରଭୋ, ଭକ୍ତ ହେବାର ଗୌରବ,

 

ନୁହେଁ ମୁଁ ତହିଁକି ଯୋଗ୍ୟ, ହେବି ମାତ୍ର ଦାସୀ,

ପୁରାଅ ଏ ବାଞ୍ଛା ମୋର, ବାଞ୍ଛାକଳ୍ପତରୁ !

ଏଥୁଅନ୍ତେ ରାଜକନ୍ୟା ବିଷାଦ-ବିବଶା

ଶାଣିତ ଛୁରିକାଘାତେ ବିଦାର ଉଦର,

 

ସେହି ମୁହୂର୍ତ୍ତରେ ତହିଁ ତେଜିଲା ଜୀବନ,

ପାର୍ଥିବ ଶୋଚନା ସହ ପାର୍ଥିବ ଶରୀର

ରହିଲା ପୃଥ୍ୱୀରେ ପଡ଼ି, ସାଙ୍ଗ ଭବଲୀଳା ।

ଗର୍ଭରୁ ବାହାରି ଶିଶୁ ଅକ୍ଷତଶରୀରେ

 

ତଳେ ପଡି ମୃଦୁ ସ୍ୱରେ ରାବିଲା ସଘନେ,

ଜାଗି ସେ କ୍ରନ୍ଦନ ସ୍ୱରେ ପ୍ରହରିନିକର,

ମିଳି ଜେମା ଗୃହେ, ଦେଖି ଭୀଷଣ ଘଟଣା

ମଣିଲେ ବିସ୍ମୟ, ତହୁଁ ଘେନି ନବଜାତ

 

ଶିଶୁ, ସମର୍ପିଲେ ନେଇ ନୃପତି ନିକଟେ,

ଦେଖି ରାଏ ଶିଶୁମୁଖ, ଶିଶୁର ଆକୃତି,

ମୋହନ-ମାଧୁରୀବୋଳା, ଯୁକ୍ତ ସୁଲକ୍ଷଣେ,

ହେଲେ ସ୍ନେହସିକ୍ତଚିତ୍ତ, ପିଶାଚୀ ଜିଙ୍ଘାସା

 

ହେଲା ନିର୍ବାସିତା, ଆସି ବସିଲେ ତା ସ୍ଥାନେ

ଦୟା-ଦେବୀ, ପୁଣ୍ୟବତୀ, ସ୍ନିଗଧ-ସୁଧାମୟୀ;

ରାଜାଙ୍କ ଦାରୁଣ ପଣ ହେଲା ଅନ୍ତର୍ହିତ ।

ପୌତ୍ର ଯେହୁ ଦେବରାଜ ସୁନାସୀରଙ୍କର,

 

ସଂସ୍ଥାପି ଭାରବେ ଧର୍ମ ଅଖଣ୍ଡ ସାମ୍ରାଜ୍ୟ

ଧରିବ ଯେ ସତ୍ସାହିତ୍ୟ ଦର୍ଶନ ଆଦିର

ଉଜ୍ଜ୍ୱଳ ବର୍ତ୍ତିକାପୁଞ୍ଜ ଜଗତ ସମ୍ମୁଖେ,

ପ୍ରେରିତ ଯେ ବିଶ୍ୱହିତ ସାଧନ ସକାଶେ,

 

ଅବତୀର୍ଣ୍ଣ ମର୍ତ୍ତ୍ୟପୁରେ ଯେ ମହାପୁରୁଷ

ମହାକର୍ତ୍ତବ୍ୟର ଭାର ବହି ଶିରୋଦେଶେ,

କାର ସାଧ୍ୟ ସଂହାରିବ ସେ ଦେବବାଳକେ ?

କନ୍ୟାର ମଙ୍ଗଳବାର୍ତ୍ତା ପୃଚ୍ଛନ୍ତେ ନରେଶ,

 

କହିଲା ପ୍ରହରୀ, ‘‘ହାୟ, କାହିଁ କନ୍ୟା ନୃପ,

ଚିରି ସ୍ୱୀୟ ଗର୍ଭ ସେହୁ ହେଲେଣି ଗତାସୁ !’’

ଶୁଣି ଏ ଲୋମହର୍ଷଣ ବିପଦ ବାରତା

ହେଲେ ନୃପ ବିଷବର୍ଷୀ ଶୋକରେ ବିହ୍ୱଳ,

 

ବିସ୍ତାରି ସହସ୍ର ଶିଖା ଅନୁତାପାନଳ,

ଦଗ୍‌ଧ କଲା ମର୍ମସ୍ଥଳ, ମିଶି ତହିଁ ପୁଣି

ଅପତ୍ୟସ୍ନେହର ସ୍ମୃତି ଆହୁତିରୂପରେ

କଲା ତାକୁ କୋଟିଗୁଣେ ଅସହ୍ୟ, ପ୍ରଖର ।

 

ଭାଷିଲେ ଗଦ୍ଗଦେ ରାଜା ଶୋଭଗଗ୍ନ ସ୍ୱରେ,

ପୂର୍ଣ୍ଣାଶ୍ରୁ ନୟନେ, ଚାହିଁ ସଚିବ ବଦନ-

‘‘ଅହୋ, କେଡ଼େ ପାପିଷ୍ଠ ମୁଁ, ନାରକୀ, ପାମର,

ଲିପ୍ତ ହେଲି କନ୍ୟା-ବଧ-ସମୁତ୍କଟ ପାପେ !

 

ଅକ୍ଷାଳିତ ଏ କଳଙ୍କ ରହିଲା ମୋହର

ସୁଦୃଢ଼େ ଅଙ୍କିତ ହୋଇ ପ୍ରାଣ-ପଞ୍ଜିକାରେ,

ପ୍ରାଣାନ୍ତରେ ପୁଣି ମିଶି ରହିବ ସ୍ମୃତିରେ ।

ପ୍ରାକୃତ ପ୍ରଧାନ୍ୟ, ତୁଚ୍ଛ ଧନମୋହେ ପଡ଼ି

 

ଅର୍ଜିଲି ଯେ ପାପ, ନାହିଁ ପ୍ରାୟଶ୍ଚିତ ତାର,

ଏଥିଲାଗି ପ୍ରାପ୍ୟ ମୋର ହେବ ପରକାଳେ

ଭାବୀ ବଂଶଧର ଦତ୍ତ ଦୁରାତ୍ମା ଉପାଧି ।

ଧିକ୍‌ କାପୁରୁଷ ମୁହିଁ, ସୃଜିଲି ନରକ

 

ନିଜ ହାତେ ନିଜପାଇଁ, ମୋର ଏ ଦୁଷ୍କୃତି-

ଘୃଣ୍ୟ, ଅମାନୁଷୀ ଏହି ଅକ୍ଷୟ ଦୁଷ୍କୃତି

ରଖିବାକୁ ଦେଖୁ ନାହିଁ ସ୍ଥାନ ଚରାଚରେ !

ହାୟ, ମା, କି ହେବ ମୋର ପାରତ୍ରିକ ଗତି,

 

ନିଷ୍ଠୁର ମୁଁ, ନର-ପଶୁ, ପାପୀ, କନ୍ୟାଘାତୀ,

ନୁହେଁ ପିତା ଯୋଗ୍ୟ କେବେ ତୋ ପରି ଦେବୀର;

ମୁହିଁ ସିନା ଅଭାଜନ, ମାତ୍ର ତୁ ମାଆ ଲୋ,

ଦୟା-କ୍ଷମା-ସ୍ନେହ-ପ୍ରୀତି-ଭକ୍ତି-ପ୍ରସ୍ରବଣ,

 

କ୍ଷମିବୁ ସ୍ୱଗୁଣେ ତୋର ଅଧମ ଜନକେ ।

ମାଗିବୁ ମୋ ପାଇଁ କ୍ଷମା ବିଶ୍ୱପତି କତି,

ମୋ ପରି ଧରମଦ୍ରୋହୀ ଅପବିତ୍ର ଡ଼ାକ

ନ ପାରିବ ପଶି ତାଙ୍କ ପବିତ୍ର ସୁଧାମେ,

 

ଯଥା ସିନ୍ଧୁଘୋଷ ବଡ଼ଦେଉଳ ବେଢ଼ାରେ ! *

ମା, ତୁ ପୁଣ୍ୟବତୀ ସତୀ କଲେ ଜଣାମଣା

ତୋର ଏହି କୃପାପାତ୍ର ଦୁଃସ୍ଥ ପିତାପାଇଁ,

ନିଶ୍ଚେ ସେ ମୋ ପ୍ରତି ହେବେ କରୁଣା-ପ୍ରବଣ ।

* ପୁରୀ ଜଗନ୍ନାଥ ଦେଉଳ ବେଢ଼ା ଭିତରକୁ ସମୁଦ୍ରଗର୍ଜନ ଶ୍ରୁତିଗୋଚର ହୁଏ ନାହିଁ ।

 

ଅହୋ,କି କରିବି, କାହିଁ ଯିବି, କେ ରଖିବ

ମୋତେ ଆତ୍ମ-ଦୁଷ୍‌କୃତିର ଭୀଷଣ କବଳୁଁ ?

ଚାହେଁ ଯେଉଁ ଦିଗେ ନାଚେ ସ୍ୱକୃତ ପାପର

ଅସଂଖ୍ୟ ବିକଟାକାର ଛାୟା ମୋ ନୟନେ,

 

କି ଭୀଷଣ ପୁଣି ସେହି ଛାୟାର କରଣୀ,

ପ୍ରଦାନେ ସେ ଧମନୀରେ ଅନକ ଫୁତ୍କାର ।’’

 

ରାଜାଙ୍କ ଏ ଆକ୍ଷେପୋକ୍ତି ପ୍ରଳାପମିଶ୍ରିତ

ଶୁଣି ମନ୍ତ୍ରୀ କାଳୋଚିତ ବିହିଲେ ସାନ୍ତ୍ୱନା-

‘‘ତେଜ ନୃପ ଖେଦ, ଶୂନ୍ୟଗର୍ଭ ଅନୁତାପ,

ମାନବ ଦୁର୍ବଳମତି, ଏ ସଂସାରେ ତାର

ସ୍ଖଳନ ବିଚିତ୍ର ନୁହେଁ; ବରଂ ସ୍ୱାଭାବିକ ।

ଆସି ନାହିଁ ଭବେ ନର ସୁଖଭୋଗ ପାଇଁ,

ଆସି ଅଛି ସୁଖାର୍ଜନ ପାଇଁ, ନୁହେଁ ଧରା

ଭୋଗଭୂମିକାର, ଅଟେ କର୍ମଭୂମିସିନା,

ଦୁଃଖଭୋଗ ମାତ୍ର ଏଥି ପ୍ରାପ୍ୟ ମାନବର;

ଅତଃ ନୀରବରେ ସର୍ବ ସହିବା ଉଚିତ ।’’

ଏହିରୂପେ ନାନାଭାବେ ପ୍ରବୋଧି ସଚିବ,

ଶିଶୁକୁ କ୍ରୋଡ଼ରେ ଘେନି ମିଳି ଅନ୍ତଃପୁରେ,

ସମର୍ପି ମହିଷୀ କରେ କହିଲେ ଏସନ,-

‘‘ଦେବି, ତବ ହୃଦୋଦ୍ୟାନ-ଜାତ ଲତିକାରେ

ଫୁଟିଥିଲା ଏ ଫୁଲଟି, ଘେନନ୍ତୁ ସାଦରେ ।

ନାହାନ୍ତି ଗୋ, ତେଜି ପ୍ରାଣ ତନୟା ତୁମ୍ଭର,

 

ରୂପାନ୍ତର ଏ ରୂପେ ସେ, ଧରି ଏହି ଭାବ,

କର ଏ ବାଳକେ ଏବେ ଲାଳନ ପାଳନ ।

 

ଥିଲା ଯେଉଁ ସ୍ନେହ ଜେମା ପ୍ରତି, ସେହି ସ୍ନେହ

ପ୍ରତିଫଳୁ ପୂର୍ଣ୍ଣରୂପେ ଏ ଶିଶୁ ଉପରେ ।

ଦେଖି ଏହି ସୌମ୍ୟମୁଖ, ମୁଖେ ଚାରୁ ହାସ,

(ଶୋଭା-ସୁଧା-ପାରାବାରେ ପୁଷ୍‌ପର ଲହରୀ)

 

କନ୍ୟାର କରୁଣ ସ୍ମୃତି ପାସୋରିବ ମନୁ ।’’

କରିଛନ୍ତି ରକ୍ଷା ରାଏ ନ ବଧି ଶିଶୁକୁ,

ଜାଣି ଏହା ରାଣୀ ଭକ୍ତିକୃତଜ୍ଞତା ସହ

ବିହିଲେ ଈଶ୍ୱରୋଦ୍ଦେଶ୍ୟେ ଅସଂଖ୍ୟ ପ୍ରଣତି,

 

ପରିହରି କନ୍ୟାଶୋକ ତହୁଁ ମହାଦେଈ,

କରାଇଲେ ତ୍ୱରା ଜାତସଂସ୍କାର ଶିଶୁର ।

ବିତରିଲେ ବହୁ ଧନ ଏକାଦଶ ଦିନେ

ରଖିଣ ବିକ୍ରମାଦିତ୍ୟ ଦୁହିତୁକ ନାମ

ପିତୃନିର୍ଦ୍ଦେଶାନୁସାରେ, ପୁତ୍ରନିର୍ବିଶେଷେ

ପାଳିଲେ ସଯତ୍ନେ ରାଜ୍ଞୀ ଶିଶୁକୁ ସର୍ବଥା ।

 

ତୃତୀୟ ସର୍ଗ

 

ବଢ଼ିଲେ ବିକ୍ରମାଦିତ୍ୟ ଆଦିତ୍ୟ-ଦର୍ଶନ,

ସୁଖ ସ୍ନେହ ସମ୍ଭୋଗର ସୁକୋମଳ କ୍ରୋଡ଼େ,

ବୟୋବୃଦ୍ଧି ସହକାରେ ବଢ଼ିଲା ପ୍ରତିଭା,

ବଢ଼େ ଯଥା ତିଥିଭେଦେ ଶଶଧର ସହ

ସୁହାସୀ ଚନ୍ଦ୍ରିକା-ଚନ୍ଦ୍ର-ଚନ୍ଦ୍ରିମା ରୁପିଣୀ ।

କହିଲା ଶୁଦ୍ଧାନ୍ତେ ଖରେ ସହସ୍ର ଧାରାରେ

 

ଦୌହିତ୍ର ବାଳୁତ ଲୀଳା ପବିତ୍ର ଅମୃତ-

ଉତ୍ସ, ଗଲା ତହିଁ ଧୋଇ ରାଜାରାଣୀ ମନୁ

କନ୍ୟାବିୟୋଗରେ ସେହି ଜ୍ୱାଳାମୟୀ ସ୍ମୃତି

ସେ ଅବ୍ୟକ୍ତ ବେଦନାର ଉଚ୍ଛ୍ୱସିତ ଶୋକ ।

 

ଏହିରୂପେ କିଛିକାଳ ହୁଅନ୍ତେ ଅତୀତ,

ରାଇ ଦିନେ ଧାର ରାଏ ଦୌହିତ୍ର ଉଭୟେ

କହିଲେ, ‘‘ହେ ବତ୍ସ, ତେଜି କ୍ରୀଡ଼ା ସୁଖ ଏବେ

ନାନା ଶାସ୍ତ୍ର ଅଧ୍ୟୟନେ କର ଜ୍ଞାନାର୍ଜନ,

 

ବିଦ୍ୟାଲାଭ କଷ୍ଟସାଧ୍ୟ; ମାତ୍ର ଅଜ୍ଞତାର

ସୁଖଠାରୁ ସାର ନିଶ୍ଚେ ଜ୍ଞାନାର୍ଜନ ଦୁଃଖ ।

ବିଦ୍ୟାର୍ଜନ ଦୁଃଖ କେବେ ଦୁଃଖ ନୁହେ ବାବୁ,

ଭାବୀ ସୁଖ ଭୋଗର ସେ ସୁବର୍ଣ୍ଣ ସୋପାନ,

 

ବିଦ୍ୟା ସ୍ପର୍ଶମଣି, ହୁଏ ପରଶେ ତାହାର

କଳଙ୍କିତ ନର-ଲୌହ ଶୁଦ୍ଧ କଳଧୌତ ।

ଜୀବସୃଷ୍ଟି ମଧ୍ୟେ ରାଜା ଯାହା ଯୋଗେ ନର,

ବିଦ୍ୟା ସେହି ହିତାହିତ ଜ୍ଞାନର ପ୍ରସୂତି,

 

ମାନବ ଜୀବନ-ପଥ ଜଟିଳ କୁଟିଳ,

କରିଦିଏ ବିଦ୍ୟା ତାକୁ ସୁଗମ୍ୟ ସରଳ ।

ଅରୂପା ଜନନୀ ବିଦ୍ୟା, ମନୁଜ କୁଳର

ଚତୁଗର୍ବଦାତ୍ରୀ, ବଳେ ଜନୟିତ୍ରୀଠାରୁ,

 

ମାତୃଦତ୍ତ ଏ ଶରୀର ଅସ୍ଥିମାଂସମୟ,

କ୍ଷଣସ୍ଥାୟୀ ମାତ୍ର ବିଦ୍ୟା-ମାତୃ-ଦତ୍ତ ଦେହ

ସୃଷ୍ଟି ଅପାର୍ଥିବ ରତ୍ନେ, ଚିର ଅନଶ୍ୱର ।

ଅବିଦ୍ୟାର ଶିକ୍ଷାଗାର ଏ ଛାର ସଂସାରେ

 

ବିଦ୍ୟା ହିଁ ସଦ୍‌ଗୁରୁ ଏକା, ପ୍ରଦାନିଣ ସେହୁ

ନ୍ୟାୟ-ନିଷ୍ଠା-ଦୟା-ଧର୍ମ-ସତ୍ୟ-ସରଳତା-

ବିନୟ-ସୌଜନ୍ୟ-ଶିକ୍ଷା, କରେ ସମୁର୍ବର

ଜ୍ଞାନ-ଭକ୍ତି-ପ୍ରୀତି-ଜଳେ ହୃଦୟ-ଉଷରେ ।

 

କରିପାରେ ବିଦ୍ୟା ସିନା କଦର୍ଯ୍ୟେ ସୁନ୍ଦର,

ନାଚେ ଉଚ୍ଚ, ଦୀନେ ରାଜା, ଅପୁଜ୍ୟେ ପୂଜିତ,

କରିପାରେ ଦୀପ୍ତ ପୁଣି ତିମିରିତ ସ୍ଥାନେ ।

ବିଦ୍ୟା ଦୁର୍ବଳର ବତ, ସେ ବଳେ ମାନବ

 

ଉଡ଼ିପାରେ ବିହାୟସେ ବିହଙ୍ଗମ ଭଳି,

ଭେଦିପାରେ ଅନାୟାସେ ଅନଳ-ଅର୍ଗଳୀ ।

ବାସ୍ତବ ପରମବନ୍ଧୁ ବିଦ୍ୟା, ତା ବନ୍ଧୁତା

ନୁହେଁ ଦୁଷ୍ଟ ଅପୂର୍ଣ୍ଣତା ଦୋଷେ କଦାଚନ

 

ପାର୍ଥିବ ବନ୍ଧୁତା ସମ, ମିଶି ରହେ ତାହା

ରୁଧିରର ପରମାଣୁ ସହ ଆଜୀବନ ।

ବିଦ୍ୟା ଅଚୌର୍ଯ୍ୟାପହାରର୍ଯ୍ୟା ସମ୍ପତ୍ତି ମହତୀ,

ଅକ୍ଷୟା, ପ୍ରତ୍ୟୁତ ନିତ୍ୟ କ୍ରମବିବର୍ଦ୍ଧିତା,

 

ପ୍ରାକୃତ ଅର୍ଥ ମୂଲ୍ୟରେ ନୁହେଁ କ୍ରେୟ ତାହା,

ଉପାର୍ଜେୟ ଐକାନ୍ତିକୀ ସାଧନା ପ୍ରଭାବେ ।

ଅତଏବ ନାନାଶାସ୍ତ୍ର-କୁସୁମ-ଷଟ୍‌ପଦ

ପ୍ରବୀଣ ପଣ୍ଡିତବର୍ଗେ କରାଇ ପ୍ରସନ୍ନ,

 

ଶିକ୍ଷା କର ତାଙ୍କଠାରୁ ହିତଉପଦେଶ ।

ସମୟକୁ ନ ନିୟୋଗି ପ୍ରହରିପଣରେ,

ତାହାର ପ୍ରହରୀ ହୋଇ କର ଅଧ୍ୟୟନ-

କାବ୍ୟ, ବ୍ୟାକରଣ, ବେଦ, ବେଦାଙ୍ଗ, ପୁରାଣ,

 

ଇତିହାସ, ଧର୍ମଶାସ୍ତ୍ରୀ, ମହାତ୍ମା-ଚରିତ,

ଜ୍ଞାନଶାସ୍ତ୍ର, ନୀତିଶାସ୍ତ୍ର, ଶିଳ୍ପ, ଧନୁର୍ବେଦ,

ସଙ୍ଗୀତ ଶାସ୍ତ୍ରାଦି ବହୁ ଶୁଭ ବିଦ୍ୟାମାନ ।

ହୁଅ ପୁଣି ହସ୍ତୀ ଅଶ୍ୱ ରଥାରୋହେ ଦୃଢ଼,

 

ବ୍ୟାୟାମେ ଅଭ୍ୟସ୍ତ ନିତ୍ୟ, ଲମ୍ଫେ, ଉଲ୍ଲମ୍ଫନେ,

ଗଡ଼ଚକ୍ରଭେଦେ, ବ୍ୟୂହରଚନେ, ଧାବନେ,

ବ୍ୟୁହିତବାହିନୀଭଙ୍ଗେ ହୁଅ ସୁନିପୁଣ ।

ବିଗ୍ରହ, ଆସନ, ସନ୍ଧି, ଯାନ, ଦ୍ୱୈଧାଶ୍ରୟ,

 

ଏହି ଷଡ଼ ରାଜଗୁଣେ ଚୌବିଧ ଉପାୟ-

ଭେଦ, ଦଣ୍ଡ, ସାମ, ଦାନେ ଲଭି କୁଶଳତା ।’’

ଏହିରୂପେ ଧାରାଧୀଶ ଦେଇ ଉପଦେଶ

ଅର୍ପିଲେ ଦୌହିତ୍ରଦ୍ୱୟେ ଯୋଗ୍ୟ ଗୁରୁକରେ ।

 

ରତ ହେଲେ ଅଧ୍ୟୟନେ ଉଭୟ କୁମାର

ଉପେକ୍ଷି ଆଳସ୍ୟ କ୍ରୀଡ଼ା-ଶଶୈବ -ସୁଲଭେ

ନ ରହିଲା ରୁଚି ଆଉ ଆହାରେ ଶୟନେ,

ରୁଚି ଅଧ୍ୟୟନେ ସଦା, ନ ଲାଗିଲା ସୁଖ

 

ରାଜହର୍ମ୍ୟ ଶିକ୍ଷାଗାର ଭଳି, ବେନି ଭ୍ରାତା

ବାଳବ୍ରହ୍ମାଚାରୀ ପ୍ରାୟ ପାଠଶାଳାଶ୍ରମେ

ରହିଲେ ସାଧନା-ଯଜ୍ଞେ ଦୀକ୍ଷିତ ନିୟତ ।

ବଢ଼ିଲା ପ୍ରତିଭା କ୍ରମେ ଗୁରୁ ଉପଦେଶେ,

 

ସ୍ୱଭାବ ତେଜସ୍ୱୀ ହୀରା ପାଇ ଦୀପାଲୋକ

ପ୍ରକାଶିଲା କିବା ଦ୍ୟୁତି ପୂର୍ବୂ ବହୁଗୁଣେ ।

ସ୍ପର୍ଶିଲା ପ୍ରତିଯୋଗିତା ବେନି ଭ୍ରାତା ପ୍ରାଣେ,

ହୁଡ଼ ରଖି ପରସ୍ପରେ କଲେ ବିଦ୍ୟାଭ୍ୟାସ ।

 

ଜ୍ଞାନାର୍ଜନ ଅର୍ଥେ ଜାତ ଯେ ପ୍ରତିଯୋଗିତା,

ପବିତ୍ର ସେ, ନୁହେଁ କେବେ ଈର୍ଷା ଅଭିଖ୍ୟାତ,

ଉନ୍ନତି ଅମୃତ ଫଳ କରେ ସେ ପ୍ରସବ-

ପ୍ରସବେ ପିଶାଚୀ ଈର୍ଷା, ପାପ-ହଳାହଳ ।

 

ହେଲେ ହେ ସୁବିଚକ୍ଷଣ ଜ୍ୟେଷ୍ଠ ଭର୍ତ୍ତୃହରି,

କଠୋର ପ୍ରତିଯୋଗିତା-ପରୀକ୍ଷାକ୍ଷେତ୍ରରେ

ସର୍ବୋଚ୍ଚେ ନିର୍ଦ୍ଦିଷ୍ଟ ହେଲା ବିକ୍ରମଙ୍କ ସ୍ଥାନ ।

ମେଧାବୀ ବିକ୍ରମାଦିତ୍ୟ, ମହାମତିମାନ,

 

ଆଲୌକିତ ଅତ୍ୟଦ୍ଭୁତ ଶ୍ରୁତିଶକ୍ତିବଳେ

ଶିଖିଲେ ବିବିଧ ବିଦ୍ୟା ଅତ୍ୟଳ୍ପ ସମୟେ

ପଢ଼ନ୍ତି ଶୁଣନ୍ତି ଯାହା ବାରେକ ମାତର,

ରଖନ୍ତି ତାହାକୁ ହେତୁ ନୋହେଁ ତା ବିସ୍ମୃତ ।

 

ଦେଖି ବାଳକର ଏହି ଅଚିନ୍ତ୍ୟ ପ୍ରତିଭା,

ଭାବୁଥିଲେ ଲୋକ, ସତେ ସ୍ମୃତିଦେବୀ ଅବା

ଆବିର୍ଭୁତ ଧରାଧାମେ ପୁରୁଷ ରୂପରେ ।

 

ଅନନ୍ତର ରାଜା ଦିନେ ଡ଼କାଇ ବିକ୍ରମେ

ବୋଇଲେ, ‘‘ହେ ବତ୍ସ, ତୁମ୍ଭେ ହୋଇଅଛି ଏବେ

ସର୍ବାଂଶରେ ଉପଯୁକ୍ତ, ଏଣୁ ମୋ ବାସନା,

ସମର୍ପିବି ତବ କରେ ମାଳବ, ପ୍ରଦେଶ;

 

ମହାକର୍ତ୍ତବ୍ୟର ତାର ବହି ଏବେ ଶିରେ

କର ପ୍ରଜାପୁଞ୍ଜେ ଧର୍ମେ ଶାସନ ପାଳନ ।

ଶୁଣ କିଛି ରାଜନୀତି ଅବହିତ ମନେ,

ନୁହେ ବ୍ୟକ୍ତିଗତ, ବାବୁ, ନୃପତି ଜୀବନ,

 

ତାହା ସାଧାରଣ, ପ୍ରଜାର ରକ୍ଷକ;

ରାଜ୍ୟରୂପ ମହାଗୃହେ ପ୍ରଜା ପରିବାର,

ରାଜା ମୁଖ୍ୟ ଗୃହକର୍ତ୍ତା କୁଟୁମ୍ବ-ଚାଳକ ।

ପ୍ରଜାପାଳ ସତ୍ୟ-ନ୍ୟାୟ-ଧର୍ମ-ଅବତାର,

 

ଆଚରି ସେ ସାମ୍ୟନୀତି କରିବ ଶାସନ,

ବିଚାର ତାହାର ଜାତି-ଧର୍ମ-ଆତ୍ମ-ପର-

ବିଭେଦରହିତ । ଶାନ୍ତ, ଶିଷ୍ଟ, ନୀତିମାନ,

ଜିତେନ୍ଦ୍ରିୟ, ମିଷ୍ଟଭାଷୀ, ଧାର୍ମିକ, ଦୟାଳୁ

 

ଯେ ନୃପ, ସେ ପ୍ରକୃତିର ମହାର୍ହ ଭୂଷଣ,

ସର୍ବଲୋକନିୟାମକ ଅଟେ ରାଜନୀତି,

ମାତ୍ର ତାହା ହେଲେ ମୃଦୁ, କରନ୍ତି ପୁଜାଏ

ଅତିକ୍ରମ, ତୀକ୍ଷ୍ଣ ଥିଲେ ହୁଅନ୍ତି ସଂତ୍ରସ୍ତ,

 

ଅତଃ ତାହା ନାତି-ଉଷ୍ଣ, ବା ନାତି-ଶୀତଳ

ହେବାର ଉଚିତ, ଯଥା ମଳୟ-ମାରୁତ ।

କର୍ମମୟ ଏ ଜୀବନ, କର୍ମ ହିଁ ଜୀବନ,

କର୍ମବିମୁଖତା-ମୃତ୍ୟୁ, ପ୍ରଜାଦର୍ଶ ରାଜା,

 

ଦେଖି ତାଙ୍କୁ କର୍ମରତ; କର୍ମୀ ହେବେ ପ୍ରଜା,

ଦୈବନିର୍ଭରତା ଖାଲି ଆଳସ୍ୟ ଲକ୍ଷଣ,

କରେ ସିନା କାର୍ଯ୍ୟ ପ୍ରାଣୀ ଜୀବନ ଉପରେ

ପୌରୁଷ, ପୌରୁଷ ସଦା ବାଞ୍ଛନ୍ତି ଦେବତା ।

 

ହେବେ ନାହିଁ ଆର୍ଦ୍ର ନୃପ ଚାଟୁକାର ଗିରେ,

ନାହିଁ ଶତ୍ରୁ ମାନବର ସ୍ତାବକ ସମାନ,

ପଶା, ବେଶ୍ୟା, ମଦ୍ୟ ପୁଣି ମୃଗୟାବ୍ୟସନ

ତେଜିବେ ସର୍ବଥା ରାଜା, ନୁହଇ ଉଚିତ

 

ଭୃତ୍ୟୁ ସହ ପରିହାସ, କିମ୍ବା କାହା ପ୍ରତି

ବିଶ୍ୱାସ ସ୍ଥାପନ ଅତି, ରଖିବେ ନୃମଣି

ସ୍ୱମନ୍ତ୍ରଣା ଗୁପ୍ତ ରାଜକାର୍ଯ୍ୟ ପ୍ରତି ଅଂଶ

କରିବେ ପର୍ଯ୍ୟବେକ୍ଷଣ ତନ୍ନ ତନ୍ନ ଭାବେ ।

 

ଧର୍ମ, ମିତ୍ର, ମନ୍ତ୍ରୀ, ରାଷ୍ଟ୍ର, କୋଷ, ଦୁର୍ଗ, ବଳ,

ରାଜ୍ୟର ଏ ସପ୍ତ ଅଙ୍ଗ, ହୁଏ ଯଦି କେହି

ପ୍ରତିକୂଳ ଯେ କୌଣସି ଏକ ଅଙ୍ଗ ପ୍ରତି,

ହେଲେ ସୁଦ୍ଧା ଗୁରୁ ସେହି ବିପକ୍ଷେ ଗଣିତ ।

 

ରାଜା ପ୍ରକାଶରୀରର ନିସର୍ଗ-କଞ୍ଚୁକ,

ହରିବେ ସେ ନିଜ କଷ୍ଟେ ପ୍ରକୃତି କଷଣ,

ବିଳାସ ଆଶ୍ରୟୀ ରାଜା ଭକ୍ଷ୍ୟ ବିଳାସର;

ଅନ୍ଧ ଖଞ୍ଜ ଅକ୍ଷମାଦି ଅନାଥପାଳନ,

 

ଯଥାକାଳେ ଭୃତ୍ୟବର୍ଗେ ବର୍ତ୍ତନପ୍ରଦାନ,

ଅଧୀନସ୍ଥ କର୍ମଚାରୀ ପ୍ରତି ସଦ୍‌ବେଭାର,

କୃଷି, ଶିଳ୍ପ, ଶିକ୍ଷା, ଧର୍ମ ବାଣିଜ୍ୟ ଉନ୍ନତି

ରାଜାର କର୍ତ୍ତବ୍ୟ ମୁଖ୍ୟ, ଦୋଷେ ଦଣ୍ଡ ପ୍ରାୟ

 

ଅଛି ଗୁଣେ ପୁରସ୍କାର, ବିଶିଷ୍ଟ ଗୁଣିକେ

ଲଗାଇବେ କର୍ମେ ରାଏ କରି ବୃତ୍ତିଦାନ ।

ମନ ସମୁର୍ବର ଭୂମି କାମନା ତରୁର,

ଉଠିବ ତହିଁରେ ସଦା ମେଳା ମେଳା ହୋଇ

 

ସୁପାଦପ କୁପାଦପ ଉଭୟ ଅଙ୍କୁର,

ମାତ୍ର ବସ୍ତ୍ର, ବାଛି ତାହା ତୁମ୍ଭେ, ‘‘କୁ’’ ଉପାଡି

‘‘ସୁ’’ ପାଳିବ ଯତ୍ନେ, ଯଥା ବିଜ୍ଞ ବୃଷୀବଳ

ଉାପହି ବାଳୁଙ୍ଗା କ୍ଷେତୁଁ ରଖେ ଧାନ ଗଛ ।

 

ଚଳାଇବ ରାଜକାର୍ଯ୍ୟ ସଚିବ ସହାୟେ,

ମାତ୍ର ତବ ଅନ୍ତରାତ୍ମା-ସୁମନ୍ତ୍ରୀ ମନ୍ତ୍ରଣା

ଶୁଣିବ ସର୍ବାଗ୍ରେ, ପଛେ ଆନ ଅମାତ୍ୟର ।’’

 

‘‘ମାତମହ, ଶିରୋଧାମ୍ୟ ତବ ଆଜ୍ଞା ମୋର-’’

ଭାଷିବେ ବିକ୍ରମାଦିତ୍ୟ, ‘‘ଆବର ହେ ଦେବ,

ସୁପାବନ ଉପଦେଶ କୈବଲ୍ୟ-କଣିକା,

ଗ୍ରହିଲି ତା ଆର୍ଶୀବାଦ ଜ୍ଞାନେ, ଘେନା ହେଉ

 

ଭକ୍ତିବୋଳା କୃତଜ୍ଞତା ଏ ତ୍ରୀତଭୁତ୍ୟର,

କେବଳ ଏତିକି ନୁହେ, ସେ ଉପଦେଶର

ନୁହେଁ ଯୋଗ୍ୟ ପ୍ରତିଦାନ କୃତଜ୍ଞତା ଖାଲି,

ପ୍ରାଣଠାରୁ ମୂଲ୍ୟବାନ ଥାନ୍ତା ଯଦି କିଛି,

 

ନୁହନ୍ତା ତେବେ ସେ ସୁଦ୍ଧା କିଞ୍ଚିତ ସମାନ,

ଯାହାହେଉ ଅର୍ପୁଅଛି ସାନନ୍ଦେ ନିଜକୁ,

ଏହା ବିନା ଯୋଗ୍ୟ ଦେୟ ପାଉ ନାହିଁ ଖୋଜି ।

ଅଲଙ୍ଘ୍ୟ ଆଦେଶ ତବ, ଦେବାଦେଶ ପ୍ରାୟ,

 

ମାତ୍ର ଦେବ, ଅଛନ୍ତି ମୋ’ ଜ୍ୟେଷ୍ଠ ଭର୍ତ୍ତୃହରି,

ଜ୍ୟେଷ୍ଠ ସତ୍ତ୍ୱେ କନିଷ୍ଠର କର୍ତ୍ତୃକ ଗ୍ରହଣ

ଧର୍ମବିଗର୍ହିତ, ଅତଃ ହେଉନ୍ତୁ ସେ ରାଜା,

ରହିବି ମୁଁ ମନ୍ତ୍ର ପଣେ ତାହାଙ୍କ ସକାଶେ ।’’

 

ଶୁଣି ଏ ଭାରତୀ ରାଜପାରିଷଦ ଦଳ

ଭାଷିଲେ ବିସ୍ମୟାନନ୍ଦ-ଆଲିଙ୍ଗିତ ସ୍ୱରେ-

‘‘କୁମାର, ଉର୍ତ୍ତୀର୍ଣ୍ଣ ତୁମ୍ଭେ ଆଜି କି ଅଦ୍ଭୁତ

ଅଗ୍ନି ପରୀକ୍ଷାରୁ, ଧନ୍ୟ ହୃଦୟ ତୁମ୍ଭର,

 

ମହାପୁରୁଷ ଜୀବନେ ଆସଇ ଏପରି

ସୁକଠୋର ପରୀକ୍ଷାର ଶୁଭ ସୁପ୍ରଭାତ ।

ପରମ ଧାର୍ମିକ ତୁମ୍ଭେ, ଧର୍ମରକ୍ଷାପାଇଁ

ରାଜ୍ୟଭୋଗ ତ୍ୟାଗ ମହାପୁରୁଷର କର୍ମ,

ପୁରୁଷ ମାତ୍ରର ନୁହେଁ, ଘୃଷ୍ଟର ଚିକିଳେ

ପ୍ରୀତି, ମାତ୍ର ତାହା ଘୃଣ୍ୟ କେଶରୀ ପକ୍ଷରେ,

ତବ ଏ ବିମଳ କୀର୍ତ୍ତି ସୁତ ସୁଧାମୟ,

ଭବିଷ୍ୟ ପୁରାଣ-ବକ୍ଷେ ଶୋଭିବ ଉଜ୍ଜ୍ୱଳେ,

ଯେସନ ସୌଭ୍ରାତୃବର ଭରତ ଆଖ୍ୟାନ

ଶୋଭେ ରାମାୟଣ-ବକ୍ଷେ ଅମର-ଅକ୍ଷରେ ।’’

ଲଭି ପରିତୁଷ୍ଟି ରାଏ ଦୌହିତ୍ର ବଚନେ

ପ୍ରଶଂସି ବିଶେଷେ ତାଙ୍କୁ, ଭର୍ତ୍ତୃହରି କରେ

ମାଳବ ଶାସନ ଭାର କଲେ ସମର୍ପଣ,

ରହିଲେ ବିକ୍ରମାଦିତ୍ୟ ତାଙ୍କ ମନ୍ତ୍ରିପଦେ ।

ମାଳବର ରାଜଧାନୀ ହେଲା ଉଜ୍ଜୟିନୀ,

ବ୍ୟାପିଲା ସେ ତ୍ରୟୋଦଶ କ୍ରୋଶ ଦୀର୍ଘେ, ନବ-

 

କ୍ରୋଶ ପ୍ରସ୍ଥେ, ଚଳାଇଲେ ରାଜ୍ୟ-ରହୁବରେ

ଭର୍ତ୍ତୃହରି, ସୁସାରଥି ପ୍ରାୟ, ଯୋଚି ତହିଁ

ସୁମନ୍ତ୍ରୀ ବିକ୍ରମଙ୍କର ସୁମନ୍ତ୍ରଣା-ହୟ ।

ଲଭିଲା ଶ୍ରୀବୃଦ୍ଧି ରାଜ୍ୟ ଶାସନେ ପାଳନେ,

ସତ୍ୟ, ଧର୍ମ, ନ୍ୟାୟ, ନିଷ୍ଠା ଆଶ୍ରିଲେ ପ୍ରଜାଏ,

ଦୁର୍ଜନର ଅତ୍ୟାଚାର, ଚୌର୍ଯ୍ୟା ଉପଦ୍ରବ

ହେଲା ତିରୋହିତ, ହର୍ଷେ ହସିଲା ନଗରୀ,

ଷୋଳକଳା ସୁଖ ଶାନ୍ତି ଖେଳିଲା ଚୌଦିଗେ ।

ଥିଲେ ଭର୍ତ୍ତୃହରିଙ୍କର ଯୁଗଳ ମହିଷୀ

ଅନଙ୍ଗା ପିଙ୍ଗଳାନାମ୍ନୀ, ପରମାସୁନ୍ଦରୀ,

ଦ୍ୱିତୀୟା ସରଳା, ସାଧ୍ୱୀ, ପୁଣ୍ୟ-ଦୟାବତୀ,

ପ୍ରଥମା ତା ବିପରୀତ-ମୁଖରା, ଦୁଃଶୀଳା,

ରୌଦ୍ର ଚନ୍ଦ୍ରିକାର ଏହା ବିରୋଧ ମିଳନ ।

ମିଶିଥିଲା ଦେବୀ ସଙ୍ଗେ ଦୁର୍ମୂଖା ଦାନବୀ,

ଅଥବା ଅବିଦ୍ୟା ବିଦ୍ୟା ସହ, କେଉଁ ପାପେ

ଅବା ଶାପେ, କେ କହିବ ତାହା ? ବହୁଥିଲା

 

ଏକ ହୃଦେ ତ୍ରିଦିବିର ମନ୍ଦାକିନୀଧାରା,

ଆନ ହୃଦେ ଦାଉଦାଉ ଶ୍ମଶାନାଗ୍ନିଶିଖା;

ଏକ ମଳୟଜ, ଆନ କଟୁ ଉପଲେପ;

ସୁରଭି ଗୋଲାପ ଏକ, ଆନ ଓଲ ଫୁଲ;

ଏକ ହୃଦ ଅନାବିଳ ପ୍ରେମ-ପାରାବାର,

ଆନ କ୍ରୋଧ ବିଦ୍ୱେଷର ପଙ୍କିଳ ପଲ୍ୱଳ;

ଏମନ୍ତ କି, ଏକ ହୃଦ ପବିତ୍ର ସ୍ୱରଗ;

ଆନ ପାପ-କାଟ-ଦୁଷ୍ଟ ମହାକୁମ୍ଭୀପାକ;

ସୁଚାରୁ ଚରିତ୍ର-ଚୂଡ଼େ ଶୋଭେ ଏକ ଶିର;

ଭାରାକ୍ରାନ୍ତ ଅଭିମାନ ଅଲିଚାରେ ଆନ ।*

* ଅଭିଚାର-ପରହିଂସା ।

ଧୂର୍ତ୍ତା-ଶିରୋମଣିବରା ଅନଙ୍ଗା ରୂପସୀ,

ସ୍ୱାଧୀନ-ଭର୍ତ୍ତୃକା ହେଲା କପଟ କୌଶଳେ,

ନାରୀ ଫାନ୍ଦେ ବନ୍ଦୀ ହେଲେ ରାଜା ଭର୍ତ୍ତୃହରି,

ଅଳି ଯଥା ଉର୍ଣ୍ଣନାଭ-ଜାଲେ, କ୍ଷମ ସେହୁ

ଲୌହ-ଦୃଢ଼-କାଷ୍ଠ ଭେଦେ; ମାତ୍ର ପାରେ ନାହିଁ

ଛିନ୍ନ କରି ସୂକ୍ଷ୍ମ ସୂତ୍ର ସେ କ୍ଷୁଦ୍ର କୀଟର !

 

ଭର୍ତ୍ତୃହରି ସମ ରାଜା, ଶାସ୍ତ୍ରଜ୍ଞ, ଧାର୍ମିକ,

ରହିଲେ ରମଣୀବଶେ ଶୁଦ୍ଧାନ୍ତେ ସର୍ବଦା,

କେଡ଼େ ଆକର୍ଷଣ ଯନ୍ତ୍ର ରମଣୀ ମହୀରେ !

‘‘କାମିନୀ’’ ତ୍ର୍ୟକ୍ଷ୍ୟର ମନ୍ତ୍ର ବଶୀକରଣର,

 

ଅଛି ଏ ଜଗତେ ଯେତେ ଦ୍ରବ୍ୟ ଲୋଭନାୟ,

ଚୂଡ଼ାନ୍ତ ତାହାର ନିଶ୍ଚେ କାମିନୀ, କାଞ୍ଚନ !

ପବିତ୍ର ଦାମ୍ପତ୍ୟ ପ୍ରୀତି; ମାତ୍ର ହେଲେ ତାହା

ବୀଭତ୍ସତା-ବିସର୍ପିତ, ହୁଏ ଅଭିହିତ

 

କଳଙ୍କ-କାଳିମାମୟ ‘‘କାମୁକତା’’ ନାମେ ।

ଅବନତି-ପେତୁଣୀର କାମୁକା ରମଣୀ

ଅମୋରା ବ୍ରହ୍ମାସ୍ତ୍ର, ଜିଣେ ସେ ତାହା ବଳରେ !

ହେଉନ୍ତୁ ନାରୀଏ ପଛେ ସ୍ୱଭାବେ ଅବଳା,

 

ପ୍ରଭାବେ ପ୍ରବଳା ମାତ୍ର, ସମର୍ଥ ସେମାନେ

ଆଣିବାକୁ ଝିଙ୍କି ବଳେ ଏ ମର୍ତ୍ତେ-ନିରୟେ

ଆନନ୍ଦ-ଅମୃତମୟ ଧାମୁ ମୁନିମନେ ।

ଯୋଗୀଙ୍କର ଯୋଗ-ଯଜ୍ଞ, ସଂଯମି-ସଂଯମ

 

ପାରନ୍ତି ସେ ପଣ୍ଡ କରି ଭ୍ରୂଭଙ୍ଗ ମାତ୍ରକେ !

ବନ୍ଦୀ ହେଲେ ଭର୍ତ୍ତୃହରି ଅନ୍ତଃସୁର-ଟୋପେ

ଗଜମୂର୍ଖ ପ୍ରାୟ, ଆଉ ନ ହେଲେ ବାହାର,

ସଂଘଟିଲା ରାଜକାର୍ଯ୍ୟେ ଏଣେ ବିଶୃଙ୍ଖଳା,

ହେଲେ ମନ୍ତ୍ରୀ ପାରିଷଦେ ବିଶେଷ ଚିନ୍ତିତ ।

 

ଏହି ରୂପେ କେତେ କାଳ ହୁଅନ୍ତେ ଅତୀତ,

ବିଜେ ହେଲେ ଦୈବେ ଦିନେ ରାଜା ସିଂହାସନେ,

କିନ୍ତୁ ଇତସ୍ତତଃମନା, ଧୃତ ପକ୍ଷୀପ୍ରାୟ,

ନିରେଖି ଏସନ ଭାବ ଭର୍ତ୍ତୃହରିଙ୍କର

 

ସଚିବ ବିକ୍ରମାଦିତ୍ୟ କହିଲେ ସମ୍ବୋଧି-

‘‘ମହାରାଜ, ସର୍ବଶାସ୍ତ୍ର-ଅର୍ଥବେତ୍ତା ଛାମୁ,

ପରମ ପଣ୍ଡିତ, ଜଣା ମଧ୍ୟ ନୃପତିର

କର୍ତ୍ତବ୍ୟଗୁରୁତା, ମାତ୍ର ଜାଣି ଶୁଣି ପୁଣ

 

କରନ୍ତି ସେ ବ୍ୟବହାର, ଆଶ୍ଚର୍ଯ୍ୟତା ଅତି ।

ସର୍ବନାଶ ହେତୁ ନିଶ୍ଚେ ରାଜାର ସ୍ତ୍ରୈଣତା,

 

ସେ ରାଜା ଅବଳାବଶ, ଅବଳା ସେ, ତାର

ଯୋଗ୍ୟ ସିଂହାସନ ନାରୀହୃଦ, ରମଣୀର

ବାସାଞ୍ଚଳ ତାର ପ୍ରିୟ ରାଜପରିଚ୍ଛଦ,

 

ରାଜକାର୍ଯ୍ୟ ପାଶବିକ ପ୍ରୀତି, ପଦ ତାର

‘‘ରମଣୀ-ରଞ୍ଜନ’’, ନୁହେଁ ‘‘ପ୍ରକୃତ-ରଞ୍ଜନ’’ ।

ସ୍ତ୍ରୈଣତାର ଶେଷ ଫଳ ତୀବ୍ର ବିଷମୟ,

ହୋଇଛି ତା ସପ୍ରମାଣ ମହୋଜ୍ୱଳଭାବେ

 

ପୁଣ୍ୟଶ୍ଳୋକ ଦଶରଥ ରାଜାଙ୍କ ଜୀବନେ,

ଘଟିଲା ତାଙ୍କର ଯଶୋନାଶ ପୁତ୍ରଶୋକ,

ଅବଶେଷେ ପ୍ରାଣନାଶ ଘୋର ଅନୁତାପେ ।

ନୃପତିର ଅନୁଷ୍ଠେୟ ସପ୍ତବିଧ ବ୍ରତ-

 

କରନ୍ତି ପୃଥିବୀ ପୂର୍ଣ୍ଣ ଇନ୍ଦ୍ର ଯଥା ଜଳେ

ବର୍ଷାକାଳେ, ତଥା ରାଜା ନ୍ୟାୟାର୍ଜିତ ଧନେ

କରିବେ ଭଣ୍ଡାର ପୂର୍ଣ୍ଣ, ଇନ୍ଦ୍ରବ୍ରତ ଏହା,

ରସ ରଖି ରବି, ରସ ଶୋଷନ୍ତି ଧରାରୁ,

 

ସେହିପରି ରାଜା କର କରିବେ ଗ୍ରହଣ,

ଏହା ସୂର୍ଯ୍ୟବ୍ରତ; ତହିଁ ପରେ ବାୟୁବ୍ରତ,

ବ୍ୟାସ୍ତ ସର୍ବଭୂତେ ବାତ, ବାହ୍ୟେ ଅଭ୍ରନ୍ତରେ,

ପ୍ରକୃତପୁଞ୍ଜଙ୍କୁ ପକ୍ଷେ ରାଜାର ଏ ନୀତି

 

ପ୍ରପାଲ୍ୟ ସର୍ବଥା; ହେବେ ଯମତୁଲ୍ୟ ଭୂପ

ବିଚାରେ ଅପକ୍ଷପାତୀ, ଏ ଶମନବ୍ରତ;

ବଦ୍ଧ କରି ପାରାବାରେ ପାଶ ଅସ୍ତ୍ରେପାଶୀ

ରଖେ ଯଥା, ତଥା ନୃପ ଚୋର ଖଣ୍ଟଗଣେ

 

ରଖିବେ ଶାସନ କରି, ବରୁଣବ୍ରତ ଏ;

ଶଶଧର ସ୍ନିଗ୍‌ଧକର ବିତରିଲା ପ୍ରାୟ

ସର୍ବଗୁଣେ ବିଭୂଷିତ ହୋଇ ନରମଣି

କରିବେ ସକଳ ଜନେ ସଦା ଆହ୍ଲାଦିତ,

 

ଧର୍ମଶାସ୍ତ୍ରେ ଉକ୍ତ ଏହା ଚନ୍ଦ୍ରବ୍ରତ ନାମେ,

ସର୍ବଂସହା ଧରେ ପାଳେ ସର୍ବେ ସମଭାବେ,

ତେସନ ନୃପତି ସହି ସମସ୍ତ ଅର୍ଦିଳି

ସକଳର, ସମଭାବେ କରିବେ ପାଳନ,

 

ଏହା ପଥ୍ୱୀବ୍ରତ । ଏହି ସପ୍ତ ମହାବ୍ରତ

ପାଳନ୍ତି ଯେ ନରବର କାୟକାବ୍ୟମନେ,

ତାଙ୍କ ଇହପରକାଳ ସୁଖେ ସମୁଜ୍ଜୁଳ ।

ସର୍ବଲୋକ ତୁଚ୍ଛୀକୃତ ସ୍ତ୍ରୈଣ ପ୍ରଜାପାଳ,

 

ରାଏ, ନୋହି ବହିଦର୍ଶୀ, ଅନ୍ତର୍ଦୃଷ୍ଟିବତେ

ଦେଖନ୍ତୁ, ରମଣୀ ଦେହ ମୂଳ ଉପାଦାନ

କି ବୀଭତ୍ସ ଦୁର୍ଗନ୍ଧିତ ରକ୍ତ ମାଂସ ମେଦେ,

ଅଛି କି ସୌନ୍ଦର୍ଯ୍ୟ, ଅତଃ ହୁଅନ୍ତୁ ମଣିମା

 

ଅବହିତ । ମହୀନାଥ, ମୋର ଏ ବଚନ

ନୁହେଁ ଛାମୁପ୍ରତି ଶିକ୍ଷା-ସ୍ମରଣ କେବଳ,

ବୋଲିବେ ଅବା ‘‘ଚିତଉ ଖାଇବା ଲୋକର

ବିନ୍ଧ ଗଣନାରେ ଅଛି କେଉଁ ପ୍ରୟୋଜନ ?’’

 

ମାତ୍ର ଯେ ପିଠଉ ମୃତପିଣ୍ଡ ଚିତଉର,

ହେଲେ ସେ ବିକୃତ, ଆଉ କି ସୁଖ ପିଠାରେ ?

ନିବେଦିବ ନିର୍ଭୟରେ ସର୍ବିବିଧ ନୀତି

ନୃପତି ଛାମୁରେ ମନ୍ତ୍ରୀ, ମନ୍ତ୍ରିଧର୍ମ ଏହା,

 

ହୀନ ଯେ କର୍ତ୍ତବ୍ୟବୁଦ୍ଧି ନୈତିକ ସାହସେ,

‘‘ଯେ ଆଜ୍ଞା’’ ‘‘ଯେ ଆଜ୍ଞା’’ ସଦା ଇଷ୍ଟମନ୍ତ୍ରଯାର,

ନୁହେଁ ସେ ସଚିବ-ଅଟେ ସ୍ତାବକପୁଙ୍ଗବ,

ପ୍ରତିଧ୍ୱନି ଜଡ଼ଯନ୍ତ୍ର ତାହା କଳେବର;

 

ଏଣୁ କରି ଜଣାମଣା ଛାମୁରେ ସକଳ,

ଆଚରନ୍ତୁ ଯାହା ଶ୍ରେୟ, ବିଚାରି ତାହାହିଁ ।’’

ଶୁଣି ଏ ସୁନୀତି ବାଣୀ ରାଜା ଭର୍ତ୍ତୃହରି

ନ କହିଲେ କିଛି, ମାତ୍ର ବିକ୍ରମଙ୍କ ପ୍ରତି

 

ବହିଲେ ଅନ୍ତରେ କ୍ରୋଧ, ଯଥା ବହ୍ନିଶିଳା

ବାହାରେ ଶୀତଳ, କିନ୍ତୁ ପ୍ରଚ୍ଛନ୍ନେ ଗରଭେ

ଧରେ ଉଗ୍ରଅଗ୍ନିରେଣୁ । ଅଦୂରଦର୍ଶୀର

ବଡ଼ କର୍ଣ୍ଣକଟୁ ସିନା ତଦୀୟ କାର୍ଯ୍ୟର

 

ବିରୁଦ୍ଧ ସମାଲୋଚନା, ଅମୃତ ଔଷଧି

ମୁମୁର୍ଷୁ ପକ୍ଷରେ ତିକ୍ତ, କରେ କି ଆଦର

ମତ୍ସ୍ୟପ୍ରିୟ ଆଖୁଭୁକ୍‌ ମଧୁର ଶାର୍କରା ?

ହିତ ଉପଦେଶ ବୃଥା କାମୁକ ନିକଟେ,

 

ହେଉ ପଛେ ମହୋତ୍କୃଷ୍ଟ ବୀଜ, ପଡ଼ିଲେ ସେ

ଉଷର ଭୂମିର, ଲାଭ କେଉଁ ଫଳ ତହିଁ ?

ପୂର୍ବ ଭ୍ରାତୁପ୍ରୀତି-ଗଳେ ପ୍ରଦାନୀ ଗଳଥା,

ଆଣିଲା ଆମନ୍ତି କୋପ, ଈର୍ଷା, ଅହମିକା,

 

ତୁଟିଗଲା ମୁହୂର୍ତ୍ତକେ ଆଜନ୍ମ ମମତା !

ଏଣେ ଏ ଅପ୍ରିୟବାର୍ତ୍ତା ଯାଇ ଯଥାକାଳେ

ସ୍ପର୍ଶନ୍ତେ ଅନଙ୍ଗା କର୍ଣ୍ଣ, ଜଲିଲା ସେ କ୍ରୋଧେ,

ହେଲା ତାର ହିଂସା-ସ୍ରୋତ ପ୍ରଖରେ ଧାବିତ

 

ସିନ୍ଧୁମୁଖୀ ନଦୀ ପ୍ରାୟ ବିକ୍ରମଙ୍କ ପ୍ରତି ।

ସ୍ୱଭାବେ ନାଗୁଣୀ ଗଢ଼ା କ୍ରୋଧ ଉପାଦାନେ,

ଚାଲିଲେ ତାହାକୁ ପୁଣି ମନ୍ତ୍ରରେ ଫୁତ୍କାରି

ଅଛି କି ନିସ୍ତାର ଆଉ ? ଦଂଶି ସେ ଚାଳକେ,

 

ଉପଯୁକ୍ତ ପ୍ରତିଶୋଧ ଗ୍ରହେ ପରକ୍ଷଣେ !

ସେ ଦିନୁ ଦୁଃଶୀଳା ରତ ନାନା ଆକିଞ୍ଚନେ

ବିକ୍ରମାଦିତ୍ୟଙ୍କ ପ୍ରତି ଭର୍ତ୍ତୃଙ୍କରିଙ୍କର

ମନୋଭଙ୍ଗ ଅର୍ଥେ, ଫଳେ ଘଟାଇଲା ତାହା,

 

ସତ୍କାର୍ଯ୍ୟ ସାଧନ ସିନା ଦୁଃସାଧ୍ୟ ମହୀରେ,

ବିଘ୍ନ ତହିଁ ସ୍ୱାଭାବିକ; ମାତ୍ର ଦୁଷେର୍ଯ୍ୟର

ଦ୍ୱାର ମୁକ୍ତ, ଅବହେଳେ ହୁଏ ତାହା ସାଧି ।

କି ଅସାଧ୍ୟ କୁଟିଳାର, ପାରେ ସେ ଉତ୍ପାଦି

 

ବିନା ଅନଳରେ ଧୁମ କୂଟବୁଦ୍ଧିବଳେ,

ପୁଣି ସେ ବିନା ସୂତାରେ କରି ପାରେ ହାଟ;

ତାହାର କୁପରାମର୍ଶେ ହୋଇ ଛନ୍ନମତି

ମାତବେଶ ଭର୍ତ୍ତୃହରି, ସଭାମଧ୍ୟେ ଦିନେ

 

କହିଲେ ଅନୁଜେ ଅତି କଠୋର ଭାଷାରେ-

‘‘ହେ ବିକ୍ରମାଦିତ୍ୟ, ତୁମ୍ଭେ ମିତ୍ରରୂପୀ ଅରି,

ନୁହଇ ଉଚିତ ତବ ମୁଖାବଲୋକନ,

ଅତଃ ଏହିକ୍ଷଣି ହୁଅ ଏ ରାଜ୍ୟୁ ଅନ୍ତର ।’’

 

‘‘ଯେ ଆଜ୍ଞା ମଣିମା, ମୁହିଁ ମିତ୍ରରୂପୀ ଅରି,’’

ଭାଷିଲେ ବିକ୍ରମାଦିତ୍ୟ କାମାନ୍ଧ ଅଗ୍ରଜେ,

‘‘ମୁହିଁ ମିତ୍ରରୂପୀ ଅରି, ହେଉଛି ବିଦାୟ,

ଘେନନ୍ତୁ ପ୍ରଣାମ ତେବେ, ବୁଝିବେ ପାଶ୍ଚାତେ

 

ସବୁ, ଅଧାର୍ମିକ ପାଶେ ଧର୍ମ ଉପଦେଶ

ଧର୍ମ ପ୍ରତି ବିଦ୍ରୁପୋକ୍ତି ତୁଲ୍ୟ, ସେଥିପାଇଁ

ଅନୁତପ୍ତ ମୁହିଁ, ଗଜମୁକ୍ତାର ଗୌରବ

ବୁଝିବ କି ଭଲ-ଗୁଞ୍ଜ-ଗରଗଡ଼-ପ୍ରିୟ ?

କାହାକୁ ଶୀତଳ ଭଲା ନ ଲାଗେ ସଲିଳ,

ଶିବାଦଷ୍ଟ ରୋଗୀ ପକ୍ଷେ ମାତ୍ର ତା’ ବ୍ୟତ୍ୟୟ,*

* ଶିଆଳକାମୁଡ଼ା ରୋଗୀ ଜଳ ଦେଖିଲେ ଭୟରେ ଚିତ୍କାର କରେ ।

 

ଦେଖିଲେ ସେ ଜଳ, ମଣେ ଅନଳ ସମାନ,

ଫଳେ ହତଭାଗ୍ୟ କରେ ମରଣେ ବରଣ !’’

ଏହା ଭାଷି ବିକ୍ରମାର୍କ ସଭାମଧ୍ୟୁ ଉଠି

ଗମିଲେ ମାଳବ ତେଜି ଅନ୍ୟ ରାଜ୍ୟମୁଖେ ।

 

ଚତୁର୍ଥ ସର୍ଗ

 

ରାଜାଙ୍କ ଏ ଅବିମୁଷ୍ୟକାରିତା ଦର୍ଶନେ

ମନ୍ତ୍ରୀ ପାରିଷଦ ପୁଣି ସକତ ପ୍ରଜାଏ

ଭଜିଲେ ବିଷାଦ ଘୋର, ରଟିଲା ଅଖ୍ୟାତି

କୋଟିମୁଖେ ଚତୁର୍ଦିଗେ ଭର୍ତ୍ତୃହରିଙ୍କର,

 

ହେଲା ଏଣେ ରାଜକାର୍ଯ୍ୟ ଅତି ବିଶୃଙ୍ଖଳ

ବିକ୍ରମ ଅଭାବେ, ଯଥା ଛିନ୍ନସୂତ୍ର ହାର,

ରାଜା ସତ୍ତ୍ୱେ ହେଲା ରାଜ୍ୟ ଅରାଜକ ପ୍ରାୟ,

ନାନାବିଧ ଅମଙ୍ଗଳ ଘଟିଲା ଆବର-

 

ଉଲ୍‌କାପାତ, ଭୂମିକମ୍ପ ଆଦି, ଦେଖି ଏହା

ହେଲେ ରାଏ ଦିନୁଦିନ ଏକାନ୍ତ ଉନ୍ମନା ।

ଦିନେ କ୍ଷିପ୍ତ ମନେ ଶାନ୍ତକରଣାଭିପ୍ରାୟେ

ଗଲେ ବନେ ମାତବେଶ, ଦେଖିଲେ ସେଠାରେ

 

ରହିଛି ଉନ୍ମୁକ୍ତ ସଦା ପ୍ରକୃତି-ପ୍ରଣୀତ

ଅଯତ୍ନ ଶୋଭାର ଗ୍ରନ୍ଥ, ବିଶାଳ, ଚଟୁଳ,

 

ବୃକ୍ଷେ ବସି ପକ୍ଷିପନ୍ତି, ରତ ଆବୃତ୍ତିରେ

ମୃଦୁସ୍ୱରେ ଜଗତର ଜୀବନ୍ତ କବିତା !

ସୁକଣ୍ଠ- ସେତାର- ତାର ଝଙ୍କାରେ ମଧୁପ

ଉଡ଼ି ଉଡ଼ି, ଫୁଲକୁଳ ନର୍ତ୍ତକୀ ପରାଏ

 

ଆନ୍ଦୋଳି ମୃଦୁଳ ବାତେ ପ୍ରକାଶନ୍ତି ନାନା

ଅଙ୍ଗଭଙ୍ଗୀ, ବିସ୍ତାରିଣ ନୀରବ ସୂହାସ !

ବିଚରନ୍ତି ମୃଗଯୂଥ, ଶୋଭେ କାହା ଶିରେ

ଦୀର୍ଘ ଝଟାଳିଆ ଶୃଙ୍ଗ, କିରୀଟପ୍ରତିମ,

 

ରତ କେହି ଶାବକର ଶରୀର ଲେହନେ

ମଧୁର ବାତ୍ସଲ୍ୟବଶେ, କେହି ଗେଲବଶେ

ଆଚରେ କୃତ୍ରିମ ରଣ ସମକକ୍ଷ ସହ ।

ପକାଇଲେ ହେରି ସର୍ବେ ଭର୍ତ୍ତୃହରି ନୃପେ

 

ଇତସ୍ତତଃ, ଚୋର ଯଥା ପ୍ରହରୀ ଦର୍ଶନେ,

ଚାହିଁ ଥରେ ଥରେ ଗ୍ରୀବା ଭାଙ୍ଗି ପୃଷ୍ଠଦେଶେ

ସାଧ୍ୱସ ଉବ୍ଦେଗବ୍ୟଞ୍ଜୀ କାତର ଚାହାଣୀ ।

କାନନର କେଉଁ ଅଂଶ ହୋଇ ତାରକିତ

 

ଗଜମୁକ୍ତା, ଗଜଶିର, ଗଜାସ୍ଥିକଙ୍କାଳେ,

ଦେଉଛି ଚିହ୍ନାଇ ସ୍ପଷ୍ଟ ନୀରବ ସଙ୍କେତେ

ହୁର୍ଯ୍ୟକ୍ଷପାରିଧିସ୍ଥଳୀ ବୋଲି ସେ ନିଜକୁ ।

ଏରୂପେ ପ୍ରକୃତି- ଗ୍ରନ୍ଥ ପୃଷ୍ଠା ଲେଉଟାଇ

 

କ୍ରମେ କ୍ରମେ, ପଢ଼ି ତାହା ନୟନ- ବଦନେ,

ହେଲେ ଅଗ୍ରସର ରାଏ, ଯାଇ ଏକ ସ୍ଥାନେ

ଦେଖିଲେ ଆଶ୍ଚର୍ଯ୍ୟ ଦୃଶ୍ୟ, ବନ୍ୟନାରୀ ଏକ

ଘେନି ମୃତ ପତି କୋଳେ, ଅଗ୍ନିକୁଣ୍ଡେ ଝାସି

 

ଲଭିଲା ସହମରଣ- ଅମ୍ଳାନ ବଦନେ !

ଅନନ୍ତର ଭର୍ତ୍ତୃହରି ବାହୁଡ଼ି ନବରେ

ବିବରିଲେ ଦୃଷ୍ଟପୂର୍ବ ରମଣୀ-କରଣୀ

ବେନି ପତ୍ନୀ ପାଶେ, କିନ୍ତୁ ଅନଙ୍ଗା ସେ କଥା

 

ଶୁଣି ନ ଶୁଣିଲା ପ୍ରାୟ ରହିଲା ନୀରବ ।

କହିଲା ପିଙ୍ଗଳା ତହୁଁ- ‘‘ସତୀର ଜୀବନ

ନୁହେଁ ସତୀପାଇଁ, ତାହା ପତିପାଇଁ ସିନା,

ଅଛି ଯେଉଁ ରମଣୀର ଏତାଦୃଶ ଜ୍ଞାନ,

 

ସେହି ମାନ୍ୟା, ସେହି ଧନ୍ୟା, ସେହି ନାରୀଦେବୀ,

ତାହାର ସହଗମନ ଧର୍ମ ପ୍ରାକୃତିକ !

ଥିଲେ ଉଭେ ପ୍ରକୃତରେ ପ୍ରେମିକ ପ୍ରେମିକା,

ପ୍ରେମେ ମିଶି ବେନି ପ୍ରାଣ ହୋଇଥିଲା ଏକ,

 

ବାସ୍ତବ ପ୍ରେମର ନାହିଁ ବିଚ୍ଛେଦ ଯନ୍ତ୍ରଣା,

ପ୍ରଦର୍ଶିଲେ ସେଥିରେ ସେ ସଜୀବ ପ୍ରମାଣ ।’’

 

ଆଉ ଦିନେ ନରମଣି ହେଲେ ବେଣ୍ଟ * ବିଜେ,

ସ୍ୱଭାବ ପରୀକ୍ଷା ଅର୍ଥେ ବେନି ବନିତାର

ଏକାକୀ କାନନେ ରହି, ସଙ୍ଗୀ ବେଣ୍ଟକାରେ

କଲେ ଆଜ୍ଞା ଦାନ, ଯାଇ ସମସ୍ତେ ନବରେ

*ପାରିଧି

 

କରିବ ଘୋଷଣା- ‘‘ରାଜା ବ୍ୟାଘ୍ରଦ୍ୱାରା ହତ !’’

ଶୁଦ୍ଧାନ୍ତେ ଦେହୁଳୀ ଧରି ହୋଇଥିଲା ଠିଆ

ପିଙ୍ଗଳା, ଏକାଳେ ଦୂତ କରନ୍ତେ ପ୍ରକାଶ

ରାଜବଧ ବାର୍ତ୍ତା, ସତୀ ହୋଇଗଲା ଭେକା-

 

ଆକସ୍ମିକ ମହାଶୋକ- ଅସହ୍ୟ ଆବେଗେ,

ଥିଲା ଯେଉଁ ଅବସ୍ଥାରେ, ରହିଲା ସେପରି,

ମାତ୍ର ପ୍ରାଣବାୟୁ ଗଲା ଚକ୍ଷଣେ ବାହାରି !

ମେଢ଼େ ବିସର୍ଜନପ୍ରାପ୍ତ ପ୍ରତିମା ସଦୃଶ

 

ରହିଲା ଜୀବିତ ପ୍ରାୟ ଉଭା ତାର ଶବ !

ଅନଙ୍ଗା ଏ ବାର୍ତ୍ତା ଶୁଣି ବାହେଁ କଲା ଦୁଃଖ,

ଅନ୍ତରେ ଅନ୍ତରେ ମାତ୍ର ଲଭିଲା ଯେ ମୋଦ,

ଅନିର୍ବଚନୀୟ ତାହା, ଆସେ ଯଦି ଫେରି

 

ମୃତପିଣ୍ଡେ ପୂର୍ବ ପ୍ରାଣ ପୁଣି, ମରଣର

ବହୁଦିନ ପରେ, ତେବେ ହେବ ନାହିଁ କେହି

ତଥା ଆନନ୍ଦିତ, ଦୁଷ୍ଟା କେତେ ଯେ ଦେଖିଲା

ଜାଗ୍ରତ ଦୁରାଶା ସ୍ୱପ୍ନ, କେତେ ଯେ ତୋଳିଲା

 

ଭାବି- ଭାଗ୍ୟ-ଅଟ୍ଟାଳିକା, ବନ୍ଧାଇଲା ତହିଁ

କଳ୍ପିତ ସୁଖର ସ୍ୱର୍ଣ୍ଣ ସୁଗମ୍ୟ ସୋପାନେ,

ଭାଷା, ଭାବ, କଳ୍ପନା ତା ପ୍ରକାଶେ ଅକ୍ଷମ !

ସ୍ୱଗଗେ ଭାଳିଲା ଭ୍ରଷ୍ଟା- ‘‘କେଡ଼େ ଶୁଭଦିନ

 

ଆଜି, ଜଣାଇଲା ଦୂତ କି ଶୁଭ ସମ୍ବାଦ,

ପୂର୍ବରୁ ବିକ୍ରମାଦିତ୍ୟେ ଦେଇଛି ଘଉଡ଼ି,

ଜୀର୍ଣ୍ଣ ହେଲେ ରାଜା ବନେ ଶାର୍ଦ୍ଦୁଳ ଜଠରେ,

ଥିଲା ସଉତୁଣୀ ଏକ ପ୍ରାଣ- ଭଗାରୁଣୀ

 

ମୃତ ସେହୁ, ନିଷଣ୍ଟକେ ଏବେ ରାଜା ହେବ

ଉପପତି ମୋର, ସୁଖେ ରହିବି ନିର୍ଭୟେ ।’’

ଏକାଳେ ମିଳନ୍ତେ ଆସି ରାଜା ଭର୍ତ୍ତୃହରି

ଭଟା ପଡ଼ିଗଲା ଦୁଷ୍ଟ କଳ୍ପନା-ଜୁଆରେ,

 

ଦୁରାକାଙ୍କ୍ଷା-ଶୈଳ ତାର ଅକାଳ କୁଳିଶେ

ଗଲା ତିଳ ତିଳ ହୋଇ, କେଡ଼େ ବେଗେ ହାୟ !

କି ବଲା ବିଧାତା, ଗୁଞ୍ଜି ଦେଇ ହାତେ ମଣି,

ବାନ୍ଧୁ ବାନ୍ଧୁ ପଣତରେ ନେଲା ତା ଛଡ଼ାଇ !

 

ବଡ଼ ହଟିଆ ସେ, ନାହିଁ ବିଶ୍ୱାସ ତାହାକୁ,

ଭଣ୍ଡାଏ ସେ ସୁଖ ବୋଲି ଅର୍ପି ଅନୁତାପ ।

ଦୁରାଶା- ପାଦପେ ସିନା ଫଳେ ଏହିପରି

ଶୂନ୍ୟଫଳ, ନିୟତିର ମହାନିୟମରେ ।

 

ଅନଙ୍ଗା ରାଜାଙ୍କୁ ଦେଖି ପାର୍ଶ୍ୱେ ଉପସ୍ଥିତ,

ବିସ୍ତାର କପଟ ଶୋକେ କପଟ କାନ୍ଦଣା

ବୋଇଲା, ‘‘ହେ ନାଥ, ବଡ଼ ସୌଭାଗ୍ୟ ଦାସୀର,

ଦେଖିଲା ଯା ଚିରପ୍ରିୟ ସୌମ୍ୟମୂର୍ତ୍ତି ତବ,

 

ଶୁଣି ତବ ଶୋକାବହ ନିଧନ ସମ୍ବାଦ

ଯାଉଥିଲି ଏହି ମାତ୍ର ତେଜିବାକୁ ପ୍ରାଣ

ଅଗ୍ନିକୁଣ୍ଡେ ପଶି, ଦୈବେ ଦେଖାଇ ଶ୍ରୀମୁଖ !

ହୋଇଥିଲେ କ୍ଷଣମାତ୍ର ବିଳମ୍ବ ତୁମ୍ଭର,

 

ନ ଘଟନ୍ତା ଭାଗ୍ୟେ ଆଉ ଛାମୁଙ୍କ ଦର୍ଶନ,

କଟିଗଲା କେଡ଼େ ରିଷ୍ଟ ପୂର୍ବ ସୂକୃତିରୁ,

ନ ହେଉ ଶତ୍ରୁକୁ ସୁଦ୍ଧା ଏଭଳି ବିପାକ !’’

ଶୁଣି ଏହା ଭୃର୍ତ୍ତୃହରି ମଣି ପ୍ରବଞ୍ଚନା

 

ରହିଲେ ନୀରବ, ମାତ୍ର ସତୀଶିରୋମଣି

ପିଙ୍ଗଳା ମରଣେ ହେଲେ ଦୁଃଖିତ ବିଶେଷ ।

ବସି ରାଏ ସଭା ମଧ୍ୟେ ଅନନ୍ତର ଦିନେ

ପଣ୍ଡିତମଣ୍ଡଳୀ ସହୁ ରତ କାବ୍ୟାଳାପେ,

 

ଲାଗିଅଛି ପରସ୍ପର କଥା କଟାକଟି

ଯୁକ୍ତି ପ୍ରତିଯୁକ୍ତିବଳେ, ପ୍ରଦର୍ଶାଇ କେହୁ

ବିବିଧ ଦୁଷ୍ଟାନ୍ତ ଶ୍ଲୋକ ବିବିଧ ଶାସ୍ତ୍ରରୁ

କରୁଅଛି ସ୍ୱମତର ଦୃଢ଼ ପୋଷକତା,

 

ଅର୍ଥାନ୍ତରେ ଅନ୍ୟ ତାହା କରୁଛି ଖଣ୍ଡନ,

ଏହିପରି ଲାଗିଅଛି ଘୋର ବାକ୍ୟ-ରଣ,

କଳି ତୁଲ୍ୟ କୋଳାହଳେ ମୁଖରିତ ସଭା ।

କେଡ଼େ ମଧୁର ସେ କଳି, ସ୍ୱପ୍ନ-ସୁଧାବୋଳା,

 

ନାହିଁ ତହିଁ କ୍ରୋଧ-ପ୍ରେତ ବିଭୀଷଣ ଛାୟା,

ପ୍ରତ୍ୟୁତ ସେ ଆମୋଦର ଅମର ଭଣ୍ଡାର,

ସତ୍‌ସାହିତ୍ୟଚର୍ଚ୍ଚା ତାର ପ୍ରଚ୍ଛନ୍ନ ଜୀବନ ।

କୋବିଦ କୋବିତ ମଧ୍ୟେ ଘଟୁଅଛି କେତେ

 

ମତଭେଦ, ମାତ୍ର ତାହା ହେଉ ନାହିଁ କେବେ

ମତଭେଦେ ପରିଣତ, ଇଚ୍ଛେ ନାହିଁ ସିନା

ଭ୍ରାନ୍ତ ମତ ସଂଶୋଧନେ ଅଜ୍ଞ ଆତ୍ମଶ୍ଲାଘୀ,

ପଣ୍ଡିତ ପ୍ରକୃତି କିନ୍ତୁ ସମ୍ପୂର୍ଣ୍ଣ ବ୍ୟତ୍ୟୟ,

 

ମଣନ୍ତି ସେ ମହାଶିକ୍ଷା ଭ୍ରମ ସଂଶୋଧନେ,

ସ୍ୱଭାବତଃ ଛାଗ ଭୀତ ସରସୀ ପ୍ରବେଶେ,

ମାତ୍ର ତହିଁ ସ୍ନାନ ରାଜ ଲଭେ ପରିତୋଷ !

ଲାଗିଛି ସମାଲୋଚନା ଭର୍ତ୍ତୃହରିକୃତ

 

ନବ କାବ୍ୟବିଶେଷର, ଧରୁଅଛି କେହି

ଉପମାର ଅପୂର୍ଣ୍ଣତା, ଯତିପାତ ଦୋଷ,

ଶ୍ରୂତିକଠୋରତା ଆଦି ଅଧମ ମେଳର,

ନ ମଣି ଧର୍ତ୍ତବ୍ୟ ତାହା କେବଣ ବିଦୂଷ,

 

ବିମୋହିତ କବିତାର ପ୍ରାଣସ୍ପର୍ଶୀ ଭାବେ ।

ଏସନ ବାଦାନୁବାଦ ଲାଗିଛି ସଭାରେ,

ଚାଲିଛି ଅପରିଚ୍ଛିନ୍ନ ବାକ୍ୟର ପ୍ରବାହ,

ଉପସ୍ଥିତ ଏହି କାଳେ ତପଶ୍ଚାରୀ ଏକ,

 

ସ୍ମାଧ୍ୟାୟ- ନିରତ, ନାଚେ ବଦନମଣ୍ଡଳେ

ବେରାଗ୍ୟ, ସଂଯମ, ତ୍ୟାଗ, ଶାନ୍ତି, ସଂତୃପ୍ତିର

ସୁଧାସ୍ନିଗ୍ଧ ସମୁଜ୍ଜଳ ସ୍ୱପନ-ଚନ୍ଦ୍ରିକା !

ପୂର୍ଣ୍ଣ ଭାଗବତ ପ୍ରେମେ, ମାତ୍ର ଶୂନ୍ୟାୟିତ

 

କାମନା ସମ୍ପର୍କେ, ଯଥା ଭୋଳା ମହେଶ୍ୱର,

ଜିତ-ସ୍ୱର୍ଣ୍ଣ-ସର୍ପ-ଶୋଭା ପିଶଙ୍ଗିତ ଜଟା,*

ଅଯତ୍ନଭୂଷଣ ପ୍ରାୟ ଲମ୍ବିତ ଉରସେ,

ବକ୍କଳକୌପୀନଧାରୀ, ହସ୍ତେ ଆଶାବାଡ଼ି

*ପିତଳିଆ ବର୍ଣ୍ଣଯୁକ୍ତ ଜଟା

 

ଶୋଭେ ଭବ-ନିରାଶର ନିଦର୍ଶନରୂପେ ।

ପ୍ରଣମନ୍ତେ ଭର୍ତ୍ତୃହରି, ଆଶିଷି ତାପସ,

ଭେଟିରୂପେ ଦିବ୍ୟଫଳ ପ୍ରଦାନି ଛାମୁରେ

ଭାଷିଲେ କୋମଳେ, ‘‘ନୃପ, ପ୍ରକୃତି- ରଞ୍ଜନ,

 

ତପୋଲବ୍ଧ ଫଳ ଏହା, ଭୁଞ୍ଜିଲେ ଏ ଫଳ

ତ୍ରାହି ମିଳେ ଜରା ମୃତ୍ୟୁ ବିପଦ କବଳୁ ।

ତପସ୍ୱୀ ମୁଁ, ସଦା ମୃତ୍ୟୁ-କରୁଣା ଭିଖାରୀ,

କି ଲୋଡ଼ା ଚିରାୟୁ ମୋର ? ମୋ ପକ୍ଷେ ତା’ ଶାପ,

 

ବନ୍ଧା ଯା’ ଜୀବନ-ସୂତ୍ରେ ଜଗତଜୀବନ,

ବାଞ୍ଛନୀୟ ସିନା ଚିରଜୀବନ ତାହାର !’’

 

ସସମ୍ନାନେ ଭର୍ତ୍ତୃହରି ପରିଗ୍ରହି ଫଳ

ପ୍ରକାଶିଲେ କୃତଜ୍ଞତା କୃତାଞ୍ଜଳିପୁଟେ-

ବିନୟ-ସୌଜନ୍ୟସିକ୍ତ ଶୀତଳ ବଚନେ,

ସନ୍ନ୍ୟାସୀ ମେଲାଣି ମାଗି ହେଲେ ଅନ୍ତର୍ହିତ ।

ବାସର-ଯୌବନେ ରବି ଦେଲେ ମୁକୁଳାଇ

ପ୍ରଭାଭଣ୍ଡାରର ଦରମୁକୁଳା କବାଟ

ଏକାବେଳେ, ଏଣେ ନୃପ ହୃଦୟ- ଅମ୍ବରେ

ଆନନ୍ଦ-ମଧ୍ୟାହ୍ନ-ରବି କଲାକ ବିସ୍ତାର

ଅନନ୍ତ ମୟୂଖମାଳା ଅନନ୍ତ ଆବେଗେ ।

ତହୁଁ ରାଏ ସଭା ଭାଙ୍ଗି ବିଜେ ହୋଇ ଖରେ

ଅନ୍ତଃପୁରେ ଦେଲେ ଫଳ ଅନଙ୍ଗା ହସ୍ତରେ,

ଆଗରୁ ତ ଆତ୍ମଦାନ କରିଥିଲେ ତାକୁ,

ଏହି ପ୍ରାଣ-ଫଳ ହେଲା ତା’ ଯୋଗ୍ୟ ଦକ୍ଷିଣା ।

ଅଜର ଅମର ଫଳ ଲଭି ସେ ଦୁଃଶୀଳା

ମଣିଲା ଦରିଦ୍ର ଜନ ହୁଣ୍ଡିପ୍ରାପ୍ତି ଭଳି,

ଭାବିଲା ଏ ଫଳ ନୁହେଁ, ଅଯାଚିତ ବର

 

ଅମୂଲ୍ୟ, ଅମୃତମୟ ଅସ୍ୱପ୍ନ-ସୁଲଭ,

ଯୋଗ୍ୟ ଉପହାର ଏହା ମୋ ପ୍ରିୟତମର ।

ଅର୍ପି ଏହା କରିବି ତା’ ତୃପ୍ତି ଆକର୍ଷଣ,

ତାହା ତୃପ୍ତି ମୋ ପକ୍ଷରେ ଅମରତା ଏକା,

 

ନତୁ ମୁଁ ଅମର ହେଲେ କେଉଁ ସୁଖ ଭଲା ?

ଯେହୁ ମୋର ଚିତ୍ତଚୋର, ଅର୍ପିଛି ଯା ପାଦେ

ପ୍ରାଣ, କୁଳମାନ ସହ ଜଳାଞ୍ଜଳିରୁପେ,

ଏ ଫଳେ ତାହାକୁ କଲେ ଜରାମୃତ୍ୟୁଞ୍ଜୟ,

 

ଭୁଞ୍ଜିବି ମୁଁ ତାହା ସୁଖେ ସୁଖ ନିରଙ୍କୁଶ,

ସେହି ମୋର ସୁଖ-ଉତ୍ସ, ସୁଖର ତ୍ରିଦିବ

ତାହାର ପ୍ରଣୟ ମୋର ଆନନ୍ଦ ଅମୃତ,-

ଜଗମୃତ୍ୟୁନିବାରକ ଅମୋଘ ଔଷଧ !

 

ଏହାଭାଳି, ହୋଇ ଦୁଷ୍ଟା ଅତୀବ ଉଷତ

ଦେଲା ନେଇ ସେହି ଫଳ ଏକ କ୍ରୀତଦାସେ

ଥିଲା ଯେଣୁ ବହୁକାଳୁ ତାହା ସହିତରେ

ବନ୍ଧା ସେ ଚୋରା ପ୍ରଣୟେ । ସେ କ୍ରୀତ-କିଙ୍କର

 

ଆଜୀବନ ବିକା ଏକ ବାରାଙ୍ଗନା ପଦେ,

ପାଇ ପ୍ରାଣ-ଫଳ ତାକୁ ଅର୍ପିଲା ସରାଗେ ।

ସେ ବେଶ୍ୟା ତାହାକୁ ନେଇ ଭେଟି ଦେଲା ନୃପେ

ସନ୍ନ୍ୟାସି-ପ୍ରଦତ୍ତ ଫଳେ ଚିହ୍ନିପାରି ରାଏ,

 

ଗଣିଲେ ସନ୍ଦେହ, ତହୁଁ ପୁଚ୍ଛନ୍ତେ ତାହାକୁ

ଫଳପ୍ରାପ୍ତି ସମାଚାର, ଭଣିଲା ଗଣିକା,

ଲଭିଛି ସେ ତାହା ତାର ପ୍ରିୟ ଉପପତି

ରାଜଭୃତ୍ୟଠାରୁ । ଭୂପ ହୁକାରି ଭୃତ୍ୟକୁ

 

ପଚାରିଲେ, ‘‘କହ କାହୁଁ ପାଇଲୁ ଏ ଫଳ ?’’

ଭୟେ ଭୃତ୍ୟ କମ୍ପି କମ୍ପି କହିଲା- ‘‘ମଣିମା,

ହେଉ ଦାସେ ଦୟା କ୍ଷମା ଅଭୟ ଆଦେଶ,

କହୁଅଛି ସତ୍ୟ, ଦେଲେ ଅନଙ୍ଗା ସେବକେ ।’’

 

ଶୁଣି ଏହା ଭର୍ତ୍ତୃହୁରି ହେଲେ ସ୍ତମ୍ଭୀଭୂତ,

ପଡ଼ିଲା ଆକାଶ ଭାଙ୍ଗି କିବା ମସ୍ତକରେ,

ହେଲା ନେତ୍ର ଅପଲକ, ବସ୍ମୟେ ପାଣ୍ଡୁର,

କଳଙ୍କ-ନରକ ଚିତ୍ର ଉନ୍ମୁକ୍ତ ସମ୍ମୁଖେ ।

 

ଅନଙ୍ଗାର କୂଟ-ପ୍ରୀତି-ଉଫଣା-ଫଣିନୀ

ଦଂଶିଲା ସହସ୍ର ମୁଖେ ମମେ ମହୁର୍ମହୁଃ,

ଘାରିଲା ସେ ବିଷ ହୃଦେ, ମାତ୍ର ନ ଆଣିଲା

ମୂର୍ଚ୍ଛା, କେ କହିବ କିପା ? ଘଟିଥିଲେ ତାହା,

 

ହୋଇଥାନ୍ତା କ୍ଷଣେ ହେଲେ ଯାତନା ବିସ୍ମୃତ !

କି ଅମୃତ ସୁଖସ୍ପର୍ଶ ଦୁଃଖୀ ପକ୍ଷେ ଆହା

ମୂର୍ଚ୍ଛା, ତା କୋମଳ କୋଳେ ପାସୋରେ ମାନବ

ପଲକେ ଅନନ୍ତ ତାପ ଅନନ୍ତ ବେଦନା,

 

ସ୍ୱପ୍ନ-ସ୍ୱର୍ଣ୍ଣ-ସ୍ୱର୍ଗ ତାହା ତାପିତ ପକ୍ଷରେ !

ତେଜି ରାଏ ଦୀର୍ଘାଶ୍ୱାସ-ଅନୁତାପସୁଚୀ,

ବିଜେ କଲେ ଏକୁଟିଆ ନିର୍ଜନ ମନ୍ଦିରେ ।

ଘୃଣା-ବାତ୍ୟାବର୍ତ୍ତେ ଜାଗି ଅପମାନ-ବୀଚି,

 

ଗଭୀର ବିକଟ ରୁଦ୍ର ଗର୍ଜନ ଉଠାଇ,

ଉଦ୍‌ବେଳିଲା ଘନ ଘନ ହୃଦୟ-ସାଗରେ ।

ରୋଧି ତାର ମହାବେଗ ଧୈର୍ଯ୍ୟେ ନରନାହା,

ଭାଳିଲେ ଏସନ- ‘‘ହାୟ ! କି ଦୁର୍ଭାଗ୍ୟ ମୁହିଁ

 

ସ୍ୱଭାବ-ସୌଭାଗ୍ୟଶାଳୀ ରାଜକୁଳେ, ବୁଡ଼ି

ଦୁଷ୍ଟ ପ୍ରେମ ପାରାବାରେ ସଂଗ୍ରହିଲି ସିନା

ରତ୍ନ ବୋଲି ଶୁକ୍ତି, ସେହି ତୁଚ୍ଛ କୁଭୂଷଣ

ଅଖ୍ୟାତି ପଦକ ରୂପେ ବହିବି ବକ୍ଷରେ,

ଏହା ମୋ ଅର୍ଜିବା ଫଳ, କେ ଭୁଞ୍ଜିବ ଆଉ

ମୋହ ବିନା ? କାଳକୂଟ ଉତ୍ପାଦି ସାଗରୁ,

ହେଲା ଶେଷେ ଶିବଙ୍କୁ ତା କରିବାକୁ ପାନ !

ଧିକ୍ ଶତ ଧିକ୍ ମୋତେ, ମଣିଲି ଯା ମୋହେ

ଉଚ୍ଛିଷ୍ଟାନ୍ନେ ଇଷ୍ଟଦେବ ନିର୍ମାଲ୍ୟ ସମାନ !

ମଣୁଥିଲି ଯାହାକୁ ମୁ ପୂତ ନାମାବଳୀ *

ଛି ଛି ସେ ତ କଦାଚାର କନ୍ଥା, ମଣୁଥିଲି

ପ୍ରଶସ୍ତି ଯାହାକୁ, ସେ ତ ସୁତୀବ୍ର ଭର୍ତ୍ସନା !

*ନାମମନ୍ତ୍ରଲିଖିତ ଉତ୍ତରୀୟ ।

କେତେ ସ୍ନେହ କେତେ ଯତ୍ନେ ହୃଦ-ଉପବନେ

ରୋପିଥିଲି କୁଞ୍ଜଲତା- ନିକୁଞ୍ଜ ସୁନ୍ଦରୀ,

ମାତ୍ର ସେ ଯେ ଶତାବରୀ କଣ୍ଟକଦନ୍ତୁରା,

ଜାଣିବି କେମନ୍ତେ ଏହା, ମୁହିଁ ମୂଢ଼ମତି,

 

କାମିନୀ- କୁହୁକେ ଅନ୍ଧ, କାମିନୀ କିଙ୍କର,

ଆଘ୍ରାଣିଲି ହେଙ୍ଗୁ ସିନା ମୃଗନାଭି ଜ୍ଞାନେ !

କି ପ୍ରଭେଦ ମହାକାଳ * ସୁରଙ୍ଗ ରସାଳେ,

କି ପ୍ରଭେଦ ଅପଭାଷା ପବିତ୍ର ସଂସ୍ଳୁତେ,

*ଫଳବିଶେଷ ।

କି ପ୍ରଭେଦ ଅବା ତୀର୍ଥ, ବାରବାମାଳୟେ,

ନ ପାରିଲି ବାରି ହାୟ, ଦୁର୍ବଳ ବୁଦ୍ଧିରେ !

ବସାଇଲା ଦୁଶ୍ଚାରିଣୀ ହଟହଟା-ହାଟ,

ଲଜ୍ଜା, ଭୟ ନାରୀଧର୍ମେ ଅର୍ପି ଶିରଶ୍ଛେଦ

ଶାସ୍ତି, କେଡ଼େ ଦୁଃସାହସ ଅହୋ ଦୁଃଶୀଳାର,

ବୁଡ଼ି ଆପେ ପାପୀୟୁସୀ କଳଙ୍କ-ନିରୟେ,

ବୁଡ଼ାଇଲା ମୋତେ, ମୋର ସୂପାବନ କୁଳେ,

ଯଥା ନିଶୀଥିନୀ ବୋଳି ହୋଇ ଦେହେ କାଳି,

ବୋଳେ ସେହି କାଳି ପୁଣି ପ୍ରକୃତି ବଦନେ !

ଯେ ଅଖ୍ୟାତି-ଅଟ୍ଟାଳିକା ତୋଳିଲା ପାମରୀ,

ନ ଭାଙ୍ଗିବ ସହଜେ ତା, ବହୁକାଳଯାଏ

ବହିଯିବ କାଳସ୍ରୋତ ଜୁହାରି ତା ପଦେ,

 

ମାତ୍ର ତହୁଁ ନ ପାରିବ ଖସାଇ ଇଷ୍ଟକ

ଖଣ୍ଡେ । ଯେହୁ ରାଜରାଣୀଳ ରମଣୀ ଆଦର୍ଶ,

ପ୍ରକୃତିପୁଞ୍ଜର ମାତା, ନାରୀରୂପା ଦେବୀ

ତାହାର ଏ ଅକରଣୀ-ଏ ନୀଚ ଆଶ୍ରୟ

 

ଶୁଣି ନ ମଣିବ କିଏ କର୍ଣ୍ଣେ କଳୁଷିତ ?

ଏ ଭଳି ନଷ୍ଟା କି ପୁଣି ଲଭନ୍ତି ଜନମ

ସାଧାରଣ ଶିକ୍ଷୟତ୍ରୀ ରାଜରାଣୀକୁଳେ ?

ବାହାରେ ଅଙ୍ଗାର କିମ୍ପା ହୀରକ ଆକରୁ,

 

କେବା କ୍ଷମ ଭେଦନେ ଏ ପ୍ରକୃତିରହସ୍ୟ !

ନିହିଛନ୍ତି ମାଧୁରୀ ଯେ କ୍ଷୁଦ୍ର ଇକ୍ଷୁଦଣ୍ଡେ,

ସେ ବିଧି ତ ରଖିଛନ୍ତି ସୁଗନ୍ଧି ଚନ୍ଦନେ

ତିକ୍ତତା, ପକ୍ଷାନ୍ତେ ଯେଉଁ ହିମାଳୟ ଶୈଳ

 

ପ୍ରସବେ ଅମରୌଷଧି, ସେହି ତ ପ୍ରସବେ

ବିଷବଲ୍ଲୀ, ବିଧିର ଏ ବିଚିତ୍ର ବିଧାନ !

ଯେସନ ଛଡ଼ାଇନିଏ ପ୍ରକୃତି ମସ୍ତକୁ

ସୁଷମା-କିରୀଟ ଗ୍ରୀଷ୍ମୁ, ଅନଙ୍ଗା ତେସନ

 

ମୋର ଚିର ଖ୍ୟାତି-ଚୂଡ଼ା ନେଲାକ ଛଡ଼ାଇ,

ଧିକ୍ ମୁହିଁ ନିର୍ବିବେକ, ହୀନ ସହବାସେ

ହେଲି ହୀନଚର, ମାତ୍ର ଉଚ୍ଚ ସଂସର୍ଗରେ

ଧରି ତ ପାରିଲି ନାହିଁ ଉଚ୍ଚଦର୍ଶ ତିଳେ !

 

ଚେତାଇଲା ବାରମ୍ବାର ମୋତେ ମୋ ଅନୁଜ

ଧାର୍ମିକ ବିକ୍ରମାଦିତ୍ୟ ଅମାତ୍ୟପ୍ରବର,

ତାହା ସଂସର୍ଗରେ ସୁଦ୍ଧା ନ ଘୁଞ୍ଚିଲା ମୋର

ଜଘନ୍ୟ ସ୍ତ୍ରୈଣତା ଦୋଷ- ଜୀବନ୍ତ କୁଗ୍ରହ,

 

ସ୍ୱାତୀଯୁକ୍ତ * ବୃଷ୍ଟିବିନ୍ଦୁ ପରଶେ ଶୁକ୍ତିକା

ଧରେ ମୋତି ଗର୍ଭେ, ଏହି ନିସଗ ନିୟମ

ହେଲା ଏ ଦୁର୍ଭାଗ୍ୟ ଭାଗ୍ୟ ନିରର୍ଥ ପ୍ରବାଦ;

ଅବହେଳି ସାଧୁ ବାକ୍ୟ, ସେହି ମହାପାପେ

*ସ୍ୱାତୀ ନକ୍ଷତ୍ରରେ ବୃଷ୍ଟିଜଳ ପାନ କଲେ ଶକ୍ତି ମୂକ୍ତା ଧାରଣ କରେ ବୋଲି ପ୍ରବାଦ ଅଛି ।

 

ଭୁଞ୍ଜୁଛି ମୁଁ ଅଭାଜନ ଏହି ମନସ୍ତାପ !

ନ ପାରିଲି କଳି ଜଣେ ସାମାନ୍ୟ ନାରୀର

 

କୁଟିଳ ହୃଦୟ, ଭଲା କେମନ୍ତେ ବା ତେବେ

କଳିବି ଅନନ୍ତ ଏହି ପ୍ରକୃତିପୂଞ୍ଜର

ଅନନ୍ତ ମାନସ, ହାୟ, ରାଜୋପାଧି ସିନା

ମୋହୋ ପକ୍ଷେ ବିଧାତାର ଅପାତ୍ରରେ ଦାନ !

ନୁହେଁ ମୁଁ ତହିଁକି ଯୋଗ୍ୟ, ଏ ଭାଗ୍ୟବନ୍ଧନ

ଛିଣ୍ଡାଇବି ବଳେ ଆଜି, ହେବ ଆଜ ଦିନ

ମୋର ଭୋଗ- ଜୀବନର ଅନ୍ତିମ ଦିବସ ।

କରୁଛି ସତର୍କ ମୋତେ ଭ୍ରୂକୁଟୀ ସଙ୍କେତେ

ଉଚ୍ଚକଣ୍ଠେ ଭବିଷ୍ୟତ, ଆଜି ଏ ଘଟନା

ଫିଟାଇଲା ମୋ ହୃଦୟ-ମୋହ ଯବନିକା,

ଫିଟାଏ ଯେସନ ଉଷା, କମଳରୂପିଣୀ

କମଳ-ପାଟକ-କରେ ପ୍ରାଚୀ ଆବରଣ

କଜ୍ଜ୍ୱଳ କାଳିମାମୟ, ପୁଣ୍ୟ ପ୍ରାତଃକାଳେ ।

ପିଙ୍ଗଳାର ହତାଦର ଅଭିଶାପରୂପେ

ଫଳିଲା ମୋ ଭାଗ୍ୟ ଏବେ । ପିଙ୍ଗଳେ, ତୁ ସତୀ

ପ୍ରକୃତ ସହଧର୍ମିଣୀ, ଶୁଣି ମୋ ମରଣ

 

ତେଜିଲୁ ଜୀବନ, ଦେବି, ଚରିତ୍ର ତୋହର

ବିଶୁଦ୍ଧ ଉଜ୍ଜ୍ୱଳ, ଯଥା ଅନଳମାର୍ଜିତ

 

କୁନ୍ଦନ, ଅଥବା ଧର୍ମ-ଶାଣିତ ପ୍ରତିଭା,

କାହୁଁ ବା ଚିହ୍ନିବି ତୋତେ ଅପଦାର୍ଥ ମୁହିଁ !

ଦୁର୍ଲ୍ଲଭ ସୁଲଭ ହେଲେ, ହୁଏ ହତାଦର,

ଏହା ପ୍ରପଞ୍ଚର ଧାରା, ତୋହରି ଅଭାବ

 

ବୁଝାଉଛି ଏବେ ମୋତେ ମହାମୂଲ୍ୟ ତୋର !

ପବିତ୍ର ଦାମ୍ପତ୍ୟ ପ୍ରୀତି ଅମିଶ୍ର ଗୋକ୍ଷୀର,

ତାହା ପ୍ରାପ୍ୟ ତୋର, ମାତ୍ର କରି ତାକୁ ମୁହିଁ

ପାଶବିକ କାମୁକତା-ଲବଣେ ବିକୃତ,

 

ଦେଇଥିଲି ଅଜାତି ତା’ ଅନଙ୍ଗା-ପାତ୍ରରେ !

ସ୍ୱାହାଭୋଗ୍ୟ ଯଜ୍ଞହବି ଅର୍ପିଲି ଶୁନୀକୁ; *

ଏହି ଅନୁତପାନଳେ ଦବୁ ଆଜୀବନ

ଢାଳୁଥିବି ବସି ତୋର ସ୍ମୃତିରେ ଶୋକାଶ୍ରୁ !

*କୁକୁରୀ ।

 

ପଦେ ଦଳି ସୁଶୀତଳ ମୃଣାଳଲତିକା,

ଜଡ଼ାଇଲି ବିଛୁଆତି ଅଙ୍ଗେ, ମୋତି ତେଜି

ଖେଳୁଥିଲି ପୂତି * ଘେନି, ଉପେକ୍ଷି ମୋଦକେ

ଗିଳିଲି ଗରଳଗୋଳା-ପ୍ରାଣସଂଘାତିକା !

*ପଥରମାଳା ।

 

ଅବସାନ ଏତେ କାଳେ ଏ ସତୀଦ୍ରୋହୀର

ଜୀବନ କଳ୍ପନା-ସ୍ୱପ୍ନ, ବୀଭତ୍ସ ବିକଟ,

ମାତ୍ର ନୁହେଁ ଅବସାନ ଜୀବନ-ଶର୍ବରୀ !

ଚାରିତ୍ର୍ୟ-ଚନ୍ଦିକେ, ଦେବି, ଯେତିକି ତୋ ପ୍ରତି

 

ହେଉଥିଲି ମୁଁ ନିର୍ମମ, ତେତିକି ତୁ ସତି,

ଢାଳୁଥିଲୁ ମୋହୋ ପଦେ ଭକ୍ତି-ସୁଧା-ଧାରା,

ସର୍ବଂସହା ଯଥା ଲଭେ ଯେତେ କୋଡ଼ାପଡ଼ା

କୃଷୀବଳ ହୁସ୍ତେ, ତୋଷେ ତତୋଽଧିକ ତାକୁ

 

ଦେଇ ଶସ୍ୟ ମଣିରତ୍ନ-ଉପସଂସ୍କରଣ !

ନାଚୁଛନ୍ତି ନେତ୍ର ଅଗ୍ରେ ବହୁମୂର୍ତ୍ତି ଧରି

 

ବିବିଧ ସଦ୍‌ଗୁଣ ତୋର, ପ୍ରଦର୍ଶେ ଦର୍ପଣ

ଏକ ପ୍ରତିବିମ୍ବ, ମାତ୍ର ହେଲେ ଚୂର୍ଣ୍ଣୀଭୂତ

ସେ ଦର୍ପଣ, ଧରେ ତେବେ ଶତ ପ୍ରତିଚ୍ଛବି !

ପୁଣ୍ୟଶୀଳେ, ହେଲି ସିନା ହାୟ ମୁହିଁ ତୋର

ମୃତ୍ୟୁହେତୁ, ଆତ୍ମକୃତ ସେ ମହାପାପର

ଯୋଗ୍ୟ ପ୍ରାୟଶ୍ଚିତ୍ତ ନିଶ୍ଚେ ଆତ୍ମବଳିଦାନ,

ଅତଏବ ବନେ ଯାଇ ତପସ୍ୟା ଆଚରି,

ତେଜି ପାପତନୁ ହେବି ଏ ପାପୁଁ ନିଷ୍କୃତ !

ଅହୋ, କି ଅଚିନ୍ତନୀୟ ଅରଣ୍ୟମହିମା,

ତାହା ପୁଣ୍ୟମୟ ଦେଶ, ନ ପଡ଼େ ତହିଁରେ

ପାର୍ଥିବ କୌଟିଲ୍ୟ ଛାୟା, ରୁଦ୍ର, ମାରାତ୍ମକ,

କିମ୍ବା ସେ ବିଷାକ୍ତ ନୁହେଁ ପ୍ରତାରଣା-ବିଷେ,

ଅବିଶ୍ୱାସ- ପାଦପର ସୁଖ-ବୃନ୍ତେ ତହିଁ

ଫୁଟେ ନାହିଁ ସ୍ୱାର୍ଥ-ଫୁଲ-ପୂତିଗନ୍ଧମୟ,

 

ଶମିବି ସେଠାରେ ଯାଇ ବୁର୍ବିଷହ ଜ୍ୱାଳା !

ନିଖିଳ ପୂରାଣପ୍ରସୂ ଯେଉଁ ଅରଣ୍ୟାନୀ

 

ଯହିଁ ବ୍ୟାସ ବାଲମୀକି ଆଦି ମହର୍ଷିଏ

(ଭାରତ-ଭାରତୀ-ଖଣ୍ଡି ଦୀପ୍ତୀ ମହାମଣି,

 

ଭାରତ-ଦେବାଳୟର ଅନିର୍ବାଣ ଦୀପ)

ଲଭିଛନ୍ତି ଅମରତା, ଆବର ଯା କୋଳ

ମୁମୁକ୍ଷୁ ଚରମାଶ୍ରୟ, ଜୀବାତ୍ମା ଯା ଯୋଗେ

ଲଭେ ପରମାତ୍ମା-ପଦ-ପବିତ୍ର-ସନ୍ନିଧି;

 

ମାନବ ସଭ୍ୟତାର ଯେ ଆଦି ଜନ୍ମଭୂମି,

ସଦା ସୂପ୍ତା ଶାନ୍ତିଦେବୀ ଯା ପାବନ କ୍ରୋଡ଼େ

ପ୍ରୀତିଦେବୀ ସହ, ସେହି ଅରଣ୍ୟ ବ୍ୟତୀତ

ସାଧନାର ସ୍ୱର୍ଗଧାମ କାହିଁ’ଛି ମହୀରେ ?

 

କ୍ଷିପ୍ତମନ ଚିକିତ୍ସକ ବନ, ପ୍ରଦାନି ସେ

ନୀରବ ବ୍ୟବସ୍ଥା, ମନୁ ଉପଶମେ ରୋଗ,

 

ଦେଖାଇ ସେ ବକ୍ଷ ଫେଡ଼ି ଅନନ୍ତ ଶୋଭାର

ଅନନ୍ତ ନିର୍ଝର, ଗାଇ ଅନନ୍ତ ସଙ୍ଗୀତ,

 

ଶିଖାଇ ନିଷ୍କାମ ଦୀକ୍ଷା, କରାଏ ପ୍ରବେଶ

ଅଧ୍ୟାତ୍ମ ମନ୍ଦିର ମଧ୍ୟେ, ଅବଲୋକି ତହିଁ

ପରମାତ୍ମା ଦେବତାଙ୍କ ମହା ନୀରାଜନା,

ମିଶାଏ ସାଧକ ସେହି ଅନନ୍ତ ଆଲୋକେ

 

ମହାମହୋଲ୍ଲାସେ ସ୍ୱୀୟ ଜୀବୀତ୍ମା-ସ୍ଫୁଲିଙ୍ଗ,

ଯେସନେ ଖଦ୍ୟୋତ (ତମଃ-ଘନ-ବିଦ୍ୟୁଲ୍ଲତା)

ମିଶାଏ ସ୍ୱକ୍ଷୀଣଜ୍ୟୋତି ପ୍ରଦୀପ ଜ୍ୟୋତିରେ ।

ବନସୁତ ଦାବାନଳ, କେବଳ ବନର

 

ଆବର୍ଜନା ଧ୍ୱଂସ ନୁହେଁ କର୍ତ୍ତବ୍ୟ ତାହାର,

ଜଟିଳ ଲାଳସା-ତୃଣ ନହେ ସୁଦ୍ଧା ସେହୁ

ସଂସାରୀର, ଅସ୍ପରଶେ, ହୁଏ ସେ ନିର୍ମଳ ।’’

ଅନନ୍ତର ଭର୍ତ୍ତୃହରି ହକାରି ସଚିବେ

 

 

ଜଣାଇ ସ୍ୱମତ ତାଙ୍କୁ ବାନପ୍ରସ୍ଥ ବ୍ରତ,

ରାଜ୍ୟ ତେଜି ଗଲେ ବନେ । ନିବର୍ତ୍ତିବା ପାଇଁ

 

ବୁଝାଇଲେ ମନ୍ତ୍ରିବର ବିବିଧ ବିଧାନେ,

ମାତ୍ର ହେଲେ ନାହିଁ ରାଏ ସଂକଳ୍ପ-ବିଚ୍ୟୁଭ,

 

ବର୍ତ୍ତମାନ ଆହ୍ୱାନେ କି ବାହୁଡ଼େ ଅତୀତ ?

କିଅବା ବିଷୟ ଡାକେ ବୈରାଗ୍ୟ ? ଧାବିତ

ଯା ମତି ଶାଶ୍ୱତ ଦିଗେ, ଅଛି ସାଧ୍ୟ କାର

ଫେରାଇବ ତାକୁ ? ଗଲାଦିନୁ ତରଙ୍ଗିଣୀ

 

ଘେନିଣ ମେଲାଣି ଗିରିପଦୁ, ଗିରି ତାକୁ

କେତେ ଯେ ଡାକୁଛି ନିତି ପଛୁ ଦରୀମୁଖେ,

ମାତ୍ର ସେ ତା କର୍ଣ୍ଣପାତ କରୁଛି କି କେବେ ?

 

ପଞ୍ଚମ ସର୍ଗ

 

ଏଣେ ଶ୍ରୀ ବିକ୍ରମାଦିତ୍ୟ ଭୂମି ଭାରତର

ବହୁ ଗ୍ରାମ ରାଜଧାନୀ ଗିରି ବନ ଆଦି

ଏକାକୀ, ଉଦ୍ଦେଶ୍ୟଶୂନ୍ୟ ନିରାଲମ୍ବଭାବେ

ସେବି ବହୁ ପ୍ରତତୀର୍ଥ, ଅର୍ଜିଲେ ଅପାର

ପୁଣ୍ୟ, ଲୋକାତୀତ ଜ୍ଞାନ । ଦେଖି ନାନା ଜାତି,

 

ନାନା ଧର୍ମାବଲମ୍ବୀର ଆଚାର ବେଭାର,

କରି ନାନା ଦେଶ ରାଜନୀତି ମର୍ମଭେଦ,

ଲଭି ତହୁଁ ମହାଶିକ୍ଷା କେତେ ଦିନ ପରେ

କଲେ ଅବସ୍ଥାନ ଆସି ଗୁର୍ଜର ପ୍ରଦେଶେ ।

 

ଦିନେ ନିଶାଯୋଗେ ବୀର ଦେଖିଲେ ସ୍ୱପନେ-

ଅଗ୍ରେ ଉଭା ଦେବୀମୂର୍ତ୍ତି, ମାତୃ-ଭାବମୟୀ,

ମହିମାର ମହାପ୍ରଭା ସ୍ଫୂରେ ଅପଘନୁ,

ଦୋଦୁଲ୍ୟ କିରୀଟ ଶିରେ ଦିବ୍ୟ ଆଭାମୟ,

 

ସ୍ୱର୍ଣ୍ଣ ଘନେ କିବା ସ୍ୱର୍ଣ୍ଣ ତଡ଼ିତ ଜଡ଼ିତ ?

ସ୍ନେହ-ସୁଧାବୋଳା ଦୃଷ୍ଟି, ପ୍ରସନ୍ନ, ପାବନ,

କରୁଣା-କୌମୁଦୀ-ଧାରା ଢଳ ଢଳ ମୁଖେ ।

ବସନ୍ତେ କୋକିଳା ସତୀ ସମ୍ବୋଧିଲା ପ୍ରାୟ

ସମ୍ବୋଧି କହିଲେ ଦେବୀ, ‘‘ଉଠ ଉଠ ବୀର,

ଉଠ ଖରେ, ବିଜେ କର ଅବନ୍ତୀ ପ୍ରଦେଶେ,

ଚିହ୍ନିଲଟି ମୋତେ, କୃତି ! ପଡ଼ୁଛି କି ମନେ

ଅତୀତ ବୃତ୍ତାନ୍ତ ? ଯାକୁ ଭ୍ରାତୃଭକ୍ତିବଶେ

ତେଜିଥିଲ ନିର୍ବିକାରେ, ବୀରମଣି, ମୁହିଁ

ସେହି ଉଜ୍ଜ୍ୱୟିନୀ- ରାଜଲକ୍ଷ୍ମୀ, ତେଜିଲେହେଁ

ତୁମ୍ଭେ ମୋତେ, ପାରି ନାହିଁ ମାତ୍ର ମୁହିଁ ମନୁ

ମୂରୁଛି ତୁମ୍ଭଙ୍କୁ ! ଦେବ, କି ବର୍ଣ୍ଣିବି ହାୟ

ଅବନ୍ତୀ ନଗରୀ-ଦୁଃଖ, ବହୁ କାଳୁ ଧନୀ

ଭଜିଛି ବିଧବା ଦଶା, ନିଷ୍ପ୍ରଭ ସେ ଏବେ

ଦାରୁଣ ଦୁର୍ଦ୍ଦିନେ ଆହା ନିତିମଲ୍ଲୀ ପ୍ରାୟ *

ଅଥବା ରଜନୀ ଯଥା ନ ଦେଖି ଉଦିତ

*ପାଟଳବର୍ଣ୍ଣବିଶିଷ୍ଟ ପୁଷ୍ପବିଶେଷ । ସୂର୍ଯ୍ୟକିରଣ ନ ଦେଖିଲେ ତାହା ପ୍ରସ୍ଫୁଟିତ ହୁଏ ନାହିଁ ।

 

ରଜନୀ-ରଞ୍ଜନ-ଚନ୍ଦ୍ରେ, କି ଅବା ଯେସନ

ଶୁଭକର୍ମ ବ୍ୟତିରେକେ ମହତୀ ପ୍ରତିଭା !

ଦୁର୍ଭିକ୍ଷ, ମଡ଼କ, ହତ୍ୟା, ଚୌର-ଉପଦ୍ରବ,

ଅନାବୃଷ୍ଟି, ଅତିବୃଷ୍ଟି, ଧର୍ମର ବିପ୍ଲବ,

 

ନିୟତିର କେତେ ମହାବାତ୍ୟା ଭୟଙ୍କର

ଗଲାଣି ବହି ତା ଭାଗ୍ୟେ, ବାକ୍ୟାତୀତ ତାହା !

ନାହିଁ ପୂର୍ବ ରାଜଧାନୀ, ହୋଇଛି ଏବେ ସେ

ଭୟରାଜା-ରାଜଧାନୀ ଅମଙ୍ଗଳାବାସ,

 

ଭଗ୍ନ ଅଟ୍ଟାଳିକାଶ୍ରେଣୀ, କେହି ଅବା ରହି

ଅର୍ଦ୍ଧଭଗ୍ନ ଭାବେ, ଜରା-ଜର୍ଜରିତ ପ୍ରାଣେ,

ବିସ୍ତାରି ଇଷ୍ଟକ-ଦନ୍ତ ଧରିଛି ବିକୃତ

ରୂପ, ନଶ୍ୱରତା-ସ୍ମୃତି-ଉନ୍ମେଷକ, ହାୟ !

 

ଥିଲା ସେହୁ ଅଳକାର ଅଳଙ୍କାର ସମ,

ବଳିଛି ସେ ପୁରୀ ଏବେ ପ୍ରେତପୁରୀଠାରୁ,

ଧରିଛି ମହତ ଆହା ନୀଚର ଉପମା !

ଥିଲା ଯହିଁ ପୁଷ୍ଫାସ୍ତୃତ ସଦା ସଜ୍ଜନର

 

ମନୋରଥ-ରଥ ଗତିପଥ, ଏବେ ତାହା

କଣ୍ଟକ-ଆସ୍ତୃତ ! ଭୀତ ସର୍ବ ପ୍ରଜାକୁଳ,

ବୁହାଉଅଛନ୍ତି ନେତ୍ରୁ ନୈରାଶ୍ୟ-ଲୋତକ,

ଆହା, ସେ ଲୋତକ ନୁହେଁ- ରୁଧିର ଆସାର !

 

ସୁଧିମଣି, ତୁମ୍ଭର ଏ ନିଷ୍ପୃହ ଭ୍ରମଣ

ନୁହେଁ ବିଧି ଅଭିପ୍ରାୟ, ଜନ୍ମ ତବ ଭବେ

ମହାକାର୍ଯ୍ୟ ସାଧନାର୍ଥେ, ବହିବ ଉଜାଣି

ଆଜି ଜୀବନର ସ୍ରୋତ ତବ ନିୟତିର

 

ଘୋର ଆବର୍ତ୍ତରେ, ତେଜି ଔଦାସ୍ୟ ମାନସୁ

ପ୍ରବେଶ ସଂସାରେ, କର କର୍ମ ଉପାସନା,

ବୀର ନୁହେଁ ତାହା ଦୁଃଖ ତୁମ୍ଭ ପକ୍ଷେ କେବେ,

ଯାହା ଦୁଃଖେ କୋଟି କୋଟି ପ୍ରାଣୀଙ୍କର ସୁଖ,

 

ନୁହଇ ତ ତାହା ଦୁଃଖ ଦୁଃଖରେ ଗଣିତ,

ଚିର-ସୁଖ-ସ୍ୱର୍ଗର ସେ ସୁବର୍ଣ୍ଣ ବିମାନ,

ସେହି ସୁଖରୂପୀ ଦୁଃଖମହାତ୍ମା-ବାଞ୍ଛିତ

ବୃଷ୍ଟି, ବଜ୍ର, ଶୀତାତପ ସହି ସହ୍ୟ ଶୈଳ

 

ଉଦରେ ଆଶ୍ରିତ ତୀବେ କରେ ନିରାପଦେ

ରକ୍ଷଣ ପାଳନ, ତାହା ମହତ୍ତ୍ୱ ତାହାର ।

ଅତଃ ହେ ମହାନୁଭବ, ଉଠି ତୁମ୍ଭେ ତ୍ୱରା

ଅବନ୍ତୀନଗରେ ଯାଇ ବସ ରାଜାସନେ ।’’

 

ଏହା ଭାଷି ଅନ୍ତର୍ହିତ ହୁଅନ୍ତେ ସେ ଦେବୀ,

ଭାଙ୍ଗିଗଲା ଖରେ ସ୍ୱପ୍ନ ବିକ୍ରମାର୍କଙ୍କର,

ଉଠି ବସି ବୀରବର ଚାହିଲେ ଚୌଦିଗେ,

ଦେଖିଲେ, ନାହାନ୍ତି ଦେବୀ, ଗଲେଣି ଉଭେଇ

 

ନୈଶ ଅନ୍ଧକାରେ, ତଥା ତାଙ୍କ ସୁବଚନ

ଯାଇଅଛି ମିଶି ନୈଶ ନୀରବତା ସହ ।

ସ୍ମରି ଏହି ଅତ୍ୟଦ୍ଭୁତ ସ୍ୱପନ ଘଟଣା,

ହେଲା ତାଙ୍କ ଚିତ୍ତାଗାରେ ବିସ୍ମୟ କୁଣିଆ,

 

ଅଜ୍ଞାତ ଉତ୍କଣ୍ଠା-ସ୍ରୋତ ବହି ଖରତରେ

ହେଲା ଉଦ୍‌ବେଳିତ କ୍ରମେ, ସ୍ମୃତି କୁହୁକିନୀ

ଫେଡ଼ି ତହୁଁ ଚିତ୍ରପେଡ଼ି ଦେଖାଇଲା ଆଣି

ଅରୂପ ଅତୀତ ଚିତ୍ର, ଗୋଟି ଗୋଟି କରି ।

 

ଭାଳିଲେ ସ୍ୱଗତେ ବୀର- ‘‘ଏହା କି ସ୍ୱପନ,

ପ୍ରତ୍ୟକ୍ଷ ପରାଏ ପ୍ରତେ, ସତେ କି ମାଳବ

ବିପନ୍ନ, ସତେ କି ତାର ଶିରଫୁଲଗଭା

ଅବନ୍ତୀ ଉଚ୍ଛନ୍ନ, ଏଥେ ଅସମ୍ଭବ କିବା ?

 

ସ୍ୱେଚ୍ଛାଚାରୀ ହେଲେ ରାଜା, ହୁଏ ଛାରଖାର

ରାଜ୍ୟ, ଏହା ସ୍ୱତଃସିଦ୍ଧ, ଯେ ଯନ୍ତ୍ରଚାଳକ

ଉଚ୍ଛୃଙ୍ଖଜ, ସେ ଯନ୍ତ୍ର ବା ନ ଭାଙ୍ଗିବ କିପାଁ ?

ଯିବାର ଉଚିତ ମୋର ମାଳବେ ଏକାଳେ ।’’

 

ଏହିପରି ଭାଳୁ ଭାଳୁ ଶେଷ ନିଶୀଥିନୀ,

ଅରୁଣ-ତରୁଣୀ ଉଷା ଅରୁଣବରଣା,

କାବ୍ୟତାର-କୁନ୍ତଳିନୀ, ଉଦ୍ପାଟି ସତ୍ୱର

ପ୍ରାଚୀଦିଗ-ଦେବାଜୟ-ହୈମ-ସିଂହଦ୍ୱାର,

 

ଦେଖାଇଲା ଅନନ୍ତର ଅନନ୍ତ ସୁଷମା !

ସରସୁପ୍ତା ସରୋଜିନୀ କର୍ଣ୍ଣମୂଳେ ଅଳି

ମଧୁଜୀବୀ, ଜଣାଇଲା ମଞ୍ଜୁଳ ଗୁଞ୍ଜନେ

ରବି ଆଗମନ ବାର୍ତ୍ତା ରବି-ଦୂତରୂପେ,

 

ତହୁଁ ଧନୀ ରବିବଧୂ, ଉନ୍ମୀଳି ନୟନ

ସପୁଇକେ, ସମୀରଣ ବିଦୁଜନ ଛଳେ

ଶିର ନଇଁ, ନିବେଦିଲା କୃତଜ୍ଞତା ତାକୁ ।

ଅବଗାହି ହିମାମତେ କାନନ-କୁମାରୀ

 

ଫୁଲକୁଳ, ନାଚି ନାଚି ହସିଲେ ସଧାରେ,

ତେଜି ତରୁ ସାନୁମାନ, ଭିବନନିକର,

ଅନ୍ଧାର ଅସ୍ପଷ୍ଟ ପ୍ରେତମୂର୍ତ୍ତି, ଭୟାବହ,

ଧରିଲେ ମଧୁର ମୂର୍ତ୍ତି, ନିର୍ମଳ ସୁନ୍ଦର !

 

ଭାବିଲେ ବିହଗବର୍ଗ- ପ୍ରଭାତପ୍ରହରୀ,

ବୋଳି ଦେହେ ବାଳରବି-କନକ-କିରଣ ।

ଢଳ ଢଳ ନିଶା ଅଶ୍ର-ହିମବିନ୍ଦୁ ପରେ

ପ୍ରତିଫଳ ଢଳ ଢଳ ଶିଶୁ ସୌର କର,

 

ବଢ଼ାଇଲା ଦିବ୍ୟବିଭା, ବଢ଼ାଏ ଯେସନ

ବଂଶୀୟ ପ୍ରତିଭା ଯୋଗ୍ୟ ବଂଶଧର ହୃଦେ ।

ପାଲଟି ପାଟକ ପାଟ ଧନୀ ପୌରନ୍ଦରୀ

ଆବରିଲେ ବେର ଏବେ ସୁନୀଳ ଦୁକୂଳେ ।

 

ରାଜିଲା ରୁଚିରେ ଶିରେ ରକ୍ତରବିଚ୍ଛବି,

ଅମନ୍ଦ ସୁନ୍ଦର ଫୁଲ୍ଲ ମନ୍ଦାର ଯେସନ ।

ହାଣିଲେ କିରଣ-କୁନ୍ତ ଦେବ ବିଭାବସୁ

କୁମୁଦିନୀ ବକ୍ଷେ, ଚନ୍ଦ୍ର-ହୃଦୟ-ଚନ୍ଦ୍ରିକା,

ତହୁଁ ସେ ହରାଇ ଚେତା ଗୁରୁ କ୍ଳେଶାବେଗେ

ପଡ଼ିଲା ସରସୀ-ଶେଯେ ଢଳ ନେତ୍ର ମୁଦି ।

 

ସମାପି ବିକ୍ରମାଦିତ୍ୟ ପ୍ରାତଃକୃତ୍ୟ ତୁରା,

ଯାତ୍ରା କଲେ ଉଜ୍ଜୟିନ ମୁଖେ, ଲଙ୍ଘି ପଥେ

ବହୁ ରାଜ୍ୟ, ସ୍ରୋତସ୍ୱତୀ, କାନନ, ପ୍ରାନ୍ତର

ଉପସ୍ଥିତ ଯଥାକାଳେ ଅଭୀଷ୍ଟ ପ୍ରଦେଶେ ।

 

ତହୁଁ ଛଦ୍ମବେଶେ କରି ନଗରୀ ପ୍ରବେଶ,

ଦେଖି ତାର ଶୋଚନୀୟ ଦାରୁଣ ଦୁର୍ଦ୍ଦ

ଲଭିଲେ ବିଷାଦ, ହେଲା ନେତ୍ର ଛଳ ଛଳ,

କାନ୍ଦିଲା ଅନ୍ତର ଶୋକେ, ଅସ୍ଫୁଟେ, କରୁଣେ,

 

କାନ୍ଦେ ଯଥା ହାୟ, ଦୁଃଖେ ମର୍ମଭେଦୀ ସ୍ୱରେ

ବିଦେଶାଗତ ସୁପୁତ୍ର ଦେଖେ ଯେବେ ଚାହେ

 

ଆସି, ପୂଜ୍ୟା ଜନନୀର ପ୍ରାଣନ୍ତକ ପୀଡ଼ା,

କିମ୍ବା ଯଥା ନିଷ୍ଠାପର ଦେବତା-ପୂଜାରୀ,

ହେରି ପ୍ରାତେ ପ୍ରାଣପ୍ରିୟ ଇଷ୍ଟଦେବତାର

ଚୌରକୃତ ଅପମାନ, ଅସହ୍ୟ ତାହାର,

ଅଥବା ଯେସନ କାନ୍ଦେ ଉଦ୍ୟାନ-ପାଳକ

ଦେଖି ଯତ୍ନବିବର୍ଦ୍ଧିତ ଉଦ୍ୟାନ ତରୁର

ଛିନ୍ନ ଭିନ୍ନ ଦୀନଦଶା, ଦୁଷ୍ଟ କପିକୃତ ।

ବିଷମ ଆତୁରେ ବୀର ଭାଳିଲେ ଏସନ-

‘‘ଉଜ୍ଜୟିନି, ହା ଅଭାଗି, କି ଦଶା ଲୋ ତୋର ?

ଥିଲୁ ତୁହି ଗରବିଣୀ, ସୁଷମା-ବାରିଧି,

କେଉଁ କ୍ରୂର ଅଗସ୍ତ୍ୟ ଲୋ ଶୋଷିଲା ତୋହର

ଅଲକ୍ଷ୍ୟେ ସେ ଶୋଭା-ବାରି ? ହେଲୁ ତୁ ଶ୍ରୀହୀନା

ବାଳବିଧବା ସଦୃଶ, ଫାଟିଯାଏ ଛାତି,

ଫିଟିଯାଏ ଅଶ୍ରୁ-ଉତ୍ସ ସହସ୍ର ଧାରରେ

ଅସମ୍ଭାଳ, ହେରି ତୋର କାଙ୍ଗାଳୁଣୀ ବେଶ !

କ୍ଷିପ୍ରା ସିପ୍ରେ ! ଦିବ୍ୟଗନ୍ଧମୟୀ ଗନ୍ଧବତି ! *

 

ତୁମ୍ଭେ ପରା ଉଜ୍ଜ୍ୱୟିନୀ ଭାଗ୍ୟଦା, ପାଳିକା-

ତୁମ୍ଭ ଧାରା ପରା ତାର ମାତୃସ୍ତନ୍ୟ ଧାର,

*ସିପ୍ରା ଓ ଗନ୍ଧବତୀ ଉଜ୍ଜୟିନୀର ନନଯାଦ୍ୱୟ ।

 

ତୁମ୍ଭ ବେନି ବର୍ତ୍ତମାନେ ଜୀବନ୍ମୃତ ସେହୁ,

ଦେବି, ଏହି ଅକ୍ଷାଳିତ କଳଙ୍କର ଛାୟା,

ରହିଲ କେମନ୍ତେ ଭଲା ନିର୍ମଳ ହୃଦୟେ ?

କି ହେତୁ କରୁଣା ଊଣା ପ୍ରଭୁ ମହାକାଳ +

+ ଉଜ୍ଜୟିନୀର ଅଧିଷ୍ଠାତା ଶିବ ।

 

ମହାରୁଦ୍ର, ପଦାଶ୍ରିତା ଉଜ୍ଜୟିନୀ ପ୍ରତି ?

ଅନାଥା ସେ ଏବେ, ହାୟ ଦୁର୍ବଳା ପୀଡ଼ିତା,

ଦେବ ଦେଖିଲ ତ ଏହି ମହାକାଳ କ୍ରୀଡ଼ା

ବସି ବିଶ୍ୱ-ସିଂହାସନେ, ଅବହେଳେ ପ୍ରଭୋ,

 

ଶୂଳି ! ଯେ ମହତ୍ରିଶୂଳ ପ୍ରେରିଲା ଛଟକେ

ଦୁର୍ଦ୍ଧର୍ଷ ତ୍ରିପୁରରକ୍ଷେ ସଂଯମନୀ ପୁରେ,

କ୍ଷମ ଯେ ବିଶ୍ୱଧର୍ଷଣେ ଭ୍ରୂଭଙ୍ଗ ମାତ୍ରକେ,

ସେ ରୁଦ୍ର ତ୍ରିଶୂଳ ତବ ପରାଙ୍ମୁଖ କି ହେ

 

ତବ ଅଧିଷ୍ଠିତ ରାଜ୍ୟ ବିପଦ ନାଶନେ ?

କେ ବୁଝିବ ଲୀଳା ତବ-ଧାରଣା ଅତୀତ ?’’

ଏରୂପେ ବିକ୍ରମାଦିତ୍ୟ ଆକ୍ଷେପି ବହୁଶଃ

ଭ୍ରମୁ ଭ୍ରମୁ ଇତସ୍ତତଃ, ହେଲେ ଅତର୍କିତେ

ଉପସ୍ଥିତ ଯାଇ ଏକ କୁମ୍ଭକାର ଗୃହେ ।

ଦେଖିଲେ ଲାଗିଛି ତହିଁ ରାଜସଭା, ମିଳି

ରାଜକୀୟ ପାତ୍ର, ମନ୍ତ୍ରୀ, ପାରିଷଦ ଆଦି

ମଣ୍ଡି କୁମ୍ଭକାର ସୁତେ ଭୂପେନ୍ଦ୍ରୋପଯୋଗୀ

ବସନ ଭୂକ୍ଷଣେ, ପୁଣି ପିନ୍ଧାଇ ମସ୍ତକେ

ମଣିମୟ ରାଜଚୂଡ଼ା, ଘେନିଗଲେ ତ୍ୱାରା ।

ବିଳପିଲେ ତହୁଁ ବୃଦ୍ଧ କୁମ୍ଭାର-ଦମ୍ପତି

ବିଷମ ବ୍ୟାକୁଳେ ଉଚ୍ଚେ, ମର୍ମସ୍ପର୍ଶୀ ସ୍ୱରେ,

ଯଥା ଶୁକ ଶାରୀ, ଯେବେ କୁଲାୟୁ ତାଙ୍କର

ଶାବକେ କିରାତ ଧରି ଆବଦ୍ଧି ପିଞ୍ଜରେ

ଘେନିଯାଏ ଦମ୍ଭୀ ଆହା ମହାଦମ୍ଭଭରେ ।

ସେ କାଳେ ଶାବକ ଚାହିଁ ଦୀନ ନେତ୍ରେ ଯଥା

 

ଜନକ-ଜନନୀ ମୁଖ, ହୋଇ ଛାଟିପିଟି

ଡାକେ ଘନ ଘନ ତାଙ୍କୁ ନେବାକୁ ଉଦ୍ଧାରି,

ଯଥା ମହାବ୍ୟତିବ୍ୟସ୍ତ କୁମ୍ଭକାର ସୁତ !

ପ୍ରବୋଧି ବିକ୍ରମାଦିତ୍ୟ ଦମ୍ପତିଯୁଗଳେ

ପୁଚ୍ଛନ୍ତେ ଶୋକର ହେତୁ, କହିଲେ ବେନିଏ

କେତେ କ୍ଷଣ ପରେ, ତେଜି ଶୋକତପ୍ତ ଶ୍ୱାସ-

ବାସ୍ଫରୁଦ୍ଧ ଅର୍ଦ୍ଧଭଗ୍ନ ସ୍ୱରେ, ଖନା ପ୍ରାୟ-

‘‘ହାୟ, କି କହିବୁଁ ଆମ୍ଭ ଦୁର୍ଭାଗ୍ୟ କଷଣ,

ସାଧୋ, ଏକମାତ୍ର ପୁତ୍ର, ଏ ଆମ୍ଭ ବେନିର,

ରାଜକର୍ମଚାରିବୃନ୍ଦ ଯାଉଛନ୍ତି ଘେନି

ତାକୁ, ବସାଇବାପାଇଁ ରାଜସିଂହାସନେ,

ଏହା ଆମ୍ଭ ଉପସ୍ଥିତ ଶୋକର କାରଣ ।’’

ନ ପାରି ସମ୍ବରି ହାସ୍ୟ ବୀର ଏ ବଚନେ

ଭାଷିଲେ, ‘‘ତୁମ୍ଭେ କି ଭଲା ସ୍ୱଭାବ-ବାତୁଳ,

କିମ୍ବା ବୃଦ୍ଧବୃଦ୍ଧା ବେନି ହେଲ ଛନ୍ନମତି,

ବୟୋଧର୍ମେ ? ପୁତ୍ର ତବ ହେବ ରାଜ୍ୟେଶ୍ୱର,

 

ଏଥିରେ ତୁମ୍ଭର ଦୁଃଖ, କି ଅଦ୍ଭୁତ କଥା ?

ଅନୁସରିବାକୁ ନରେ ଯେ ସୌଭାଗ୍ୟ ପଛେ

ସଦା ଲଳାୟିତ, ନିଜ ପୋଷା ଶ୍ୱାନ ପ୍ରାୟ,

ମଣ କିପାଁ ତୁମ୍ଭେ ସେହି ସମ୍ପଦେ ବିପଦ ?

ସ୍ୱଭାବେ ଦରିଦ୍ର ତୁମ୍ଭେ, ନୀଚକୁଳେ ଜାତ,

ତୁମ୍ଭ ପକ୍ଷେ ଏ ସୌଭାଗ୍ୟ ସ୍ୱପ୍ନାତୀତ ବର,

ମଣୁଛ ତାହାକୁ ତୁମ୍ଭେ ତୀବ୍ର ଅଭିଶାପ !

ମଣେ ଗ୍ରହଦୁଷ୍ଟ ସିନା ଫୁଲମାଳେ ବ୍ୟାଳ ।

ସମ୍ପତ୍ତି, ପ୍ରାଧାନ୍ୟ, ପଦ ଉପେକ୍ଷ୍ୟ କାହାର

ବିଶେଷତଃ ତୁମ୍ଭ ପରି କେଉଁ ନିର୍ଦ୍ଧନର ?

ପ୍ରକୃତରେ ଯେ ମହାନ, ସେ ଆତ୍ମବିସ୍ମୃତ,

ନ ମଣେ ସେ ଆପଣାକୁ ବଡ଼, ଇଚ୍ଛେ ଏକା

ହେବାକୁ ମହାନ କ୍ଷୁଦ୍ର, ମାତ୍ର ତୁମ୍ଭଠାରେ

ବ୍ୟତୀୟ କିପାଇଁ ଚିର-ପ୍ରଚଳିତ ଧାରା ?

ବ୍ୟର୍ଥ ସତ୍ୟ ବିଧାତାର ଅପାତ୍ରରେ ଦାନ ।’’

ଉତ୍ତରିଲା କୁମ୍ଭକାର- ‘‘ହେ ଜିଜ୍ଞାସୁ, ନୁହେଁ

 

ସୌଭାଗ୍ୟ ଏ- ଦୁର୍ଭାଗ୍ୟର ସୁତୀବ୍ର ବିଦ୍ରୁପ,

କହୁଛି କାରଣ ତାର ଶୁଣ ଅବହିତେ ।

ପାଳୁଥିଲେ ଏ ପ୍ରଦେଶ ରାଜା ଭର୍ତ୍ତୃହରି,

ପତ୍ନୀର ଅସଦାଚାରେ ହୋଇ ସେ ଦ୍ୟଥିତ

ଗଲେ ରାଜ୍ୟ ତେଜି ବନେ ତପସ୍ୟାଭିପ୍ରାୟେ,

ହେଲା ଅରାଜକ ହାୟ ଅବନ୍ତୀ ନଗରୀ,

ଅବନୀ-ସୀମନ୍ତଟିକା-ପ୍ରଶସ୍ତିମାଳିନୀ,

ହେଲେ ଚରୀ କର୍ଣ୍ଣଧାରଶୂନ୍ୟ ତରଙ୍ଗିତ-

ସିନ୍ଧୁ ଗର୍ଭେ, ଘଟେ ଭାଗ୍ୟ ଯେ ଦୁର୍ଦ୍ଦଶା ତାର,

ଭୁଞ୍ଜିଲା ଅଭାଗୀ ତାହା । ଦେଖିଣ ଅନାଥା

ତାକୁ, ଅଗ୍ନିବେତାଳାଖ୍ୟ ଅପଦେବ ଏକ

ଭକ୍ଷିଲା ନିର୍ଭୟେ ପ୍ରଜା, ଯଥା ମହାବଳ

ରଖୁଆଳଶୂନ୍ୟ ଗୋଷ୍ଠେ ପଶି ଅବହେଳେ

ବିନାଶେ ଗୋଯୁଥ । ଦେଖି ଏ ନୃଶଂସ ଲୀଳା

ବହୁ ମହାପ୍ରାଣିକ୍ଷୟ, ସଚିବନିକର

ବେତାଳ ସମୀପେ ଯାଇ କଲେ ଏ ପ୍ରସ୍ତାବ-

 

‘ହେ ବେତାଳରାଜ, ହୁଅ କ୍ଷାନ୍ତ ତୁମ୍ଭେ ଏବେ

ମାନବ ଜୀବନ ନାଶୁଁ, ହେଲା ଆଜିଠାରୁ

ବେତାଳ ସମୀପେ ଯାଇ କଲେ ଏ ପ୍ରସ୍ତାବ-

‘ହେ ବେତାଳରାଜ, ହୁଅ କ୍ଷାନ୍ତ ତୁମ୍ଭେ ଏବେ

ମାନବ ଜୀବନ ନାଶୁଁ, ହେଲା ଆଜିଠାରୁ

ଏହି ନିର୍ଦ୍ଧାରଣ-ଆମ୍ଭେ ବସାଇବୁଁ ନିତି

ଏ ରାଜ୍ୟର ଜଣେ ଜଣେ ପ୍ରଜାଙ୍କୁ ପ୍ରଭାତେ

ରାଜସିଂହାସନେ, ହେବ ସେ ଦିବସେ ରାଜା,

ମାତ୍ର ରାତ୍ରେ ତୁମ୍ଭେ ତାକୁ କରିବ ଭକ୍ଷଣ ।’

ସେହି ନିର୍ଦ୍ଧାରଣମତେ ଆଜି ମୋର ପାଳି,

ତହୁଁ ପାତ୍ରମନ୍ତ୍ରିବର୍ଗ ଘେନିଗଲେ ଧରି

ଏକମାତ୍ର ପୁତ୍ର ହାୟ ! ରଙ୍କରତ୍ନ ମୋର;

ଉପସ୍ଥିତ ଜୀବନର ସାୟଂକାଳେ ମୁହିଁ,

ରହିବାକୁ ଅକ୍ଷମ ସ୍ୱଶରୀରର ଭାର,

ଏ କାଳେ ବିଧାତଃ ଭଲା କେବନ୍ତେ ସହିବି

ଦୁର୍ବିଷହ ପୁତ୍ରଶୋକ ଭାର,-ବଳେ ଯାହା

 

ସପ୍ତଦ୍ୱୀପ, ସପ୍ତସିନ୍ଧୁ ଅଷ୍ଟକୁଳାଚଳୁ !

ସିନ୍ଧୁ ନିଧନରେ ଯଥା ଅନ୍ଧକ ଅନ୍ଧକୀ *

*ଦଶରଥକର୍ତ୍ତୃକ ଅନ୍ଧକମୁନିପୁତ୍ର ସିନ୍ଧୁମୁନିଙ୍କ ହତ୍ୟା ବିବରଣ ରାମାୟଣରେ ଦ୍ରଷ୍ଟବ୍ୟ ।

ତେଜିଲେ ଜୀବନ, ତଥା ବୃଦ୍ଧବୃଦ୍ଧା ବେନି

ଘେନିବୁ ବିଦାୟ ଆମ୍ଭେ ଉବୁଁ ପୁତ୍ରାଭାବେ,

ଲଭିବି ଶମନ ବିପ୍ର, ପୁତ୍ରେ ଦାନରୂପେ,

ଆମ୍ଭେ ବେନି ସେ ଦାନର ବିହିତ ଦକ୍ଷିଣା ।’’

ଶୁଣି ଏହା ବିକ୍ରମାର୍କ ଦୟାର୍ଦ୍ର ହୃଦୟେ

ଭାଷିଲେ- ‘‘ହେ ବୃଦ୍ଧ, ନୁହଁ ଚିନ୍ତାକୁଳ ଆଉ,

ଅର୍ପି ମୋତେ ତୁମ୍ଭ ପୁତ୍ର ପ୍ରତିନିଧିରୂପେ,

ଲଭ ଏ ସଙ୍କଟୁ ତ୍ରାହି ଉଭୟତ୍ର ଶ୍ରେୟ

ତହିଁ, ହେବ ପ୍ରାଣ-ରକ୍ଷା ପୁତ୍ରର ତମ୍ଭର,

ଦୁଯେ ଏ ପରୋପକାର ସଂସାଧନ ହେତୁ

ହେବ ମୋର ପୁଣ୍ୟାର୍ଜନ, ବିଶେଷତଃ ଯଦି

ପାରେ ସେ ବେତାଳେବଧି, ହେବି ତେବେ ରାଜା ।

‘‘ଆହୋ କି ଭୀଷଣ କଥା’’ କହିଲା କୁମ୍ଭାର,

 

ଭାବୀ ନରକର ବାଟ ରଖିବାକୁ କାଟି

ଅର୍ପୁଛ କି ଉପଦେଶ ମୋତେ ? ହା ଦୁର୍ଦୈବ,

ବଞ୍ଚାଇବି ନିଜ ପୁତ୍ର ପର ପୁତ୍ର-ଦାନେ,

ଏଥୁ ବଳି ମହାପାପ କି ଅଛି ମହୀରେ ?

ତହିଁରେ ଅତିଥି ତୁମ୍ଭେ ଦେବତା ସମାନ,

ମହାଭାଗ, ନ ଶୁଣାଅ ଏ ପାପ-ପ୍ରସ୍ତାବ ।

ହେଲା ଜାଣି ଏଥରକ ପୁତ୍ର-ରକ୍ଷା ମୋର,

ମାତ୍ର ଯେତେବେଳେ ପୁଣି ପଡ଼ିବ ମୋ ପାଳି,

ତେତେବେଳେ କି କର୍ତ୍ତବ୍ୟ, ହେବ ତ ନିଶ୍ଚୟ

ଅର୍ପିବାକୁ ପୁତ୍ରେ । ଆତ୍ମପ୍ରାଣେ ପରପ୍ରାଣେ

ନାହିଁ ଭେଦ କିଛି, ଧାତୁ ମୃତ୍ତିକା ଶିଳାଦି

ଯେଉଁ ଘଟେ ଥାଉ ଜଳ, ଏକ ଦ୍ରବ୍ୟ ସେହୁ,

ଅତଏବ ପରହତ୍ୟା ଆତ୍ମହତ୍ୟା ସମ,

ଜୀବନ ହି ଆତ୍ମା, ଆତ୍ମା ବ୍ରହ୍ମସତ୍ତା ଭିନ୍ନ

ନୁହେ କିଛି ଆନ, କରେ ବିନାଶ ଯେ ତାକୁ

ବ୍ରହ୍ମହତ୍ୟା ମହାଦୋଷେ ଦୋଷୀ ସେ ପାମର ।

 

ଭାବି ଦେଖି, କୁମର ମୋ ନ ହେବ ଅମର,

ମରିବ ଅବଶ୍ୟ ଦିନେ, ମହାନିୟତିର

ଅକାଟ୍ୟ ନିୟମେ, ଜନ୍ମ-ମରଣର ହେତୁ,

ସୃଷ୍ଟି ପଛେ ପଛେ ଲାଗି ରହିଛି ସଂହାର,

ସଂଲଗ୍ନ ଅତୀତ ଯଥା ବର୍ତ୍ତମାନ ପଛେ,

ସୃଷ୍ଟିଲୀଳା ପ୍ରାୟ ସଦା ଲାଗିଛି ସଂସାରେ

ସଂହାରର ମହାଲୀଳା, ହେଲେ ରୁଦ୍ଧ ତାହା,

ହେବ ସୃଷ୍ଟି-ଦ୍ୱାର ରୁଦ୍ଧ, ନ ଶୋଷିଲେ ରବି

ଧରଣୀରୁ ରସ, ହେବ ବୃଷ୍ଟି ଅବା କାହୁଁ ?

ସୃଷ୍ଟି ପରି ସଂହାରହିଁ ବିଧାଭୃ-ବାଞ୍ଛିତ ।

ଯାହା ହେଉ, ଆତ୍ମପ୍ରାଣ ସଂରକ୍ଷଣ ପାଇଁ

ନ ପାରିବି ତୁମ୍ଭଙ୍କୁ ମୁଁ ଅର୍ପି ମୃତ୍ୟୁମୁଖେ,

ଜ୍ଞାନାନ୍ଧ ବିଶ୍ୱାସ ଅନ୍ଧ ପ୍ରାୟ, ପ୍ରଦାନେ ସେ

ମୃତ୍ୟୁକୁ ଠକିବାଲାଗି ପଶୁପକ୍ଷୀ ବଳି

ଦେବପୀଠେ, ଫଳେ ଲିପ୍ତ ହୋଇ ହତ୍ୟାପାପେ

ନଷ୍ଟ କରେ ଦୁଷ୍ଟ ମତି ଇହ ପର କାଳ ।’’

 

‘‘ନ ହୁଅ ସନ୍ଦିଗଧ ବୃଦ୍ଧ, ଜାଣିବ ପଶ୍ଚାତେ,’’

ଭାଷିଲେ ବିକ୍ରମାଦିତ୍ୟ-‘‘ନ ହେଲେ ମାନ୍ତ୍ରିକ

ମନ୍ତ୍ରରେ ନିପୁଣ, ବାନ୍ଧେ କି ସାହସ ହୃଦେ

ଧରିବାକୁ ବିଷାକର ସର୍ପେ ? କି ଭୟ ବା

 

ସେ ବେତାଳେ ? ସମ୍ଭେବେ କି କେତକୀ-କରତେ

ତରୁଚ୍ଛେଦ, ବରଂ ବାଜି ତାହା ତରୁଦେହେ

ଝଡିଯିବ ଦାଢ଼େ ତାର-କୋମଳ କଣ୍ଟକ !

ଯାଉଛି ମୁଁ ସ୍ୱେଚ୍ଛାକ୍ରମେ ବେତାଳ ସମୀପେ,

 

କିପାଁ ହେବ ବର୍ଷୀୟାନ, ଏଥେ ପାପ ତବ ?

ଦିଏ ଯଦି ଝାସ କେହି ସମୁଦ୍ର ସଲିଳେ,

ଲାଗିବ କି ପାରାବାରେ ତାର ହତ୍ୟାଦୋଷ ?

ପରୋପକାର ସାଧନେ ଘଟେ ମୃତ୍ୟୁ ଯାର,

 

ନୁହେଁ ସେ କଦାଚ ମୃତ, ମୃତ ସେହି, ଜୀଏ

ଯେହୁ ନିଜ ପାଇଁ ! ଭାବେ ପର ଉପକାର

ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ସ୍ୱର୍ଗ ! ଧରେ ତରୁବର

ପରୋପକାରାର୍ଥେ ଫଳ, ବହେ ତରଙ୍ଗିଣୀ

 

ପରହିତେ ନୀରସ୍ରୋତ, ଦୁଗ୍‌ଧ ବହେ ଗାଭୀ ।

ସାଧି ନାହିଁ ପର ହିତ ଯେ ମାନବ କେବେ,

ନୁହେ ସେ ମାନବ-ପ୍ରେତମୂର୍ତ୍ତି ମାନବର ।

ହୁଅ ନାହିଁ ଭୀତ ତୁମ୍ଭେ କିମ୍ବା ଧୈର୍ଯ୍ୟଚ୍ୟୁତ,

 

ନ ହେବ ତୁମ୍ଭଙ୍କୁ ଆଉ ପୁତ୍ରେ ଅର୍ପିବାକୁ

ବେତାଳ କବଳେ, କର ବିଶ୍ୱାସ ଏ କଥା ।

ପହୁଞ୍ଚିଲେ ଅବନତି ଚରମ ସୀମାରେ

ପ୍ରକୃତିପର୍ଯ୍ୟାୟେ ଆସେ ଆବର ଉନ୍ନତି,

 

ହିମପାତେ ପଦୁବନ ଦଗ୍‌ଧ ହେଲା ପରେ,

ହୋଇ ଉଠେ ପୁଣି ସିନା ନବ ପଲ୍ଲବିତ;

ଚନ୍ଦ୍ରକ୍ଷୟ ଅନ୍ତେ ତାର ବୃଦ୍ଧି ହୁଏ କଳା;

ପାହିଲାଣି ଏ ରାଜ୍ୟର ଅବନତି-ନିଶା

 

ତମୋମୟୀ, ଭୟଙ୍କରୀ, ଦିଶିବ ଅଚିରେ

ଉନ୍ନତି-ଉଷାର ଏବେ ପାଟଳ ମହୁଡ଼ି,

ନ କର ସନ୍ଦେହ ଏଥି, ଦେଖିବ ସାକ୍ଷାତେ ।’’

ଶୁଣି ଏହା କୁମ୍ଭଜୀବୀ ଆନନ୍ଦେ ବିଭୋଳି

 

ଭାଳିଲା, ‘‘ଏ ଅକଳ୍ପନା-ସୁଲର ସ୍ୱରଗେ

କେ ଆଣିଲା ମୋତେ, ଆହା କଲି ଯାହା ପାନ

କର୍ଣ୍ଣ-ତୁଣ୍ଡେ ଏହି ଦଣ୍ଡେ, ତାହା କି ବଚନ ?

ବଚନ କି ହୋଇ ପାରେ ଏଡ଼େ ମଧୂମୟ,

ସୁଶୀତଳ, ଶାନ୍ତିକର, ପ୍ରାଣାରାମ-ପ୍ରଦ

ନା, ନା, ସେ ବିଶୁଦ୍ଧ ସୁଧା, ଅମର ସମ୍ପଦ !

ଅଥବା ଦେଖୁଛି ମୁହିଁ ଜାଗ୍ରତ ସ୍ୱପନ

ଆସନ୍ନ ପତନମୁଖୀ ଦୁରାଶା-ଶୈଳର

ତୁଙ୍ଗ ଚୂଳେ ବସି; ଅହୋ, କି ଅଦ୍ଭୁତ ଭ୍ରମ,

ସ୍ୱପ୍ନ ନୁହେଁ, ସ୍ୱପ୍ନ ନୁହେଁ ଏହା, ବାଇଲେ ଯେ

ଆଶା-ବଂଶୀ, ଏହି ତ ସେ ଉଭା ପୁରତରେ ।’’

ଏହା ଭାବି ବର୍ଜି ଅଶ୍ରୁ କହିଲା ଏସନ-

(ନୁହେ ତାହା ଅଶ୍ରୁଚିର ସଙ୍ଖାଳି ଦୁଃଖୀର, ଆନନ୍ଦ କୃତଜ୍ଞତାର ଅବାଧ ପ୍ରବାହ)

‘‘ପ୍ରଭୋ, କେଉଁ ଦେବ ତୁମ୍ଭେ, କେମନ୍ତେ ଚିହ୍ନିବି

ଅଜ୍ଞାନ-ବିଷାକ୍ତ ନେତ୍ରେ, ନୁହଁଇ ତ କେବେ

ପରହିତେ ପ୍ରାଣଦିତ୍ସା * ମାନବ ବେଭାର,

* ପ୍ରାଣଦାନେଚ୍ଛା

 

ଧରିବ ମଣିର ବିଭା କାହୁଁ ବା ମୃର୍ତ୍ତିକା ?

ଅଥବା ମୋ ସୌଭାଗ୍ୟର ସୌଭାଗ୍ୟ-ଦେବତା

ତୁମ୍ଭେ କିମ୍ବା ବହୁଜନ୍ମ ତୀବ୍ର ସାଧନାର

ଆଶାତୀତ ଆକସ୍ମିକ ମହାପୁରସ୍କାର,

 

ଅବା ଦୟାଦେବୀ ଧରି ପୁରୁଷ ଆକୃତି,

ବେଦନା-ବିକ୍ଷୁବ୍‌ଧ ହୃଦେ ଢ଼ାଳିବାକୁ ମୋର

କରୁଣା-ଅମୃତଧାରା, ଅବତୀର୍ଣ୍ଣ ଏଥି !

ବିପଦ ଅସଷ୍ଟ ଥିଲେ ଆସି ଥରେ ଥରେ

 

ଦେଇ ଯାଉଥାଏ ଆଶା କେତେ ଆଶ୍ୱାସନା,

ମାତ୍ର ଯେବେ ସ୍ପଷ୍ଟୀଭୂତ ହୁଏ ଦୂର୍ବିପାକ,

ନ ଆସେ ସେକାଳେ ଆଉ, ଯଥା ସୌଦାମିନୀ,

ଦେଖାଏ ବିଭ୍ରାନ୍ତ ପାନ୍ଥେ ବୃଷ୍ଟି ପୂର୍ବୁ ପଥ

 

ଘୋର ଘନଘଟାଚ୍ଛନ୍ନ ତାମସ ନିଶୀଥେ,

ମାତ୍ର ହେଲେ ବୃଷ୍ଟି, ଧନୀ ଲୁଚଇ ଅମ୍ବରେ,

ଏହା ସ୍ୱାଭାବିକ, ଦେବ, ତେଜିବାରୁ ଆଶା,

ଜୀବନ-ସଙ୍ଗୀତ ଛନ୍ଦ ହୋଇଥିଲା ମୋର

 

ସ୍ୱରଶୂନ୍ୟ, ବୁଦ୍ଧିବୃତ୍ତି ଶିଥିଳ ମଳିନ

ଶିଶୁକର-ବିଦଳିତ କୁସୁମ ସଦୃଶ ।

ପାଣି ହୋଇ ଯାଇଥିଲା ଦେହରକ୍ତ ଶୋକେ,

ଏ ଆସନ୍ନମୃତ୍ୟୁକାଳେ କି ମନ୍ତ୍ର ପ୍ରଭାବେ

 

କରି ପ୍ରକୃତିସ୍ଥ ମୋତେ, ଦେଲ ନବ ପ୍ରାଣ,

ବିଷ-ବିଚେଷ୍ଟିତ ଜନେ ଜାଙ୍ଗଳିକ ପ୍ରାୟ,

ତୁମ୍ଭର ଏ ଋଣ ଦେବ, ନ ପାରିବି ଶୁଝି

ବହୁଜନ୍ମ ଯାଏଁ ହୋଇ ସେ ପଦ-ସେବକ ।

 

ବଚନଭଙ୍ଗୀରୁ ତବ ଉଠୁଛି ଆଭାସି

ଅତୁଳ ସାହସ, ବୀର୍ଯ୍ୟ, ମାତ୍ର ତାହା ଦେବ,

ହେବ ନାହିଁ ଲୋଡ଼ା କେଭେଁ ବେତାଳ ଦମନେ,

କେବଳ ତୁମ୍ଭରି ଧର୍ମ ବଧ ପକ୍ଷେ ତାର

 

ଅମୋଘ ବ୍ରହ୍ମାସ୍ତ୍ର, ନିଶ୍ଚେ ତେଜିବ ସେ ପ୍ରାଣ

ତବ ସନ୍ଦର୍ଶନ ମାତ୍ରେ, ମୋର ଏ ବିଶ୍ୱାସ,

ଯେସେନେ ନୃଶଂସ କଂସ କଂସାରି ଦର୍ଶନେ ।

ଅତଏବ ତବ ଆଜ୍ଞା ଶିରୋଧାର୍ଯ୍ୟ ମମ,

 

ରାଜସଭା ମଧ୍ୟେ ଦେବ, ବିଜେ କର ଏବେ,

ପ୍ରଦାନି ତୁମ୍ଭଙ୍କୁ ପୁତ୍ରେ ଆଣିବି ମୋହର ।’’

ଏ ଅନ୍ତେ ବିକ୍ରମାଦିତ୍ୟେ ଘେନି କୁମ୍ଭକାର,

ମିଳି ଯଥାସ୍ଥାନେ, କଲା ଜଣାମଣା ଏହା-

‘‘ଅଚିହ୍ନିତ ଏ ପଥିକ, ଇଚ୍ଛନ୍ତି ରାଜତ୍ୱ,

ବେତାଳ ଦର୍ଶନ ପାଇଁ ପ୍ରକାଶନ୍ତି ପୁଣି

ସାଗ୍ରହ ଆକାଙ୍କ୍ଷା, କହି ଘଟନା ସକଳ

ନିଷେଧିଲି ବହୁତ ମୁଁ, ମାତ୍ର ଏ ତେଜସ୍ୱୀ

ନ ହେଲେ ନିବୃତ୍ତ, ବରଂ ନିଭିବ ଅନଳ,

ତଥାଚ ସେ କରିବ କି ଶୀତତା ସ୍ୱୀକାର ?

ଅତଏବ ଏ ଆର୍ତ୍ତର ପୁତ୍ର ବିନିମୟେ

ଗ୍ରହିଣ ଏହାଙ୍କୁ କର ପୁତ୍ରଦାନ ମୋତେ ।’’

ଏ ବଚନେ ରାଜକୀୟ କର୍ମଚାରିଚୟ

ନୋହି ଅସମ୍ମତ, ଦେଲେ ପୁତ୍ର ଛାଡ଼ି ତାର;

ତହୁଁ ରାଜପରିକରେ ମିଳି ସେହି ସ୍ଥାନେ,

କଲେ ଭାବା ନୃପତିଙ୍କ ଶ୍ରୀଅଙ୍ଗ ମାର୍ଜନା ।

 

ସ୍ୱଭାବେ ବିକ୍ରମାଦିତ୍ୟ ରୂପସ ପୁରୁଷ,

ଏହିକାଳେ ରାଜଲକ୍ଷ୍ମୀ ଆସି ଅଲକ୍ଷ୍ୟରେ

 

ପରଶନ୍ତେ ତାଙ୍କ ଚାରୁ ଶରୀର-ଦେଉଳେ,

ଝଟକିଲା ଶତ ଗୁଣ ଝଳି, ଫୁଲ ଯଥା

ପରଶି ଚନ୍ଦ୍ରିକା ଚନ୍ଦ୍ରହିରଣ୍ୟ-ଗଞ୍ଜିନୀ * ।

ଖଞ୍ଜିଲେ ଯା ଅଙ୍ଗେ ରୁକ୍ମ + ରତ୍ନ ଅଳଙ୍କାର

*ରୌପ୍ୟ ।+ ସ୍ୱର୍ଣ୍ଣ ।

 

ବେଶକାରେ, ବୃଥା ତାହା, ଆକୃତି-ମଧୁର

ଯାର, ତାହା ଶୋଭା ଏକା ଭୂଷଣ ତାହାର

ନିସର୍ଗ-ରୁଚିର, କେଉଁ ଲୋଡ଼ା ତାର ଭଲା

ଭାରଭୃତ ମୃଦ୍‌ବିକାର * କୃତ୍ରିମ ଭୂଷଣେ ?

* ମାଟିର ରୂପାନ୍ତର

 

ଜାତ ଇନ୍ଦ୍ର ଅଂଶୁ, ମିଶି ନରେନ୍ଦ୍ର ପ୍ରତିଭା

ଦେବେନ୍ଦ୍ର ପ୍ରତିଭା ସହୁ ପ୍ରକାଶିଲା ଯେଉଁ

ମହାପ୍ରତିଭାର ବିଭା, ମଳିନ ତା କତି

ବିଶ୍ୱ-ଆସ୍ୟ-ହାସ୍ୟଚ୍ଛବି ଚଣ୍ଡାଂଶୁ-ମୟୂଖ ।

 

ଅନନ୍ତର ମନ୍ତ୍ରବର୍ଗ ରାଜ-ଉପଚାରେ

କରାଇ ବିକ୍ରମାଦିତ୍ୟେ ବିଜେ ସିଂହାସନେ,

ନିର୍ବାହିଲେ ରାଜକାର୍ଯ୍ୟ ତାଙ୍କ ଆଜ୍ଞାମତେ ।

ଧରି ନବ ନୃପେ ଅଙ୍ଗେ ରାଜସିଂହାସନ

 

ହେଲେ ସୂପାବନ, ଯଥା ମଣ୍ଡିତ ବିମାନ

ଦେବତା ପ୍ରତିମା ଯୋଗେ, ହୀରା ନୀଳା ଆଦି

ଭଦ୍ରାସଲଗନ୍ନ ରତ୍ନେ, ଉଠିଲେ ଉଜ୍ଜ୍ୱଳି

ଦ୍ୱିଗୁଣେ ନୃପତିଙ୍କର ଶ୍ରୀଅଙ୍ଗ ମୟୁଖେ;

 

ପ୍ରକାଶେ ସୁବର୍ଣ୍ଣ ଦୀପ ପ୍ରତିଜ୍ୟୋତି ଯଥା

ବିକ୍ଷୋଧୃତ ପ୍ରଜ୍ୱଳିତ ଶଳିତା ଶିଖାରେ ।

ସମାପି ସଚିବବୃନ୍ଦ ସେ ଦିନର ଯେତେ

ଉପସ୍ଥିତ ରାଜକାର୍ଯ୍ୟ, ଦିବା ଅବସାନେ,

 

ଗମିଲେ ସ୍ୱବାସେ ମାଗି ଛାମୁର ମେଲାଣି ।

ନବୀନ ନରେଶଙ୍କର କର୍ତ୍ତବ୍ୟପାଟବେ

ମନ୍ତ୍ରୀଏ ବିସ୍ମୟ ଭଜି, କଲେ ପରସ୍ପରେ

କଳ୍ପନା ଜଳ୍ପନା ବହୁ । କେ କହିଲା, ‘‘ଅହୋ,

 

କି ଅଭାବ ବୈଚକ୍ଷଣ୍ୟ, କି ସୂକ୍ଷ୍ମଦର୍ଶିତା,

କିଏ ଏହି ଛଦ୍ମବେଶୀ ପୁରୁଷପ୍ରବର ?

ପ୍ରତେ ହୁଏ, ନୁହନ୍ତି ଏ ସାମାନ୍ୟ ମାନବ,

ସମ୍ଭବ କି ନର ପକ୍ଷେ ଏ ଭଳି ପ୍ରତିଭା-

 

ନୀତି, ପ୍ରତ୍ୟୁତ୍ପନ୍ନମତି !’’ କେହି ବା କହିଲା,

‘‘କର୍ତ୍ତବ୍ୟେ ଯେ ଶତଚକ୍ଷୁ, ଶତକର୍ଣ୍ଣ, ପୁଣି

ଶତହସ୍ତ, ଅତିକ୍ରମେ ନରଜ୍ଞାନ ସୀମା

ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ ଯାଙ୍କ, ନୁହନ୍ତି ତ ସେହୁ

 

ଦୁର୍ବଳ ଅପୂର୍ଣ୍ଣମତି ଇତର ମାନବ !

ନିଶ୍ଚେ ଏ ବିକ୍ରମାଦିତ୍ୟ, କାରଣବିଶେଷେ

କରିଛନ୍ତି ଶୂରମଣି ଆତ୍ମସଂଗୋପନ,

ଦ୍ୱାପରେ ପାବନି ଯଥା ବିଧି ବକାସୁରେ

 

ରକ୍ଷା କଲେ ତା’ କବଳୁ ଏକଚକ୍ରା ଗ୍ରାମେ,

ତଥା ଏ ତେଜସ୍ୱୀ ପ୍ରାଣେ ବିନାଶି ବେତାଳେ

ପ୍ରକାଶିବେ ଆତ୍ମଶକ୍ତି, ସୁକୀର୍ତ୍ତି ସଂସ୍ଥାପି,

ଲଭିବ ସଙ୍କଟୁ ତ୍ରାହି ଭୀତା ଉଜ୍ଜୟିନୀ ।’’

 

ଭାଷିଲା ଅପର ମନ୍ତ୍ରୀ, ‘‘କେଉଁ ପ୍ରୟୋଜନ

ତର୍କଣାରେ, ରହ ଧୈର୍ଯ୍ୟ ଧରି କାଲିଯାଏଁ,

ପ୍ରାତଃକାଳେ ହେବ ଗୁପ୍ତ ରହସ୍ୟ ପ୍ରକଟ ।’’

ଏ ବଚନେ ସର୍ବେ ତହୁଁ ଭଜି ନୀରବତା

 

ଆଶ୍ରିଲେ ଅଚିରେ ସ୍ୱ ସ୍ୱ ଗନ୍ତବ୍ୟ ସରଣୀ ।

ସମାପି ସାହାହ କୃତ୍ୟ ଏଣେ ଐନ୍ଦ୍ରିସୂନୁ,

ଶାଣିତ କୁପାଣ କରେ ମଣ୍ଡି ରାଜାସନେ

ରହିଥିଲେ ଅବହିତ ଶତ୍ରୁ ପ୍ରତୀକ୍ଷାରେ,

 

ଯଥାକାଳେ ମିଳି ଦୁଷ୍ଟ ଭୀଷଣ ବେତାଳ,

(ଅମାନୁଷୀ ପ୍ରତିକୃତ, ବିକୃତ ବଦନ)

ବିକ୍ରମେ ଧରିବା ଆଶେ ବିସ୍ତାରନ୍ତେ ବାହୁ,

ଦେଲେ ସେ ସବଳେ ଠେଲି ବାମ କରେ, ତହୁଁ

 

ପଡିଲା ଦୁର୍ଜନ ଦୂରେ କଚାଡ଼ି ଉତ୍ତାନ୍ନେ ।

ଦେଖି ତା ବିକ୍ରମାଦିତ୍ୟ କରି ପରିହାସ

ଭାଷିଲେ ସକ୍ରୋଧେ, ‘‘ଧିକ୍ ଦୂରନ୍ତ ବର୍ବର,

ଏହି ଛାର ବଳ ଧରି ଏତେ ଆସ୍ଫାଳନ !

 

‘‘ସ୍ୱଳ୍ପ ବିତ୍ତ ଦରିଦ୍ରର ଗର୍ବର କାରଣ’

ଯଥାର୍ଥ ଏ ଉକ୍ତି, ଦୁଇ ଚାରି ମୋତି ଯୋଗୁଁ

ଉନ୍ନତ୍ତ ମାତଙ୍ଗ, ମୂଢ଼ ସେହି ରୀତି ତୋର ।

ଶେଷ ତୋର, ଖଳ, ଆଜି ମାନବ-ପାରିଧି,

 

ସେହି ପାରିଧିର ଲକ୍ଷ୍ୟ ହେବୁ ତୁହି ଆପେ,

ହେବ ମହା ପ୍ରାୟଶ୍ଚିତ୍ତ ତୋ ମହାପାପର ।

ଯେ ଜଘନ୍ୟ ଯାଗ, ଦୁଷ୍ଟ, ଥିଲୁ ତୁ ଆଚରି,

ପିଣ୍ଡ ତୋର ସେ ଯାଗର ହେବ ପୂର୍ଣ୍ଣାହୁତି,

 

ମୁଁ ହେବି ପୁରୋଧା ତହିଁ, ଦକ୍ଷିଣା ସ୍ୱରୂପେ

ଘେନିବି ରେ ଆଜି ତୋର କଳଙ୍କିତ ପ୍ରାଣ ।

ତୋର ଏହି ଦୁଷ୍ପରଣୀ ବୀଭତ୍ସ ନାଟକେ

କରିବ ସଂପାଦ କାଳ ଚିର ଯବନିକା,

 

ଶୋକର ଅନ୍ତିମ ଶ୍ୱାସ ଛାଡ଼ି ଏ ଧରଣୀ

ପୂଜିବ ଆଶାର ପାଦ ନବୀନ ଉତ୍ସାହେ,

ଆଜି ଏହି ବୀରମାତା ଅବନ୍ତୀ ଭାଗ୍ୟରେ

ମହାପରିବର୍ତ୍ତନର ସୌଭାଗ୍ୟ ସୁଦିନ,

 

ଧର୍ମ ଯଦି ସତ୍ୟ, ସତ୍ୟ ଯଦି ସତ୍ୟ, ତେବେ

ନିଶ୍ଚୟ ସଫଳ ହେବ ମୋର ଏ ବଚନ ।

ଶୁଣି ଏହି ଅରୁନ୍ତୁଦ ସୁତୀବ୍ର ଭର୍ତ୍ସନା

ରୁଷିଲା ବେତାଳ, ତହୁଁ ଉଠି ସେ ତ୍ୱରିତେ

 

ସବଳେ ବିକ୍ରମାଦିତ୍ୟେ ଧରିଲା ଆକଟି,

ଲାଗିଲା ନିରସ୍ତ୍ର ଯୁଦ୍ଧ, ତୁମୁଳ ଅତୀବ,

ବେନି ବୀରେ ଛନ୍ଦି ହୋଇ ଭୁଜେ ଭୁଜେ,

ପଦେ ପଦେ, ପିଟାପିଟି ହେଲେ ଶିରେ ଶିରେ ।

 

ଏହିରୂପେ ମଲ୍ଲରଣେ ମାତିଲେ ଉଭୟେ

ଅର୍ଦ୍ଧଯାମଯାଏଁ, ଶେଷେ ହେବାରୁ ଦୁର୍ବଳ

ବେତାଳ, ବିକ୍ରମ ତାକୁ ଫିଙ୍ଗି ଦେଲେ ଦୂରେ ।

ଲଭି ପରାଭବ କ୍ରୂର, ହୋଇ ଯୁକ୍ତପାଣି

 

ଭାଷିଲା ବିନୟେ, ‘‘ବୀର, ଜାଣିଲି ମୁଁ ଏବେ

ନିଶ୍ଚୟ ବିକ୍ରମାଦିତ୍ୟ ଅଟନ୍ତି ଆପଣ,

ନୁତବା ଜିଣିବ ମୋତେ ଯୁଗାନ୍ତେ ସମରେ

ଏଭଳି ସାମରୀ ନାହିଁ ମାନବ ସୃଷ୍ଟିରେ ।

 

ତୁମ୍ଭେ ଇନ୍ଦ୍ରପୌତ୍ର, ତେଣୁ ଜିଣିଲ ସହଜେ,

ବୀରବର ମାଗୁଛି ମୁଁ ପ୍ରାଣଭିକ୍ଷା ପଦେ,

ପ୍ରକାଶି କରୁଣା କର ଅପରାଧ କ୍ଷମା,

ବୀର ତୁମ୍ଭେ, ବୀରଧର୍ମ ନୁହ ହେ ଅଜ୍ଞାତ,

 

କ୍ଷମା ସିନା ବୀରତ୍ୱର ଗୌରବଭୂଷଣ ।

ଶରଣରକ୍ଷଣ ଏକା ମହତଲକ୍ଷଣ,

ଅର୍ପିନାହିଁ କେତେ କଷ୍ଟ ସାଗରେ ମନ୍ଦିର,

ମାତ୍ର ସେହି ପର୍ବତର ସ୍ୱଜାତି ମୈନାକ

 

ପଶନ୍ତେ ଶରଣ ଆସି ସୁନାସୀର ଭୟେ,

ସାଦରେ ଆଶ୍ରୟ ତାକୁ ଦେଲା ଅମ୍ବୁପତି ।

ଗୁଣଧର, ତୁମ୍ଭେ ଏକା ପୁଣ୍ୟ ଅବନ୍ତୀର

ଉପଯୁକ୍ତ ରାଜା, କ୍ଷମ ଧୃଷ୍ଟତା ମୋହର,

 

ସାଧିବି ଭବିଷ୍ୟ ବହୁ ଉପକାର ତବ ।’’

ଉତ୍ତରିଲେ ବିକ୍ରମାର୍କ, ‘‘ଭୟ ନାହିଁ ବୀର,

ନିରେଖି ତୁମ୍ଭଙ୍କୁ ରଣେ ଏକାନ୍ତ ଅକ୍ଷମ

ଲଭିଛି ମୋ କ୍ରୋଧାବେଗ ପୂର୍ବୁ ଉପଶମ,

 

ମାନେ ସ୍ୱତଃ ପରାଜୟ ତୃଣଲତାହୀନ

ଉଷର ନିକଟେ ଅଗ୍ନି, କି କାର୍ଯ୍ୟ ସ୍ତୁତିରେ ?

ବସାଏ ଯେ ଅସ୍ତ୍ରଚୋଟ ବିଜିତ ଶରୀରେ,

ସେ ପିଶାଚ, ବୀରାଧମ, ନାହିଁ ଭେଦ କିଛି

 

ଜେତା ବିଜତର ପ୍ରାଣେ-ଭେଦ ପରାକ୍ରମେ,

ପରାଜିତେ ସମ୍ମାନନା ଜେତା ପକ୍ଷେ ମାନ,

ଅତଏବ ଯଥାଇଚ୍ଛା ଗମ ବୀରମଣି ।’’

ଯେ ଆଜ୍ଞା ଉଚ୍ଚାରି ହର୍ଷେ ତହୁଁ ସେ ବେତାଳ

 

ଜୁହାରି ବିକ୍ରମେ କଲା ବିଦାୟ ଗ୍ରହଣ,

ନିଶୀଅ ସମୟ ଜାଣି ପହୁଡ଼ିଲେ ରାଏ ।

 

Unknown

ଷଷ୍ଠ ସର୍ଗ

 

ଅନନ୍ତର ଯଥାକାଳେ ପାହିଲା ଯାମିନୀ,

ପାହିଲା ତା ସଙ୍ଗେ ସଙ୍ଗେ ଦୁର୍ଭାଗ୍ୟ-ରଜନୀ

ଅବନ୍ତୀର ବିଧିବଶେ, ଅଦ୍ୟର ପ୍ରଭାତ

ତାହା ପକ୍ଷେ ପୂନର୍ଜନ୍ମ-ମଙ୍ଗଳ ପ୍ରଭାତ ।

 

ବିହଗେ ଆଳାପ କଲେ ବିଭାଷରାଗିଣୀ

ମଧୁସ୍ରାବୀ ସ୍ୱରେ, ତହିଁ ମିଶାଇଲ ସ୍ୱର

ସ୍ୱାଧ୍ୟାୟନିରତ ଯୋଗୀ ପ୍ରଣବ ଓଁକାର ।

ଆହା କି ପବିତ୍ର କାଳ, ତରୁଲତା ଆଦି

 

ସର୍ବେ ଧ୍ୟାନମଗ୍ନ, ଧନୀ କାନନକମଳା

ସୁକୁମାରୀ ଫୁଲକୁଳ ରତ ମହାଯୋଗେ,

ବିସର୍ଜି ଶିଶିର ଛଳେ ପ୍ରେମାଶ୍ରୁ କଣିକା ।

ଭକ୍ତର ପ୍ରେମାଶ୍ର ଆହା କି ଅମୂଲ୍ୟ ଧନ,

 

କି ଦେବଦୂର୍ଲ୍ଲଭ ନିଧି, କି ପବିତ୍ର ତାହା,

ପୂଜା-ଫୁଲ, ତୁଳସୀ ବା ନିର୍ମାଲ୍ୟପ୍ରତିମ,

 

ଅଙ୍ଗେ ବୋଳି ତାକୁ ଅଳି ହେଉଅଛି ଧନ୍ୟ,

ଯଥା ସୁବୈଷ୍ଣବ, ବୋଳି ହୋଇ ଦେହେ, ଶିରେ

କୀର୍ତ୍ତନ-ମଣ୍ଡଳୀ-ପଦଧୂଳି ଭକ୍ତିଭାବେ

ମଣନ୍ତି ଆତ୍ମାକୁ ମୁକ୍ତ, କୃତାର୍ଥ, ପାବନ ।

ମଧୁର ପ୍ରଭାତେ ପଡ଼ି ମଧୁର ମୟୂଖ

ଉଷାର, ଭାତିଲା ଯେହ୍ନେ ହୋଇଗଲା ଆହା

ମଧୁପରେ ମଧୁ ବୃଷ୍ଟି, କିମ୍ବା ଫୁଟିଗଲା

ଫୁଲ ପରେ ଫୁଲ, ଦିଗ ଦିଶିଲା ପ୍ରସନ୍ନ ।

ତୃଣିତ ପ୍ରାନ୍ତରେ ଶୋଭେ ଚକ୍ରାକାରେ ହିମ

ଠାବେ ଠାବେ, ଆହା କିବା ବୈଦିକା ପ୍ରକୃତି,

ଅଙ୍କିଛି ବିଶାଳ ବକ୍ଷେ ପ୍ରଣବର ମୁଦ୍ରା

ଚନ୍ଦନେ, ଆଗ୍ରହେ, ଭକ୍ତି ଅନୁରାଗ ସହ ।

ଏକାଳେ ବିକ୍ରମାଦିତ୍ୟ ହୋଇ ଶଯ୍ୟୋତ୍ଥିତ,

ସାରି ପ୍ରାତଃକୃତ୍ୟ ହେଲେ ସିଂହାସନେ ବିଜେ,

ଆସି ସଭାସଦେ ତହୁଁ ନମିଲେ ପୟରେ,

ନମେ ଯଥା ପକ୍ୱଶାଳୀ ହେମନ୍ତେ କେଦାରେ ।

 

ଭାଷିଲେ ସକଳେ, ‘‘ପ୍ରଭୋ, ନିଶ୍ଚୟ ଆପଣ

ମହାତ୍ମା ବିକ୍ରମାଦିତ୍ୟ, ନତୁ ଶକ୍ତି କା’ର

ଶାସିବ ବେତାଳ ଦୁଷ୍ଟେ, ଅଗସ୍ତ୍ୟ ବ୍ୟତୀତ

ଶୋଷଣେ କ୍ଷମ ବା କିଏ ଅଗାଧ ସାଗର ?

ଚକ୍ଷୁଷ୍ମାନ ଅନ୍ଧ ଆମ୍ଭେ, ବିଷୟର କୀଟ,

ନ ପାରିଲୁଁ ଚିହ୍ନି ଯାହା ଛାମୁଙ୍କ ସଦୃଶ

ଋଷିକଳ୍ପ ସାଧୁଜନେ, ଆଜ୍ଞା ହେଉ କ୍ଷମା,

ଛାମୁଙ୍କ ସଂସର୍ଗେ ଏବେ ଲଭିବୁଁ ଯୋଗ୍ୟତା,

ପରଶି ମଳୟ ଗିରି ପବିତ୍ର ସନ୍ନିଧି

ଲଭେ ହୀନ ତରୁ ସୁଦ୍ଧା ଚନ୍ଦନର ଭାବ ।

ଛାମୁଙ୍କର ରାଜ୍ୟ ଏବେ ପାଳନ୍ତୁ ଶ୍ରୀଛାମୁ,

ଆମ୍ଭେମାନେ ଆଜ୍ଞାବହ ମାତ୍ର, ଯଥାଦେଶ

ସାଧିବୁଁ କର୍ତ୍ତବ୍ୟ ସର୍ବେ, ଧରଣୀ ଧାରଣ

ଶେଷ ଭୁଜଙ୍ଗର କାର୍ଯ୍ୟ-ନୁହେଁ ଡ଼ଣ୍ଡୁଭର !

ହେର ନୃପ ଉଜ୍ଜୟିନୀ ଛାରଖାର ଏବେ,

ମାତ୍ର ଏ ଦୁର୍ଦଶା ତାର ମେଣ୍ଟିବ ଅଚିରେ,

 

ସୁ-ସ୍ଥପତି * ବସନ୍ତର ଅନୁପସ୍ଥିତିରେ

ଘଟିଥାଏ ଯେତେ କ୍ଷତି ତା ବିଳାସଗୃହ

* ପ୍ରବୀଣ ବିନ୍ଧାଣି

ଏହି ପ୍ରକୃତିର, ଆସି ଦେଖିବାମାତ୍ରେ ସେ

କରି ତା ସଂସ୍କାର, ମଣ୍ଡେ ମଣିମାଣିକ୍ୟରେ ।

ଢ଼ାଳିଲ କି ଶାନ୍ତି-ବାରି ଅବନ୍ତୀ ପରାଣେ !

କି ଦ୍ରବ୍ୟେ ପୂଜିବୁଁ ଆଜି ଛାମୁଙ୍କ ଚରଣ ?

ନାହିଁ କିଛ, ଏଣୁ ଖାଲି ଆନନ୍ଦ-ଲୋତକେ,

ଧୋଇଦେଇ ଶ୍ରୀଚରଣ ମେଣ୍ଟାଉଛୁଁ ଆଶା ।’’

ଏ ପ୍ରୀତି-ଅଭିନନ୍ଦନ ପ୍ରତ୍ୟୁତ୍ତର ଛଳେ

ଭାଷିଲେ ବିକ୍ରମାଦିତ୍ୟ ସଂକ୍ଷେପେ ଏତିକି-

‘‘ମନ୍ତ୍ରିବର୍ଗ, ତବ ଏହି ଆଶାର ସାଫଲ୍ୟ

ତୁମ୍ଭରି ମସ୍ତିଷ୍କଜାତ ମନ୍ତ୍ରଣାସାପେକ୍ଷ,

ଅନିଳ ସହାୟ ହେତୁ ଅନଳ ପ୍ରବଳ !

ବିକ୍ରମ ଆଗମ ବାର୍ତ୍ତା ହେଲା ପ୍ରଚାରିତ

ତଡିତ ଗତିରେ, ଶୁଣି ନାଗରିକ ଜନେ

 

ଏ ମଙ୍ଗଳ ସମାଚାର ଅର୍ପି ଧନ୍ୟବାଦ

ଅନାଦି କରୁଣାମୟେ, ସୌଭାଗ୍ୟେ ନିଜର

ଜୀବନଦୂର୍ଲଭ ସୁଖେ ହେଲେ ସେ ବିହୁଳ,

ଚିର ଆଶଙ୍କାର ସ୍ମୃତି ବିସୋରି ପଲକେ ।

ନଗରୀ ଉଦ୍‌ଯାପତିଥିଲା ଯେଉଁ ଆଶା-ବ୍ରତ

ପୁନଶ୍ଚ ଧରିଲା ତାହା ବହୁକାଳ ପରେ,

ବାଳବୃଦ୍ଧ ସର୍ବେ ଆଜି ଆଶାର ପୂଜାରୀ

ତାହାର ପ୍ରଦତ୍ତ ମନ୍ତ୍ରେ ଜପିଲେ ତାହାକୁ ।

ଲାଗିଲା ସାଟୋପେ ରାଜ୍ୟେ ଆନନ୍ଦ ଉତ୍ସବ,

ଉଡ଼ାଇ ମଙ୍ଗଳଧ୍ୱଜା ନଗର-ନିବାସୀ

‘‘ଜୟ ମହାରାଜ ଜୟ ବିକ୍ରମ-ଆଦିତ୍ୟ’’

ଉଚ୍ଚାରି ଉଚ୍ଚରେ, କଲେ ଶୋଭାଯାତ୍ରା ମୋଦେ ।

କାହିଁ ନୃତ୍ୟଗୀତ, କାହିଁ ଦରିଦ୍ରଭୋଜନ,

କାହିଁ ଦେବାର୍ଚ୍ଚନା, ଗ୍ରହପୂଜା, ଏହିରୂପେ

ନାନା ଅନୁଷ୍ଠାନ ବକ୍ଷେ ଧରିଲା ନଗରୀ ।

ଚାରୁ ହାସ୍ୟଧାରା ଚିର ବିରସ ବଦନେ

 

ପଡିଲା ଉଛୁଳି, ହୃଦ ସୁଖଶାନ୍ତି ତାର

ଆସିଲା ବାହୁଡ଼ି, ହେଲା ଚିନ୍ତା ଦୂରୀଭୂତ ।

ମାହେନ୍ଦ୍ରେ ଆରମ୍ଭ ହେଲା ବିକ୍ରମାଦିତ୍ୟଙ୍କ

ପବିତ୍ର ରାଜତ୍ୱ, ତହିଁ ସଙ୍ଗେ ସୃଷ୍ଟି ହେଲା

ବିଶ୍ୱ-ଇତିହାସେ ଏକ ନବୀନ ଅଧ୍ୟାୟ

ଉପାଦେୟ ! କର୍ମବୀର ଅବତୀର୍ଣ୍ଣ ଆଜି

ମହୀ-କର୍ମକ୍ଷେତ୍ରେ, ମହାନିୟତିର ସ୍ରୋତ

ବହିବ ଉଜାଣି, ଏବେ ହସିବ ଉଜ୍ଜ୍ୱଳେ

ବିପଣୀରେ ରତ୍ନରାଜି, ଉଠିବ କବିତା-

ସ୍ୱର ଅବନ୍ତୀର ପ୍ରତି ଲୋମକୂପୁଁ, ଜାଣି

ଏହା ବିଶ୍ୱରାଣୀ ରମା, ଦେବୀ ବୀଣାପାଣି,

ଆଶ୍ରା କଲେ ସ୍ୱତଃ ଆସି ସେ ରମ୍ୟା ନଗରୀ,

ବସନ୍ତ ଆଗମ ଜାଣି ବିଳମ୍ବେ କି କେବେ

ସୁକଣ୍ଠୀ କୋକିଳା, କିମ୍ବା ରସାଳ କଳିକା ?

ଆବର ଆଶ୍ରିଲା ଧର୍ମ, ବହୁଦିନୁ ସେହୁ

ଲୁଚିଥିଲା ସ୍ଥାନାନ୍ତରେ ଅସହାୟ ହେତୁ,

 

ଲଭି ଏବେ ବିକ୍ରମାର୍କେ ପୃଷ୍ଠରକ୍ଷିରୁପେ

ଆସିଲା ନିର୍ଭୟେ, ଘେନି ଆତ୍ମଜ ଆତ୍ମଜା-

ସତ୍ୟ, ନ୍ୟାୟ, ପ୍ରୀତି, ଭକ୍ତି, ପବିତ୍ରତା ଆଦି ।

 

ବିକ୍ରମାର୍କ ରାଜପଦେ ହୋଇ ଅଧିଷ୍ଠିତ

ଚିନ୍ତା କଲେ ଅବନ୍ତୀର ଉନ୍ନତି ଉପାୟ,

ଆଗେ ଚିନ୍ତା, ତହିଁ ପଛେ ଚେଷ୍ଟା, ସର୍ବ ଶେଷେ

କରୁଥିଲେ ସେ ଚେଷ୍ଟାକୁ କାର୍ଯ୍ୟେ ପରିଣତ,

 

ଉଦ୍ୟାନପାଳକ ଯଥା, କରେ ସେ ପ୍ରଥମେ

ବୀଜରୁ ଅଙ୍କୁରୋତ୍ପତ୍ତି, ଅଙ୍କୁରୁ ପାଦପ,

ପାଦପରୁ ଫୁଲ ଫଳ ପର୍ଯ୍ୟାୟକ୍ରମରେ ।

ରାଜ୍ୟର ସେବକ ରାଜା, ନୁହେଁ ସ୍ୱାମୀ କେବେ,

 

ରାଜପଦ ନୁହେଁ ଭୋଗ-ବିଳାସ ଉପାଧି,

ଶବ୍ଦମୟୀ ପ୍ରଜାଶକ୍ତି ତାହା, ଧରି ମନେ

ଏହି ଭାବ ରାଏ, କାର୍ଯ୍ୟେ ନିରତ ସତତ

ନ ଭଜି ବିଶ୍ରାମ କ୍ଷଣେ । କାହିଁ ବା ବିଶ୍ରାମ

 

ମହାଜନ ପ୍ରାଣେ, ନ୍ୟସ୍ତ ଯାହା ଶିରେ ସଦା

କୋଟି ପ୍ରଜା ଧନପ୍ରାଣ ସଂରକ୍ଷଣ ଭାର,

ଅଛି କି ବିଶ୍ରାମ ତାର ? ହୁଏ ଯଦି କ୍ଷଣେ

ସ୍ଥିର ବାୟୁ, ହେବ ସୃଷ୍ଟି ଜୀବଶୂନ୍ୟ ତେବେ ।

 

କର୍ମସାଧନ ହିଁ ପୁଣ୍ୟ, ନିଷ୍‌କ୍ରିୟତା ପାପ,

ନୋହି ଆଳସ୍ୟର ଦାସ ଖଟାଏ ଯେ ତାକୁ

ଦାସପଣେ, ସେହି ଏକା କର୍ମୀ, ଆନର ଯା

କର୍ମକ୍ଳାନ୍ତି, ମଣେ ସେ ତା ଶାନ୍ତି, ତୃପ୍ତି, ସୁଖ ।

 

କ୍ରୀଡ଼ାକ୍ଳାନ୍ତ କେବେ କାହିଁ ହୁଏ କି ବାଳକ ?

ପ୍ରତ୍ୟୁତ ସେ ଲିପ୍ତ ହୁଏ ଯେତିକି କ୍ରୀଡ଼ାରେ

ତେତିକି ପ୍ରବୃଦ୍ଧି ଲଭେ ପ୍ରବୃତ୍ତି ତାହାର,

ଏହିଭାବେ ସାଧେ କର୍ମ ଯେ ନମସ୍ୟ ଜନ

 

କର୍ମଦେବ ମହାପୂଜାବେଦୀ-ଏ ମହୀରେ,

ଛନ୍ଦିହୁଏ ତାହା ପଦେ ସିଦ୍ଧି ଅଯାଚିତେ ।

ଲାଗିଲା ରାଜ୍ୟସ୍ଥ ଜୀର୍ଣ୍ଣ ଦୁର୍ଗ, ଦେବାଳୟ,

ତଡ଼ାଗ ସଂସ୍କାର-କାହିଁ ନୂତନ ନିର୍ମାଣ

 

ବହୁ ରଥ୍ୟା, କୂଲ୍ୟାଯୋଗେ କୃଷି ବାଣିଜ୍ୟର,

ଘଟିଲା ଉନ୍ନତି କ୍ରମେ, କାହିଁ ଶିଳ୍ପଶାଳା,

କାହିଁ କୃଷିଶାଳା, କାହିଁ ଅନାଥ-ଆଶ୍ରମ,

ଗୋଶାଳା, ଔଷଧାଳୟ, ଶାନ୍ତିରକ୍ଷାଗାର,

 

ସଭାଗୃହ, ବନ୍ଦିଶାଳା, ଧର୍ମାଧିକରଣ,

ପ୍ରଦର୍ଶନୀ ଗୃହ, ହାଟ ବିପଣୀବୀଥିକା,

ଅନ୍ନଛତ୍ର, ପାନ୍ଥାଗାର, ପ୍ରଜାଶିକ୍ଷା ପାଇଁ

ବିଦ୍ୟାଳୟ, ଗ୍ରନ୍ଥାଗାର, ରଙ୍ଗମଞ୍ଚ ଆଦି

 

ଯାବତୀୟ ନାଗରିକ ପୂର୍ଣ୍ଣ ଉପାଦାନେ

ଶୋଭିଲା ନଗରୀ, ହେଲେ ନିୟୋଜିତ ବହୁ

ସ୍ୱଦେଶରକ୍ଷାର୍ଥେ ସେନା ସମରକୁଶଳ ।

ନ ହେଲେ ସୁପ୍ରତିଷ୍ଠିତ ଧର୍ମଭିତ୍ତି ପରେ

 

ହୁଏ ନାହିଁ ସ୍ଥାୟୀ କଦା କେବଣ ଉନ୍ନତି,

ବାଲିବନ୍ଧ, ଅଟ୍ଟାଳିକା ସମ୍ଭାଳିବ କାହିଁ ?

ସଂଯମିତ-ନିୟନ୍ତ୍ରିତ କରେ ଧର୍ମଜ୍ଞାନ

ସିନା ମାନବଚରିତ୍ରେ-ସ୍ୱଭାବୋଚ୍ଛୃଙ୍ଖଳ ।

 

ଜାଣି ଏହା, ଧର୍ମଭାବବୃଦ୍ଧି ଅଭିପ୍ରାୟେ

ପ୍ରକୃତିପୁଞ୍ଜର କଲେ ନିୟୋଜିତ ରାଏ

ଧର୍ମଗୁରୁଚୟେ, ଭ୍ରମି ସର୍ବତ୍ର ସେମାନେ

ପ୍ରଚାରିଲେ ନିତ୍ୟ ସତ୍ୟଧର୍ମର ମହିମା ।

 

ଏହିରୂପେ ସୁସାଧନା ସଂଗୃହୀତ ହେମେ

ତୋଳିଦେଲେ ନବ ଭାଗ୍ୟ-ହର୍ମ୍ୟ ଅବନ୍ତୀର,

ହେଲା ହୃଷ୍ଟପୁଷ୍ଟ ସେହୁ, କୁଅମଳ ତ୍ୟାଗେ

ଅମଳୀ ଶରୀର ଯଥା, ବିଭାତିଲା ଚାରୁ

 

ନବଶୋଭା, ସୃଷ୍ଟି ଯଥା ମହାବାତ୍ୟା ପରେ ।

ପାଳିଲେ ନୃପତି ପ୍ରଜା ପୁତ୍ରନିର୍ବିଶେଷେ,

ନାହିଁ ଶତ୍ରୁମିତ୍ର ଭେଦ, ମିତ୍ରଠାରୁ ବଳି

ଶତ୍ରୁ ପ୍ରତି ପ୍ରକାଶନ୍ତି ସଂପ୍ରୀତି ବିସ୍ତର,

 

ଯେଣୁ ମହାଜ୍ଞାନୀ, ତେଣୁ ଜାଣନ୍ତି ନିକର,

ବଢ଼ାଏ ଅନ୍ଧାର ସିନା ପ୍ରଦୀପର ପ୍ରଭା,

କେବଳ ସର୍ପର ମଣି ନୁହେଁ କାର୍ଯ୍ୟବର,

ବିଷ ସୁଦ୍ଧା ସମାଦୃତ ସ୍ଥଳବିଶେଷରେ,

 

ବିନାଶେ ସେ ପ୍ରାଣ, ଏହା ହେଲେହେଁ ନିଦାନ,

ଔଷଧରୂପରେ କରେ ପ୍ରାଣରକ୍ଷା ପୁଣି ।

ବିଶୋଭିଲା ଉଜ୍ଜୟିନୀ ରମଣୀୟ ବେଶେ,

ଫୁଲର ପିତୁଳାଟିଏ ଉଭା କିବା ଆହା

 

ପିନ୍ଧି ଫୁଲ ଅଳଙ୍କାର, ଫୁଲର ମୁକୁଟ,

ବିସ୍ତାରି ଫୁଲର ହାସ ନର୍ତ୍ତନ ଭଙ୍ଗୀରେ ।

ବାହ୍ୟ ଶୋଭାଠାରୁ ବଳେ ଅନ୍ତରର ଶୋଭା,

ଅନନ୍ତ ଗାମ୍ଭୀର୍ଯ୍ୟବୋଳା, ମାଧୁର୍ଯ୍ୟେ ସିକତ,

 

ସ୍ୱାଧୀନତା-ମୁକ୍ତବାୟୁ ଖେଳିଲା ଚହଟି,

ବିଚରି ଉନ୍ନତି-ପୁଷ୍ପ-କୋମଳ-ଆମୋଦ ।

ଯଥା ରାଜା ପ୍ରଜାପ୍ରୟ, କଥା ପ୍ରତାକୁଳ

ରାଜଭକ୍ତ, ଯୋଗ୍ୟ ରାଜା ଯୋଗ୍ୟ ପ୍ରଜା, ଦୁହେଁ

 

ଯୋଗ୍ୟତାର ପ୍ରାପ୍ୟ ମୂଲ୍ୟ ପରସ୍ପରଠାରୁ

ପରିଗ୍ରହି ମଣୁଥିଲେ କୃତାର୍ଥ ନିଜକୁ ।

କି ପ୍ରଭେଦ ରାଜା ପ୍ରଜା ଉଭୟ ମଧ୍ୟରେ,

ଯେତିକି ପାର୍ଥକ୍ୟ ଅଛି ସମଷ୍ଟି ବ୍ୟଷ୍ଟିରେ,

 

ତେତିକି ପ୍ରଭେଦ ମାତ୍ର, ସେ ପ୍ରଭେଦଟିକ

କଲେକ ବିୟୋଗ ତହୁଁ ବେନିଏ ସମାନ,

ରାଜର୍ଷି ବିକ୍ରମଙ୍କର ଏ ଚିର ଧାରଣା ।

ଭାଗ୍ୟଧର ରାଜା ହୋଇ ବହନ୍ତି ଯେ ମନେ

 

ଏଭଳି ମହୋଚ୍ଚ ସାମ୍ୟ, ଦୈନ୍ୟ, ସରଳତା,

ସ୍ପର୍ଶି ରାଜପଦ ତାଙ୍କୁ ଧନ୍ୟ ହୁଏ ଭବେ,

ପ୍ରଣମେ ଜଗତ ତାଙ୍କ ପୁଣ୍ୟ ପାଦମୂଳେ ।

ନୃପତି ସଦ୍ଗୁଣରାଶି ଥିଲା ପ୍ରତିଫଳି

 

ପ୍ରତି ପ୍ରଜା ପ୍ରାଣେ, ଯଥା ଶିକ୍ଷକ ସ୍ୱଭାବ

ପ୍ରତିଫଳେ ଅବିକଳ ସୁଛାତ୍ର ହୃଦୟେ,

ପ୍ରଜାଙ୍କ ବିଶ୍ୱାସ-ରାଜା ଦେବତା ତାଙ୍କର,

ପ୍ରବାହିତ ଯେ ଶୋଣିତ ପ୍ରଜାକଳେବରେ,

 

ନୃହେଁ ସେ ଶୋଣିତ-ରାଜ କରୁଣାପ୍ରବାହ,

ରାଜା ପରମାତ୍ମା, ପ୍ରଜା ଜୀବାତ୍ମାସ୍ୱରୂପ,

ତାହାଙ୍କ ଶାସନଦଣ୍ଡ ଶିରୋଧାର୍ଯ୍ୟ ସିଦା

ପ୍ରଜା ପକ୍ଷେ, ବହେ ଶିରେ ଜ୍ୟୋତ୍ସାଦଣ୍ଡ ଯଥା

 

ସାଦରେ ପ୍ରକୃତି, ମଣି ପ୍ରାଣେ ହିତ ତାହା ।

ନିର୍ମଳ ବିଶ୍ୱାସ କେଡ଼େ, ଏଭଳି ସୁ ପ୍ରଜା ।

ଯାର, ସେହି ରାଜା ଏକା ଭବେ ଭାଗ୍ୟବାନ,

ସେହି ରାଜ୍ୟ ମର୍ତ୍ତ୍ୟେ ସ୍ୱର୍ଗ, ମହାତୀର୍ଥ ନତୁ ।

 

ବିକ୍ରମଙ୍କ ସୁପାଜନେ ଦୈନ୍ୟ ହେଲ ଦୂର,

ନ ଭୁଞ୍ଜିଲେ ପ୍ରଜା କେହି ଅଭାବଜନିତ

କ୍ଳେଶ, ସର୍ବ ସ୍ୱାବଲମ୍ବୀ, ଧର୍ମପରାୟଣ,

ନାହିଁ ରାଜ୍ୟେ ହିଂସା, ଦ୍ୱେଷ, ପାପ, ପ୍ରତାରଣା,

 

ବହିଲା ସର୍ବତ୍ର ଶାନ୍ତି-ସଖ୍ୟ-ସ୍ନେହ-ପ୍ରୀତି-

ପୁତସ୍ରୋତ, କଳି ଶବ ହେଲା ବ୍ୟବହୃତ

ଯୁଗଅର୍ଥେ, ମିଥ୍ୟା, କ୍ରୋଧ ଆଳସ୍ୟ, କୁସ୍ୱାର୍ଥ

ଲୋଭ, ଚୌର୍ଯ୍ୟ, ଅହଙ୍କାର ଏ ଶବ୍ଦସକଳ

 

ପ୍ରଚଳିତ ଅଭିଧାନୁ ହେଲା ବହିଷ୍କୃତ ।

ଲଭିଲା ପ୍ରବଳେ ବୃଦ୍ଧି ସତ୍ୟର ସାଧନା,

ଶରୀରେ ଯନ୍ତ୍ରଣା ଅର୍ପି ନାନା ଓଷାବ୍ରତ

ନ ପାଳି ନଗରବାସୀ ଧରିଲେ ହୃଦୟେ

 

ଦୟା, କ୍ଷମା, ସାମ୍ୟ, ନିଷ୍ଠା, ସୌଜନ୍ୟ, ଶିଷ୍ଟତା,

ପରୋପକାରାଦି ବ୍ରତ, ବିବୁଧ-ବନ୍ଦିତ ।

କ୍ଷେତ୍ର ଯଥା ଗୁଣେ ନେଇ ବିହନସ୍ୱରୂପେ,

ଅର୍ପେ ଶତଗୁଣ ଶସ୍ୟ, ତଥା ନରମଣି

 

ଷଷ୍ଠାଂଶ ଗ୍ରହଣ କରି ଉତ୍ପନ୍ନ ଶସ୍ୟର

ରାଜକରରୂପେ, ତହିଁ ପ୍ରକୃତିପୁଞ୍ଜର

ସାଧୁଥିଲେ ବହୁ ସୁଖ ସୁବିଧା ଉପାୟ ।

ମଣନ୍ତି ସେ ରାଜକୋଷ ସଂଗଚ୍ଛିତ ଧନେ

 

ପ୍ରଜାଙ୍କ ଶୋଣିତ, ତେଣୁ କପର୍ଦ୍ଦକ ତହୁଁ

ନ କରନ୍ତି ବ୍ୟୟ କେବେ ନିଜପାଇଁ ନୃପ,

ବୋଲନ୍ତି, ‘‘ପ୍ରଜାଙ୍କ ଧନ ଶଙ୍କରନିର୍ମାଲ୍ୟ ।’’

ଦୁର୍ବଳ-ପକ୍ଷପାତିନୀ ତାଙ୍କ ରାଜନୀତି,

 

ଆଣିଥିଲା ବାହୁଡ଼ାଇ ଯୁଧିଷ୍ଠିର ଯୁଗେ

ସୁଦୂର ଅତୀତ ଗର୍ଭୁ, ଅପନ୍ତି ଯା’କୁ ସେ

ଦଣ୍ଡ, ଦୋଷୀ ଜ୍ଞାନେ, ପୁଣି ପାଳନ୍ତି ତାହାକୁ

ପ୍ରଜାଜ୍ଞାନେ, ଅଛି ସତ୍ୟ ଶାସନ କ୍ଷମତା

 

ପିତାର ସନ୍ତାନ ପ୍ରତି, ମାତ୍ର ବଳେ ତହୁଁ

ପାଳନଦାୟିତ୍ୱ, ଏହା ଥିଲେ ସେ ବିଜ୍ଞାତ ।

ନୁହେଁ ଅଳଙ୍କାର ରାଜମୁକୁଟ ତାଙ୍କର,

ବରଞ୍ଚ ସେ ଅଳଙ୍କାର ରାଜମକୁଟର,

 

ପଦ୍ମପତ୍ର ଜଳ ମଧ୍ୟେ ଯେତିକି ଅନ୍ତର,

କିମ୍ବା ଶାଖୀ ଶାଖା ମଧ୍ୟେ ଯେତେ ବ୍ୟବଧାନ,

ତେତିକି ଅନ୍ତର ରାଏ ମଣନ୍ତି ନିଜକୁ

ପ୍ରଜାଠାରୁ, ପ୍ରଜାପ୍ରାଣେ ମିଶାଇ ସ୍ୱପ୍ରାଣ,

 

ମହତ ଉଦ୍ଦେଶ୍ୟ ଧରି ଅର୍ପୁଥିଲେ ହାତ

ଯେଉଁ କାର୍ଯ୍ୟେ, ସାଧୁଥିଲେ ଅନାୟାସେ ତାହା,

ସଦିଚ୍ଛାର ପଛେ ପଛେ ଥାଏ ଲୁଚି ସିନା

ସିଦ୍ଧି ଦେବୀଙ୍କର ଶୁଭ ଅବ୍ୟର୍ଥ ଆଶିଷ ।

 

ପ୍ରଜାପୁଞ୍ଜ ବାଞ୍ଛାବଟ ଯେପରି ନୃପତି,

ସେହିପରି ରାଜାଦେଶ ପ୍ରତିଧ୍ୱନି ପ୍ରଜା,

ଆହା, ଗଙ୍ଗା ଯମୁନାର କି ମଧୁ ମିଳନ,

ସେ ପୁଣ୍ୟ ପ୍ରୟୋଗ ତୀର୍ଥେ ନିତ୍ୟ ଅବଗାହି

 

ମଣୁଥିଲେ ପରସ୍ପରେ କୃତାର୍ଥ ନିଜକୁ ।

ସେ ଅମୃତ ସମ୍ମିଳନ ବିସ୍ତାରି ଚୌଦିଗେ

ଜୀବନ୍ତ ଜାତୀୟତାର ଜୀବନ୍ତ ଜୀବାଣୁ,

କଲା ରାଜ୍ୟେ ସମୁଦୀପ୍ତ ଗୌରବ-ଗର୍ବିତ,

ଉଜ୍ଜ୍ୱଳ-ଜୀବନୀ-ଶକ୍ତି ମହିମା-ପ୍ରଭାବେ ।

ମହାପ୍ରାଣ ବିକ୍ରମଙ୍କ ଯଶ-ଶଙ୍ଖ ଧ୍ୱନି

ବ୍ୟାପିଳା ଚୌଦିଗେ ମିଶି ସଦାଗତି ସହ,

ଜଳିଲା ଉତ୍‌ଶିଖେ ସ୍ନିଗ୍ଧେ ସ୍ୱର୍ଣ୍ଣ ଘୃତଦୀପ

କୃତିତ୍ୱର, ସେ ଆଲୋକ ଗଲା ଦେଶେ ଦେଶେ,

ପାଇ ସେ ସଙ୍କେତ ଦୂରୁ ଦୀନଦୁଃଖିଚୟ

ଉଜ୍ଜୟିନୀ ଅଭିମୁଖେ ହେଲେ ପ୍ରଧାବିତ,

ତୀର୍ଥ ଉଦ୍ଦେଶ୍ୟରେ ଯଥା ତୀର୍ଥଯାନ୍ତ୍ରିଦଳ ।

ବେତେ ଅର୍ଥଶୂନ୍ୟ କର ଲଭିଲା ପୂର୍ଣ୍ଣିତା,

କେତେ ଦୂର୍ଭାଗ୍ୟର ହେଲା ସୌଭାଗ୍ୟ ଗଠିତ,

ହତାଶ ବଦନେ କେତେ ଖେଳିଲା ଆଶାର

ଜ୍ୟେତ୍ସ୍ନା ନୃପତିଙ୍କ ଦାନେ, କେ କହିବ ତାହା ?

ଦରିଦ୍ର କ୍ରନ୍ଦନଧ୍ୱନି ପ୍ରବେଶିଲା କ୍ଷଣି

 

ତାଙ୍କ ସିଂହାସନ ତଳେ, ହେଉଥିଲା ତାର

ଯଥାଯୋଗ୍ୟ ପ୍ରତିକାର ଅନତିବିଳମ୍ବେ ।

ଗଲା ଦିନୁ ବୈରୋଚନ, ରଘୁ, ରାଧେୟାଦି

ଦାନବୀରେ, ଉପଯୁକ୍ତ ପୂଜକ ଅଭାବେ

 

ହୋଇଥିଲେ ଦାନଦେବ ଅନାଥ ସଂସାରେ,

ମାତ୍ର ଏତେ କାଳ ପରେ ଲଭି ସେ ସହାୟ

ବଦାନ୍ୟ ବିକ୍ରମାଦିତ୍ୟେ, ଦେଖାଇଲେ ପୁଣି

ଦୂର ଅତୀତର ସ୍ୱୀୟ ଗୌରବ-ଗରିମା,

 

ସେ ଅନନ୍ତ ଗରିମାର ଅମୃତ କିରଣେ,

ନ ରହିଲା କାହି ବିଶ୍ୱ ପ୍ରକୃତି ବଦନେ

ଦୈନ୍ୟର ଅସ୍‌ପଷ୍ଟ ପାଣ୍ଡୁ କ୍ଷୀଣତମଛାୟା

ନ ଥିଲା ଜଗତେ କିଛି ଅଦେୟ ତାଙ୍କର,

 

ପ୍ରତେ ହୁଏ, କେହି ଯଦି ମାଗିଥାନ୍ତା ପ୍ରାଣ,

ଅକାତରେ ତେବେ ତାକୁ ଅର୍ପିଥାନ୍ତେ ତାହା,

ଅତାଲକବଦ୍ଧ ତାଙ୍କ ରାଜକୋଷ ସଦା ।

ବିପୁଳ ଦାନସାଗର ସୁଜିଥିଲେ ସତ,

 

ମାତ୍ର ନ ଢ଼ାଳନ୍ତି କେବେ ପାଉଁଶରେ ଘୃତ,

ଅଥବା ଦୂରାଧରେ ମଧୁ । ସାତ୍ତ୍ୱିକ ସେ ଦାନ,

ନୁହେଁ ତା ଅଗ୍ରିମ ମୂଲ୍ୟ ସ୍ତବ ପ୍ରଶସ୍ତିର ।

କେବଳ ଅର୍ଥମୂଳକ ନୁହେଁ ତାଙ୍କ ଦାନ,

 

ଆଉ ଏକ ମହାଦାନେ ପ୍ରକୃତିକୁ ରାଏ

ଅର୍ପି ମହାଧନୀ ଆଖ୍ୟା କରିଥିଲେ ଧନ୍ୟ,

ପରମାର୍ଥମୂଳକ ସେ ଦାନ, ବ୍ରାହ୍ମଣାଦି

ଚୌବର୍ଣ୍ଣର ଧର୍ମରାଜ୍ୟେ ସମ ଅଧିକାର ।

 

ବ୍ରାହ୍ମଣ ପଢ଼ିବ ଶାସ୍ତ୍ର, ଉପାର୍ଜିବ ଜ୍ଞାନ,

ହେବ ଅପବିତ୍ର ଶାସ୍ତ୍ର ଶୂଦ୍ରର ପରଶେ,

ଅହୋ ! ଏ କି ଏକମୂଖୀ ନିର୍ଦୟ ପ୍ରଧାନ୍ୟ

ଦ୍ୱିଜାତିକୁଳର, ଏ କି କଠୋର ବଞ୍ଚନା,

 

ବିଦ୍ୟା ସାଧାରଣ ଧନ, କେବଳ ନିଜର

ମଣିବା ତାହାକୁ ଘୋର ବାତୁଳତା ସିନା,

ପବନେ ନିଜସ୍ୱ କରି କେ ପାରିବ ରଖି ?

ନୁହେଁ କି ମାନବ, ଭଲା ଯେ ବ୍ରାହ୍ମଣେତର ?

 

ପ୍ରତ୍ୟେକ ମାନବ ଦେହ ପରମାତ୍ମାଙ୍କର

ପବିତ୍ର ମନ୍ଦିର, ନାହିଁ ଉଚ୍ଚନୀଚ ଭେଦ,

ମଣେ ଯେ ବ୍ୟତ୍ୟୟ ଏହା, ସ୍ୱାର୍ଥକୀଟ ସେହୁ,

ଅଜ୍ଞାନ ଦୁର୍ବଳଚିତ୍ତ ସମାଜ-କଣ୍ଟକ ।

 

ଅପବିତ୍ରତା ଆରୋପ ଧର୍ମଶାସ୍ତ୍ରପ୍ରତି

ନିତାନ୍ତ ଅବିମୃଷ୍ୟତା, ଆବର ନିଶ୍ଚୟ

ଶାସ୍ତ୍ରର ଅବମାନନା, କରିପାରେ ଯେହୁ

ଅପବିତ୍ରେ ସୁପବିତ୍ର, ସମ୍ଭବେ କିରୁପେ

 

ଅଶୁଦ୍ଧତା ତାର, ହୁଏ ଲୌହ ସିନା ସୁନା

ଅୟସ୍କାନ୍ତ ସ୍ପର୍ଶେ, ମାତ୍ର ଅୟସ୍କାନ୍ତ ମଣି,

ଳଭେ କି ଅୟସଭାବ ବୟସ ପରଶେ ?

ଶ୍ରେଷ୍ଠ କାର୍ଯ୍ୟ ଅଧିକାରୀ କେବଳ ବ୍ରାହ୍ମଣ,

 

ବ୍ରାହ୍ମଣ କି ବିଧିସୃଷ୍ଟ ଏକା ଏ ସଂସାରେ,

ଆନ ଉପଦେବସୃଷ୍ଟ, ଅଭିଶପ୍ତ ଅବା ?

ଏହି କି ବ୍ରାହ୍ମଣ୍ୟ ଧର୍ମ, ନାହିଁ ସାମ୍ୟ ନୀତି

ଯହିଁ, ନୁହେଁ ଯେ ଧୂପିତ ପ୍ରୀତି-ମୈତ୍ରୀ-ଧୂପେ,

 

କେବଳ ଆତ୍ମାଭିମାନ, ନୀଚ ପ୍ରତାରଣା

ଯାର ମୂଳଭିତ୍ତି, ଧର୍ମ ଯେବେ ସେହୁ, ତେବେ

କୋଟିଗୁଣେ ଶ୍ରେୟ ବରଂ ଅଧର୍ମୋପାସନା ।

ଯେ ଜାତି ଦେଖାଇ ମହାତ୍ୟାଗର ଆଦର୍ଶ

 

ମଣ୍ଡିଥିଲେ ବିଶ୍ୱୋଜ୍ଜ୍ୱଳ ଗୌରବ-କିରୀଟ

ଆର୍ଯ୍ୟସମାଜର ଶିରେ, ହାୟ, ସେହି ଜାତି,

ହୋଇ ଏବେ ସ୍ୱାର୍ଥପର, ପରଶ୍ରୀକାତର,

ବୋଲିଲେ କଳଙ୍କ-କାଳି ସମାଜ-ବଦନେ ।

 

ବିଶ୍ୱହିତେ, ଦେବହିତେ ତେଜିଲେ ଶରୀର

ମହର୍ଷି ଦଧୀଚି ମୁଦେ, ଏହାଠାରୁ ବଳି

ତ୍ୟାଗର ଦୃଷ୍ଟାନ୍ତ ଆନ କି ଅଛି ମହୀରେ ?

ତାଙ୍କ ବଂଶଧରେ ଏବେ ଅର୍ପି ଜଳାଞ୍ଜଳି

 

ସେ ପୈତୃକ ଯଶେ, କଲେ ସ୍ୱାର୍ଥକୁ ସଙ୍ଖାଳି ।

ଉଦର ସେବାର୍ଥେ ପୁଣି ସୃଜି ଧର୍ମ ନାମେ

ଅଧର୍ମ ଆଚାର, ନାନା, ପ୍ରେତବଳି ଆଦି

ବୃଥା କୁଟକାଣ୍ଡେ, (ସର୍ବେ ଅକର୍ମ-ସେବକ)

 

ଛାନ୍ଦି ନାନା କର୍ମ-ଜାଲେ ସମାଜ ପୟରେ,

ଶୋଷି ନାନାଭାବେ ରସ ହୃଦୟ ତାହାର

ରଖିଛନ୍ତି କରି ତାକୁ ଅଥର୍ବ ଅସାଢ଼,

ହୋଇ ସମଦଶାପନ୍ନ, ନିଖଟୁପଣରେ

 

ଅଧୋଗତିକୁ ପ୍ରାଧାନ୍ୟ ମଣି ଭ୍ରାନ୍ତେ ହାୟ !

ସାମାନ୍ୟ ଦୁର୍ଭାଗ୍ୟ, ଏ କି ସ୍ୱଳ୍ପ ଅନୁତାପ !

ନ ତୁଟିଲେ ଦ୍ୱିଜାତିର ଏ ସ୍ୱାର୍ଥ-ଶିକୁଳି,

ଦେଶର ବା ସମାଜର କାହିଁ’ଛି କଲ୍ୟାଣ ?

 

ଧର୍ମର ଏ ସଂକୀର୍ଣ୍ଣତା ଅଧଃପାତହେତୁ,

ଆର୍ଜିବ-ବର୍ଜିତ ଯେଉଁ ଧର୍ମର ସରଣୀ,

ବିସ୍ତୃତି ଯାହାର ସୀମାବଦ୍ଧ, ଅପୂର୍ଣ୍ଣ ସେ,

ଭାବି ଏହା ନୃପ, ଦେଲେ ରାଜ୍ୟରେ ଘୋଷଣା

 

‘‘ବ୍ରାହ୍ମଣ-ପ୍ରାଧାନ୍ୟ ହେଲା ଆଜହୁ ରହିତ,

ଶାସ୍ତ୍ରପାଠେ ନ ରହିବ ଆଉ ତାହାଙ୍କର

ଏକାଧିପତ୍ୟ, ସକଳେ ଜାତିନିର୍ବିଶେଷେ

ହେବେ ଅଧିକାରା ତହିଁ, ସମଭାବେ ସଦା ।’’

 

ଶୁଣି ଏ ମଙ୍ଗଳାଦେଶ ନାଗରିକଜନେ

ପୁଲକ-ପ୍ରଫୁଲ୍ଲ କଣ୍ଠେ ବିକ୍ରମଙ୍କ ନାମେ

ଉଚ୍ଚାରିଲେ ଧନ୍ୟ ଧନ୍ୟ ଜୟଜୟକାର ।

ଏହିରୂପେ ଛେଦି ବହୁ ସ୍ୱାର୍ଥାଚାର-ତରୁ,

 

(ବହୁକାଳୁ ବଦ୍ଧମୂଳ, ଶାଖା-ପ୍ରଶାଖିତ)

କୁସଂସ୍କାର ଆକ୍ରମଣୁ ରଖିଲେ ସମାଜେ,

ରଖେ ଯଥା ପ୍ରଭଞ୍ଜନ ଘଉଡ଼ି ଭ୍ରମରେ

ନିଖଳ ଲାବଣ୍ୟରାଣୀ ସୂତନ୍ୱୀ ସୁମନେ ।

ଦୂର କରି ଆବର୍ଜନା ସମାଜ-ଦେଉଳୁ,

 

ବିଶୁଦ୍ଧ ସଂସ୍କାର-ଚୁନ ଚଢ଼ାଇଲେ ତହିଁ,

ହେଲା ପୁନର୍ଦ୍ଦୀପ୍ତ ସତ୍ୟ ଧର୍ମର ମହିମା ।

 

ଥିଲା ପର-ଉପକାର ବିକ୍ରମାର୍କଙ୍କର

ଆଶୈଶବ ଧୃତବ୍ରତ, ପାଇଲେ ସେ ତାହା

ହୁଅନ୍ତି ଆତ୍ମବିସ୍ମୃତ, ଭୁଲିଯାନ୍ତି ପୁଣି

କ୍ଷୁତ୍ପିପାସା, ନିଦ୍ରା, ମଣି କୋଟିନିଧିଲାଭ,

 

ଜୀବନର ଏକମାତ୍ର ପ୍ରିୟ ସେ ତାଙ୍କର ।

ଏହି ବ୍ରତ ହେତୁ ତାଙ୍କୁ ସଙ୍କଟ କବଳେ

 

ପଡିବାକୁ ହେଉଥିଲା କେତେ କେତେ ଥର

ମାତ୍ର ତାହା ନ ଛାଡ଼ିଲେ ତେବେ ସୁଦ୍ଧା ରାଏ ।

ଜଳେ ବହ୍ନି କରିପାରେ ବରଂ ତନୁତ୍ୟାଗ,

ତଥାଚ ନ କରେ ସ୍ୱୀୟ ଉଷ୍ଣତା ବର୍ଜନ ।

 

ସପ୍ତମ ସର୍ଗ

 

ଦିନେ ରାଜକାର୍ଯ୍ୟ ଶେଷେ ବିକ୍ରମ ଭୂପତି

ଫେଇ ରାଜପରିଚ୍ଛଦ ଦେହୁ ବିଜେ ହେଲେ

ବିଶ୍ରମ ମଣ୍ଡପେ, ଦିବା ଅବସାନେ ଯଥା

ନଭ-ଦରବାର ତେଜି ଦିନେଶ ଭାସ୍କର

 

ପ୍ରାଚୀ-ଗନ୍ତାଘରେ ରଖି ପ୍ରଭା-ପରିଚ୍ଛଦ,

ଭୁଞ୍ଜନ୍ତି ବିଶ୍ରାମ ଯାଇ ଅସ୍ତଗିରି କୋଳେ ।

ଦେଖୁଛନ୍ତି ବସି ରାଏ ପ୍ରକୃତିରାଣୀର

ହାସ୍ୟମୟୀ ମଧୁରିମା ତଦ୍ଗତ ମାନସେ,

 

ଝାଡ଼ି ସମୀରଣ ବୃକ୍ଷୁ ପକ୍ୱ ପତ୍ର, ଫୁଲ

ଭେଟୁଛି ଛାମୁରେ ତାହା ମଣିମୁକ୍ତା ବ୍ୟାଜେ ।

ବିସ୍ତାରି ଗୋଧୂଳି ଧନୀ, ପଙ୍କଜ-ପାଟଳା,

ଶୀତଳ କିରଣରୂପ ପ୍ରବାଳ ରସନା,

 

ଚାଟିଲା ସରାଗେ ସୃଷ୍ଟି, ଚାଟେ ଯଥା ଗାଭୀ

ନିମଜ୍ଜି ବାତ୍ସ୍ୟଲ୍ୟ ରସେ ବତ୍ସତରୀ-ବେର ।

ଧୂମ-ଧୂସରିତ-କରେ ଧୀରେ ସନ୍ଧ୍ୟାଦେବୀ

ପ୍ରଦାନିଲେ ଧରଣୀକୁ ମହା ଆଲିଙ୍ଗନ,

 

ସେ ଅନନ୍ତ ମିଳନର ନିର୍ବାଣ-ଗୀତିକା

ଗାଇଲେ ଅମୃତ କଣ୍ଠେ କୌଶିକ କୌଶିକୀ

ସାନ୍ଧ୍ୟ ନୀରବତା-ବକ୍ଷୁ ମୁଖରି ସଘନେ ।

ଏ ସମୟେ ଉପସ୍ଥିତ କାପାଳିକ ଏକ,

 

ଘୋର କୃଷ୍ଣବର୍ଣ୍ଣ ଯଥା ପାଷାଣ ବିଗ୍ରହ,

ଶୀର୍ଣ୍ଣକାୟ ନୁହେଁ ଡ଼େଙ୍ଗା ଅଥବା ବାଙ୍ଗର,

ଭ୍ରମତାର ସମ ଦିଶେ ଶ୍ମଶ୍ରୁ, ଲୋମାବଳୀ

ଲମ୍ୱିତ ପିଙ୍ଗଳ ଜଟା ଆଶୀର୍ଷପୟର

 

ନ୍ୟଗ୍ରୋଧୁ ପରୋହ *ପ୍ରାୟ, ନେତ୍ର ବେନି କି ସେ

ପ୍ରଦୀପ୍ତ ପାବକ-କୁଣ୍ଡ, ବିନିଃସୃତ ତହୁଁ

କଠୋରତା ବିମିଶ୍ରିତ ବିଭୀଷିକା ଜ୍ୟୋତି ।

*ବରଗଛ ଓହଳ ପ୍ରାୟ

 

ଆଶିଷ ନରେଶେ ଯତି ଭାଷିଲା ଏସନ-

‘‘ମହାରାଜ, ବନ୍ଦ୍ୟ ତୁମ୍ଭେ ରାଜନ୍ୟ-ସମାଜେ,

ତବ କର୍ମ ବ୍ରତ, ତବ ଅତୁଳ ସାଧନା

ରଖିଛି ଏ ଭାରତର ମହତ୍ତ୍ୱ ଅକ୍ଷତ ।

 

ଜନ୍ମସ୍ରୋତେ ଭାସି ଆସି ଅସଂଖ୍ୟ ମାନବ

କେବଣ ଅଜ୍ଞାତ ଦେଶୁ ଭବେ ଅବିରତ

ଯାଉଛନ୍ତି ପୁଣି ମୃତ୍ୟୁ-ସ୍ରୋତେ ଭାସି କେଉଁ

ଅନୁଦ୍ଦେଶ୍ୟ ଦେଶେ, ଅର୍ପି ସତ୍ତା ଆପଣାର

 

ଧ୍ୱଂସ-ଯଜ୍ଞେ ପୂର୍ଣ୍ଣହୁତିରୂପେ, ଏହିରୂପେ

ଲାଗିଅଛି ସକଳର ଗମନାଗମନ,

ମାତ୍ର ଯେଉଁ କୃତି ଆସି ନ ଯାଏ ବାହୁଡ଼ି,

ଦେଖି ଯେହୁ ଭବିଷ୍ୟତ ଜୀବନର ଛାୟା

 

ଅତୀତ-ଦର୍ପଣେ ହେଉଥାଏ ଅଗ୍ରସର,

ସଦା ସ୍ୱୀୟ ଜୀବନର ପୂର୍ଣ୍ଣତା ସାଧନେ,

ସେ ଧନ୍ୟ, ବରେଣ୍ୟବର, ଶତ ଧନ୍ୟ ତାର

ଜନୟିତ୍ରୀ, ଜନଭୂମି, ଆବର ଜନକ ।

 

ଶାରୀରିକ ଉପାଦାନେ ନାହିଁ ଭେଦ କିଛି

ମାନବ ମାନବ ମଧ୍ୟେ, ଭେଦ ଖାଲି ଗୁଣେ,

ବିନିର୍ମିତ ଯେଉଁ କାଷ୍ଠେ ଦେବତା ପ୍ରତିମା,

ସେହି କାଷ୍ଠ ହୁଏ ପୁଣି ଶ୍ମଶାନ ଇନ୍ଧନ ।

 

ପରମ ଧାର୍ମିକ ତୁମ୍ଭେ ପର ଉପକାରୀ,

ହିମାଦ୍ରି ବିରାଟ ବିଶ୍ୱ ପ୍ରକୃତି ମଧ୍ୟରେ,

ମାତ୍ର ତାହା ଯଶ-ଶୈଳ ତୁଳନାରେ ତବ

ଖର୍ବାକୃତି, ଯଥା ଗିଲ ବେଲ ତୁଳନାରେ,

 

ସନ୍ୟାସୀ ମୁଁ, ବ୍ରତ ମୋର ତୀର୍ଥପର୍ଯ୍ୟଟନ,

ସମଗ୍ର ଭାରତ ଭ୍ରମି ଶୁଣିଛି ତୁମ୍ଭର

ସର୍ବତ୍ର ପ୍ରଶଂସା-ଭେରୀ-ମଧୁର ନିସ୍ୱନ,

ମାତ୍ର କାହିଁ ଶୁଣି ନାହିଁ ନିନ୍ଦା ଅପବାଦ,

 

ଆସିଛି ମୁଁ ଏଣୁ କିଛି ଉପକାରେ ଆଶେ,

ଆଜ୍ଞା ହେଲେ ନିବେଦିବି ଉଦ୍ଦେଶ୍ୟ ଛାମୁରେ ।’’

ଉତ୍ତରିଲେ ବିକ୍ରମାର୍କ, ‘‘ଯତି, ପଣ ମୋର

ଏହା, ଯେ ଯାଚିବ ଯେବେ ଯେଉଁ ଉପକାର

 

ମୋ ସମୀପେ, ହେଉ ପଛେ ସାଧ୍ୟାତୀତ ତାହା,

ପ୍ରାଣପ୍ରଣେ ଯତ୍ନପର ହେବି ସେ କରମେ,

ବ୍ରତ ମୋର ଏହା, ଯଥା ତପସ୍ୟା ତୁମ୍ଭର,

ପୁଣ୍ୟର ସରଳ ପଥ ମୋ ପକ୍ଷେ ଏହାହିଁ ।

 

ତପ, ଜପ, ଯଜ୍ଞ ଆଦି ଧର୍ମ ଅନୁଷ୍ଠାନ

ମହାନିକାଞ୍ଚନେ ତୀବ୍ର ସାଧନା-ସାପେକ୍ଷ,

ମାତ୍ର ଯେ ସନ୍ତରେ ସଦା ଭବ-ସାଗରର

କୋଳାହଳ ଢେଉ ପରେ, କାହିଁ ନିକାଞ୍ଚନ

 

ଭାଗ୍ୟେ ତାର ? ନୁହେଁ ଏହା ତପୋବନ, ଋଷି,

ଏ ଯେ ରାଜ୍ୟାଶ୍ରମ, ଶାନ୍ତି-ମୃଗ ନ ବିଚରେ

ଏଥି, ଧନ୍ୟ ତୁମ୍ଭେ, ଧନ୍ୟ ବାସସ୍ଥାନ ତବ,

ଆକାଙ୍କ୍ଷାର ଆକାଙ୍କ୍ଷିତ ସ୍ଥଳୀ, ସୁପାବନ ।

 

ଆଶାରେ ନୈରାଶ୍ୟ ନାହିଁ ତହିଁ, ନାହିଁ ପୁଣି

କର୍ମରେ ସ୍ୱାର୍ଥର ଛାୟା-ବିଷ-ବିସର୍ପିତ,

ବିଷୟ-ଜଞ୍ଜାଳ ବକ୍ଷେ ଶୋକ ତାପ ଫଳେ

ନ ଫଳେ ସେଠାବେ କେବେ ହେଲେ ହେଁ ସେସ୍ଥାନ

 

ଧରା ଅନ୍ତର୍ଭୁକ୍ତ, ମାତ୍ର ସ୍ୱତନ୍ତ୍ର ତାଠାରୁ ।

ପାରିଧିରେ କ୍ଳାନ୍ତ ହୋଇ ଦିବା ଅବସାନେ

ପ୍ରବେଶିଲି ତପୋବନେ କାଳି, ଦେଲା ଢାଳି

କି ଅନାସ୍ୱାଦିତ ସୁଧା କିଏ ପ୍ରାଣେ ଯଥା,

 

ଆହା, ପ୍ରକୃତିର କିବା ବିଶୃଙ୍ଖଳ ଶୋଭା-

କି ଦୁଃଖପାସୋରା ମୂର୍ତ୍ତି-ନୟନ-ମୋହନ,

ନାହିଁ ହିଂସା-ପିଶାଚିର କ୍ରୁର ଅଭିନୟ,

ପଶୁ, ପକ୍ଷୀ ସର୍ବେ ତହିଁ ଯତିବ୍ରତଧାରୀ,

 

ଅଧିଷ୍ଠିତ ପ୍ରତିଦେବୀ ଶାନ୍ତି-ସିଂହାସନେ,

ମଣ୍ଡି ଶିରେ ସ୍ନେହ-ମୈତ୍ରୀ-ମୁକୁଟ ଅଂଶୁଳ ।

ଋଷିଶିଶୁକୁଳ ବସି ଅଜିନ ଆସନେ

ରତ ବେଦାଭ୍ୟାସେ, ବାଳକଣ୍ଠସମୁତ୍ଥିତ

 

ସେ ମଧୁର ଛନ୍ଦ କରି ଅନୁକୃତି ଶୁକ-

ଅନୁକୃତିପଟୁ, ଗାଏ ତରୁଶାଖେ ବସି ।

ବିରାଜେ ନୀବାରସ୍ତୁପ ଆଶ୍ରମ-ପ୍ରାଙ୍ଗଣେ

ସ୍ୱର୍ଣ୍ଣ ଦେବାଳୟ ପ୍ରାୟ, ଓଟାରି ତହିଁରୁ

 

କେରାଏ କେରାଏ ତୃଣ କୋମଳ ଦଶନେ

ସ୍ତନ୍ୟପାୟୀ ମୃଗଶିଶୁ କରୁଛି ଅଭ୍ୟାସ

ଭାବୀ ଜୀବନର ବୃତ୍ତି, ଶିଖୁଛି ନୀରବେ

ସେ ମହା ଅଗୁରୁ ବିଦ୍ୟା ନିଜେ ନିଜଠାରୁ ।

 

କାହିଁ ଋଷିବାଳା ବସି ଆଶ୍ରମ ଦୁଆରେ,

(ବ୍ରତତୀରଳୟକରା, ପ୍ରକୃତ୍ୟୁପାସିକା)

ଛନ୍ଦି ସୁକୋମଳ ବାହୁ ମୃଗବଧୂ ଗଳେ,

ଭୁଞ୍ଜାଏ ଆଦରେ ତାକୁ ନୀବାର ତଣ୍ଡୁଳ,

 

ସ୍ୱଭାବଚପଳା ମୃଗୀ ଚାହେଁ ଇତସ୍ତତଃ

ତରଳନୟନେ ଯେବେ ଟେକି ଭକ୍ଷ୍ୟପାତ୍ରୁ

ମୁଖ, ବ୍ୟର୍ଥ ଭୟେ, ତେବେ ସରଳା ବାଳିକା,

ଚାହେଁ ସ୍ନେହ-ରୋଷ-ମିଶା ମଧୁର ଚାହାଣି,

 

ସେ ନିର୍ବାକ ତିରସ୍କାରେ କୁରଙ୍ଗିଣୀ ଧନୀ

ଫେରାଇ ବଦନ ରଖେ ଭକ୍ଷ୍ୟପାତ୍ରେ ଆଣି ।

କାହିଁ କୁମାରୀଏ ମିଳି ସିଞ୍ଚନ୍ତି ସଲିଳ

ପୁଷ୍ପିତ ପାଦପ ମୂଳେ, ଶିରେ ଝଡ଼ିପଡ଼େ

 

ଟୋପା ଟୋପା ଜଳବିନ୍ଦୁ କୁସୁମ ଉପରୁ,

ଆହା କିବା ରୂପରାଣୀ ରମ୍ୟ ସୁମନାର

ଊର୍ଜିସ୍ୱଳ ହାସରାଶି ଝରୁଛି ତରଳ !

ଝରୁଅଛି ତାହା ସହ ସ୍ନେହ-ହାସ୍ୟ-ସୁଧା

 

ପୁଷ୍ପାଙ୍ଗୀ ବାଳିକାକୁଳ ବଧୁଲୀ-ଅଧରୁ ।

ଉଠୁଛି ଆଶ୍ରମୁ ହୋମଗନ୍ଧ, ମିଶି ତହିଁ

ବାସ୍ତୁକ ବଦରୀସିଦ୍ଧ ମଧୁର ଆମୋଦ

ହୁଏ ଅତି ଉପାଦେୟ, ଘ୍ରାଣ-ରସାୟନ ।

 

ଥାଉ ସେ ବର୍ଣ୍ଣନା, ଋଷି, କି ଆଦେଶ ତବ

ବଖାଣ ସତ୍ୱର, ତାହା ପାଳିବି ନିଶ୍ଚୟ ।’’

ଭାଷିଲା ସନ୍ୟାସୀ-‘‘କାଲି କୃଷ୍ଣା ଚତୁର୍ଦ୍ଦଶୀ,

କରିବି ନିଶୀଥେ ଯାଗ, ବଳିଦାନ ଆଦି

 

ଶ୍ମଶାନେ, ସରିବ ଶବସାଧନା ମୋହର,

ଅଣିମାଦି ଆଷ୍ଟୈଶ୍ୱର୍ଯ୍ୟ ଲଭିବି ମୁଁ ତହିଁ,

ମହାରାଜ, ହେବ ତୁମ୍ଭେ ଉତ୍ତରସାଧକ,

ସେ କାର୍ଯ୍ୟ କଠିନ ବଡ଼, ଅସାଧ୍ୟ ଅନ୍ୟର,

 

ନିଖିଳଗୁଣଜ୍ଞ ତୁମ୍ଭେ, ପରମଧାର୍ମିକ,

ସର୍ବହା ଶମନେ ସୁଦ୍ଧା ନାହିଁ ତବ ଭୟ,

ତୁମ୍ଭେ ହିଁ ଭାଜନ ଏକା ସେ କାର୍ଯ୍ୟସାଧନେ ।’’

ଶୁଣି ତହୁଁ ମୃଦୁହାସ୍ୟେ ଭାଷିଲେ ନରେଶ-

 

‘‘ଅହୋ, କି ଆଶ୍ଚର୍ଯ୍ୟ, ଋଷି, ହେବ କି ହେ ଭଲା

ତପ୍ତ ବୈତରଣୀ ପାରି ଶବ-ନାବେ ବସି,

ଐଶ୍ୱର୍ଯ୍ୟ ଆସକ୍ତ କିପାଁ, ଉପେକ୍ଷି ଈଶ୍ୱରେ !’’

କହିଲା ସନ୍ୟାସୀ ତହୁଁ ‘‘ନୃପ, ଅଛି ବିଧି

 

ତନ୍ତ୍ରଶାସ୍ତ୍ରେ-ବଳିଦାନ, ଶବସାଧନାର,

ଧର୍ମର ଅସଂଖ୍ୟ ପଥ, ଉଦ୍ଦେଶ୍ୟ ଗୋଟିଏ,

କେହି ଗମେ ଋଜୁପଥେ, କେହି ବା କୁଟିଳେ,

ମାତ୍ର ସର୍ବ ତଟନୀର ଲକ୍ଷ୍ୟ ବାରାନିଧି ।’’

 

‘‘ଧର୍ମର ଅସଂଖ୍ୟ ପଥ, ଯଥାର୍ଥ ତାପସ’’

ଉତ୍ତରିଲେ ଅବନ୍ତୀଶ, ‘‘ମାତ୍ର ଧୃତ ପଥ

ତବ ନୁହେଁ ସୁଦ୍ଧା, ଯତି, ଅତ୍ୟଧମ ପଥ

ଧର୍ମସାଧନର, ତାହା ଭୌତିକ ତାମସ

 

ଜଘନ୍ୟ ବର୍ବରଲୀଳା, ଅନାର୍ଯ୍ୟ ଆଚାର !

ଅହିଂସା ପରମ ଧର୍ମ- ସର୍ବଧର୍ମମତ,

ମାତ୍ର ଯାର ମୂଳଭିତ୍ତି ହତ୍ୟା, ନିଷ୍ଠୁରତା,

ନାହିଁ ଯହିଁ ସ୍ନେହ,ମାୟା, ଦୟା, ପ୍ରୀତି, ନୀତି,

 

ଧର୍ମ ନୁହେଁ ତାହା- ପାପ ଛଦ୍ମସଂଜ୍ଞା ସିନା ।

କୀଟୁ ବ୍ରହ୍ମଯାଏ ସର୍ବ ଯାହାଙ୍କ ସର୍ଜନା,

ତାଙ୍କ ପୁତ୍ରକନ୍ୟା ଅର୍ପିବଳିରୂପେ ତାଙ୍କୁ,

କରିବ କି ତାହାଙ୍କର ସନ୍ତୋଷ ସାଧନ ?

 

ପଶୁ ବଳି ଅର୍ଥ, ଯତି, ସ୍ୱତନ୍ତ୍ର ପ୍ରକାର-

ସଂଯମ ହିଁ ମହାଯଜ୍ଞ, ପଶୁବଳି ତହିଁ

ମାନବର ପଶୁଭାବ-କାମ, କ୍ରୋଧ ଆଦି ।

ଅତଃ ଶବସାଧନାର ଅର୍ଥ ଶୁଣ ଏବେ-

 

ସାଧକ ତନ୍ମୟ ଚିତ୍ତେ କରିବ ସାଧନା,

ହେବ ଆତ୍ମାଜ୍ଞାନଶୂନ୍ୟ, ନିଷ୍ପନ୍ଦ ନିଶ୍ଚଳ

ଶବ ପରି, ସଂକ୍ଷେପତଃ ସମାଧି ଯା’ ନାମ,

ସେହି ତ ଶବସାଧନ, ହେଜ ଅବହିତେ ।

 

ନ ବୁଝି ପ୍ରକୃତ ମର୍ମ ତାନ୍ତ୍ରିକ ଗ୍ରନ୍ଥର,

କରୁଛ ହତ୍ୟାରେ ଖାଲିତ ବିକୃତ ତାହାକୁ ।

ଏହି ଯେ ପ୍ରକୃତି, ଏହା ପ୍ରତି ଲୋମକୂପେ

ବିରାଜେ-ଅନନ୍ତ-ଭୂମା-ଅନନ୍ତ-ମହିମା,

 

କେତେ ମହାତତ୍ତ୍ୱ ରତ୍ନ ରହିଛି ଜଡ଼ିତ

ଏହା ଅଷ୍ଟଦିଗେ, ଋଷି, ଏ ପ୍ରତ୍ୟକ୍ଷୀଭୂତ

ଅଷ୍ଟନିଧି ଛାଡ଼ି, ଭଲା କେଉଁ ଭ୍ରମେ ପଡ଼ି

ଲୋଡ଼ୁଛି କି ଅଷ୍ଟଶ୍ୱର୍ଯ୍ୟ ? ଅନିଶ୍ଚିତ ତାହା ।

 

ପ୍ରଦାନେ ଯେ ଧର୍ମନାମେ ହତ୍ୟାରେ ପଶ୍ରୟ,

କରେ ସେ ଧର୍ମକୁ ହତ୍ୟା, ଆତ୍ମହତ୍ୟା ସହ,

ପିଇ ସେ ଅମୃତ ମୁଖେ ଉଗାରେ ଗରଳ,

ଯଥା ମହୀ ପାନ କରି ନବ ବୃଷ୍ଟି-ସୁଧା

 

ବୈଶାଖେ, ଉଦ୍ଗାରେ ବହୁ ବିଷକୀଟ, ଅହି ।

କହୁ ନାହିଁ ଏ କଥା ମୁଁ ପ୍ରତିକୂଳଭାବେ,

ହୋଇଅଛି ସତ୍ୟବଦ୍ଧ, ହେବି ମୁଁ ସହାୟ,

ବିଶେଷତଃ କର୍ମ ତବ ଅଲୌକିକ ଅତି,

 

ଜନ୍ମୁଅଛି କୁତୂହଳ ଦେଖିବାକୁ ତାହା,

ଆସିଲାଣି ସନ୍ଧ୍ୟା, ଏବେ ବାହୁଡ଼ ଆଶ୍ରମେ

ହେବ ଉପସ୍ଥିତ ଆସି ଯଥାକାଳେ କାଲି ।’’

‘‘ତଥାସ୍ତୁ’’ ଉଚ୍ଚାରି ସାଦୁ ଆଶ୍ରିଲେ ସରଣୀ ।

 

ଅନନ୍ତର ପରବର୍ତ୍ତୀ ରଜନୀ-ଯୌବନେ *

ବିକ୍ରମୀ ବିକ୍ରମାଦିତ୍ୟ, ତୀକ୍ଷ୍ଣଖଡ଼୍ଗପାଣି,

ଯାତ୍ରା କଲେ ଯୋଗୀ ସହ ଏକାକୀ ଗୋପନେ

*ନିଶୀଥ ସମୟରେ

 

ନିବିଡ଼ ଅନ୍ଧାରେ ମଗ୍ନ ଅନନ୍ତ ମାଧୁରୀ

ପ୍ରକୃତିର, ମଗ୍ନ ନରଚେତନା-ତରଣୀ

ନିଦ୍ରା-ପାରାବାର ଗର୍ଭେ, ସୁପ୍ତା ବସୁନ୍ଧରା,

ନୀରବ ନିଶ୍ଚଳ ସର୍ବେ, ଆବର ନିଶ୍ଚେତ ।

 

ସେହି ମହାନୀରବତରା ସୂଚାଏ ସୃଷ୍ଟିକୁ

ଜୀବଶୂନ୍ୟ ପ୍ରାୟ, ସତେ ବା ଯାଇଛି ଉଠି

ଅବନ୍ତୀ ନଗରୀ କେଉଁ ଅଜ୍ଞାତ ପ୍ରଦେଶେ ?

କେତେ କ୍ଷଣ ପରେ ଉଭେ ମିଳିଲେ ଶ୍ମଶାନେ,

 

ତହୁ ଯତି ନରବରେ ବୋଇଲା ସମ୍ୱୋଧି-

‘‘ରାଏ, ରହିଲି ମୁଁ ଏହି ଠାବେ, ଆରମ୍ଭିବି

ଇଷ୍ଟଯାଗ, ଯାଅ ତୁମ୍ଭେ ଯାମ୍ୟେତର ଦିଗେ,

ଭେଟିବି ପଥରେ ଏକ ଶାଳ୍ମଳୀ ପାଦପ

 

ବହୁଶାଖା, ତୁଙ୍ଗଚୂଡ଼, ଅଛି ତା ଗର୍ଭରେ

ଶବ, ଆଣ ତାହା ନୃପ ଗମିଲେ ଉତ୍ତରେ,

ଜଳୁଛି ଶ୍ମଶାନେ ଚିତା, ମିଞ୍ଜିମିଞ୍ଜି ଭାବେ

ଧୂମହୀନ, ନିରିନ୍ଧନ, ଅସ୍ପଷ୍ଟ ଆଲୋକ

 

ଶ୍ମଶାନର ବିଭୀଷିକା ବଢ଼ାଏ ଦିଗୁଣ;

ଯୋଗଣଖନ୍ଦା କି ତାହା ଶ୍ମଶାନ-ରାଣୀର ?

ପାଚକ ପରାୟେ ଶିବା ବସିଅଛି ଜଗି ।

ଚାଲିଛନ୍ତି ନୃପବର ଅନ୍ଧକାରେ ବୁଡ଼ି,

 

ଚାଲୁ ଚାଲୁ ପଛେ ଆନ ଚାଲିଲା ପରାୟେ

ହୁଏ ଭ୍ରମଜାତ, ମାତ୍ର ଚାହିଁଲେ ପଛକୁ,

ଦିଶେ ନାହିଁ କେହି, କାହିଁ ଯାଏ ସେ ଉଭେଇ,

ନିଜ ପଦ ଶବ୍‌ଦ ପ୍ରତେ ଅନ୍ୟର ବୋଲିଣ,

 

ଏହିପରି ଶୂନ୍ୟ ରୂପ ଧରି ନିସ୍ତବ୍‌ଧତା

ମାୟାମୟୀ ମାୟାବିନୀ ଦେଖାଇଲା ଭୀତି

ମାତ୍ର ବିକ୍ରମଙ୍କ ପାଶେ ବୃଥା ହେଲା ମାୟା ।

ଅନ୍ଧକାରେ ପଥ କଳି ନ ପାରି ନରେଶ

 

ଚାଲିଲେ ଅପଥେ, ଯଥା ଯୌବନେ ଯୁବକ,

ଝୁଣ୍ଟି ଝୁଣ୍ଟି ଗତିପଥେ ନରମୁଣ୍ଡମାଳ,

ନରାସ୍ଥି, ପଞ୍ଜରାଚୟ ହେଲେ ଅଗ୍ରସର ।

ଊର୍ଦ୍ଧ୍ୱଭାଗେ ସୁବିସ୍ତୃତ ଅନନ୍ତ ଆକାଶ,

 

ଧୌତ ଶାନ୍ତି-ଜଳେ, ନୀଳ, ଚଟୁଳ ମଧୁର,

ବିରାଟ ଶ୍ମଶାନ ନିମ୍ନେ ବସୁଧା ବକ୍ଷରେ,

ବିଜନ ଭୀଷଣ ସ୍ଥଳୀ, ନିରାଟ, ଗମ୍ଭୀର,

ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟମିଶା ସେ ବିକଟ ଛବି

 

ଆଣିଦେଲା କେତେ ସ୍ମୃତି, କେତେ ନବ ଭାବ,

ପୁଣି ମୁହୂର୍ତ୍ତକେ ହରି ସର୍ବ କଲା ହୃଦ

ଶୂନ୍ୟାୟିତ, ଭୀତି ଆଉ ସାହସ ଉଭୟେ

ଘନ ଘନ ଲୁଚକାଳି ଖେଳିଲେ ସକାଳେ ।

 

ଆସନ୍ନନିର୍ବାଣ ଚିତା ବିଦାରି ଅନ୍ଧାର

ଉଠିଲା ପ୍ରଜ୍ୱଳି ପୁଣି, ସର୍ବବିଧ୍ୱଂସିନୀ

ନିୟତିର କି ସେ ତୀବ୍ର ସମୁତ୍କଟ ହାସ-

ଜ୍ୱାଳାମୟ, ନିରେଖି ତା ଭାଳିଲେ ଭୃପତି-

 

ଏହି ମହାଚିତା ସିନା ନର ଜୀବନର

ଅନ୍ତିମ ଅନଳଝାସ, ଏ ରୁଦ୍ର ଅନଳେ

ମିଶାଏ ଶରୀର ଆହା ମାନବ-ଖଦ୍ୟୋତ !

କେତେ କେତେ ପ୍ରବଳର ଦୁର୍ବାର କ୍ଷମତା,

 

ଦୁର୍ବଳ-ଦୁର୍ଗତିରାଶି, କ୍ରୋଧାଳୁର କ୍ରୋଧ,

ଅଭିମାନି-ଅଭିମାନ, ଅହମିକାମୟ,

ଲୀନ ଏ ପାବକେ, ଏହା ଅମୃତସୋପାନ

ନିର୍ବାଣର, କରେ ନର ହୃଦଭାର ଲଘୁ ।

 

ଏହିପରି ଭାଳୁ ଭାଳୁ ହେଲେ ଉପସ୍ଥିତ

ଶାକ୍ମଳୀ ପାଦପ ପାଶେ, ଦେଖିଲେ ସେଠାବେ

ତରୁ-କ୍ରୋଡ଼େ * ସ୍ଥିତ ଶବ, ବଢ଼ାନ୍ତେ ତା ପ୍ରତି

 

ଧରିବା ଆଶ୍ରୟେ କର, ଏକାଳେ ବେତାଳ

*ବୃକ୍ଷ କ୍ରୋଟରରେ

 

ଏକ ମିଳି ଅକସ୍ମାତ, ବୋଇଲା ନିଷେଧି-

‘‘ତିଷ୍ଠ ତିଷ୍ଠ ହେ ସାହସି, କହ, ତୁମ୍ଭେ କିଏ ?

ଏ ମହାଶ୍ମଶାନେ ଏକା ମୋର ଅଧିକାର,

କିପାଇଁ ଆସିଲ ଏଥି ଅର୍ପିବାକୁ ପ୍ରାଣ ?’’

 

ଉତ୍ତରିଲେ ଈଷଦ୍ଧାସ୍ୟେ ସଗର୍ବେ ବିକ୍ରମ-

‘‘ଭ୍ରାନ୍ତ ତୁମ୍ଭେ, ଏ ଶ୍ମଶାନ ନୁହେ ଅଧିକୃତ

କାହାର, ବରଞ୍ଚ ସର୍ବେ ଆସନ୍ତି ଅନ୍ତିମେ

ଏହା ଅଧିକାରେ, ଯେଉଁ ବିରାଟ ଶୂନ୍ୟତା

ଖେଳୁଛି ତା ବକ୍ଷେ, ସେହି ଅଧିକାରୀ ତାର ।

 

ଏ ସଂସାର ମାନବର କ୍ଷଣିକ ପ୍ରବାସ,

ଦୂର୍ବଳ ସଂକୀର୍ଣ୍ଣବୁଦ୍ଧି ସ୍ୱଭାବେ ମାନବ,

ବୁଝିବାକୁ ଅକ୍ଷମ ସେ ବିଶାଳ ବିଶ୍ୱର

କ୍ଷୁଦ୍ରାଦପି କ୍ଷୁଦ୍ରତମ ବାଲିକଣା ତତ୍ତ୍ୱ,

 

ତାର ଅଧିକାର ଲଜ୍ଜା, ହାସ୍ୟକର କଥା ।

ଅଧିକନ୍ତୁ-ପ୍ରାଣ-ଯନ୍ତ୍ରେ ବାଜେ ଯାହା ନାମେ

ସଦା ମୋର ମୋର ଧ୍ୱନି, ସେ ପ୍ରିୟ ଶରୀରେ

ନାହିଁ ସୁଦ୍ଧା ମାନବର ତିଳେ ଅଧିକାର,

 

ଅନ୍ୟଥା, ସେ ପାରନ୍ତା କି ଉପେକ୍ଷି ତାହାକୁ ?

ମୋ ନାମ ବିକ୍ରମାଦିତ୍ୟ, ଯୋଗୀ ଅନୁରୋଧେ

ଆସିଛି ନେବାକୁ ଶବ, ଅଛି ସାଧ୍ୟ କାର

ଜନ୍ମାଇବ ଅନ୍ତରାୟ ମୋ ଉଦ୍ଦେଶ୍ୟ ପଥେ ?’’

 

ଲଜ୍ଜାବୋଳା, ମ୍ଳାନ ମନ୍ଦ, ଅସୁନ୍ଦର ହାସ୍ୟେ,

ଭାଷିଲା ବେତାଳ, ନମ୍ରେ ଧୀରେ, ‘‘ଯଶୋଧନ,

ଚିହ୍ନିଲଟି ମୋତେ, ଅଗ୍ନି ବେତାଳ ମୋ ନାମ,

ପୂର୍ବେ ଦ୍ୱନ୍ଦ୍ୱ ଯୁଦ୍ଧେ ମୁହିଁ ଲଭି ପରାଜୟ

 

ହୋଇଥିଲି ସତ୍ୟବଦ୍ଧ ସ୍ୱତଃ ସାଧିବାକୁ

ଉପକାର ଛାମୁଙ୍କର ଅନାହୂତ ଭାବେ,

ନୃପ, ଏବେ ଉପସ୍ଥିତ ସେହି କାଳ ଆସି ।

ସତ୍ୟ ଦେବ, ଆମ୍ଭେମାନେ ଅଧମ ଶ୍ରେଣୀୟ,

 

ନିଷ୍ଠୁର ସ୍ୱଭାବ, ମୂଢ଼, ଅକ୍ଷମାସର୍ବସ୍ୱ,

ମାତ୍ର ସତ୍ୟରକ୍ଷା ଆମ୍ଭ ଜୀବନ ଜୀବିକା,

ସତ୍ୟ ଏକା ଅନଶ୍ୱର ଏ ନଶ୍ୱର ଭବେ,

ପ୍ରତିଷ୍ଠିତ ଏ ଅନନ୍ତ ସୃଷ୍ଟି ସତ୍ୟ-ଦୃଢ଼

 

ଭିତ୍ତିପୃଷ୍ଠେ, ସତ୍ୟ ଯନ୍ତ୍ରେ ସୁପରିଚାଳିତ ।

ଇତର ଅନାର୍ଯ୍ୟ ଆମ୍ଭେ ଦେବତା ସମାଜେ,

ମାନବେ ଅନ୍ତ୍ୟଜ ପ୍ରାୟେ, ନ ଜାଣୁ ଅପର

ଧର୍ମ, ସତ୍ୟ ବିନା, ସତ୍ୟ ଆମ୍ଭ ଶ୍ରେୟ, ପ୍ରେୟ,

 

ସତ୍ୟ, ଏ ବର୍ବର ପ୍ରାଣ ସତ୍ୟ-ପଦେ ବିକା ।

ବେତାଳସମ୍ରାଟ ମୁହିଁ, ଦୁତବର୍ଗେ ମୋର

କାମରୂପୀ, କାମଗତି, ଅର୍ପନ୍ତି ସେ ଆଣି

ନିଖିଳ ବ୍ରହ୍ମାଣ୍ଡ ବାର୍ତ୍ତା ମୋତେ ନିତି ନିତି,

 

ଶୁଣି କାଲି ଭଣ୍ଡ ଯୋଗୀ ଛଳନା ସମ୍ୱାଦ,

ଉଦ୍ଧାରର୍ଥେ ତୁମ୍ଭଙ୍କୁ ତା ଅଭିସନ୍ଧି-ଫାନ୍ଦୁ

ଉପସ୍ଥିତ ନିଶୀଥେ ମୁଁ ଏ ଭୀଷଣ ସ୍ଥଳେ ।

ଯାହା ପ୍ରତାରଣା-ଜାଲେ ପଡ଼ିଅଛି ରାଏ,

 

ନୁହେଁ ସେ ପ୍ରକୃତ ଯୋଗୀ-ଛଦ୍ମ କାପାଳିକ,

ସାଧୁଭେକଧାରୀ, ଯୋଗ ତାର ହିଂସା, ଧ୍ୟାନ-

ପରାନିଷ୍ଟ, ଦେହବୋଳା ଭସ୍ମ ପ୍ରବଞ୍ଚନା,

ଇଷ୍ଟମନ୍ତ୍ର ଦୁରାକାଙ୍କ୍ଷା, ଲୋଭରଜ୍ଜୁ ଜଟା,

 

ନଖ ତୀକ୍ଷ୍ଣ ଅସ୍ତ୍ର, ଶ୍ମଶ୍ରୁ ପୁଣି କଷାବାସ-

ଅସନ୍ତୋଷ ଅସଂଯମ ପ୍ରକାଶ ପତାକା ।

ଅବିଦ୍ୟା କୁବିଦ୍ୟା ଯେତେ ଅଛି ଏ ସଂସାରେ,

ସେ ସର୍ବର ଭକ୍ତ ଦୃଷ୍ଟ, ବିଳାସର କୀଟ,

 

ବିରାଟ ବାସନା-ବହ୍ନି ଜାଳି ହୃଦ-ବନେ,

ପାରୁ ନାହିଁ କରି ତାହା ନିର୍ବାପିତ ନିଜେ

ଅର୍ଥ-ବାରି ଅଭାବରେ, କିନ୍ତୁ ଦୁରାଚାର

ବୁଝୁ ନାହିଁ ଅର୍ଥ ତହିଁ ନୁହେଁ ଶାନ୍ତିବାରି,

 

କେବଳ ଆହୁତି ଅର୍ଥ, ଅର୍ଥଲୋଭେ ପାପୀ

ରତ ମହାପାପୀ ସଦା, ନ ଚାହେଁ ଥରେ ହେଁ

ଅଦୂର ଭବିଷ୍ୟଗର୍ଭ ବିଧିଲିପି ପ୍ରତି ।

ହେବ ନାହିଁ ତବ ସହୁ ସମକକ୍ଷ ବଳେ,

 

ଜାଣି ସେ ନାରକୀ ଏହା, ବିଶେଷତଃ ଦେଖି

ସରଳ ବିଶ୍ୱାସ ତବ ଆଣିଛି ଭୁଲାଇ,

ବିନାଶି ତୁମ୍ଭଙ୍କୁ ଆଜି କୂଟ କୌଶଳରେ

ହେବ ବୋଲି ରାଜା, ଦୁଷ୍ଟ ବାନ୍ଧିଛି ଦୁରାଶା

 

ଛୁଅ *ସିନା ତୋର ନୃପ, ଏ ଶବ ସାଧନା ।

ଯେଉଁ ଆଶାବାଡ଼ି ସଦା ଜାକିଛି ସେ କାଖେ,

ଗୁପ୍ତ ଅସ୍ତ୍ରକୋଷ ତାହା, ଏହି ବ୍ୟାଜ-ଯାଗ-

*ଛଳନା ଶଳଜ

 

ଶେଷେ ଯେବେ ତା ସଙ୍କେତ ମତେ ତୁମ୍ଭେ ନୃପ

ବିହିବ ପ୍ରଣାମ, ତେବେ ବଧିବ ତୁମ୍ଭଙ୍କୁ

ତୁମ୍ଭର ଅଜ୍ଞାତସାରେ, ଥିବ ଅବହିତ ।

ନାହିଁ କିଛି ଭୟ କିମ୍ୱା ଉବ୍ଦେଗ କାରଣ,

 

ଥିବି ମୁହିଁ ତବ ସଙ୍ଗେ ଛାୟାରୂପ ଧରି,

ସାଧିଲାଣି ଦୁଷ୍ଟ ଯେତେ ସୃଷ୍ଟି ଅକଲ୍ୟାଣ,

ସେ ପାପର ପ୍ରାୟଶ୍ଚିତ ରୂପେ ଅର୍ପ, ରାଏ,

ତାହା ଅନୁଷ୍ଠିତ ଯୋଗେ ତା ଶିର ଆହୁତି ।’’

 

ଭିଣିଲେ ବିକ୍ରମାଦିତ୍ୟ- ‘‘ହେଲି ପ୍ରୀତ ଅତି

ତବ ଏ ପ୍ରତ୍ୟୁପକାରେ, ବିଳମ୍ୱ କିପାଇଁ

ଦୁର୍ନୀତି ଦମନେ ତେବେ ? ହୁଅ ଅଗ୍ରସର

ତ୍ୱରା, ସେ ଭଣ୍ଡ-ନୀବାରେ କରି ଉତ୍ପାଟିତ

 

ସନ୍ୟାସି-ଶାରଦ-କ୍ଷେତ୍ରୁ, କରିବି ନିର୍ମଳ,

କାଟି କାବ୍ୟୁ ଦୋଷ ଯଥା ସୁ-ସମାଲୋଚକ

କରେ ତାକୁ ନିଷ୍କଳଙ୍କ, ଅନିନ୍ଦ୍ୟ ସୁନ୍ଦର,

ସମାଲୋଚକ ସମ୍ୱଳ କଳ୍ପନା-ତୂଳିକା,

 

ମୋ କଳ୍ପତୂଳିକା ମାତ୍ର ହେବ ଏହି ଅସି,

କାବ୍ୟ ହେବ ପାମରର ଜୀବନପଞ୍ଜିକା,

ଘନୀଭୂତ ଦୋଷ ତହିଁ ଶରୀର ତାହାର ।’’

ବୋଇଲା ବେତାଳ ତହୁଁ ନରେଶେ ସମ୍ୱୋଧି,

 

‘‘ପୁଣ୍ୟଶ୍ଳୋକ, ଅଛି ମୋର ପ୍ରଶ୍ନ ଏକ, କଲେ

ଆଗେ ସମାଧାନ ତାହା, ଯିବି ଶବ ଘେନି,

ଶୁଣା ହେଉ ପ୍ରଶ୍ନ ଏବେ ଜଣାଏଁ ଛାମୁରେ-

ଏକଦା ଜନୈକ ଦ୍ୱିଜ ଘୋର ବନପଥେ

 

ଭ୍ରମୁଥିଲେ ଅନ୍ତଃସତ୍ତ୍ୱା ସଧର୍ମିଣୀ ସହ,

ପ୍ରଚଣ୍ଡ ନିଦାଘ ଋତୁ ମଧ୍ୟାହ୍ନ ସମୟ,

ହେଲା ରୁଦ୍ର ରୌଦ୍ରତେଜ ଅସହ୍ୟ ଅତୀବ,

ବର୍ଷିଲା ଅନଳଧାରା ନଭୁ ଅନର୍ଗଳ,

 

ତରୁପୂର୍ଣ୍ଣେ ପ୍ରତିହତ ହୋଇ ରୌଦ୍ରରେଖା,

ଚୂର୍ଣ୍ଣ ହୋଇ ରନ୍ଧ୍ରପଥେ ପଡ଼ିଲାକ ଝରି,

ଆଣିଲା ପବନ ବହି ପାବକପ୍ରବାହ ।

ଭ୍ରମୁ ଭ୍ରମୁ ଉଭେ ହୋଇ ତୃଷ୍ଣାରେ ଅଧୀର,

 

ହେଲେ ପ୍ରଧାବିତ ବନବକ୍ଷେ ଇତସ୍ତତଃ

ଜଳାଶ୍ରୟ ଅନ୍ୱେଷଣେ, ବିହ୍ୱଳ ନୟନେ,

ଦାରୁଣ ଦୁରାଶା ଯଥା କରେ ଧାଁ-ଦଉଡ଼

ତାର ଚିର ପ୍ରିୟବାସ ଦୂରାକାଙ୍‌କ୍ଷା ହୃଦେ ।

 

ଝୋଲାମରା ପ୍ରାୟ ହୋଇ କେତେ କ୍ଷଣ ପରେ

ମିଳିଲେ ଦମ୍ପତି ଏକ ପଲ୍ୱଳ ନିକଟେ,

ଦେଖିଲେ ସଞ୍ଚିତ ତହିଁ ଅଛି ସ୍ୱଳ୍ପ ଜଳ

ପଦ୍ମପତ୍ରେ, ଚିକିଳିତ, କୀଟାଣୁ-ଦୂଷିତ,

 

ମାତ୍ର ତାହା ହରିପାରେ ଜଣକ ପିପାସା

ବ୍ରାହ୍ମଣୀକୁ ଚାହିଁ ତହୁଁ ବୋଇଲା ବ୍ରାହ୍ମଣ,

‘ନିବାର ପିପାସା ପ୍ରିୟେ, ଏହି ଜଳ ପାନେ ।’

 

ସ୍ୱାମୀର ଆଦେଶ ଶୁଣି ଭାଷିଲା ବ୍ରାହ୍ମଣୀ,

‘ଦେବ, ଜଗତର ଧାତ୍ରା ଯେଉଁ ଜାତି,

ଯାହାଙ୍କର ଧର୍ମ ସଦା ଜଗତର ସେବା,

ସେହି ନାରୀ ଜାତି ରଖି ସ୍ୱାମୀକୁ ଭୂଷିତ

 

ମେଣ୍ଟାଇବ ଜଳପାନେ ସ୍ୱୀୟ ଦଗ୍‌ଧ ତୃଷା,

ଗଲେ ସୁଦ୍ଧା ପ୍ରାଣ କେବେ ସମ୍ଭବେ କି ଏହା ?

ତୁମ୍ଭେ ମୋର ସ୍ୱାମୀ, ଗୁରୁ, ଜୀବନ୍ତ ଦେବତା,

ପିପାସାରେ କଲବଲ ଦେଖିଣ ତୁମ୍ଭଙ୍କୁ

ପିଇବି ମୁଁ ଜଳ, ହାୟ, ରମଣୀ-ସୁଲଭ

 

କୋମଳ ପରାଣେ ଦେବ ନ ପାରିବ ଦାସୀ

ସହି ତାହା କଦାଚନ, କ୍ଷମା କର ପ୍ରଭୋ,

ଶାନ୍ତ ହୁଅ ଆଗେ ତୁମ୍ଭେ ଏହି ଜଳ ପାନେ,

ପଛେ ମୋତେ ଆଣି ଦେବ ଅନ୍ୟତ୍ର ଅନ୍ୱେଷି ।’

 

ପତ୍ନୀର ପ୍ରାର୍ଥନା ଶୁଣି କହିଲା ବ୍ରାହ୍ମଣ,

‘ନାରୀର ଭରଣଭାର ନ୍ୟସ୍ତ ସ୍ୱାମୀ ପରେ,

ବିଧାତା ନିର୍ବନ୍ଧ ଏହା, ଆଶ୍ରିତ ପାଳନ

ଆଗେ, ପଛେ ନିଜ କଥା, ପ୍ରିୟେ, ଏହା ସିନା

 

ପ୍ରଭୁପଣ, ବିଶେଷତଃ ଅନ୍ତଃସତ୍ତ୍ୱା ତୁମ୍ଭେ,

ପିପାସାରେ ବିସର୍ଜିଲେ ପ୍ରାଣ, ହେବି ମୁହିଁ

ଲିପ୍ତ ନାରୀହତ୍ୟା ପୁଣି ଭ୍ରୁଣହତ୍ୟା ପାପେ,

ଅତଏବ      ଏ ଅନ୍ୟାୟ ଅନୁରୋଧୁ, ଦେବି,

 

କ୍ଷାନ୍ତ ହୋଇ ପିଅ ଜଳ ନ ଭାବିଣ ଦ୍ୱିଧା ।’

ଏସନ ବାଦାନବାଦେ ଲିପ୍ତ ହୋଇ ଦୁହେଁ

ନ ପିଇଲେ କେହି ଜଳ, କେତେ କ୍ଷଣ ପରେ

ହୋଇଗଲା କଣ୍ଠରୁଦ୍ଧ, ଶେଷେ ସେ ଦମ୍ପତି,

 

ପରସ୍ପର ମୁଖେ ଚାହିଁ ତେଜିଣ ଜୀବନ ।

ବୋଲନ୍ତୁ ନୃବର ଏବେ, ଏ ବେନି ମଧ୍ୟରେ

କାହାର ଅଧିକ ପ୍ରୀତି ? ଏହି ପ୍ରଶ୍ନ ମୋର ।’’

ଉତ୍ତରିଲେ ନରନାହା- ‘‘ଅତୀବ ସହଜ

 

ଏ ପ୍ରଶ୍ନର ସଦୁତ୍ତର, କାହିଁ କାର ପ୍ରୀତି ?

ଥାନ୍ତା ଯଦି ପ୍ରୀତି ତେବେ ପିଇଥିଲେ ଜଣେ

ଜଳ, ହୋଇଥାନ୍ତା ଶାନ୍ତ ଅନ୍ୟର ପିପାସା,

ଉଭୟର ମରଣ ଯେ କଲା ସଂଘଟନ

 

ତାହା ନାମ ମାୟା ସିନା, ପ୍ରୀତି ନୁହେଁ କେବେ,

ପ୍ରୀତି ପୂତ ମନ୍ଦାକିନୀ, ମାୟା ଚର୍ମନାସା,

ପ୍ରୀତି ସ୍ୱର୍ଗଦେବୀ, ମାୟା ଶ୍ମଶାନ-ଡ଼ାକୁଣୀ,

କେଉଁ ଗୁଣେ ଭଲା ଜ୍ୱାଳାମୟୀ ଅଗ୍ନିଶିଖା

 

ବସିବ ଶୀତଳ ସ୍ନିଗ୍‌ଧ ଚନ୍ଦ୍ରିକା ଆସନେ ?’’

ନୀରବନ୍ତେ ବିକ୍ରମାର୍କ, କହିଲା ବେତାଳ-

‘‘ଯଥାର୍ଥା ଉତ୍ତର ନୃପ, ମାନିଲା ହୃଦୟ,

ବିଚାରି ବୁଦ୍ଧିକୁ ତବ ଶତ ଧନ୍ୟବାଦ,

 

ତବ ସୂକ୍ଷ୍ମ ତର୍କଣାର ଅସୀମ ଆଶଂସା

ଶୁଣିଥିଲି ଦୂତମୁଖୁଁ ପୂର୍ବେ, ମାତ୍ର ଆଜି

ପ୍ରତ୍ୟକ୍ଷ ପ୍ରମାଣ ଲଭି ତାର, ମେଣ୍ଟାଇଲି

ଅବିଶ୍ୱାସ ବିଶ୍ୱାସର ବିଷମ କଳହ ।

 

ଥିଲେ ଚିତ୍ତ ସନ୍ଦିହାନ, ହୁଏ ନାହିଁ ରଖି

ଦୃଷ୍ଟିକୁ ସରଳ, ତେଣୁ ନ ଚିହ୍ନି ତୁମ୍ଭଙ୍କୁ

ମୂଢ଼ ପଣେ କରିଥିଲି ଏ ପ୍ରଶ୍ନ ଜିଜ୍ଞାସା,

କ୍ଷମିବ ମହାତ୍ମା, ମୋର ଏହି ପ୍ରଗଳ୍‌ଭତା ।

 

ଚାଲ ତୁମ୍ଭେ ଅଗ୍ରେ ଅଗ୍ରେ, କାନ୍ଧେ ଶବ ଘେନି,

ଅନସରିବି ମୁଁ ସଙ୍ଗେ ଛାୟାରୂପ ଧରି,’’

ତଥାସ୍ତୁ ଉଚ୍ଚାରି ରାଜା ଗମିଲେ ଚଞ୍ଚଳେ ।

ପ୍ରବେଶନ୍ତି ଯାଇ ଦୁହେଁ ଭଣ୍ଡ ସାଧୁ ପାଶେ,

 

ଶବ ଥୋଇ ଉଭା ହେଲା ଅଦୂରେ ବେତାଳ

ଅଦୃଶ୍ୟେ, ସମ୍ଭୋଧି ତୁଁ ଧୀରେ ନରବର

କହିଲେ ତାପସେ, ‘‘ଏହି ଆଣିଲି ମୁଁ ଶବ

ତବ ଆଜ୍ଞାମତେ, ଯୋଗି, କର ପରିଗ୍ରହ ।’’

 

ବିରାଟ ଅନଳକୁଣ୍ଡ ଜାଳି ଛଦ୍ମଯତି

ବସିଥିଲା ନୃପାଗମ ପ୍ରତୀକ୍ଷାରେ ତହିଁ

ନିମୀଳି ନୟନଦ୍ୱୟ, ଡ଼ାକନ୍ତେ ଏକାଳେ

ରାଏ, ଉଠି ଶଶବ୍ୟସ୍ତେ ଟାଣି ନେଇ ଶବେ

 

ବସି ତା କଙ୍କାଳ ପରେ, ଅସ୍ପଷ୍ଟେ ଉଚ୍ଚାରି

ତ୍ରିବାର କି ମନ୍ତ୍ର, ଦେଲା ପାବକେ ଆହୁତି ।

ଅନନ୍ତର ଉଭା ହୋଇ ମୁହୂର୍ତ୍ତକ ପରେ

ଧରି ଆଶାବାଡ଼ି କରେ ବୋଇଲା ବିକ୍ରମେ-

 

‘‘ଶ୍ମଶାନ ଶଙ୍କରୀ ପଦ ଉଦ୍ଦେଶ୍ୟରେ ନୃପ,

କର ପ୍ରଣିପାତ, ସାଙ୍ଗ ଇଷ୍ଟ ଯାଗ ଏବେ ।’’

ଭାଷିଲେ ଅବନ୍ତୀପତି ମୃଦୁହାସ୍ୟେ ତହୁଁ-

‘‘ଯୋଗୀ ତୁମ୍ଭେ, ଏ ଯଜ୍ଞର ପ୍ରଧାନ ସାଧକ,

 

କରିବା ଉଚିତ ସିନା ପ୍ରଣାମ ତୁମ୍ଭର

ଅଗ୍ରେ, ତହିଁ ପରେ ଯାହା, କର୍ତ୍ତବ୍ୟ ମୋହର,

ପାଳିବି ଅବଶ୍ୟ ତାହା, ସେ ମୋର ବିଜ୍ଞାତ,

ହେବ ନାହିଁ ତାହା ମୋତେ ଦେବାକୁ ଶିଖାଇ ।’’

 

ନ କରି ଦ୍ୱିରୁକ୍ତି କିଛି କପଟ ସନ୍ନ୍ୟାସୀ

ବିହିଲା ମହୀରେ ଲୁଟି ସାଷ୍ଟାଙ୍ଗ ପ୍ରଣାମ,

ଏକାଳେ ବିକ୍ରମାଦିତ୍ୟ ବୁଝି ଅବସର,

ଖରକରେ କରବାଳେ କାଟି ଶିର ତାର

 

ନିକ୍ଷେପିଲେ ଅଗ୍ନିକୁଣ୍ଡେ-ତାହାରି ସଜ୍ଜିତ,

ଯେ ଶିକାରେ ଲକ୍ଷ୍ୟ କରି ଆସିଥିଲା ବ୍ୟାଧ,

ହେଲା ଶେଷେ ଲକ୍ଷ୍ୟ ଦୁଷ୍ଟ ସେହି ଶିକାରର,

ହାତେ ହାତେ କୃତକର୍ମ ଭୁଞ୍ଜିଲା ପାମର !

 

ଏ ଅନ୍ତେ ଆକାଶୁଁ ହେଲା ଅଶରୀରୀ ବାଣୀ

‘‘ହେ ବିକ୍ରମାଦିତ୍ୟ, ହେଉ ମଙ୍ଗଳ ତୁମ୍ଭର,

ଅମଙ୍ଗଳ-ଧୂମକେତୁ ଏ ନର-ରାକ୍ଷସେ

ବଧି ତୁମ୍ଭେ ସାଧିଲ ଯେ ସୃଷ୍ଟିର କଲ୍ୟାଣ,

 

ଯୋଗ୍ୟ ଧର୍ମ ତାହା, ନୃପ, ତୁମ୍ଭରି ସମାନ

ଦୁର୍ନୀତି-ଦମନ-ଦକ୍ଷ ଧର୍ମରକ୍ଷୀଙ୍କର,

ପ୍ରୀତି ହୋଇ ସାଧୁ କାର୍ଯ୍ୟେ ପିତାମହ ତବ

ତ୍ରିଦିବଭରସା ଇନ୍ଦ୍ର, ଅଛନ୍ତି ପଠାଇ

 

ସ୍ନେହ-ଉପହାରସୂଚୀ ଏହି ସିଂହାସନ

ଦ୍ୱାତ୍ରିଂଶ ପୁତ୍ତଳଖଚୀ, ବିଚିତ୍ର ସୁନ୍ଦର,

ହେଲେ ଉପବିଷ୍ଟ ଏହି ମହାସିଂହାସନେ,

ଧରିବି ଅଦ୍ଭୁତ ଶକ୍ତି ତୁମ୍ଭେ, ସୁଧୀବର,

 

ନ୍ୟାୟ ମୀମାଂସାର ଗୂଢ଼ ସୂକ୍ଷ୍ମତତ୍ତ୍ୱମାନ

ନଖ-ଦର୍ପଣରେ ତବ ହେବ ସୁବିମ୍ୱିତ ।

ଦେବରାଜ ଦୂତ ମୁହିଁ, ତାଙ୍କ ଆଜ୍ଞାମତେ

ଆସିଥିଲି ଅର୍ପିବାକୁ ତାଙ୍କ ଆଶୀର୍ବାଦ,

 

ଘେନ ଏହି ସିଂହାସନ, ହେଲି ମୁଁ ବିଦାୟ ।’’

କହୁଁ କହୁଁ ଏହା, ନଭୁ ଖସିଲା ସବେଗେ

ଜ୍ୟୋତିଃପିଣ୍ଡ, କୋଟି ଉଲ୍ଲା-ଆଲୋକ-ଲାଞ୍ଛନ,

ଐଶ୍ୱରୀ ପ୍ରତିଭା କି ସେ ? ଆସେ ମର୍ତ୍ତ୍ୟପୁରେ

 

ମହାକାର୍ଯ୍ୟ ସାଧନାର୍ଥେ ଜ୍ୟୋତିଷ୍କ ରୂପରେ !

ସେ ସୁରମ୍ୟ ସିଂହାସନ ପରଶନ୍ତେ ମହୀ

ପ୍ରତେ ହେଲା ଦିବା ପ୍ରାୟ ତମିସ୍ର ନିଶୀଥ,

ଲଭି ତା ବିକ୍ରମାଦିତ୍ୟ ମଣିଲେ ନିଜକୁ

 

ଧନ୍ୟ, ଭାଗ୍ୟବନ୍ତ, ଫୁଟି ଉଠିଲା ନୟନେ

ସୌଭାଗ୍ୟ-ଶ୍ରୀ ଦୀପ୍ତ ଜ୍ୟୋତି, ଖେଳିଲା ଆନନେ

ଆନନ୍ଦ-ଅମୃତ ଜ୍ୟୋତ୍ସ୍ନା, ହେରି ଅପଲକେ

ଦେବସିଂହାସନ ଶୋଭା ଭାବିଲେ ମାନସେ-

 

ଆହା ଏହା ଢଳା କିବା ଶୂନ୍ୟ କଳ୍ପନାର

ସଜୀବ ସଚେଷ୍ଟ ଛାଞ୍ଚେ, ଅଦ୍ଭୁତ ହୁନ୍ଦରେ !

 

ହେଲା ବିକ୍ରମଙ୍କ ଭାଗ୍ୟେ ଅଷ୍ଟନିଧି ଲାଭ,

ତହୁଁ ସେ ବେତାଳ ଶିରେ ବହାଇ ତାହାକୁ

ବାହୁଡ଼ିଲେ ରାତ୍ରିଶେଷ ଅବନ୍ତୀ ନବରେ,

ସଂସ୍ଥାପିଲେ ଯଥାସ୍ଥାନେ ଦେବ-ସିଂହାସନ ।

 

ଅଷ୍ଟମ ସର୍ଗ

 

ଶକାଦିତ୍ୟ ନାମେ ଏକ ଅନାର୍ଯ୍ୟ ନୃପତି

ଦୁର୍ଦ୍ଦମ ଶକଜାତିର ଲଭି ସହାୟତା

ବିସ୍ତାରିଲା ସ୍ୱପ୍ରଭବ । ଜିଣିଲା ସେ ବହୁ

ରାଜ୍ୟ ବାହୁବଳେ, ତାର ଦୁର୍ଦ୍ଧର୍ଷ ପ୍ରତାପେ

 

ହେଲେ ତାତ୍କାଳିକ ନୃପେ ଶଙ୍କିତ ସରବେ ।

ବଳେ ଛଳେ କଉଶଳେ ଉତ୍କୋଚ ପ୍ରଦାନେ

କରି ସେ ସ୍ୱାଧୀନ ବହୁ ପାର୍ବତୀୟ ଜାତି

ଶେଷେ ଆକ୍ରମିଲା ଯାଇ ହସ୍ତିନା ନଗରୀ

 

ଗୋପନେ ନିଶୀଥେ । ଥିଲେ ନଗରବାସୀ

ବିଶ୍ରାମଦା ନିଦ୍ରାଦେବୀ-ଅଙ୍କେ ଅଚେତନ,

ଏକାଳେ ପିଶାଚ ପଶ ଖଣ୍ଟରୂପେ ପୂରେ

ବଧ କରି ରାଜପାଳ ନାମୀ ସୁପ୍ତନୃପେ,

 

ନିରାପଦେ ଅଧିକାର କଲା ସିଂହାସନ ।

ଶୁଣି ଏହି ଦୁଃସମ୍ୱାଦ ଉଜ୍ଜୟିନୀପତି

ଚତୁରଙ୍ଗ ସେନା ସହ କଲେ ଅଭିଯାନ

ଶକାଦିତ୍ୟ ବିରୁଦ୍ଧରେ ହସ୍ତିନାଭିମୁଖେ ।

ଜାହ୍ନବୀ-ମେଖଳାମୟୀ ହସ୍ତିନା ସୁଷମା

ନିରେଖି ବିକ୍ରମାଦିତ୍ୟ, ଭାଳିଲେ ସ୍ୱଗତେ-

ଭାରତ-ମସ୍ତକେ ଏ କି ଶେଫାଳିକା ଗଭା ?

କେବଣ ଅଦ୍ଭୁତ ଶିଳ୍ପୀ ଇଚ୍ଛାମାତ୍ରେ ଯେହ୍ନେ

ସୃଜିଛି ଏ ରମ୍ୟା ପୁରୀ, ଇଚ୍ଛା ଉପାଦାନେ ।

ଜଗତେ ଆଦର୍ଶ ଯାର ବୀରତ୍ୱ, ମହତ୍ତ୍ୱ,

କ୍ଷମା, ତେଜସ୍ୱିତା, ସୁତେ ଯାର ଶୌର୍ଯ୍ୟ ନୀତି

ପ୍ରବୀଣ-ସେବକ, ଯେହୁ ଗତ ଗୌରବର

ଅଙ୍ଗୁଳି ନିର୍ଦ୍ଦେଶ ସ୍ତମ୍ଭ ଆର୍ଯ୍ୟସମାଜର,

ବୀରତ୍ବର ବରଣୀୟ ସେ ପୁଣ୍ୟତୀର୍ଥର

କି ତୁଳନା କାହିଁ ? ଏହି ସୁନ୍ଦରୀ ପୁରୀର

(ରାଜସୂୟ ଅଶ୍ୱମେଧ ଆଦି ଯଜ୍ଞପୂତ)

ପ୍ରତ୍ୟେକ ଇଷ୍ଟକ ଖଣ୍ଡ ପ୍ରତ୍ୟେକ ଅଣୁରେ

 

ବିଜଡ଼ିତ କେ୍ତେ ମହାସ୍ମୃତି, ଉଦ୍ଘାଟିତ

କେତେ ପୁରାବୃତ୍ତପୃଷ୍ଠା, କେ କଳିବ ତାହା ?

ଭାଳୁ ଭାଳୁ ଏହିପରି ପ୍ରତେ ହେଲା ଭୂତ

ବର୍ତ୍ତମାନ ପ୍ରାୟ, ସତେ କି ହସ୍ତିନା ପୁଣି

ଧରିଲା ବକ୍ଷରେ ସେହି ଅତୀତ ଯୁଗର

ବୀରତ୍ୱ-ମହିମାମୟ ଅପ୍ରତିମ ଛବି,

ସତେ ଯେହ୍ନେ ଚାଲିଗଲେ ଆଖି ଆଗେ ଖରେ

ଭୀମାର୍ଜ୍ଜୁନ ମହାରଥ, ଭାରତ-ଗୌରବ,

ସଗର୍ବେ ଉଡ଼ାଇ ନଭେ ବିଜୟ-ପତାକା ।

ବୀରତ୍ୱର ଏ ନୀରବ ମହା-ଅଭିନୟୁ

ବିକ୍ରମଙ୍କ ବୀରହୃଦ ଲଭିଲା କି ଶିକ୍ଷା

ମହାଗୂଢ଼ତର, ତାହା ଜାଣନ୍ତି ସେ ଏକା ।

ଏଣେ ଶକାଦିତ୍ୟ ଶୁଣି ବିକ୍ରମାଗମନ

ନିଜକୁ ଅକ୍ଷମ ମଣି ପ୍ରତିଯୋଗିତାରେ

ବିନା ଯୁଦ୍ଧେ ରାଜ୍ୟ ତେଜି ପଳାଇଲା ଭୟେ ।

ନିରୁପଦ୍ରବରେ ତହୁଁ ଅବନ୍ତୀ-ମଣ୍ଡନ

 

କଲେ ଅଧିକାରଭୁକ୍ତ ହସ୍ତିନା ନଗରୀ ।

ସେ ଦିନୁ ଶକାରି ମଖ୍ୟା ଲଭି ନରମଣି

ପ୍ରଚାରିଲେ ରାଜ୍ୟ ମଧ୍ୟେ ଶକାବ୍ଦ ସ୍ୱନାମେ ।

ବିଜଶ୍ରୀବିମଣ୍ଡିତ ହୋଇ ମାଳବେଶ

ଘେନିଣ ବିଜୟଲବ୍‌ଧ ବହୁ ରତ୍ନରାଶି,

ଅଗଣିତ ଅଶ୍ୱଗଜରଥ ଆଦି ସହ

ସସୈନ୍ୟେ ବାହୁଡ଼ିଲେ ସ୍ୱରାଜ୍ୟେ ସାନନ୍ଦେ ।

ଇନ୍ଦ୍ରଦତ୍ତ ସିଂହାସନେ ମସି ବୀରମଣି

ଶାସିଲେ ସାମ୍ରାଜ୍ୟ ସୁଖେ, ସ୍ୱର୍ଗେ ଇନ୍ଦ୍ର ଯଥା,

ତାହାଙ୍କର ଶୌର୍ଯ୍ୟ ବୀର୍ଯ୍ୟ ପ୍ରତିଭା-ମୟୂଖ

ବ୍ୟାପିଲା ଧରଣୀ, ସ୍ୱଚ୍ଛ ପୁତ ସେ ଆଲୋକେ

ଭଜିଲା କ୍ଷୀଣତା ସର୍ବ ନରପତି ପ୍ରଭା,

ପ୍ରକାଶନ୍ତି ଜ୍ୟୋତି ସତ୍ୟ ତାରକାନିକର,

ମାତ୍ର ଉଦେ ହେଲେ ଚନ୍ଦ୍ର, ଦିଶନ୍ତି ମଳିନ,

(ମଳିନ ଯେସନ ଦୀନ ହାସ୍ୟ) ସ୍ୱାଭାବିକ

 

ଏହା । ଦିଗଙ୍ଗନାକୁଳ ଗାଇଲେ ତାଙ୍କର

ଗୌରବ-ଗରିମା-ଗୀତ କୋଟି କଣ୍ଠ ଫେଡ଼ି,

ମହାରାଷ୍ଟ୍ର-ଦେଶପତି ଶୁଣି ସେ ଗୀତିକା

ଉତ୍‌ଫୁଲ୍ଲି ବିପୁଳାନନ୍ଦେ ଭାଳିଲେ ଏସନ

 

ଏତେ ଦିନେ ଇଷ୍ଟଦେବ ପ୍ରସନ୍ନ ମୋ ପ୍ରତି,

ଏତେ ଦିନ ପରେ ଆଣି ଘଟାଇଲା ବିହି

ମୋ କନ୍ୟାର ଯୋଗ୍ୟ ପାତ୍ର ମୋର ମନୋମତ,

ଇନ୍ଦୁମୁଖୀ ଇନ୍ଦୁମତୀ ତନୟା ମୋହର,

 

ଅନନ୍ତ ଲାବଣ୍ୟଧାମା, ଅନନ୍ତ ସଦ୍ଗୁଣା,

ସରଳତା-ପବିତ୍ରତା-ସୁବର୍ଣ୍ଣ ପ୍ରତିମା

ଆହା କି କୋମଳହୃଦା ଜେମାମଣି ମୋର,

କରୁଣାର ଉପାଦାନେ ବିଧାତା କି ଅବା

 

ନିର୍ମାଣିଛି ସୁକୁମାର ଅଙ୍ଗଯଷ୍ଟି ତାର ?

ନିହିଛି ଲୋତକ କେତେ ତାହା ନେତ୍ରେ ପୁଣି,

ଆତୁର ଦରିଦ୍ର ଦୁଃଖ ଦର୍ଶନ ମାତ୍ରକେ

ଝରେ ତହୁଁ ଝର ପ୍ରାୟ ଅଶ୍ରୁ ଅନର୍ଗଳ !

 

ରାଜକନ୍ୟା, ମାତ୍ର ନାହିଁ ଅଲିଅଳ ଭାବ,

ସଦା ଦୁଃଖି-ଦୁଃଖେ ଦୁଃଖୀ, ଦୁଃଖୀର ଆଶ୍ରୟା ।

ନାହିଁ ତିଳେ ଐଶ୍ୱର୍ଯ୍ୟର ବିକୃତାଡ଼ମ୍ୱର,

ଯଥା ସେ ବିକ୍ରମାଦିତ୍ୟ କଷିତ-କାଞ୍ଚନ

 

ନୃପତି ସମାଜେ, ତଥା କନ୍ୟାରତ୍ନ ମୋର

ନୃପଜା ସୃଷ୍ଟିରେ, ଉଭେ ଉଭୟର ସମ,

ନିଶ୍ଚେ ସେ କାଞ୍ଚନେ ମୁହି ଯୋଜିବି ରତନ ।

ଏହା ଭାବି ରାଇ ପାଶେ ପାତ୍ରମିତ୍ରଗଣେ,

 

ଘେନି ତାଙ୍କ ପରାମର୍ଶ, ବରଗିଲେ ଦୂତ

ଅବନ୍ତୀ ନଗରେ ଲେଖି ବରଣ ଚିଟାଉ ।

ଦିବସର ଶ୍ରାନ୍ତି-ଶୀର୍ଣ୍ଣ ଶେଷ ରଶ୍ମିରେଖା

ମିଶିଗଲା ସନ୍ଧ୍ୟାନିଳେ, ମିଶିଯାଏ ଯଥା

 

ମୁମୂର୍ଷୁର ଶେଷ ଆଶା, ଚିର ନିବୃତ୍ତିର

ମହାମୌନତା ଗରଭେ, ବାରୁଣୀ ତାପସୀ

ବିହିଲା ଆରତ ଚନ୍ଦ୍ର-ଦୀପେ ସନ୍ଧ୍ୟା ପ୍ରତି,

ନାହିଁ କେବେ ବିରତି ସେ ମହା ଆରତିର ।

 

ସେ କାଳର ରମଣୀୟ ସେ ଆତ୍ମବିସ୍ମୃତ

ମାଧୁର୍ଯ୍ୟ, ପ୍ରକୃତି-ଦେବୀ ପ୍ରତି ଲୋମକୂପେ

ମୁକ୍ତ କରି କି ଅନନ୍ତ ଜ୍ଞାନ-ଗନ୍ତାଘର,

କଲା ତାକୁ ଧ୍ରୁବ ସତ୍ୟ ମହିମା-ଜୁମ୍ଭିତ ।

ବହିଲା ଚନ୍ଦ୍ରିକା ଧାରା, ମଣି ତାକୁ ଧରା

ଦେବ-ଆଶୀର୍ବାଦଧାରା ଧରିଲା ମସ୍ତକେ ।

ହସିଲେ କୁସୁମେ, ମାତ୍ର ଦୁଃଖିନୀ ପଦ୍ମିନୀ

ପୋତିଲା ତଳକୁ ମଥା, କି ତୀବ୍ର ବ୍ୟଥାରେ,

ସେ ଅବ୍ୟକ୍ତ ବେଦନାର ଘନ କାତରତା

ବାହାରି ପଡ଼ିଲା ତାର ଚକ୍ଷୁ ମୁଖ ବାଟେ,

ଏ ସମୟେ ମିଳି ଦୂତ ବିକ୍ରମ ସକାଶେ

ଅର୍ପିଲା ବିନୟେ ଧୀରେ ଶ୍ରୀଛାମୁରେ ଲେଖ ।

ଅନନ୍ତର ଯଥାକାଳେ ଶକାରି ବିକ୍ରମ

ବିଜେହେଲେ ଟହବରେ * ମହାରାଷ୍ଟ୍ର ଦେଶେ,

ପରମଗୌରବେ ତାଙ୍କୁ ଗ୍ରହି ନରପତି,

ସମର୍ପିଲେ ତାଙ୍କ କରେ ଦୁହିତା +ନିଜର ।

*ଆଡ଼ମ୍ୱର । + ବିକ୍ରମାଦିତ୍ୟ ମହାରାଷ୍ଟ୍ର ରାଜକନ୍ୟା ଇନ୍ଦୁମତୀଙ୍କ ପାଣିଗ୍ରହଣ କରିଥିଲେ । ଗ୍ରାନ୍ଥିକ ପ୍ରମାଣ ମୃଗ୍ୟ ।

 

ଅପୁତ୍ରକ ରାଏ, ତେଣୁ ଯଉତୁକରୂପେ

ଦେଲେ ମହାରାଷ୍ଟ୍ର, ରାଜ୍ୟ ନବ ଜାମାତାଙ୍କୁ ।

ସରିଲା ବିବାହ, ନବ ଦମ୍ପତିଯୁଗଳ,

ଲଭି ପରସ୍ପରେ ସଙ୍ଗୀ ଭାବି-ଜୀବନର,

 

ସହାୟ ସମ୍ୱଳହୀନ ଭବ-ମରୁପଥେ,

ମଣିଲେ କୃତାର୍ଥ । ନରପ୍ରାଣେ ପରିଣୟ

ମଙ୍ଗଳ ସଂସ୍କାର ସାର, ବରକନ୍ୟାଙ୍କର

ହସ୍ତଗ୍ରନ୍ଥି ନୁହେଁ ଖାଲି ପ୍ରଣୟ ବନ୍ଧନ,

 

ଧର୍ମର ବନ୍ଧନ ତାହା, ସତ୍ୟର ବନ୍ଧନ,

ଅଚ୍ଛିନ୍ନ ଅଭିନ୍ନ ତେଣୁ, ବିବାହ ଦିବସ,

ଭବାଶ୍ରମ ପ୍ରବେଶର ଆଦ୍ୟ ଦିନ ସିନା,

ସେ ଦିନୁ ଆରମ୍ଭ ହୁଏ ଧର୍ମଜୀବନର

 

ପ୍ରକୃତ କର୍ତ୍ତବ୍ୟ, ତାହା ମହାଶୁଭ ଦିବା ।

ନବୀନା ମହିଷୀ ସହ ଅବନ୍ତୀଭରସା

ବାହୁଡ଼ିଲେ ରଥେ ବସି ସଦଳେ ସ୍ୱଦେଶେ,

ବିକ୍ରମଙ୍କ ଦକ୍ଷେତରେ ମହାରାଷ୍ଟ୍ର ଜେମା

 

ଶୋଭିଲେ ଯେସନ ପୁଣ୍ୟ ପାଶେ ପବିତ୍ରତା,

ଅବା ତପଃ ପାଶେ ସିଦ୍ଧି, କୃପା ସ୍ନେହ ପାଶେ,

ଅଥବା ବସନ୍ତ ରାଜା ବିଜେ ପୁଷ୍ପରଥେ

ସୁଷମା-ସାମ୍ରାଜ୍ଞୀ ସହ, ମହାସମାରୋହେ ।

 

ଲାଗିଲା ବେନିଙ୍କ ମଧ୍ୟେ ଦାମ୍ପତ୍ୟ ସମ୍ଭାଷ,

ପ୍ରଥମତଃ ଥରେ ଥରେ ବାଧା ଦେଲା ବ୍ରୀଡ଼ା,

ମାତ୍ର ଉଦ୍ଦାମ ପ୍ରୀତିର ପ୍ରଖର ପ୍ରବାହେ

ହୋଇ ସେ ଅକ୍ଷମ ଶେଷେ ଆତ୍ମ-ସଂରକ୍ଷଣେ

 

ବୁଡ଼ିଗଲା ତହିଁ । ବହୁ କଥାବାର୍ତ୍ତା ପରେ

ଭାଷିଲେ ଦୟିତ- ‘‘ପ୍ରିୟେ, ଭାଗ୍ୟଧର ମୁହିଁ

ଲଭି ତୁମ୍ଭ ଭଳି ପତ୍ନୀ-ନିଖିଳ ସଦ୍‌ଗୁଣା,

ଆଜିଠାରୁ ହେବ ସତି, ତୁମ୍ଭେ ଗୋ ପୂଜିତା

 

ମୋର ହୃଦ-ସିଂହାସନେ, ପ୍ରେମ-ପାରିଜାତେ ।’’

ଉତ୍ତରିଲେ ଇନ୍ଦୁମତୀ ସୁନ୍ଦରୀ-ଇନ୍ଦ୍ରାଣୀ,

ପ୍ରଭୋ, ଏ କି ଅସଙ୍ଗତ କଥା, କରିବାକୁ

ଅଧିକାର ହୃଦ ତବ, ପବିତ୍ର ପରମ,

 

ଅଛି କି ରମଣୀ କାହିଁ ରମଣୀ-ସୃଷ୍ଟିରେ ?

ତୁମ୍ଭେ ମୋର ସ୍ୱାମୀ, ପୂଜ୍ୟ ହୃଦୟଦେବତା,

ଆକାଙ୍କ୍ଷାର ସ୍ୱର୍ଗଧାମ, ଏ କିଣା କିଙ୍କରୀ

 

ସେବାଦାସୀ ସିନା, ଦେବ, ଚରଣେ ତୁମ୍ଭର ।’’

କହିଲେ ନୃମଣି, ପ୍ରିୟେ, ‘‘ଏହି ଆତ୍ମଗ୍ଳାନି

ତବ ବିଶେଷତ୍ୱ, ସ୍ତ୍ରୀତ୍ୱ, ମହତ୍ତ୍ୱ, ଦେବତ୍ୱ,

କିପାଁ ନ ମଣିବି ଧନ୍ୟ ଲଭି ମୁଁ ତୁମ୍ଭଙ୍କୁ ?’’

 

ଏହିପରି ସ୍ନେହାଳାପ କରୁ କରୁ ଦୁହେଁ

ମିତିଲେ ଅବନ୍ତୀ ରାଜ୍ୟେ, ତହୁଁ ଯଥାବିଧି

ଲାଗିଲେ ଆନନ୍ଦୋତ୍ସବ ସପ୍ତ ଦିବାନିଶି ।

ନବୀନା ଭାମିନୀ ସହୁ ବିକ୍ରମ ନୃପତି

 

ସଂପାଦିଲେ ସୁଖେ ଦିନ ଏକ ମନପ୍ରାଣେ,

ବଦ୍ଧ କି କରିଣୀ କରୀ ଏକଇ ଶୃଙ୍ଖଳେ !

ମିଶିଲା ଆତ୍ମାରେ ଆତ୍ମା, ଭିନ୍ନ ଖାଲି ଦେହେ,

ଯଥା ଏକମାତ୍ର ଶବ୍ଦ ଦି ଅର୍ଥ ବୋଧକ ।

 

ଏହି ଶୁଭ ଉଦ୍‌ବାହର ସ୍ଥାୟୀ ସ୍ମୃତିରୂପେ

ସଂସ୍ଥାପିଲେ ବିକ୍ରମାର୍କ ନବ ରାଜ୍ଞୀ ନାମେ

ଇନ୍ଦ୍ରପୁର ରାଜ୍ୟ, ଯାମ୍ୟଭାରେ ଅବନ୍ତୀର,

ପରିଚିତ ଏବେ ତାହା ଇନ୍ଦୋର ଆଖ୍ୟାରେ ।

 

ଏ ଅନ୍ତେ ଅବନ୍ତୀ-ପତି ମହୀ-ସୁନାସୀର

ସାଜିଲେ ବିରାଟ ଚମୂ ଦିଗ୍‌ବିଜୟ ଆଶେ ।

ବାହାରିଲେ ଚିରଜୟୀ ଉଜ୍ଜୟିନୀ ବୀରେ

ଦୀପ୍ତ ପ୍ରକ୍ଷ୍ୱେଡ଼ନଧାରୀ, ଉଠୁଛି ଆଭାସି

 

ପ୍ରାକର୍ମ ସାହସ ନେତ୍ରୁ, କମ୍ପାଇ ଆକାଶ

ଜୟ ମହାକାଳ ରବେ ଚାଲିଛନ୍ତି ଖରେ

ଅସ୍ତ୍ରଲେଖାଙ୍କିତ ବକ୍ଷ ଫୁଲାଇ ଉଲ୍ଲାସେ,

ସମ୍ମଖସାମରୀ ସର୍ବେ, ମହାଭୀତି ସ୍ଥଳ

 

ଭୟର, ଦୁରନ୍ତ ଯମ, ଥାଉ ଆନ କଥା,

ସମରେ ଅମରଞ୍ଜୟ, ଅପୃଷ୍ଠଦରଶା,

ତେଣୁ ନାହୁଁ ଅସ୍ତ୍ରଲେଖା ପୃଷ୍ଠେ । ତାଙ୍କ ପଛେ

ସୁବର୍ଣ କଳିସଯୁକ୍ତ ସୁନ୍ଦର ସ୍ୟନ୍ଦନ,

 

ଗର୍ବନତଗ୍ରୀବ ଅଶ୍ୱ, ମତ୍ତ ଦନ୍ତାବକ-

ଆୟସୀ ଅମାର- ହେବ କୁବେଣୀମଣ୍ଡିତ ।

ମିଶିଲେ ତା ସହ ଆସି ହସ୍ତିନା-ନିବାସୀ

ଦାମ୍ଭିକ ଆସ୍ତ୍ରିକବୃନ୍ଦ, ଶୂଶ୍ରୂଳ, ପୃଥୁକ,

 

ବିଶାଳ ଉଷ୍ଣୀଷ ଶିରେ, ଦିଶୁଛନ୍ତି ଯଥା

ଆଭୀକ * ନୃସିଂହ ମୂର୍ତ୍ତି, ବିନା ପରଶନେ

ହରନ୍ତି ଯେ ଦରଶନ ମାତ୍ରେ ଅରାତିର

ଅଧେ ବଳ, ଅଧେ ଧୈର୍ଯ୍ୟ । ଆସିଲେ ଆବର

*ଭୟାନକ

 

ମହାରାଷ୍ଟ୍ର ମହାବୀରେ ମହାରଣରଙ୍କା,

ଚାହାଁଣି ବୀରତ୍ୱବ୍ୟଞ୍ଜୀ ଉଦାର, କଠୋର,

ଯାହାଙ୍କ ତ୍ରିଶୂଳ ମୁନେ ବସେ ଅଲକ୍ଷ୍ୟରେ

ଭୁବନ-ଦମନ-ଦକ୍ଷ ଦୁରନ୍ତ ଶମନ ।

 

ଏହିରୂପେ ନାନାଦେଶ ସୈନ୍ୟ ସମାବେଶେ

ହେଲା ପରିବ୍ୟାପ୍ତ ମହୀ ଅଷ୍ଟାଦଶ * ଯୁଣ ।

ସଂଖ୍ୟାରେ ପୃତନା ହେଲା ତ୍ରିକୋଟି ପଦାତି,

 

ରଥାରୋହୀ ଅଶ୍ୱାରୋହୀ ସେହି ପରିମିତ,

*ଯୋଜନା

 

ଚତୁଷ୍କୋଟି ରାଜାରୋହୀ, ଚତୁର୍ଲକ୍ଷ ପୋତ ।

ଘେନି ଚତୁରଙ୍ଗ ବଳ ବିଜେ ହେଲେ ରଥେ

ଭାରତେ ଅପ୍ରତିରଥ ବିକ୍ରମାର୍କ ରଥୀ,

ସଚଳ ସାଗର ପ୍ରାୟ ଚଳିଲା ବାହିନୀ,

ପ୍ରଥମେ ପ୍ରତୀଚୀ ମୁଖେ, ଗଭୀର ନିର୍ଘୋଷେ ।

ବୀଚି ତହିଁ ସୈନ୍ୟପନ୍ତି, ବୀରପାଗ ଫେନ,

ରକ୍ତ ବୈଜୟନ୍ତୀମାଳା ବିଦ୍ରୁମ-ଲତିକା,

ଧନୁଶର ସର୍ପଜାତ, ଫଳକ କଚ୍ଛପ,

ଖଡ଼୍ଗ ମୀନ, ଅଶ୍ୱରାଜ ତିମିତିମିଙ୍ଗିକ,

ଶକଟ କକଟ, ରଥ ଅଝାଲିତ ପୋତ,

ରତ୍ନାକର ରତ୍ନରାଶି ବୀର ଅଳଙ୍କାର ।

ଭୀତି ଲଭି ବିକ୍ରମଙ୍କ ଦୁର୍ବାର ବିକ୍ରମେ

 

ଥୋକେ ନୃପ, କରି ତାଙ୍କ ବଶ୍ୟତା ସ୍ୱୀକାର,

ଭେଟିଲେ ଛାମୁରେ ଆଣି ରାଜକରରୂପେ

ବହୁ ଧନ, ରତ୍ନ, ରାଜ, ବାଜୀ, ସ୍ୟନ୍ଦନାଦି

ସ୍ୱୀୟ ସ୍ୱାଧୀନତା ସହ, ଭେଟେ ଯଥା ନଦ

 

ସିନ୍ଧୁ ପଦେ ଢାଳ ଦେଇ ଶରୀର-ସମ୍ବଳ

ଚଳାଇ ସ୍ୱକୀୟ ଶକ ବିଜିତ ପ୍ରଦେଶେ

ଘେନି ପରାଜିତ ସୈନ୍ୟ ହେଲେ ଅଗ୍ରସର

ରାଏ ଅନ୍ୟ ରାଜ୍ୟ ପ୍ରତି, ମିଶି ଠାବେ ଠାବେ

 

ପଥେ ବହୁ ନରପତି-ଚମୁ, ହେଲା କ୍ରମେ

ସମ୍ରାଟ ବହିନୀ ଉଗ୍ର ପୃଥଚର, ଯଥା

ନଦୀ, ଘେନି ଗତିପଥେ ବହୁ ଉପନଦୀ

ହୁଏ ପୃଥୁତମା । ବଳେ ତ୍ରିବିକ୍ରମ ସମ

 

ହେଲେ ହେଁ ବିକ୍ରମ, ମାତ୍ର ନ କରନ୍ତି ଋଣ

ଦୁର୍ବଳ ସହିତେ, କେବେ ଯୁଝେ କି ନକୁଳ

ମଣିଚୂଡ଼ ଅହି ଭିନ୍ନ ମହୀଲତା ସହ ?

ସତତ ସଦୟ ସେହୁ ପରାଜିତ ପ୍ରତି,

 

ମାତି ଯେ ବିଜୟଦର୍ପେ ବିଜିତ ଉପରେ

କରେ ଅତ୍ୟାଚାର, ନୁହେ ବୀର ସେ କଦାପି,

ସେ ପିଶାଚ, ନତୁ ହିଂସ୍ରଜନ୍ତୁ ନରରୂପୀ,

ପ୍ରଦେର୍ଶେ ସେ ଅସମ୍ମାନ ପୁଣ୍ୟ ବୀରଧର୍ମେ ।

 

ବୀର ପକ୍ଷେ ଶ୍ରେଷ୍ଠ ସ୍ୱର୍ଗ, ସର୍ବଶ୍ରେଷ୍ଠ ତୀର୍ଥ

ଋଣସ୍ଥଳୀ, ବୀରର ସେ ଜୀବନ-ବାଞ୍ଛିତ,

ବାଲ୍ୟେ ଯେ ସୁହୃଦବରା, ଯୌବନେ ସଙ୍ଗିନୀ,

ବାର୍ଦ୍ଧକ୍ୟରେ ମରଣର ଶେଷ ମହାଶଯ୍ୟା,

 

କରେ ତାକୁ ଅପବିତ୍ର ଅତ୍ୟାଚାରୀ ବୀର ।

ପକ୍ଷାନ୍ତେ ଯେ ଶତ୍ରୁ ପ୍ରତି ପ୍ରକାଶେ କରୁଣା,

ମଣେ ଶତ୍ରୁ ଗୌରବକୁ ନିଜର ଗୌରବ,

ସେହି ବୀର, ବୀରତ୍ୱର ମହିମିତ ଭୁଷା ।

 

ଲଙ୍ଘି ବହୁ ବନ, ଗିରି ଚାରୁକାନ୍ତଚୂଡ଼,

ବିସ୍ତୀର୍ଣ ପ୍ରାନ୍ତର, ନଦୀ, ରମ୍ୟ ରାଜଧାନୀ,

ମିଳିଲା ବାହିନୀ ଯାଇ ଗୁଇକ୍ୱାଡ଼ ଦେଶେ ।

ସ୍ୱଦେଶ ରକ୍ଷାର୍ଥେ ତହୁଁ ସେ ରାଜ୍ୟ ସୈନିକେ

 

ଦଳେ ଦଳେ ଦୁର୍ଗ ମଧ୍ୟୁ ହୋଇ ବହିର୍ଗତ

ଧାଇଁଲେ ଅରାତି ପ୍ରତି, ସନ୍ଧ୍ୟାଗମେ ଯଥା

ବାହାରି ଗେରୁଆ ଖୋଲୁ ୧ ପଲ ପଲ ହୋଇ

୧- ଗଞ୍ଜାମ ଜିଲ୍ଲାସ୍ଥ ଇଚ୍ଛାପୁରର ସ୍ୱନାମଧନ୍ୟ ପଙ୍କତ ।

ଅସଂଖ୍ୟ ୨ ଅଜିନପକ୍ଷ, ହୁଅନ୍ତି ଧାବିତ

୨- ବାଦୁଡ଼ି ।

 

ଆକାଶେ ଉଦ୍ୟାନମୁଖେ ୩ ଫଳାଶନ ଆଶେ ।

ଉତ୍ତେଜନା ଉଚ୍ଛ୍ୱାସରେ ହୋଇ ପ୍ରଦୀପିତ

ସକଳ ଦୀରର ଆସ୍ୟ, ନିଷ୍ଠୁର ହାସିତ,

ପ୍ରତେ ହୁଏ, ଯେହ୍ନେ ସର୍ବେ ଶରୀର ଅପେକ୍ଷା

୩- ସମୁଦ୍ର ବେଳାସ୍ଥ ଉଦ୍ୟାନଖଣ୍ଡ ।

 

ଅଧିକ ବଳିଷ୍ଠ ମନେ, ଲାଗିଲା ସମର,

ମାତ୍ର କେତେ କ୍ଷଣ ଅବା ତିଷ୍ଠିବ ଶଲଭ,

ଜ୍ୱାଳାବଳିବିଭୁଷିତ ଜ୍ୱଳନ୍ତି ଅନଳେ ?

ନ ପାରି ବିପକ୍ଷବୀର୍ଯ୍ୟ ସହି ଗୁଇକ୍ୱାଡ଼େ

 

ପଳାଇଲେ ଇତସ୍ତତଃ ଭଙ୍ଗ ଦେଇ ରଣେ,

ଆଶାର ସୁବର୍ଣ୍ଣ ସୌଧ ହେଲା ଧୂଳିସାତ !

ଏଥୁଅନ୍ତେ ଜୟୋଲ୍ଲାସେ ବିଜୟବାହିନୀ

ଚଳିଲା ଗୁର୍ଜର ଦେଶେ ୪ ସାଗର-ମେଖଳ,

୪- ଆଧୁନିକ ଗୁଜରାଟ ।

ଦୀପ୍ତ ଯାର ବକ୍ଷ ସଦା, ଦୀପେ କକ୍ଷ ଯଥା,

ଦ୍ୱୀପ-ଦୀପାନ୍ତରାନୀତ ମାଣିକ୍ୟ-ମୌକ୍ତିକେ,

ମହାଦୁର୍ଗ ଭାରତର ଜଳଦ୍ୱାରରୁପୀ,

ବସି ଯେଉଁ ଦ୍ୱାରେ ଆହା ଭାରତଜନନୀ

କରନ୍ତି ଶ୍ରବଣ ନିତ୍ୟ ରତ୍ନାକର ମୁଖେ

ସଂସାରର କି ଦୁର୍ବୋଧ୍ୟ ବ୍ୟାକୁଳ ବେଦନା-

ଗୀତି, ସେ ଅନନ୍ତ ରୁଦ୍ର ଅଖଣ୍ଡ ଗୀତିକା

ଅନନ୍ତ ଆକାଶ ଶୁଣି ସ୍ତମ୍ଭିତ ସର୍ବଥା ।

ଗର୍ଜିଲା ଗୁର୍ଜର ମହୀ ହେରି ବୈରିଥାଟ,

ମାତ୍ର ତାହା ବୃଥା, ଶୂନ୍ୟଗର୍ଭ ଆସ୍ଫାଳନ,

ବ୍ୟର୍ଥ ଆସ୍ଫାଳନ ଯଥା ତା ପଦେ ସିନ୍ଧୁର ।

ନିରେଖି ଗୁର୍ଜରପତି ସୈନ୍ୟ-ପାରାବାର,

 

ହୋଇ ସ୍ତବଧ ମହାଭୀତ, କଲେ ଆସି ଖରେ

ସନ୍ଧି, ଅର୍ପି ଯଥୋଚିତ ରାଜକର, ତହୁଁ

ବିଜେ ହେଲେ ବିକ୍ରମାର୍କ କଚ୍ଛ ଉପକୂଳେ ।

ପୁରୋଭାଗେ ରତ୍ନାକର ଅଛି ବିଲମ୍ବିତ,

ଚିର ବୀଚି-ବିକ୍ଷୋଭିତ, ଅକଳିତ କୂଳ,

 

କି ରୁଦ୍ର ବିସ୍ତୃତି ଅହୋ, ଅନନ୍ତ, ଅଗମ୍ୟ,

ଯେସନ ହିରଣ୍ୟଗର୍ଭ, ଖିଳ ଜ୍ଞାନତୀତ,

ମାନବର କ୍ଷୁଦ୍ରାଦପି କ୍ଷୁଦ୍ର ଅନୁଭୂତି

ନ ପାରି ସେ ବିସ୍ତୃତିର ସୀମା ସ୍ପର୍ଶ କରି,

ବୁଡ଼ି ମରେ ଶେଷେ ତାର ଅଗାଧ ସଲିଳେ ।

ଅର୍ଦ୍ଧମୁକୁଳିତ ବକ୍ଷ ଦେଖାଇ ପ୍ରକୃତି

ପ୍ରକାଶେ କି ବିଶ୍ୱଭୂମା ମହିମା-ଗରିମା ?

ବିରାଟ ବିକଟ ରମ୍ୟ ସାଗର-ତାଣ୍ଡବେ

ହେଲେ ନୃପବର ହୃଷ୍ଟ ବିଶାଳ ବାରିଧି,

ବିଶାଳ ବିକ୍ରମ ହୃଦ, ବିଶାଳ ବିଶାଳ

 

ଭେଟ-ବାରୀନ୍ଦ୍ର ନରେନ୍ଦ୍ର ଭେଟ, ମହା ମହା-

ମିକନରେ ସଂଜାତ କି ମହାଭାବ ଅବା

କେ କହିବ ତାହା, ସେ ଯେ ଅଜ୍ଞେୟ ଅନ୍ୟର !

ପୂର୍ବରୁ ସଜ୍ଜିତ ତହିଁ ଥିଲା ରଣତରୀ

ଚତୁର୍ଲକ୍ଷସଂଖ୍ୟ, ନୃପ ଆରୋହି ସଦଳେ

ରୋମ ରାଜ୍ୟ * ଅଭିମୁଖେ କରେ ଅଭିଯାନ ।

* ଇଟାଲୀର ଅନ୍ତର୍ବର୍ତ୍ତୀ ରାଜ୍ୟ ।

 

ଚାଲିଲା ତରଣୀସଙ୍ଘ ଲହରୀ ବିଦାରି

ବିହଙ୍ଗଗତିରେ ଖରେ, ପ୍ରତେ ହେଲା ଯଥା

କେଉଁ ମହାନଗରୀ ବା ଯାଉଅଛି ଭାସି

 

ଲଙ୍ଘି କ୍ରମେ ସିନ୍ଧୁ ସିନ୍ଧୁ + ପବିତ୍ରସଙ୍ଗମ,

ରଖି ଦକ୍ଷଭାଗେ ଅବି-ଆରବ-ମୁଖର

ଆରବ ନଗରେ, ମ୍ଲେଚ୍ଛ ଯବନବସତି,

ପଡ଼ିଲା ତରଣୀବାର ଲୋହିତ ସାଗରେ ।

+ ସମୁଦ୍ର ଓ ସିନ୍ଧୁନଦ ।

 

ହେରି ତହିଁ ରକ୍ତଜଳ ଭାରତୀୟ ବୀରେ

ଲଭିଲେ ବିସ୍ମୟାନନ୍ଦ, ପ୍ରତିଫଳି ମୁଖ

ଲୋହିତ ସଲିଳବିମ୍ବେ ଦିଶିଲା ରକ୍ତାଭ,

ପଦ୍ମ ଯଥା ବୋଳିହୋଇ ଉଷା ପାଟଳିମା;

 

କା’ ସହ ଚର୍ଚ୍ଚରି-କ୍ରୀଡ଼ାଇଚ୍ଛି ସୃଷ୍ଟିରାଣୀ

ସୃଜିଛନ୍ତି ଫଗୁଜଳେ ମହାଜଳାଶୟ,

ଖେଳୁଛି ଲୋହୁତବୀଚି ଲୋହିତ ଉରସେ,

ରୂପ-ପାରାବାରେ ଯଥା ସୁଷମା ଲହରୀ,

 

କିମ୍ବା ଉଠେ ରଙ୍ଗଘନେ ରଙ୍ଗ ବିଦ୍ୟୁ ଭାସି !

ଓହ୍ଲାଇ ବାହିନୀ ତହିଁ, ଚାଲି ଖଣ୍ଡେ ଦୂର

ଆରୋହିଲା ତରୀ ପୁଣି ଭୂମଧ୍ୟସାଗରେ ।

ଧାଇଁଲା ତରଣୀ ଏବେ ଖରେ ସେ ସାଗରେ,

 

ଲୋହିତସାଗର ଶୋଭା ଦିଶିଲା ସେଠାରୁ

ସୀମାନ୍ତ ସିନ୍ଦୂର ଦାଣ୍ଡି ପ୍ରାୟ ପ୍ରକୃତିର ।

ଦିଶିଲା ଅଗ୍ରତେ ରୋମ ସୁରମ୍ୟ ନଗରୀ,

ଇତିହାସସୁପ୍ରସିଦ୍ଧା, ସୌଭାଗ୍ୟଶାଳିନୀ,

 

ସଭ୍ୟତାର ପୁଣ୍ୟପୀଠ, ଧନେ, ମାନେ, ଜ୍ଞାନେ,

ପୁଣି ଶୌର୍ଯ୍ୟ ପ୍ରଭାବରେ ଜଗତେ ଅତୁଳା,

ବିରାଜେ ବାରିଧି ପ୍ରାନ୍ତେ, ନଭଃପ୍ରାନ୍ତେ ଯଥା

ଧ୍ରୁବତାରା, କିମ୍ବା ଲଙ୍କା ଭାରତ-ପୟରେ ।

 

ସେ ଦେଶ ନୃପତି ଶୁଣି ଶତ୍ରୁ-ଆଗମନ,

ସାଜି ତୂରୀ ତରୀବ୍ୟୂହ ଓଗାଳିଲେ ପଥ

ବିପୁଳ ବିକ୍ରମେ ଆସି, ସାଗରବକ୍ଷରେ

ବେନି ନୌବାହିନୀ ଦୂରୁ ଦିଶିଲା ରୁଚିର,

 

ମଧ୍ୟେ ନୀଳେ ପାରାବାର ମାତ୍ର ବ୍ୟବଧାନ,

ଶାରଦୀୟ ମେଘରନ୍ଧ୍ରେ ନଭରେଖା ଯଥା,

ଅଥବା ମର୍କତେ ବନ୍ଧା ରାଜଦାଣ୍ଡ ପାଶେ

ଶୋଭେ ନବରାଜଧାନୀ ନବରତ୍ନଖଚୀ

 

ବାରୀଶ ବରୁଣଙ୍କର । ଲାଗିଲା ସମର,

ପ୍ରଥମତଃ ତରୀଚୂଡ଼ଧ୍ୱଜ କଟାକଟି,

ଦ୍ୱିତୀୟେ ପରୀକ୍ଷା ବଳ, ଚାଲିଲା ଆକାଶେ

ଶର, କୋଟି କୋଟି ଉଲ୍‌କାପ୍ରାୟ ସନସନେ,

 

ବର୍ଷିଲା ସ୍ଫୁଲିଙ୍ଗରାଶି ବାଣ ସଂଘର୍ଷଣେ,

ଆର୍ତ୍ତନାଦି, ବୀରନାଦ ଧନୁକ ଟଙ୍କାର

ମିଶି ହୋଇ ପୁଥୁଳିତ, ଦେଲାକ ବୁଡ଼ାଇ

ପାରାବାର ଚିରନ୍ତନ ଗଭୀର ଚହଳ ।

 

ମଣିମଣ୍ଡୀ ଚାକ୍‌ଚକିତ ରାଜଦନ୍ତ ପୋତେ

ଦେଖୁଥିଲେ ବିକ୍ରମାର୍କ ରଣ, ମନ୍ତ୍ରିବର

ବୀରସେନ ସହ ଧୀରେ ଏତେବେଳଯାଏଁ,

ମାତ୍ର ହେରି ଆତ୍ମପକ୍ଷେ କିଞ୍ଚିତ ଦୁର୍ବଳ

 

ଉଠିଲେ ଉଭୟ ବୀରେ ଟଙ୍କାରି ଅଧିଜ୍ୟ,

ବରଷିଲେ ବାଣଧାରା ବର୍ଷାଧାରା ସମ

ରଘୁହସ୍ତେ, କିଏ କେବେ ନିଏ ତୂଣୂ ଶର,

ଯୋଖେ ତାହା କେତେବେଳେ ଶରାସନେନେଇ,

 

କେତେବେଳେ କରେ ଅବା ଗୁଣ ଆକର୍ଷଣ,

ହେଲା ନାହିଁ ଜାଣି କିଛି, କେବଳ ସତତ

ଦିଶୁଥାଏ ବେନି ଧନୁ ମଣ୍ଡଳ ଆକାର ।

ବିପକ୍ଷର ରଣଚରୀ କେତେ ହେଲା ମଗ୍ନ,

 

କେତେ ଭଗ୍ନ, ଅର୍ଦ୍ଧଭଗ୍ନ, ବିପର୍ଯ୍ୟସ୍ତ କେତେ,

କେତେ ବା ଅଚଳ, ଦେଖି ତାହା ବିପକ୍ଷର

ହୋଇଗଲା ଚୂର୍ଣ୍ଣୀଭୂତ ଆଶା-ବିନ୍ଧ୍ୟାଚଳ ।

ଲକ୍ଷି ରୋମେଶ୍ୱର ବକ୍ଷ ଶ୍ରୀବିକ୍ରମାଦିତ୍ୟ

 

ବିନ୍ଧିଲେ ଶାୟକ ଏକ, ମାତ୍ର ପରକ୍ଷପେ

କି ଭାବିଣ ମନେ, ପଡ଼ୁ ପଡ଼ୁ ତାହା ଯାଇ

ବିପକ୍ଷ ବକ୍ଷରେ, ମାରି ଖରେ ଆନ ଶର

ନେଲେ ତା ଉଡ଼ାଇ, ଦେଖି ଏ ଅଦ୍ଭୁତ ଶିକ୍ଷା

 

ଦେଲେ ଛତ୍ରଭଙ୍ଗ ଭୟେ ପରିପନ୍ଥିଦଳେ ।

ବନ୍ଦୀ କରି ତହୁଁ ରୋମ ବିଧର୍ମୀ ଅଧିପେ

ବାହୁଡ଼ିଲେ ବିକ୍ରମାର୍କ ଭାରତାଭିମୁଖେ ।

ଚାଲିଲା ତରଣୀବ୍ୟୂହ ଖରେ ଅବିରତ,

 

ଦୋଳିଖେଳ ଖେଳି ଖେଳି ଲହରୀ-ଦୋଳାରେ,

ଜୟୋଲ୍ଲାସେ ମାତି ସୈନ୍ୟେ କଲେକ ଆବୃତ୍ତି

ଜାତୀୟ ସଙ୍ଗୀତ, ସ୍ନିଗ୍‌ଧ ସୁମଧୁର ସ୍ୱରେ,

ଯଥାକାକେ ଆସି ସର୍ବେ ମିଳିଲେ ସ୍ୱଦେଶେ ।

 

ବଶତା ସ୍ୱୀକାର କରି ରୋମ-ଅଧିପତି

ମାଗନ୍ତେ ମେଲାଣି, ତହୁଁ ଭାରତ-ସମ୍ରାଟ

ଲଭି ପରିତୁଷ୍ଟି ଦେଲେ ତାହାଙ୍କୁ ବିଦାୟ

ସସମ୍ମାନେ, ଗଲା ବୀର ବିରସେ ବାହୁଡ଼ି,

 

ସେ ଦିନ ଚଳିଲା ରୋମେ ଖଗେନ୍ଦ୍ର-ଅଙ୍କିତ

ସୁନ୍ଦର ଦୀନାର ମୁଦ୍ରା ସମ୍ରାଟ-ଆଦେଶେ ।*

*ରୋମର ପ୍ରାଚୀନ ମୁଦ୍ରା ‘‘ପାନେରିଆସ’’ ସମ୍ଭବତଃ ବିକ୍ରମାଦିତ୍ୟଙ୍କ ଗରୁଚାଙ୍କିତ ମୁଦ୍ରା ଏହି ‘‘ଦୀନାର’’ ଶବ୍ଦଜ।

 

ନବମ ସର୍ଗ

 

ଅନନ୍ତର ପୂର୍ବଦିଗ ବିଜୟ-ମାନସେ

ଯାତ୍ରା କଲେ ଯଶୋଧନ ଶ୍ରୀବିକ୍ରମାଦିତ୍ୟ,

ପ୍ରଥମତଃ ମରୁଗର୍ଭ ରାଜସ୍ଥାନ ଜିଣି,

(ଚିର ବୀରଧାତ୍ରୀ ବୀର-ପିଣ୍ଡମୁଣ୍ଡେ ଗଢ଼ା)

 

ମିଳିଲେ ସସୈନ୍ୟେ ଯାଇ ପଞ୍ଚନଦ ଦେଶେ,

ନିବସନ୍ତି ଯହିଁ ଏବେ ଶୂରଶିଖ ଶିଖେ

ଲୌହବର୍ମଧାରୀ, ଯାଙ୍ଗ ଦ୍ୱିଧାର କୃପାଣ,

ଅରି ଲହୁ-ଲେହୁନରେ ବିଶେଷ ତତ୍ପର ।

 

ଘେନି ତହୁଁ ରାଜକର, ହସ୍ତିନା ପଥରେ

ବିଜେ ହେଲେ ବୀରବର ମଥୁରା ନଗରେ,

ପୌରାଣିକ କଂସରାଜ୍ୟ, ଅଦୂରେ ଯାହାର

ରାଜେ ବୃନ୍ଦାବନଧାମ, ନିକୁଞ୍ଜ-ମଞ୍ଜୁକ,

 

ଯାର ପୁଣ୍ୟରେଣୁକଣା ବୈଷ୍ଣବ-ବାଞ୍ଛିତ,

ଯେଣୁ ତାହା କୃଷ୍ଣପ୍ରେମେ ବିସିକ୍ତ ଶୀତଳ ।

 

ବିଳସି ସେଠାକେ ଶ୍ୟାମ, ଘନଶ୍ୟାମକୁଞ୍ଜେ

ଶ୍ୟାମିକାଙ୍ଗୀ ରାଧା ସହ, ବଜାଇ ମୁରଲୀ

ମୋହିଲେ ଗୋପିକାକୁଳ ଅତୀତ ଯୁଗାନ୍ତେ ।

ନିହିତ କି ଗୁଢ଼ତତ୍ତ୍ୱ କଷ୍ଣ ଅବତାରେ,

କୃଷ୍ଣରୂପୀ ଆତ୍ମା ବିଜେ ଦେହ-ବୃନ୍ଦାବନେ

ପ୍ରକୃତି-ରାଧିକା ସହ ବାଇ ଜ୍ଞାନ ବଂଶୀ

ହରନ୍ତି ସେ ଜୀବରୂପା ଗୋପାଳୁଣୀ ମତି,

କରିପାରେ ଜ୍ଞାନ-ନେତ୍ରେ ତାଙ୍କୁ ଯେ ଦର୍ଶନ

ସେ ଅଜ୍ଞାତ ଦେଶେ, ଲଭେ ନିର୍ବାଣ ମୁକ୍ତି ସେ,

ପ୍ରଦର୍ଶିଲେ ହରି ସିନା କୃଷ୍ଣରୂପ ଧରି

ମାନବ ଶିକ୍ଷାର୍ଥେ ଏହି ରୂପକାଭିନୟ ।

ମଥୁରା ପତନ ଅନ୍ତେ ବିଜୟବାହିନୀ

ଚାଲିଲା ସରଯୂହାର କୋଶଳାଭିମୁଖେ,

ରବିକୁଳ ରାଜଧାନୀ ସତୀ ସୀତା-ପୂତ,

ଯା ମହିମା ମହାସ୍ମୃତି ଘୋଷେ ରାମାୟଣ ।

ଗତିପଥେ ଜୟ କରି ପ୍ରୟାଗ ନଗରୀ-

 

ଜାହ୍ନବୀ-ଯମୁନା ଯୋଗ ପୁଣ୍ୟତୀର୍ଥସ୍ଥଳୀ,

ବାରଣାସୀ-କୈଳାସ ଯେ ଭାରତ-ସ୍ୱର୍ଗର,

ପ୍ରବେଶିଲେ ବିକ୍ରମାର୍କ ମଗଧପ୍ରଦେଶେ,

ପଞ୍ଚଶୈଳବିବେଷ୍ଟିତ ଗିରିବ୍ରଜପୁରେ, ୧

ସ୍ଥାପିଥିଲେ ରାଜଧାନୀ ଜରାସନ୍ଧ ଯହିଁ ।

ଉଦ୍‌ବୋଧଇ ଶାକ୍ୟସ୍ମୃତି, ପାଶେ ଉରୁବିଲ୍ୱ, ୨

୧-ବୈଭାରଗିରି, ବିପୁଳଗିରି, ରତ୍ନଗିରି, ଉଦୟଗିରି ଓ ଶୋଣଗିରି ।

ଆଧୁନିକ ନାମ ରାଜଗୃହ ଗିରିବ୍ରଜପୁର।

୨- ଉରୁବିଲ୍ୱ ପର୍ବତରେ ବୁଦ୍ଧଦେବ ଧ୍ୟାନସ୍ଥ ରହି ବୌଦ୍ଧନୀତ ରଚନା କରିଥିଲେ।

ତଦନ୍ତେ ପାଟଳୀପୁତ୍ର, ରାମସଂସ୍ଥାପିତ, ୩

ରାଜେ ଯହିଁ ବୁଦ୍ଧଗୟା, ତୀର୍ଥ ସୁପାବନ, ୪

ତହିଁ ବୋଧିଦ୍ରୁମ ମୂଳେ ଯୋଗୀ ଶାକ୍ୟସିଂହ,

(ଅହିଂସା ପରମ ଧର୍ମ ଯାଙ୍କ ଧର୍ମନୀତି)

୩- ପାଟଳିପୁତ୍ର ବଳରାମଙ୍କଦ୍ୱାରା ସଂସ୍ଥାପିତ ବୋଲି କିମ୍ବଦନ୍ତୀ ଅଛି ।

୪- ବୁଦ୍ଧଦେବି ଏଠାରେ ଦିବ୍ୟ ଜ୍ଞାନଲାଭ କରିଥିଲେ ।

ଲଭିଥିଲେ ସତ୍ୟଧର୍ମ-ଦିବ୍ୟ ଜ୍ଞାନଲୋକ ।

ବାହାରି ପାଟଳୀପୁତ୍ରୁ ସମ୍ରାଟବାହିନୀ

 

ଉପସ୍ଥିତ ଦାତାକର୍ଣ୍ଣ-ଅତୀତ-ପାଳିତ

ଅଙ୍ଗେ, ତହିଁ ପରେ ବଙ୍ଗେ । ବୀର ବଙ୍ଗାଧିପ

ଘେନି ଦନ୍ତାବଳ ବଳ ଅର୍ବୁଦସଂଖ୍ୟକ

ଆରମ୍ଭିଲେ ଘୋର ରଣ, ମାତ୍ର ପରିଣାମେ

ନ ପାରି ସମ୍ଭାଳି ରାଏ ବିକ୍ରମ-ବିକ୍ରମ

ଦୁର୍ଦଣ୍ଡ, ପ୍ରଚଣ୍ଡ, ଅର୍ପି ଉପହାରରୂପେ

ସର୍ବ ଯୂଥପତିଯୁଥେ ସମ୍ରାଟ ଛାମୁରେ,

ବଶତା ସ୍ୱୀକାର କରି ଚଳିଲେ ଗହଣେ ।

ବେନି ନରପତି ସେନା ମିଶି ହେଲା ଏକ,

ସନ୍ଧି ସାଧାନରେ ଏକ ଯୁଗ୍ମପଦ ଯଥା ।

ଅନନ୍ତର ଅନୀକିନୀ କପିଶା ଉତ୍ତରି

(ସ୍ୱର୍ଣ୍ଣରେଣୁ ରୂପାନ୍ତର ଯା ବାଲୁକାରାଶି)

ଉପସ୍ଥିତ ଉତ୍କଳର ନିସର୍ଗ ପ୍ରାଚୀର-

ମେଘାସନ ଶୈଳ ପାଶେ, ଅଭ୍ରଚୁମ୍ବିଚୂଡ଼ି,

ଦେବଧାମ ଗିରିବର, ଦେବରୂପଧାରୀ,

ପରିହରି ସଂସାରର ବିଳାସ ବାସନା

 

ନିରତ କି ଯୋଗୀ ଯୋଗେ ଏ ମହାବିଜନେ ?

ଲମ୍ବିତ ଦକ୍ଷିଣସ୍କନ୍ଧେ ଉତ୍ତରୀୟ ଯଥା

 

ଶୋଭାଙ୍ଗୀ ବଳାଙ୍ଗୀ, ବାମ ସ୍ୱଚ୍ଛୋଦା ସାଳନ୍ଦୀ

ଶୁଭ୍ର ଉପବୀତ ପ୍ରାୟ, ଶିରେ ଘନସ୍ତର,

ଶୋଭେ ଯେହ୍ନେ ଛନ୍ଦୋବଦ୍ଧ ଜଟାର ମୁକୁଟ ।

ଆରୋହିଲେ ସେ ପର୍ବତେ ବିକ୍ରମଆଦିତ୍ୟ

 

ମନ୍ତ୍ରୀ ସହ, ତଳେ ରଖି ବିରାଟବାହିନୀ,

କ୍ରମେ କ୍ରମେ ନରମଣି ଉଠିଲେ ଉପର ।

ତଳୁ ଯା ଆଭାସୁଥିଲା ତୃଣଭୂମି ସମ,

ହେଲା ତାହା ପରିଣତ ଭୀଷଣ କାନ୍ତାରେ,

 

ଗୁଳ୍ମ ହେଲା ମହାତରୁ ଖର୍ବ ଖଣ୍ଡୋପଳ

ବିଶାଳ ଶିଖର, ଘୃଷ୍ଟି ଶିଶୁ କରିଯୂଥ ।

ଦେଖି ଦେଖି ଗତିପଥେ ଏହିପରି ନାନା

ଅଦ୍ଭୁତ ପରିବର୍ତ୍ତନ ଭୋଜବାଜି ପ୍ରାୟ,

ହେଲେ ଅଗ୍ରସର, ତହୁଁ ପ୍ରକୃତିସୁନ୍ଦରୀ

ପଥରୁ ସଙ୍ଖୋଳି ନେଲା ଯୋଗାଇ ନିଯୋଗୀ ।

 

ଧରିଲେ ନୃପତି ଶିରେ ପୁଷ୍ପ-ପାଟଛତା

କେତେ ତରୁ ଛତ୍ରଧରରୂପେ, କେତେ ଧରି

ବିପଟ-ଚାମରବାର ଢାଳିଲେ ସଧୀରେ,

ଗାଇଲେ ବିଜୟଦୁହା ଖଗ-ବୈତାଳିକେ ।

 

ହସୁଛି ମଧୁରେ ଗିରି ଚାରୁ ନୀଳିମାରେ,

ସେ ମହାନୀରବ ହାସ୍ୟ ମିଶୁଛି ଆକାଶେ,

ଅନନ୍ତ ମହାର୍ହ ରତ୍ନ ପଡ଼ିଛି ବିଞ୍ଛୁଡ଼ି

ବହି କାଷ୍ଠପାଷାଣର ବିକୃତ ବିଭୁତି,

 

ଅପୂର୍ବ ସ୍ୱଭାବ ଶୋଭା, ଅତି ବିଶୃଙ୍ଖଳ,

ମାତ୍ର ସେହି ବୈଶୃଙ୍ଖଲ୍ୟ ବିଶେଷତ୍ୱ ତାର,

ଶୃଙ୍ଖଳ-ଆବଦ୍ଧା ଶୋଭା ନିଶ୍ଚେ ବିକଳାଙ୍ଗୀ,

ସୌନ୍ଦର୍ଯ୍ୟ ଯେତିକି ହୁଏ ମୁକ୍ତ, ବିଶୃଙ୍ଖଳ

 

ତେତିକି ସେ ହୁଏ ସିନା ମଧୁର, ବ୍ୟାପକ !

କରି ନେତ୍ର ଶୀତଳ ସେ ଶୋଭା-ଜ୍ୟୋତ୍ସ୍ନାମୃତେ

ଉଠିଲେ ଅବନ୍ତୀନାହା ସପ୍ତମ ଶିଖରେ,

ନିବସନ୍ତି ତହିଁ ଏକ ଜଟିଳ ତାପସ

 

ଧର୍ମାନନ୍ଦ ନାମେ, ନୃପ ନମିଲେ ପୟରେ,

ସସ୍ମିତେ ଆଶିଷି ଯତି, ଅଭ୍ୟାଗତ ଜ୍ଞାନେ

ବସାଇଣ କୁଶାସନେ ପୁଚ୍ଛିଲେ ସ୍ୱାଗତ ।

ମନ୍ତ୍ରି, ମୁଖୁଁ ପରିଚୟ ପାଇ ନୃପଙ୍କର

 

ଅଧୀର ଆନନ୍ଦେ ଯୋଗୀ ଭାଷିଲେ ଏସନ-

‘‘ପୁଣ୍ୟ ସୁପ୍ରଭାତ ଅର୍ଜି, ଘଟିଲା ଭାଗ୍ୟରେ

ସମ୍ରାଟ ଦର୍ଶନ, ଦାନ ମୁଁ, ପୂଜିବି କାହିଁ ?’’

ଉତ୍ତରିଲେ ନରେଶ୍ୱର ସବିନୟେ- ‘‘ଯତି,

 

ହୁଅନ୍ତି ଆପଣ କ୍ଷାନ୍ତ, କିପାଁ ନରପୂଜା ?

କରିଛି ମୁଁ ଉପଯୁକ୍ତ ସୌଜନ୍ୟ ସତ୍କାର ।’’

ଭାଷିଲେ ସନ୍ନ୍ୟାସୀ- ‘‘ନୃପ, ଦେବପୂଜା ଏହା,

ନୁହେ ନରପଜା, କୋଟିଅନ୍ନପୁଷ୍ଟା ଯେହୁ,

 

ଯାହାର ଜୀବନେ ରହେ ଜୀବିତ ପ୍ରକୃତି,

ହେଉ ପଛେ ଆକୃତିରେ ମାନବ ସେ, ମାତ୍ର

ଗୁଣରେ ଗୀର୍ବାଣ, ଗୁଣ ସର୍ବତ୍ର ପୂଜିତ ।’’

ଏହିରୂପେ ବହୁ ଶିଷ୍ଟ ସମ୍ଭାଷଣ ପରେ

 

ପୁଚ୍ଛିଲେ ବିତ୍ରମାଦିତତ୍ୟ ବୃଦ୍ଧ ତପୋଧନେ-

‘‘ଏ କେଉଁ ପ୍ରଦେଶ, ଦେବ, ବୋଲନ୍ତୁ ସଦୟେ’’ ।

ଭାଷିଲେ ତାପସ- ‘‘ବୀର, ଏ ଉତ୍କଳ ମହୀ

ନିଖିଳ ଦେବାଧ୍ୟାସିତା, ପୁରାଣ-ପ୍ରଖ୍ୟାତା,

 

ପୁଣ୍ୟତୀର୍ଥମୟୀ ସ୍ଥଳୀ, ଦେଉଳମାଳିନୀ,

ସ୍ୱର୍ଣ୍ଣ ଶତଦଳ ପୁଷ୍ପ ଭାରତ-ମାନସେ !

ବହୁ ପୁରାବୃତ୍ତ-ସ୍ମୃତି- ପୁଣ୍ୟମକରନ୍ଦ

ମିଶ୍ରିତ ଏହାର ଅଣୁ ପରିମାଣ ସହ,

 

ବହୁ ଯୁଗଯୁଗାନ୍ତରୁ ଏ ମର୍ତ୍ତ୍ୟ-ଅମରା

ଦେଖାଉଛି ସମଭାବେ ଅଙ୍ଗୁଜି ନିର୍ଦ୍ଦେଶେ

ମୋକ୍ଷର ପରମ ପଥ ମାନବ ସମାଜେ ।

କେତେ ଧର୍ମ ଉପଧର୍ମ ଉଇଁ କାଳବଶେ

 

ଲଭିଲା ବିଲୟ ଏହି ଭାରତବକ୍ଷରେ,

ମାତ୍ର ଏ ଉତ୍କଳମହୀ ରଖିଛି ସମ୍ପାଦି

ସନାତନ ଆର୍ଯ୍ୟଧର୍ମ- ମହିମା ଅକ୍ଷତ,

ଚିର ଅନିର୍ବାଣ ଏଥି ସତ୍ୟଧର୍ମ ଦୀପ ।

 

ଦେଖିବାକୁ ଇଚ୍ଛ ଯେବେ ଏ ପ୍ରଦେଶସୀମା-

ଏ ପ୍ରଦେଶ ଦୁରଶୋଭା ଶାନ୍ତିପ୍ରୀତିପ୍ରଦ,

ଆସ ତେବେ ମୋ ସହିତେ ସର୍ବୋଚ୍ଚ ଶିଖରେ’’,

ଏହା ଭାଷି ଅଗ୍ରେ ଉଠି ଦେଖାଇଲେ ପଥ,

ଚାଲିଲେ ତାହାଙ୍କ ପଛେ ସମନ୍ତ୍ରୀ ସମ୍ରାଟ ।

 

ମେଘାସନ ସାନୁଦେଶେ ବସି ତପୋନିଧି

ବେନି ଆଗନ୍ତୁକ ସହି ଦକ୍ଷିଣାଭିମୁଖେ,

ବୋଇଲେ ବିଶଦକଣ୍ଠେ ଅଙ୍ଗୁଳି ନିର୍ଦ୍ଦେଶି-

‘‘ଏହି ଯେ ଭୂଖଣ୍ଡ ଅଗ୍ରେ ରହିଛି ବିସ୍ତୃତ

 

ଶତପତ୍ର-ପତ୍ର ପ୍ରାୟ, ଏ ଉତ୍କଳଭୂମି ।

ପୂର୍ବେ ନୀଳ ନୀରାକର, ଅଚଳ, ଅକୂଳ,

ଦକ୍ଷିଣରେ କୁଳାଚଳ ମହେନ୍ଦ୍ରଶିଖରୀ,

ପଶ୍ଚିମେ ମହେନ୍ଦ୍ରମାଳ ୧ ତୋଳିଛି ମସ୍ତକ

୧- ଉତ୍କଳର ପଶ୍ଚିମଞ୍ଚଳୀୟ ପର୍ବତ ମହେନ୍ଦ୍ରମାଳ ଅଖ୍ୟାତ ।

 

କୁଳିଶକଠିନ ଲୌହପ୍ରାଚୀର ପ୍ରତୁଳ,

ଉତ୍ତରେ ସୁବର୍ଣ୍ଣରେଖା, ଗତିପଥେ ଯାକୁ

ଆସିଛି ଉଲ୍ଲଙ୍ଘି ନୃପ, ମଧ୍ୟେ ଏ ପ୍ରଦେଶ,

ରାଜେ ଯଥା ପ୍ରକୃତିର ଅନନ୍ତ ଉଦ୍ୟାନ,

 

ଅନନ୍ତ ସମ୍ଭାରେ ପୂର୍ଣ୍ଣ, ସଦା ଫଳାବାନ ।

ସ୍ୱର୍ଣ୍ଣପ୍ରସୂ ଏ ଭୂଖଣ୍ଡ, ଧନେ, ମାନେ, ଜ୍ଞାନେ,

ପୂଣ୍ୟେ, ଶିକ୍ଷା, ସଭ୍ୟତାରେ ଭାରତେ ଅତୁଳ,

ଧରେ ବକ୍ଷେ ବହୁ ତୀର୍ଥ, ବହୁ ନଦନଦୀ,

 

ତଡ଼ାଗ, କାନନ, ହ୍ରଦ, ଗିରି ଉତ୍ସ, ଦରୀ-

ଉପତ୍ୟକା, ଦେବାଳୟ- ଚାରୁକାରୁବନ୍ତ ।

କି ସ୍ୱଭାବଶିଳ୍ପେ, କିବା କୃତ୍ରିମ ଶିଳ୍ପରେ

ଏ ପ୍ରଦେଶ ବିଶ୍ୱକର୍ମା ମହାକର୍ମଶାଳ,

 

ନିସର୍ଗ କୃତ୍ରିମତାର ଏଭଳି ମିଳନ-

ଏଭଳି ପ୍ରତୃପ୍ତି- ପ୍ରଦ ମଧର ମାଧୁରୀ,

ଏକାଧାରେ ଧରାତଳେ ବିରଳୁ, ବିରଳ ।

ଏ ଉତ୍କଳ ବୀରମାତା, ବହୁ କ୍ଷତ୍ରବୀରେ

 

ନିଯୁକ୍ତ ବିଭିନ୍ନ ଅଙ୍ଗ ସେବାରେ ଏହାର,

ଏ ଦେଶର ଜଳେ, ବାତେ, ଆବର ମାଟିରେ

ମିଶ୍ରିତ ଅଖଣ୍ଡ ସୁଖ, ଶାନ୍ତି, ସ୍ୱାଧୀନତା ।

ଏହି ଯେ ଶାଳ-ଶ୍ୟାମଳ ବିଶାଳ ଭୂଭାଗ

ଦେଖୁଛ ପ୍ରସୂତ ଅଗ୍ରେ ପଶାପାଲି ପ୍ରାୟ,

ସୂର୍ଯ୍ୟବଂଶୀ ନୃପତିଙ୍କ ରାଜଧାନୀ ଏହା

ମୟୂରଭଞ୍ଜାଖ୍ୟା, ଚିତ୍ର ମୟୂର-ମେବୁରା ।

ପଦେ ଶୋଭେ ନୀଳଗିରି ଅଥର୍ବ ପର୍ବତ,

ଅଙ୍ଗାରକାଳିମାମୟ ମୁଗୁନି-ଆକର ।

ଦିଶୁଛି ଦକ୍ଷିଣେ ଏହି ଅଦୂରେ ଯେ ଗିରି

ନୀଳ ନଭକୋଳେ ସୁପ୍ତ ଶ୍ୟାମଘନ ପ୍ରାୟ,

ସେ ଗନ୍ଧମାର୍ଦନ, ସ୍ଥିତ ଯେଉଁ ରାଜ୍ୟ ପଦ-

ତଳେ ତାର, ଧରଇ ସେ କେନ୍ଦୁଝର ନାମ,

ସୁପ୍ରକାଣ୍ଡ ଖଣ୍ଡାଧାର ପ୍ରପାତ- ମୁଖର, ୨

ଯା ସୂକ୍ଷ୍ମ ସିତାର ତାର ଖ୍ୟାତ ଦେଶେ ଦେଶେ ।

ଉତ୍ତର ସୀମାରେ ତାର ପରିଖା ସ୍ୱରୂପେ

୨- କେନ୍ଦୁଝରରେ ଖଣ୍ଡାଧାର ଜଳପ୍ରପାତ ।

 

ଆଭାସେ ଯେ ସୂକ୍ଷ୍ମରେଖା, ତାହା ପୌରାଣିକ

ବୈତରଣୀ ନଦୀ, ପାପସନ୍ତାପହାରିଣୀ ।

ସମସୁବେ ଦିଶେ ଯେଉଁ ତୁଙ୍ଗ ସାନୁମାନ

ବହୁସ୍ତର ଭେଦି, ନାମ ତାର ମାଲ୍ୟଗିରି,

ମାତଙ୍ଗ-ଆତଙ୍ଗପ୍ରଦ, ସତତ ଭୀଷଣ,

ବସନ୍ତେ କାନନଲକ୍ଷ୍ମୀ ଯହିଁ ନିକାଞ୍ଚନେ

ବସି ସ୍ନିଗ୍‌ଧ ସୁରଭିତ ନାଗେଶ୍ୱର-କୁଞ୍ଜେ,

ରଚନ୍ତି ସେ ଫୁଲେ ନାସେ ୩ ସୂବର୍ଣ୍ଣବସଣୀ

୩- ମାଲ୍ୟଗିରିରେ ବିସ୍ତୃତ ନାଗେଶ୍ୱର ଉଦ୍ୟାନ ଦୃଷ୍ଟିଗୋଚର ହୁଏ ।

ନୈଋତେ ବାମଣ୍ଡା ରାଜ୍ୟ, କାନନଶ୍ୟାମଳ,

ପ୍ରତାପ ପ୍ରଧାନପାଟେ ଯହି ସୌରକର

ସୃଜେ ନିତି ଇନ୍ଦ୍ରଧନୁ ଉଦୟାସ୍ତ କାଳେ,

ନିରେଖି କଳାପିକୁଳ ସେ ବର୍ଣ୍ଣ ବୈଭବ,

(ବର୍ଣ୍ଣନାର ଅସାଧ୍ୟ ସେ ଦ୍ରଷ୍ଟବ୍ୟ ସର୍ବଥା)

ତୀବ୍ର ଲଜ୍ଜା ଗୁରୁଖେଦେ ସଙ୍କୋଚି ସ୍ପପୁଚ୍ଛ

ବିଳପନ୍ତି କେବା ରବେ, ବିସର୍ଜି ଲୋତକ-

ଧାରାପାତେ ଛିଡ଼ିକିତ ଜଳକଣା ବ୍ୟାଜେ ।

 

ତେଣିକି ଯେ ଦିଶୁଅଛି ନୀକରେଖାନିଭ

ଚକ୍ରବାଳ ପଦତଳେ ମିଶିଗଲା ପ୍ରାୟ,

ସେ ପ୍ରଦେଶ ରେଢ଼ାଖୋଲ ସ୍ୱର୍ଣ୍ଣପୁର ଆଦି ।’’

ପୂଚ୍ଛିଲେ ବିକ୍ରମ ନୃପ, ‘‘ବାମଣ୍ଡା ଆକାଶ

 

କିପାଁ ଦିଶେ ଜ୍ୟୋତିର୍ମୟ ଏଡ଼େ ?’’ ତହୁଁ ଯଦି

ରହି ଧ୍ୟାନମଗ୍ନ କ୍ଷଣେ ଉତ୍ତରିଲେ ଧୀରେ-

‘‘ଜାଣିଲି ମୁଁ ଯୋଗବଳେ ନୃପ, ଗତ ହେଲେ

ବହୁଶତ ବର୍ଷ, ହେବେ ଆବିଭୁର୍ତ ତହିଁ

 

ଗଙ୍ଗବଂଶେ ଏକ ରାଜା, ଅଦ୍ଭୁତପ୍ରତିଭ,

(ରତ୍ନଖଣି-ବାମଣ୍ଡାର ମହୋଜ୍ୱଳମଣି)

କି ସାହିତ୍ୟ, କି ବିଜ୍ଞାନ, କି ଦର୍ଶନ ଆଦି

ଉନ୍ନତିର ସର୍ବାଙ୍ଗେ ସେ ବୁଲାଇବେ ହାତ,

 

ହେବେ ତହିଁ କୃତକାର୍ଯ୍ୟ, ସେ ଅମୃତହସ୍ତା ।

ସର୍ବଗୁଣଚକ୍ଷଣ ନିରେଖି ତାହାଙ୍କୁ

ଉତ୍କଳ-ବିକ୍ରମାଦିତ୍ୟ ବୋଲିବେ ସକଳେ,

ଉତ୍କଳ-ଅବନ୍ତୀ ଆଖ୍ୟା ବହିବ ବାମଣ୍ଡା;

 

ଜନ୍ମିବେ ସେ ମହାପଶା ସୁଦୂର ଭବିଷ୍ୟେ,

ଏହି ଜ୍ୟୋତି ତାଙ୍କ ଭାବି-ପ୍ରତିଭାର ପ୍ରଭା ।

ଏଣେ ଧୂମସ୍ତୂପ ପ୍ରାୟ ଆଭାସେ ଯେ ଶୈଳ,

ବୋଲାଏ ସେ ବାରାଚଳ, ବିସ୍ତୃତ ତା ପଦେ

 

ଉତ୍କଳର ଜ୍ୱାଳାମୁଖୀ ତାଳଚେର ମହୀ,

ପବିତ୍ର ହିଙ୍ଗୁଳାପୀଠ ଉପନାମ ଯାର ।

ଦିଶୁଛି ତା ବକ୍ଷେ ଯାହା ମଲ୍ଲିମାଳା ସରି,

ବ୍ରାହ୍ମୀ ନାମେ ତଟିନୀ ସେ, ଚିର କ୍ଷୀରନୀରା ।

 

ବାର ବାମେ କପିଳାସ ଅଭ୍ରଦୀପ୍ତ ଶୈଳ,

ଉତ୍କଳ-କୈଳାସଧାମ, ମହାଶମ୍ଭୁପୀଠ,

ଯା ନିର୍ଝର ସ୍ୱଚ୍ଛନୀର ଅଜୀର୍ଣ୍ଣର ଯମ ।

ତାହାର ଦକ୍ଷିଣ ଦିଶେ ବଲ୍ମୀକ ଆକୃତି

 

ଯେ ଗିରି, ସାପୁଆମୁଣ୍ଡୀ ଅଭିଧା ତାହାର,

ପଦେ ରାଜେ ଯେଉଁ ରାଜ୍ୟ, ଖଣ୍ଡପଡ଼ା ତାହା,

ନୀଳମାଧବ- ପାଳିତ, ଯହିଁ କାଂସ୍ୟକାରେ

ଗଢ଼ନ୍ତି ସ୍ୱହସ୍ତେ ପାତ୍ର କଳକୃତ ଭଳି ।’’

 

ପୂଚ୍ଛିଲେ ଶକାରି- ‘‘ଦେବ, ଖଣ୍ଡପଡ଼ାନଭେ

କୃତ୍ତିକା ନକ୍ଷତ୍ର କିପାଁ ଉଦିତ ଦିବସେ ?’’

ମହୂର୍ତ୍ତେ ଧ୍ୟାନସ୍ଥ ରହି ଭାଷିଲେ ତାପସ-

‘‘ନୁହେଁ ସେ ନକ୍ଷତ୍ରପୁଞ୍ଜ, ଦହୁ ବର୍ଷ ପରେ

 

ଜନ୍ମିବେ ସେ ରାଜ୍ୟେ ଚନ୍ଦ୍ରଶେଖର ନାମରେ

ଋଷିକଳ୍ପ ପ୍ରକୃତିର ତତ୍ତ୍ୱଦଶୀ ଏକ,

ସେ ମହାପୁରୁଷ ଦୈବୀ ପ୍ରତିଭା ବଳରେ

ଉଦ୍ଭାବି ଜ୍ୟୋତିଷ ସୂତ୍ର, ବିଶୁଦ୍ଧ, ସରଳ,

 

କରିବେ ଜଗତେ ସ୍ତବଧ, ଏ ତାଙ୍କରି ପ୍ରଭା ।

ତହିଁ ପରେ କିଛିଦୂରେ ଦିଶୁଛି ଦୀର୍ଘିକା

ପ୍ରକୃତି-ପାର୍ବତୀଙ୍କର ଲଲାଟଲୋଚନ

ପ୍ରାୟ, ସେ ଚିଲିକା ହ୍ରଦ, ରତ୍ନ-ଗନ୍ତାଘର

 

ଉତ୍କଳର, ଆବର ସେ ଶୋଭା-ସ୍ୱର୍ଣ୍ଣସିନ୍ଧୁ ।

ତାହାର ଦକ୍ଷିଣେ ବହେ ଋଷିକୂଲ୍ୟା ନଦୀ

(ଗଞ୍ଜାମର ଓଜସ୍ୱିନୀ ଜୀବନନାଟିକା)

ଋଷିମାଳ ଗିରିସୂତା, ଋଷିପତ୍ନୀ ପ୍ରାୟ

 

ଶାନ୍ତିଶୀଳ, ଶୁଚିମତୀ, ସତ୍ତ୍ୱଗୁଣମୟୀ,

ବିସ୍ତାର ତଟିନୀ ଶାଖା ପ୍ରଶାଖା ଅସଂଖ୍ୟ

ଦିଶେ ଯଥା ଉତ୍ପାଟିତ ନିଷ୍ପତି ପାଦପ ।

ଏଣେ ଦେଖ ମାଲ୍ୟଗିରି ଈଷତ ତୀର୍ଯ୍ୟକେ

 

ଲମ୍ବିତ ଯେ ଗିରିମାଳ ସୀମାସେତୁ ଯଥା,

ନାମିତ ସେ ପଞ୍ଚଧାର ନାମେ, ଝରେ ଦେହୁ

ତାର ଉଷ୍ଣ ବାରିଝର * ଘର୍ମଧାରା ସମ ।

ପୁରତରେ ଦିଶେ ଯାହା- ଶୀତେ ଶୀର୍ଣ୍ଣଚରା

 

ନାଗୁଣୀ ସମାନ, ବକ୍ର ମନ୍ଥରଗମନା,

ସେହୁ ଚିତ୍ରୋତ୍ପଳା ନଦୀ- ଉତ୍କଳ-ଜାହ୍ନବୀ,

ଜନ୍ମି ବିନ୍ଧ୍ୟ ପାଦୁ ଧନୀ, ଯୁଗଯୁଗନ୍ତରୁ

କରୁଛି ଉତ୍କଳ ବକ୍ଷ ପବିତ୍ର, ଶୀତଳ,

 

ଢାଳି ଅକାତରେ ହୃଦୁ ଅମୃତପ୍ରବାହ ।

ଆଭାସେ ଯେ ଅଂଶ ତାର ଗୁପ୍ତ ହେଲା ଭଳି,

ତାହା ସପ୍ତକ୍ରୋଶୀ ଗଣ୍ଡ, ଶୈଳ- ସଙ୍କୁଚିତ,

ତହୁଁ ନଦୀଶଯ୍ୟା ବହୁ ସଙ୍କଟେ ସଙ୍କୁଳ,

 

ଚିରଅନ୍ଧାରିତ ସ୍ଥଳୀ, ଅମା ରଜନୀର

କିବା ସେ ଅନ୍ତୁଡ଼ିଶାଳ- ବିଭୀଷିକାବାସ ।

ନାହିଁ ତହିଁ ଦିବସର ଅଧିକାର କିଛି,

ବସିଛି ବିସ୍ତାରି ରାତ୍ରି ଅଖଣ୍ଡ ରାଜତ୍ୱ,

* ପଞ୍ଚଧାର ପର୍ବତରେ ଦେଉଳଝର ନାମକ ଉଷ୍ଣପ୍ରସ୍ତବଣ ଅଛି ।

ସୃଷ୍ଟିକାଳୁ ସୋମ ସୂର୍ଯ୍ୟ ଅଦୃଶ୍ୟ ସେ ଠାବେ ।

ଚିତ୍ରୋତ୍ପଳା ଯାମ୍ୟ ତୀରେ ବୌଦ, ତହିଁ ପରେ

ଘୁମୁଷର ରାଜ୍ୟ, ରମ୍ୟ, ବିପୁଳସମୃଦ୍ଧ,

ବରହବଂଶୀୟ ନୃପେ ପାଳିତ, ଚାଳିତ,

ଏହି ଯେ ଦିଶୁଛି ଅର୍ଦ୍ଧବନମଗ୍ନ ଗିରି

ଟୋପବଦ୍ଧ କରୀ ପ୍ରାୟ, ଅଭିହିତ ତାହା

ଦୁଧସର ନାମେ, ସ୍ଥିତ ଘୁମୁଷରେ ସେହୁ ।’’

ଭାଷିଲେ ନୃପତିମଣି, ‘ଦୁଧସର ଚୂଳେ

ଖେଳୁଛି ଯେ ଘନ, ତାହା କେଡ଼େ ରମଣୀୟ,

ସତେ କି ସେ ଘନ, କିମ୍ବା ସୁବର୍ଣ୍ଣ-ଦର୍ପଣ,

ସ୍ୱଚ୍ଛ, ଆଭାମୟ, ଧୌତ ଦିବ୍ୟ ଜ୍ୟୋତି-ଜଳେ !’

ଉତ୍ତରିଲେ ତପୋଧନ ମୁଦୃ ହାସ୍ୟ ତହୁଁ-

 

(ପୂର୍ବପରି କିୟତ୍‌କ୍ଷଣ ଧ୍ୟାନମଗ୍ନ ରହି)

‘ସାରସ୍ୱତ ପ୍ରତିଭା ସେ, ନୁହେଁ ବାରିବାହ,

ଜାତ ହେବେ ସେହି ରାଜ୍ୟେ ସୁଦୂର ଭବିଷ୍ୟେ

ମହାକବି ମହାପ୍ରାଜ୍ଞ ଉପେନ୍ଦ୍ର ଆଖ୍ୟାତ,

 

ଉତ୍କଳ ଭାଷାକୁ ସେହୁ କରିବେ ଜୀବିତ

ଜୀବନ୍ୟାସ ମନ୍ତ୍ରେ, ତହୁଁ ହେବ ସେ ପ୍ରବଳା,

ଭାସୁଥିବ ଏହିପରି ଏ ମହାପ୍ରତିଭା

ନଭେ କେତେକାଳଯାଏଁ, ଘୂର୍ଣ୍ଣିବାୟୁ ଯଥା,

 

ହେଲେ ଅବତୀର୍ଣ୍ଣ କବି, ଆଶ୍ରିବ ତାହାଙ୍କୁ ।

ତାହାର ଦକ୍ଷିଣେ ଦେଖ ଚଟୁଳଭୂଧର

ନୀଳ ରୁଦ୍ରକାନ୍ତ, ଦିଶେ ଯଥା କ୍ରୁଦ୍ଧ ହରି

ଫୁଲାଇ କେଶର ଉଭା ସଗର୍ବ ଠାଣିରେ,

 

ଗିରିଚକ୍ରବର୍ତ୍ତୀ ସେହୁ ସିଂହରାଜ ନାମେ,

ଉତ୍କଳେ ସେ ହିମାଳୟ, ଖେମଣ୍ଡୀ-ମଣ୍ଡନ ।

ଝରେ ତାର ବନଭୀମ ଅଧିତ୍ୟକା ବକ୍ଷୁଁ

ତପ୍ତ ପାଣିଝର * ପୁତ ସତୀ ସୀତା ସ୍ନାନେ ।

 

ତାହାର ଆଗ୍ନେୟ ଭାଗେ ଅଗ୍ରଜ ତାହାର

ବିଦିତ ମହେନ୍ଦ୍ରଗିରି, ମହେନ୍ଦ୍ର-ବାଞ୍ଛିତ,

ଚକ୍ରବାଳେ ଘନ କାନ୍ଥି ଲାଗିଲା ପରାଏ,

ଦିରାବିଜୟେ ଆସି ରଘୁ ଭାରତ ଭୂଷଣ,

 

(ଯେ ଭୂଷଣ ଅବିନାଶୀ ଚିର-ଅମଳିନ)

କରିଥିଲେ ତହିଁ ସୁଖେ ତ୍ରିରାତ୍ରି ଯାପନ,

ରଖିଛନ୍ତି ନିଦର୍ଶନ ପାଣ୍ଡବେ ତା ଚୂଳେ

ବନବାସ କାଳେ, ତୋଳି ଅଦ୍ଭୁତ ଦେଉଳ ।

 

ଆଭାସେ ଯା ପୂର୍ବେ ତାର, ଶ୍ୟାମଳ ଶାଦ୍‌ବଳ

ପ୍ରାୟ, ମହୋଦଧି ଦାଢ଼େ, ଉଦ୍ୟାନଖଣ୍ଡ ସେ,

ଉତ୍କଳ-କମଳାଙ୍କର ଅନନ୍ତ ଭଣ୍ଡାର,

ଅକାଳରେ ଫଳ ତହିଁ ଧରନ୍ତି ତରୁଏ !

 

ଅବତରି ଅମରୀଏ ବାରିଦ-ବିମାନେ,

ସମାପି ପ୍ରଭାତ ସ୍ନାନ ସିନ୍ଧୂ-ପୂତଜଳେ,

ତୋଳି ସେ ଉଦ୍ୟାନୁ ଫୁଲ, ଫୁଲ୍ଲ ଫୁଲ୍ଲକରେ,

ବିଭୂଷି ଖୋଷାରେ ତାହା ଗମନ୍ତି ତ୍ରିଦିବେ ।

 

ଏହିପରି ପ୍ରକୃତିର କୋଟି ଉପାଦାନେ

ପୂର୍ଣ୍ଣ ଏ ଉତ୍କଳଖଣ୍ଡ, ବିଶାଳ ଚଟୁଳ,

ନରଦୃଷ୍ଟି ସୀମାତୀତ ତା ବିସ୍ତୀର୍ଣ୍ଣ ସୀମା,

ଅନନ୍ତ ଗରଭେ ତାର ସ୍ଥିତ କେତେ ସ୍ଥାନେ

କେତେ ରାଜ୍ୟ କେତେ ତୀର୍ଥ, କେ କଳିବ ତାହା ?’

ଏହା ଭାଷି ନୀରବନ୍ତେ ସ୍ୱାଧ୍ୟାୟ-ସମ୍ବଳ,

ଜିଜ୍ଞାସିଲେ ଧରାଧିପ, ‘‘ଦିଶୁଛନ୍ତି ଦୂରେ

ସଂଖ୍ୟାତୀତ ଶିଶୁଶ୍ରେଣୀ, ହୀରାପନ୍ତି ଯଥା,

ଏ ନର-ବାମନ-ସ୍ରୋତ ବାହାରୁଛି କାହୁଁ,

ଧାବିତ ବା କି ଉଦ୍ଧେଶ୍ୟେ କାହିଁ ? ଯତିବର,

ବୋଲନ୍ତୁ ଏହାର ତଥ୍ୟ, ସଦୟ ଅନ୍ତରେ ।’’

ବଖାଣିଲେ ଯୋଗୀ, ‘‘ନୃପ, ଏ ଉତ୍କଳ ମହୀ

ନୁହେଁ ଖାଲି ମହିମିତା ସ୍ୱଭାବ-ସମ୍ପଦେ,

ଅଦ୍ୱିତୀୟ ପ୍ରିୟ ପୀଠ ଧର୍ମଦେବଙ୍କର,

ପ୍ରେମାନନ୍ଦ ପ୍ରସ୍ରବଣ ଜାଣିବ ଏହାକୁ ।

ତୀର୍ଥରାଜ ଶ୍ରୀକ୍ଷେତ୍ରର ମାହାତ୍ମ୍ୟା ବର୍ଣ୍ଣନା

 

* ବିଶଦ ବିବରଣ ‘‘ସିଂହରାଜ’’ ପୁସ୍ତକରେ ଦ୍ରଷ୍ଟବ୍ୟ । ‘

‘ଉଦ୍ୟାନଖଣ୍ଡ’’ ପୁସ୍ତକରେ ବିଶେଷ ବିବରଣ ଦ୍ରଷ୍ଟବ୍ୟ।

 

ପଢ଼ିଥିବ ପୁରାଣରେ, ସେ ମୋକ୍ଷଦ ଧାମ-

ସେ ମର୍ତ୍ତ୍ୟ-ବୈକୁଣ୍ଠ, ସ୍ଥିତ ଉତ୍କଳ ବକ୍ଷରେ,

ଏହି ଯେ ଦିଶୁଛି ରାଏ, ମହୋଦଧି ତୀରେ

ମହାକାଶେ ମହାବିଭା, ଅତସୀନୀକିମ,

 

ନୁହେଁ ତା ସିନ୍ଧୁ ନୀଳିମା, କିମ୍ବା ସୌରବରେ

ଘନର ବିକୃତି, ସ୍ଫୁରି ସେ ଅନନ୍ତ ପ୍ରଭା

ଦାରୁବ୍ରହ୍ମରୂପୀ ନୀଳମାଧବ ଶରୀରୁ

କସ୍ତୁରୀ ତିଳକପ୍ରାୟ ଶୋଭେ ନଭ-ଭାଲେ ।

 

ଶଙ୍ଖାକୃତି ସେହି ସ୍ଥଳୀ ଶ୍ରୀକ୍ଷେତ୍ର ଆଖ୍ୟାତ,

ଲାଗିଥିଲା ରଥଯାତ୍ରା ତହିଁ, ରଥୋପରି

ହେରିଲେ ବାମନ ମୂର୍ତ୍ତି, ନୋହେ ପୁନର୍ଜନ୍ମ,

ଏହି ଶାସ୍ତ୍ର ବିଶ୍ୱାସରେ ଲକ୍ଷ ଲକ୍ଷ ଜନେ

 

ଆସିଥିଲେ ଦୂରଦେଶୁ, ଯାତ୍ରା ସାଙ୍ଗ ଏବେ,

ଯାଉଛନ୍ତି ଫେରି ସର୍ବେ ସ୍ୱଗ୍ରାମାଭିମୁଖେ,

ନୁହନ୍ତି ବାଳକ କିମ୍ବା ବାମନ ସକଳେ,

ଦିଶୁଛନ୍ତି କ୍ଷୁଦ୍ରକାୟ ଦୂରେ ଥିବା ହେତୁ ।’’

 

ଭାଷିଲେ ଅବନ୍ତୀନାହା, ‘‘ଥିଲେ ଶାସ୍ତ୍ରକାରେ

ଉର୍ବରମସ୍ତିଷ୍କ କେଡ଼େ, କି ଗଭାର ଭାବ

ଅନୁସ୍ୟୁତ ଏ ବଚନେ, ଧନ୍ୟ ସେ ପ୍ରତିଭା,

ଦେହ-ରଥେ ବସି ବୁଦ୍ଧି ସାରଥିରୂପରେ

 

ଚଳାଏ ତାହାକୁ, ଯୋଚି ଇନ୍ଦ୍ରିୟ-ତୁରଗ,

ମନ ତହିଁ ବାହୁନର ମୁଖବଦ୍ଧ ରଜ୍ଜୁ,

ଜ୍ଞାନନେତ୍ରେ ଦେଖେ ଯେହୁ ସେହି ଦେହ-ରଥେ

ସୂକ୍ଷ୍ମତମ ଆତ୍ମାରୂପୀ ବାମନ ମୂରିତି,

 

ଜରା ଜନ୍ମ ଯନ୍ତ୍ରଣାରୁ ଲଭେ ସେ ନିସ୍ତାର ।

ଶାସ୍ତ୍ରର ଏ ଅର୍ଥ ବୁଝି ଆସନ୍ତି କି ସର୍ବେ

କ୍ଷେତ୍ରେ ନନ୍ଦିଘୋଷ ରଥେ ବାମନ ଦର୍ଶନେ ?’’

ଭାଷିଲେ ସନ୍ନ୍ୟାସୀ- ‘‘ଘୋର ତାମସା-ପିହିତ

 

ଆଧ୍ୟାତ୍ମିକ ଗୂଢ଼ତତ୍ତ୍ୱ, ସଦ୍‌ଗୁରୁସାପେକ୍ଷ,

ଭେଦିବେ ସକଳେ କାହୁଁ ସେ ମହାରହସ୍ୟ ?’’

ଅନନ୍ତର ଦବିନୟେ ଅବନ୍ତୀ-ଭରସା

ନିବେଦିଲେ ଯତି କହି, ‘‘ଋଷେ, ଇଚ୍ଛା ମୋର

 

ଶ୍ରୀକ୍ଷେତ୍ର ଦର୍ଶନେ, ଏବେ ହସ୍ତଗତ ଆହା

ସେ ସୌଭାଗ୍ୟ ମୋର, ହେଲେ ହରାଇଲେ ଏହା

ରହିବ ଅପୂର୍ଣ୍ଣ ସଦା ଆକାଙ୍କ୍ଷା ହୃଦୟେ,

ଅପୂର୍ଣ୍ଣ ଆକାଙ୍କ୍ଷା ଜ୍ୱାଳା ଅସହ୍ୟ ମୋହର ।

 

ନିଶ୍ଚେଷ୍ଟ ମୂର୍ତ୍ତିକା ନୁହେଁ ଏ ଉତ୍କଳ ମହୀ,

ନିଶ୍ଚେ ଏ ଜାଗ୍ରତା ଦେବୀ, ନ ଦେବି ଏହାର

ପବିତ୍ର ଶରୀର ପୀଡ଼ା ସେନା ସଂଘର୍ଷଣେ,

ଦଳିବ କନକମୂର୍ତ୍ତି, କେ ଏଡ଼େ ପାଷଣ୍ଡ,

 

ବିଶେଷେ ଏ ଦେବଭୂମି, ପୂଜ୍ୟା ମାତୃସମା,

ଭକ୍ତିସହକାରେ ସିନା କରିବା ଦର୍ଶନ

ଉଚିତ ଏହାକୁ, ରାଜା ମୁହିଁ, ଆଦେଶିବି

କିରୂପେ ବା ସମସ୍ତଙ୍କୁ, ‘କର ବୋଲି ଏହା

 

ଭକ୍ତିରେ ଦର୍ଶନ’ ନୁହେଁ ଶୁଭଦ କଦାପି

ଭକ୍ତିରେ ବାଧ୍ୟତା, ବଳେ ଫୁଟାଇଲେ ଫୁଲ,

ହୁଏ ସିନା ନଷ୍ଟ ତାର ସୌନ୍ଦର୍ଯ୍ୟ, ସୁବାସ,

ଅତଃ ଏ ଗିରୀନ୍ଦ୍ର ପଦେ ରଖି ଅନୀକିନୀ

 

ଯିବି ମୁହିଁ ଏକୁଟିଆ ନୀଳାଦ୍ରି ଦର୍ଶନେ,

ତପୋନିଧେ, ଦୟା ବହି ଦେଖାନ୍ତୁ ସରଣୀ ।’’

ଅବତରି ଶୈଳଶୃଙ୍ଗୁ ସର୍ବେ ଯଥାକାଳେ

ମିଳିଲେ ଅଚଳ ତଳେ, ତହୁଁ ମନ୍ତ୍ରୀ ପ୍ରତି

 

ରକ୍ଷାଣେବେକ୍ଷଣ ଭାର ଅର୍ପି ବାହିନୀର,

ମୁଷ୍ଟିମେୟ ଅନୁଚର ସମଭିବ୍ୟାହାରେ

ବିଜେ କଲେ ବିକ୍ରମାର୍କ ସମତଳ ସ୍ଥଳେ,

ଅଗ୍ରତେ ଚାଲିଲେ ଯତି ଦେଖାଇ ସୁପଥ ।

 

Unknown

ଦଶମ ସର୍ଗ

 

ଲଂଘି ପଥେ ବହୁ ନଦୀ, ନଗର ପ୍ରାନ୍ତର

ମିଳିଲେ ଯାନ୍ତ୍ରିକେ ଯାଇ ବୈତରଣୀ ତିରେ-

ପୁଣ୍ୟ ନାଭିଗୟା କ୍ଷେତ୍ରେ, ତ୍ରିଦିବଦୁର୍ଲ୍ଲଭ

ପରଶମାତ୍ରକେ ତାହା ପୁରିଲା ମାନସ

 

କି ଅବ୍ୟକ୍ତ ଭକତିର ଅମୃତ ପ୍ରବାହେ ।

ଅଜ୍ଞାତ, ଅପ୍ରତ୍ୟାଶିତ, ଏ ଅଧ୍ୟାତ୍ମ ଭାବ

ସ୍ଥାନର ମାହାତ୍ମ୍ୟ ନିଶ୍ଚେ, ଭାବି ଏହା ମନେ

ପୃଚ୍ଛିଲେ ତାପସେ ରାଏ, ‘‘କେଉଁ ସ୍ଥଳୀ ଏହା ?

 

ସ୍ପର୍ଶମାତ୍ରେ ଆଣେ ମନେ ବୈରାଗ୍ୟ ସଂଯମ,

ପବିତ୍ର ଏ, ଥରେ ପାଦ ଚାଲିବାକୁ ଏଥି ।’’

ଉତ୍ତରିଲେ ଯତି- ‘‘ଏହା ନାଲିଗୟା କ୍ଷେତ୍ର,

(ସୁରଭିତ ଅଗ୍ନିହୋତ୍ରୀ ନିତ୍ୟ ଯଜ୍ଞଧୂମେ)

 

ପରିଚିତ ପୁରାଣେ ଏ ଗଦାତୀର୍ଥେ ନାମେ,

ଅଶ୍ୱମେଧ ଯଜ୍ଞ ଏଥି କରିଥିଲେ ବିଧି,

 

ତେଣୁ ଯଜ୍ଞପୁର ଆଖ୍ୟା ବୋଲାଏ ଏ ଲୋକେ ।

ସେହି ଯଜ୍ଞୁ ଜନ୍ମ ଲଭି ଭବାନୀ ବିରୋଜା,

ଆବର ଅଚ୍ୟୁତରୂପୀ ଶ୍ରୀ ବରାହଦେବ

ନିବସନ୍ତି ଏଥି, ମହାକ୍ଷେତ୍ର ଏ ଭାରତେ,

ସେବିଲେ ନିଖିଳ ତୀର୍ଥ, ନ ସେବି ଏହାକୁ

ଲଭେ ନାହିଁ ସମ୍ପୂର୍ଣ୍ଣତା ତୀର୍ଥାଟନବ୍ରତ ।’’

ଅଙ୍ଗୁଳି ନିର୍ଦ୍ଦେଶି ନୃପ ବୈତରଣୀ ପ୍ରତି

ପୁଚ୍ଛିଲେ ତାପସେ, ‘‘ଦେବ, କେଉଁ ନଦୀ ଏହା,

କିପାଁ ତା ପୁଳିନେ ବସି ଅସଂଖ୍ୟ ମାନବ

ଆର୍ଦ୍ରବାସେ, ଯୁକ୍ତକରେ ଅଛନ୍ତି ନୀରବ,

କିଏ ବା ଏ ବିପ୍ର, ବସି ଅଗ୍ରତେ ତାଙ୍କର

କରୁଛନ୍ତି ସମାଳାପ କେବଣ ସଙ୍ଗୀତ ?’’

ଉତ୍ତରିଲେ ଯୋଗୀ- ‘‘ଏହା ବୈତରଣୀ ନଦୀ,

ବାଢ଼ିଲେ ଏ ତୀର୍ଥେ ପିଣ୍ଡ, ମୃତ ପିତୃଗଣ

ଲଭନ୍ତି ସଂତୃପ୍ତି, ଏହି ବିଶ୍ୱାସେ ଯାତ୍ରୀଏ

ବସି କରୁଛନ୍ତି ଏଥି ଶ୍ରାଦ୍ଧ ଅନୁଷ୍ଠାନ,

 

ପୁରୋଧାଙ୍କ ପ୍ରତିନିଧି ଅଗ୍ରବର୍ତ୍ତୀ ଦ୍ୱିଜ,

କରୁଛନ୍ତି ଆବୃତ୍ତି ସେ ଶ୍ରାଦ୍ଧମନ୍ତ୍ର ଉଚ୍ଚେ ।’’

 

ଶୁଣି ଏ ଭାରତୀ ରାଏ ହେଲେ ସ୍ତମ୍ଭୀଭୂତ,

ହେଲାକ ବିଖ୍ୟାତ ଭାଲ ବିସ୍ମୟେ କୁଞ୍ଚିତ,

ଭାଷିଲେ ଭୂପେଶ, ‘‘ଅହୋ, କି ଆଶ୍ଚର୍ଯ୍ୟ ଏହା,

ଦେହାନ୍ତେ ଦେହୀର ଦେହ ମିଶେ ପଞ୍ଚଭୁତେ,

ଆତ୍ମା ଯାଏ ଲୋକାନ୍ତରେ, ଏହା ଶାସ୍ତ୍ରବାଣୀ,

କିଏ ତେବେ କହ ଯତି, ବୈତରଣୀ ତୀରେ

 

ଶୁଣିବ ଆହ୍ୱାନମନ୍ତ୍ର, ଲଭିବ ସଂତୃପ୍ତି,

ଆତ୍ମା ନିରାକାର, ଅତଃ ଅତୃଷ୍ଣ ଅକ୍ଷୁଧ,

କେ ଭୁଞ୍ଜିବ ଭଲା ଏଥି ଏ ଭକ୍ଷ୍ୟସମ୍ଭାର ?’’

ଉତ୍ତରିଲେ ଯୋଗୀ, ‘‘ନୁହେ ନିରର୍ଥକ, ନୃପ,

 

ଶ୍ରାଦ୍ଧପ୍ରଥା, ପ୍ରକାରାନ୍ତେ ସ୍ମୃତିପୂଜା ତାହା ।’’

ଭାଷିଲେ ବିକ୍ରମ, ‘‘ୠଷି, ଏ କି ସ୍ମୃତିପୂଜା,

କ୍ଷୁଦ୍ର ତଣ୍ଡୁଳାଦି ନୁହେଁ ସ୍ମୃତି ଉପାଦାନ,

ସ୍ମୃତି ଶୂନ୍ୟମୟ, ତାର ଉପାଦାନ ତଥା,

 

ଭକ୍ତିପ୍ରୀତି ପ୍ରଦର୍ଶନ ମୃତ ଉଦ୍ଦେଶ୍ୟରେ

ଉପଯୁକ୍ତ ସ୍ମୃତିପୂଜା, ଶ୍ରଦ୍ଧାର୍ପଣ ସିନା

ଶ୍ରାଦ୍ଧ, ଛାଡ଼ି ଏ ସରଳ ପଥ, ଆଡ଼ମ୍ବର

କିପା ? କେଉଁ ପୁଣ୍ୟ ଅବା ତହିଁ ? ଅସାର ସେ !

 

ପୁରାକାଳେ ଅବିରତ ରତ ରହି ଦ୍ୱିଜେ

ଯଜ୍ଞ ଆଦି ସାଧାରଣ ଶିବକର କର୍ମେ,

ଆଦର୍ଶ ନିଃସ୍ୱାର୍ଥବ୍ରତ ପାଳୁଥିଲେ ମୋଦେ,

କୃତଜ୍ଞତା ପ୍ରଦର୍ଶନ ସ୍ୱରୂପେ ତାହାଙ୍କୁ

 

ଭେଟନ୍ତି ଗୃହସ୍ଥେ ନେଇ ଆହାର୍ଯ୍ୟୋପାଦାନ,

କରି ତା ଗ୍ରହଣ ବିପ୍ର, ବିତରି ସ୍ୱଶିଷ୍ୟେ

ସାଧୁଥିଲେ ଏହିରୂପେ ଦାନ, ପ୍ରତିଗ୍ରହ ।

ତୋଷି ପୁଣି ଆଶୀର୍ବାଦେ ତାହାର ମାନସ,

 

ବାଞ୍ଛନ୍ତି ତା ପିତୃଗଣ-ଗତାତ୍ମାକୁଶଳ,

କାଳକ୍ରମେ ଏ ସୂପ୍ରଥା ହୋଇ ପଲ୍ଲବିତ

ହୋଇଅଛି ପରିଣତ ବିବିଧ ଶ୍ରାଦ୍ଧରେ ।

ନାହାନ୍ତି ଏକାଳେ ଆଉ ସେଭଳି ବ୍ରାହ୍ମଣ,

 

ସ୍ୱାର୍ଥପଟୁ କର୍ମଭୀରୁ ଏ କାଳର ଦ୍ୱିଜ,

ଉଦରସର୍ବସ୍ୱ, ସବୁ ତାଙ୍କରି ଭିଆଣ,
ବିପ୍ରକୁଳାଧମ ସର୍ବେ, ଆଳସ୍ୟ-ସେବକ,

ଅଭିଶପ୍ତ, ଅଧୋଗତ, ନତୁ ବ୍ରାହ୍ମଣର

 

ଧର୍ମ ନୁହେଁ ପ୍ରେତକୁଳ ଉଚ୍ଛିଷ୍ଟ ଭୋଜନ ।’’

ଏଥୁଅନ୍ତେ ଚାଲି ପାନ୍ଥେ ଦକ୍ଷିଣାଭିମୁଖେ,

ଲଙ୍ଘି ଗତିପଥେ ବ୍ରାହ୍ମୀ, ମିଳିଲେ ସକଳେ

ମହାନଦୀ ତୀରେ, ଦେଖି ବିପୁଳ ବିସ୍ତୃତି

 

ତାର ତଳସିନ୍ଧୁ ପ୍ରାୟ, ହେଲେ ସ୍ତବ୍‌ଧ, ତହୁଁ

ବିକ୍ରମାର୍କ ପଚାରନ୍ତେ ନଦୀପରିଚୟ,

ସସ୍ମିତେ ଭାଷିଲେ ଯତି- ‘‘ମେଘାସନ ଶିଖୁ

ଦିଶୁଥିଲା ଯେ ତଟିନୀ ଶୀର୍ଣ୍ଣ ସର୍ପ ପ୍ରାୟ,

 

ସେହି ଚିତ୍ରୋତ୍ପଳା ଏହା, ମନ୍ଥରଗାମିନୀ,

ତୁଷ୍ଟି ଲଭି ସୂକାନ୍ତିଙ୍କ ସ୍ତବେ ଭାଗିରଥୀ

ହୋଇଛନ୍ତି ଆବିର୍ଭୂତା ଚିତ୍ରୋତ୍ପଳା ନାମେ,

ଏହାର ସଲିଲରାଶି ଉତ୍କଳେ ପୀୟୂଷ ।’’

 

ତହିଁ ପରେ ତରୀଯୋଗେ ତରି ତରଙ୍ଗିଣୀ

ମିଳିଲେ ପଟିଆ ଦହେ ପଥିକମଣ୍ଡଳୀ,

ଅହୋ, କି ଅଦ୍‌ଭୂତ ଦୃଶ୍ୟ-ଅସ୍ୱପ୍ନ-ସୁଲଭ,

ବସିଛି ଚୌପାଶେ ତହିଁ ଆନନ୍ଦର ହାଟ,

 

ଗର୍ଭେ ଅରବିନ୍ଦ, ମନ୍ଦ ଗନ୍ଧବହ ସହ

ଖେଳୁଛି ବିସ୍ତାରି ହାସ, ଅଧୀର ଆନନ୍ଦେ,

ଚୌପାଶେ କାନନଶ୍ରେଣୀ ମହାନୀଳାୟିତ,

ବୋଲିଦିଏ ନେତ୍ରେ ସ୍ନିଗ୍‌ଧ ଆନନ୍ଦ-ଅମିୟ,

 

ଊର୍ଦ୍ଧ୍ୱେ ଖଗାଳିଏ ମୋଦେ ଗାବନ୍ତି ସଙ୍ଗୀତ,

ଯେହ୍ନେ ଦହ, ପ୍ରକୃତିର ଶିଶୁ, ଖେଳେ କୋଳେ

ତାର ମହାନନ୍ଦେ ମହାସୁଷମା ବିଞ୍ଚୁଡ଼ି !

ଦିଶିଲା ସେଠାରୁ ଖର୍ବ ଖଣ୍ଡଗିରି ନଗ,

 

ଯେସନ ଦଧିନଉକିଶୂନ୍ୟ ଦେବାଳୟ,

ପୃଚ୍ଛିଲେ ଅବନ୍ତୀପତି- ‘‘ଦେବ, କେଉଁ ଶୈଳ

ଏହା, ନୀଳମଣି ସ୍ତୂପ ପ୍ରାୟ ସୂଚଟୁଳ ।’’

ଭାଷିଲେ ତାପସ- ‘‘ଏହି ଦରୀଗର୍ଭ ଗିରି

 

ଧରେ ଖଣ୍ଡଗିରି ନାମ, ପୁରାକୀର୍ତ୍ତି-ପୂତ ।

ପୁଣ୍ୟ ଗର୍ଭ ତାର ଯତିମୁଖ-ବିନଃସୃତ

ପ୍ରଣବ-ମୁଖର, ଶୋଭା-ସାମ୍ରାଜ୍ଞୀର ଗିରି

ଭୂଷଣ-ପେଟିକା କିମ୍ବା ଶିଳ୍ପ-ଗନ୍ତାଘର ।’’

 

ପଥ ଅତିକ୍ରମି ବହୁ କଥୋପକଥନେ

ପଶିଲେ ସକଳେ ଏକ କାନନ ମଧ୍ୟରେ,

ନାରିକେଳ ପୁନ୍ନାଗାଦି ପାଦପ-ବହୁଳ,

ଶିବମୟ ସ୍ଥାନ, ଯହିଁ ଦେଖ ତହିଁ ଶିବ ।

 

ଦେଖି ତା ତାଟକା ଲଭି ପୁଚ୍ଛିଲେ ବିକ୍ରମ-

‘ତାପସ, ଏ କେଉଁ ସ୍ଥଳୀ ?’ ଉତ୍ତରିଲେ ସେହୁ-

‘‘ଦ୍ୱିତୀୟ ବାରାଣସୀ ଏ ଭାରତମଣ୍ଡଳେ,

ମହାଶମ୍ଭୂ ପୀଠ, କୋଟି ଶିବମୂର୍ତ୍ତିପୂତ,

 

ଏକାମ୍ରକାନନ ନାମେ ପୁରାଣେ ପ୍ରଥିତ ।

ନିବସନ୍ତି ଏଥି ପ୍ରଭୁ ଶ୍ରୀଭୁବନେଶ୍ୱର,

ଭୁବନବିଖ୍ୟାତ ଯାଙ୍କ ଅନନ୍ତ ପ୍ରତାପ,

ଏହାର ଅପର ଆଖ୍ୟା ଚକ୍ରକ୍ଷେତ୍ର, ସେବି

 

ଏ ପାବନ ତୀର୍ଥ ନରେ ଲଭନ୍ତି ଅକ୍ଲେଶେ

ନିଖିଳ ଭାରତ ତୀର୍ଥ-ସେବନ-ସୁକୃତି ।’’

ଏକାମ୍ରେ ଉପେକ୍ଷି ସର୍ବେ ଆସୁଁ ଗତିପଥେ

ଭେଟିଲେ ଭାର୍ଗବୀ ନଦୀ, ହୀରା-ଶୁଭ୍ର ନୀରା,

 

ବହୁଛି ତଟିନୀ ଯାମ୍ୟେ ମୃଦୁ ମନ୍ଦ ବେଗେ,

କି ସେ ଭାଗ୍ୟଦେବୀଙ୍କର ଆଶୀର୍ବାଦଧାରା ?

ପୁଚ୍ଛନ୍ତେ ଧରଣୀପାଳ ଭାର୍ଗବୀ ଚରିତ,

ଉତ୍ତରିଲେ ଯତିବର, ‘‘ମେଦିନୀ-ମଣ୍ଡନ,

 

ୠଷିଗୁରୁ ଭୃଗୁ ତପୁଁ ସଂଜାତା ଏ ନଦୀ,

ଭାର୍ଗବୀ ଅଲିଖ୍ୟା ତହୁଁ ବହେ ଉତ୍କଳରେ ।

ଏହି ଯେ ଦିଶୁଛି ପୂର୍ବେ କୁଟିଳା ତଟିନୀ

ସହୋଦରା ଏହାର ସେ, ଦଧିଭଦ୍ରା ନାମେ,

 

ମହାସ୍ୱାର୍ଥତ୍ୟାଗୀ ଦ୍ୱିଜ ମହର୍ଷି ଦଧୀଚି

ସାଧିଥିଲେ ତୀବ୍ର ତପ ଏ ନିମ୍ନଗା କୂଳେ ।

ତା ତୀରେ ଧବଳଗିରି ତୋଳୁଛି ମସ୍ତକ,

ନୀରବ ଐତିହାସିକ ସେ ଗିରି, ଅଙ୍କିତ

 

ତା’ ଅଙ୍କେ ଅମର ବର୍ଣ୍ଣେ ସୁଦୂର ଅତୀତୁଁ

ଐରରାଜା ଆଜ୍ଞାବଳେ ବୌଦ୍ଧାନୁଶାସନ ।

ଦିଶୁଛି ଦୀର୍ଘିକା ଦେଖ ସମୁଖେ ବିସ୍ତୃତ

ସର ନାମେ, ସିନ୍ଧୁତୀରେ ଉପସିନ୍ଧୁ ପ୍ରାୟ,

 

ଅତୀତକାଳର କି ସେ ସ୍ମରଣ-ମୁକୁର,

ମହାଦାତା ପ୍ରାୟ ହ୍ରଦ ବାଣ୍ଟେ ଅକାତରେ

ଧନରାଶି, ମତ୍ସ୍ୟ ମୁକ୍ତା ପୁଷ୍କର ବ୍ୟାଜରେ,

ବୁଝିଛି ସେ ଧନୀ ଆଖ୍ୟା ଦାନେ ଅଳଙ୍କୃତ,

 

ମହିମିତ ଗୌରବିତ ଦାନେ ସିନା ଧନ ।’’

ବହୁ ଦର୍ଶନୀୟ ଦୃଶ୍ୟ ଦେଖି ଏହିରୂପେ

ମିଳିଲେ ଯାତ୍ରୀଏ ଶେଷେ ମହାସିନ୍ଧୁ ତୀରେ

ସ୍ୱର୍ଗଦ୍ୱାରେ, ଯହିଁ ଦେବେ ଓହ୍ଲାଇ ତ୍ରିଦିବୁ

 

ଆସନ୍ତି ଏ ମହାଧାମେ, ବୈକୁଣ୍ଠପତିଙ୍କ

ଦର୍ଶନଲାଳସେ, ନିତ୍ୟ ପ୍ରାତଃ ସନ୍ଧ୍ୟାକାଳେ ।

ଭବସିନ୍ଧୁ ସମ ସିନ୍ଧୁ, ଲହରୀ ଘଟନା,

ହାଙ୍ଗର ମଗର ଆଦି ଜନ୍ତୁ ରିପୁ କୁଳ,

 

ତରୀ ମାୟା, ଜୀବ ତହିଁ ଆରୋହୀ, ସୁକୃତି-

ନାବିକ ଯୋଗେ ହୁଏ ସେ ଚାଳିତ ସତତ ।

ବର୍ଷୀୟାନ ରତ୍ନାକର ମହାପୁରାତନ,

ମାତ୍ର ସେହି ପୁରାତନ ଅନ୍ତସ୍ତର ଭେଦି

 

ଉଠୁଛି ଆଭାସି ଖରେ ନିତ୍ୟ ନୂତନତା,

ଜାଗ୍ରତ ସୁଷୁପ୍ତି ଆଣେ ତା’ ରୁଦ୍ର ବିସ୍ତୃତି ।

ସଦା ସେ ମୁଖର, କି ସେ ବିଶ୍ୱ-ବୈତାଳିବ ?

ଭାଙ୍ଗୁଛନ୍ତି କେତେ ଯାତ୍ରୀ ସମୁଦ୍ରେ ଲହରୀ

 

ଓଲଟି ତରଙ୍ଗାବେଗେ, ଯଥା ସନ୍ଧ୍ୟାଦେବୀ

ସମର୍ପନ୍ତି ଦୂରଗତ କ୍ରୀଡ଼ାରତ ବାଳେ

ମାତୃକୋଳେ ଆଣି, ତଥା ସାଗର ଲହରୀ

ଆଣିଦିଏ ବେଳା-ଅଙ୍କେ ସ୍ନାନଯାତ୍ରି କୁଳେ ।

 

ସ୍ପଷ୍ଟ ନାରିକେଳ ଆଦି ଭକ୍ତିଭେଟି ଦ୍ରବ୍ୟ

ନିକ୍ଷେପନ୍ତି ସିନ୍ଧୁଗର୍ଭେ ସର୍ବଜନେ, ମାତ୍ର

ଯେଣୁ ତାର ମହାଜନବ୍ରତ, ଗ୍ରହି ତେଣୁ

ସ୍ପର୍ଶମାତ୍ରେ ତାହା, ଆଣି ଦିଅଇ ଫେରାଇ ।

 

କି ସୁନ୍ଦର ବେଳା, ଶଙ୍ଖଶୁକ୍ତି-ତାରକିତ,

ଲୋହିତ କର୍କଟେ ତହିଁ ପଦ୍ମରାଗଖଣ୍ଡ,

ଗଡ଼ିବୁଲେ ମୃଦୁବାତେ ଗୁଡ଼କଙ୍କ ଫୁଲ ।

ସର୍ବାଙ୍ଗ ପ୍ରୋଥିତ କରି ବେଳା-ବାଲୁକାରେ

ଦକ୍ଷକର ମୁଖ ଭିନ୍ନ, କେତେକ ସାଧକେ

କେଜାଣି କେବଣ ଧ୍ୟାନେ ଛନ୍ତି ନେତ୍ର ମୁଦି,

କେହି ବା ଉତ୍ତାନଶାୟୀ ବକ୍ଷେ ଚାପିଶିଳା,

ବିସ୍ତାରିତ କରତଳ ପୂର୍ଣ୍ଣ ମୁଦ୍ରାଧନେ ।’’

ପୁଚ୍ଛିଲେ ବିକ୍ରମ, ‘‘ଏ କି ଅଦ୍ଭୁତ ଘଟଣା ?

ପଥପାର୍ଶ୍ୱେ ଶବପନ୍ତି ପ୍ରୋଥିତ କିପାଇଁ ?’’

ଉତ୍ତରିଲେ ଯତି- ‘‘ରାଏ, ନୁହନ୍ତି ଏ ଶବ,

ଅଟନ୍ତି ଏମାନେ ଏକଶ୍ରେଣୀୟ ସାଧକ,

ଲଭନ୍ତି କି ପୁଣ୍ୟ ଅପ ଶରୀରେ ଯନ୍ତ୍ରଣା,

ଜଣା ତାହାଙ୍କୁ ହିଁ ସେହି ସମସ୍ୟା ବିଷମ ।’’

ଭାଷିଲେ ବିକ୍ରମ- ‘‘ଯତି, ମିଳୁଥାନ୍ତା ଯେବେ

କାୟକ୍ଲେଶ ବିନିମୟେ ପୁଣ୍ୟ, କେଉଁ ଦିନୁ

 

ତେବେ ଯାଆନ୍ତାଣି ଉଠି ଅଭିଧାନ ଅଙ୍କୁ

ପାପ ଶବ୍ଦ, ନ ଥାଆନ୍ତେ ସଂସାରେ ପାତକୀ,

ଧର୍ମସାଧନର କ୍ଷେତ୍ର ନୁହେଁ ତ ଶରୀର,

ମନ ହିଁ ଭାଜନ ଏକା ତହିଁକି ସର୍ବଥା,

କିପାଇଁ ଏହାଙ୍କୁ ମୁଦ୍ରା ଅର୍ପନ୍ତି ଯାତ୍ରୀଏ ?’’

କହିଲେ ତାପସ ତହୁଁ- ‘‘ହୁଏ ପୁଣ୍ୟାର୍ଜନ

ଦାନ କଲେ ତୀର୍ଥେ, ଏହି ଭ୍ରାନ୍ତ ବିଶ୍ୱାସରେ

ଅର୍ପନ୍ତି ଏହାଙ୍କୁ ମୁଦ୍ରା ଦାନପାତ୍ର ଜାଣି ।’’

‘‘ପୁଣ୍ୟ ନୁହେଁ ପଣ୍ୟଦ୍ରବ୍ୟ’’, ଉତ୍ତରିଲେ ନୃପ,

‘‘ଚଳେ ନାହିଁ ବିକାକିଣା ଧର୍ମ-ଜଗତରେ,

ପ୍ରେମ, ମୈତ୍ରୀ, ସତ୍ୟ, ନ୍ୟାୟ, ଶାନ୍ତି, ପବିତ୍ରତା,

ହେଲେ ସଂଜୀବିତ ମନେ, ହୁଅନ୍ତି ଧାର୍ମିକ

ମାନବେ, ଅନ୍ୟଥା ଦାନ ଯଦୃଚ୍ଛା ପାତ୍ରରେ

ଅସ୍ତ୍ରାଘାତ ସିନା ମୂଳେ ସ୍ୱାବଲମ୍ବିତାର,

ହୁଅନ୍ତି ସେରୂପ ଦାନେ ଅସନ୍ତୁଷ୍ଟ ବିଧି,

ବସ୍ତୁତଃ ତା ପୁଣ୍ୟ ନୁହେଁ, ବରଞ୍ଚ ପାତକ,

 

ନୁହନ୍ତି ସାଧକ ଏହି ଭଣ୍ଡେ-ପଣ୍ଡଶ୍ରମୀ,

ସକଳେ ଅଳସ, ଶଠ, ଅର୍ଥସଂଗ୍ରାହକ,

ଏମାନଙ୍କ ପ୍ରତି ଦୟାପ୍ରଦର୍ଶନ ସିନା

ଧର୍ମର ଅବଜ୍ଞା, ପୁଣି ପ୍ରତାରଣା-ପୂଜା ।’’

ଉତ୍ତରାସ୍ୟେ ତପୀ ସଙ୍ଗେ ଭୂପ ଯଶୋଧନ

ଚାଲିଲେ ସୈକତ ପଥେ, ସ୍ଥାନପ୍ରଭାବରେ

ସ୍ପର୍ଶିଲା ସାତ୍ତ୍ୱିକ ଭାବ, ସ୍ଫୁରିଲା ପୁଲକ,

ଆଶ୍ରିଲେ ତାହାଙ୍କ ହୃଦେ ଏକକାଳେ ଆସି

ଆନନ୍ଦ, ସନ୍ତୋଷ, ଶାନ୍ତି, ବୈରାଗ୍ୟ, ସଂଯମ,

ପିବତ୍ରତା, ସୁଧାମୟ ଅନାବିଳ ସୁଖ ।

ଏ ଅଦ୍ଭୁତ ବିପର୍ଯ୍ୟୟ ଅନୁଭବି ରାଏ

ପୁଚ୍ଛିଲେ ତାପସେ, ‘‘ପ୍ରଭୋ କେଉଁ ସ୍ଥଳୀ ଏହା,

କିପାଁ ଏଥି ଜୀବନର ଜୀର୍ଣ୍ଣ-ଉପବନେ

ଉଦିତା ବସନ୍ତ-ଲକ୍ଷ୍ମୀ ? ଅହୋ,କି ସୌଭାଗ୍ୟ !

ଚିର ଅନ୍ଧକାରବୃତ ଚିତ୍ତ-ଗୃହେ ଆଜି

ଅଲକ୍ଷ୍ୟେ ଜାଳିଲା କିଏ ମଣିମୟ ଦୀପ-

 

ସ୍ନିଗ୍ଧ, କାନ୍ତ, ସମୃଜ୍ଜଳ, ବୋଲନ୍ତୁ ଗୋସାଇଁ ।’’

ଉତ୍ତରିଲେ ଯୋଗୀ - ‘‘ନୃପ, ଏ ଶ୍ରୀକ୍ଷେତ୍ରଧାମ,

ଶାସ୍ତ୍ରର ବର୍ଣ୍ଣନା ସ୍ୱର୍ଗ, ଅପ୍ରତ୍ୟକ୍ଷ ତାହା,

ମାତ୍ର ଏ ପ୍ରତ୍ୟକ୍ଷ ସ୍ୱର୍ଗ, ରୁପବନ୍ତ ଏଥି

 

ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ,

ରାଜରାଜେଶ୍ୱର ଏହୁ ଅଖିଳ ତୀର୍ଥର ।

ଗୋଟିଏ କୁସୁମେ ଯଥା ନ ହୁଏ ଦେଖାଇ

ଉଦ୍ୟାନର ସର୍ବବିଧ ସୌନ୍ଦର୍ଯ୍ୟଗରିମା

 

ତଥା ଏ କ୍ଷେତ୍ର ବରର ଅକ୍ଷୟ ମହିମା

ହେବ ନାହିଁ ପଦେ ଅଧେ ବର୍ଣ୍ଣନାରେ ଶେଷ !

ଏ ସ୍ଥାନ ପରଶମାତ୍ରେ ଭୁଲିଯାଏ ନର

ସ୍ୱଭାବଦୌର୍ବଲ୍ୟ, ସ୍ୱାର୍ଥ, ପାପ, ସଂକୀର୍ଣ୍ଣତା,

 

ଅମୃତବର୍ତ୍ତିକା ଏହା ଅଜ୍ଞାନ ନେତ୍ରର ।

ଅଷ୍ଟସମ୍ଭୂ, ଅଷ୍ଟଶକ୍ତି ବସନ୍ତି ଏହାର

ଅଷ୍ଟଦିଗେ, ବିରାଜନ୍ତି ମଧ୍ୟଭାଗେ ବହୁ

ଦେବଦେବୀ, ଲଭି ଦାରୁବ୍ରହ୍ମଙ୍କ ସନ୍ନିଧି,

 

ଯଥା ଗୁଣିଜନେ ଇଚ୍ଛି ନୃପ ସହବାସ

ନିବସନ୍ତି ଯାଇ ସର୍ବେ ରାଜଧାନୀ ସ୍ଥାନେ ।

ପୂର୍ଣ୍ଣ ଏ ପବିତ୍ର ସ୍ଥଳୀ ମଠେ, ଦେବାଳୟେ,

ସରେ, ସ୍ଥିତ ଅଳ୍ପ ଦୂରେ ତୀର୍ଥ ମାର୍କେଣ୍ଡେୟ,

 

କଳ୍ପଜୀବୀ ମାର୍କଣ୍ଡେୟ ତାପସସତ୍ତମ

ସାଧିଥିଲେ କୂଳେ ଯାର ତପସ୍ୟା କଠୋର,

ଇଚ୍ଛ ଯଦି ଦେଖିବାକୁ ତାହା, ଆସ ତେବେ

ଏହି ପଥେ ।’’ ଏହା ଭାଷି ଘେନିଗଲେ ୠଷି

 

ଯଥାସ୍ଥାନେ ବିକ୍ରମାର୍କେ । ଦେଖି ନୃପ ତାର

ଜଳ କେଶନଖମୟ, ପୃଚ୍ଛନ୍ତେ କାରଣ,

ଉତ୍ତରିଲେ ତପୋଧନ, ‘‘କଲେ ମାନସିକ

ଏ ତୀର୍ଥେ ମସ୍ତକ କେଶ ଦେବାକୁ ଉଝାଇ,

 

ନ ବାଧେ ଆପଦ, ଏହି ମୂଢ଼ ଧାରଣାରେ

ହୋଇଛି ଏ ପୁଣ୍ୟତୀର୍ଥ ନର୍କ ପରିଣତ !

ଅହୋ ! କେଡ଼େ କୁସଂସ୍କାର, ଭାଷିଲେ ନରେଶ,

‘‘ନଖକେଶ ଉତ୍କୋଚରେ ବଶ କି ଦେବତା ?

 

କି କର୍ତ୍ତୃତ ଅଛି ଭଲା ବିପଦ ଉପରେ

ମାର୍କଣ୍ଡ ତୀର୍ଥର ? କଲେ ଅପବିତ୍ର ତାକୁ

ଦେବ ସେହୁ ବର-ଏହା ଅଦ୍ଭୁତ ସିଦ୍ଧାନ୍ତ !

ହାୟ ତୀର୍ଥ, ହାୟ ଧର୍ମ, ତୁମ୍ଭେ ସୁଦ୍ଧାକି ହେ

 

ମାନବ ସ୍ୱଭାବସିଦ୍ଧ ଉତ୍କୋଚ-ଗ୍ରାହକ ?

କଲେ ଏଥି ସ୍ନାନ, କରି ମସ୍ତକ ମୁଣ୍ଡନ,

ଜଳଗୁଣେ ହୋଇପାରେ ସ୍ୱାସ୍ଥ୍ୟର ଉନ୍ନତି-

ରୋଗର ବୀଜାଣୁ ନଷ୍ଟ, ମାତ୍ର ତା ଦୂଷିତ

 

କରି ନଖଲେମାଦିରେ ହେବା ନିରାପଦ,

ନିଶ୍ଚେ ଏହା ଧର୍ମଦ୍ରୋହୀ ବର୍ବର ଧାରଣା ।

କିଏ ତୀର୍ଥ ତପୋନିଧି ଯେ ପବିତ୍ର ସ୍ଥାନ

ସ୍ୱାସ୍ଥ୍ୟଶାନ୍ତିମୟ, ଘଟେ ସାଧୁସଙ୍ଗ ଯହିଁ,

 

ଅଥବା ଯେଠାରେ ଲଭେ ଚିତ୍ତ ପ୍ରସନ୍ନତା,

ସେହି ତ ପରମ ତୀର୍ଥ, ଯେ ନରପାଂଶୁଳ

କରେ ତାହା କଳଙ୍କିତ, ଯେ ଘୃଣ୍ୟ ପିଶାଚ !’’

 

ଏହିରୂପେ ଦେଖି ବହୁ ତୀର୍ଥ ପୀଠାଶ୍ରମ

ମିଳିଲେ ଶ୍ରୀ ବିକ୍ରମାର୍କ ସଗହଣେ ଯାଇ

ଶ୍ରୀମନ୍ଦିର ସିଂହଦ୍ୱାରେ । ତହୁଁ ଚପଚାରୀ

ଭାଷିଲେ ସସ୍ମିତେ, ‘‘ନୃପ, ଏହା ଶ୍ରୀମନ୍ଦିର,

 

ମନୋବୃତ୍ତି-ମାନଦଣ୍ଡ ଉତ୍କଳଜାତିର,

ତ୍ରିଦିବେ ବୈକୁଣ୍ଠ ଯଥା, ତଥା ଏ ଶ୍ରୀକ୍ଷେତ୍ର;

ଜଗତ୍ତାତ ଜଗନ୍ନାଥ ବିରାଜନ୍ତି ଏଥି,

କରିବ ସାର୍ଥକ ନେତ୍ର, ପ୍ରବେଶ ସତ୍ୱର’’

 

ଏହା ଭାଷି ଘେନିଗଲେ ବେଢ଼ା ମଧ୍ୟଭାଗେ ।

ଅବଲୋକି ମନ୍ଦିରର ବିରାଟ ଆକୃତି

କହିଲେ ଅବନ୍ତୀନାଥ ଭାବଗଦଗଦେ-

‘‘ନିବସନ୍ତି ମଧ୍ୟେ ଯାର ବିରାଟ ପୁରୁଷ,

 

ବିରାଟୁ ବିରାଟତର ନୋହିବ ସେ କିପା ?

ଏ ଭଳି ମହତୀ କୀର୍ତ୍ତି ରଖିପାରେ ଯେହୁ,

ସେହି ଏକା ରଖିବାକୁ ଭାଜନ ସର୍ବଥା

ଜାତି, ଧର୍ମ, ସମାଜର ପ୍ରତିଷ୍ଠା ବିଶାଳ ।

 

ଅହୋ, କି ଅଦ୍ଭୁତ ଶିଳ୍ପ, ଯନ୍ତ୍ରେ ଯନ୍ତ୍ରିତ, ନା

କଳ୍ପନା-କଳ୍ପିତ ? ବାରି ହୁଏ ନାହିଁ କିଛି,

ଆଭାସି ଉଠୁଛି ତହୁଁ ଜାତୀୟ ପ୍ରାଣର

ମହାସତ୍ତା, ମହାନତା, ମହାନୁଭବତା ।

ଧନ୍ୟ ଏ ଉତ୍କଳ ମହୀ, ଗରିଷ୍ଠ ଗୁଣିନୀ,

ବିତ୍ତେ ବଡ଼, ବିତ୍ତ-ବିତ୍ତ ଚିତ୍ତେ ପୁଣି ବଡ଼,

ରାଜରାଜେଶ୍ୱରୀ ଏହା ଏ ପୁଣ୍ୟ ଭାରତେ ।

ମାତ୍ର ଦେବ, ସନ୍ଦିରାଧ ମୁଁ ଅତି, ଅଛି କିପାଁ

ବିଜଡ଼ିତ ଶ୍ରୀମନ୍ଦିର ଗାତେ ସ୍ଥାନେ ସ୍ଥାନେ

ବୀଭତ୍ସ ଅଶ୍ଲୀଷ ଚିତ୍ର, କୁରୁଚ୍ୟୁତ୍ପାଦକ,

ଦେବ-ଅହ୍ମଣିଆ ସଙ୍ଗେ ମିଶିଲା କି ରୂପେ

ଏ ଉଚ୍ଛିଷ୍ଟ, ଲାଗେ ମନେ ଆଘାତ ଭୀଷଣ,

ପବିତ୍ର ଅମୃତେ ଦେଖି ବିଷ-ବିସର୍ପିତ

ନ ହେବ ଶତଧା ଦୀର୍ଣ୍ଣ କାହାର ହୃଦୟ ?’’

ଉତ୍ତରିଲେ ଯୋଗା- ‘‘ନୁହେଁ ନିରର୍ଥକ ଏହା,

ଏ ଦିବ୍ୟ ଦେଉଳରାଜ ଦେଖାଇ ସଙ୍କେତେ

 

ସଂସାରର ଅଭିନୟ, ଅର୍ପେ ଉପଦେଶ,

ସଂସାରର ବହିର୍ଭାଗେ ଲାଗିଛି ନିୟତ

ଷଡ଼ରିପୁ ଇନ୍ଦ୍ରିୟର ଏ ଘୃଣିତ ଲୀଳା,

ଏଣୁ କହେ ଏ ମନ୍ଦିର ନୀରବ ଭାଷାରେ-

‘ହେ ପ୍ରବେଶି, ଏଥିପ୍ରତି ଦୃଷ୍ଟି ନ ବଳାଇ

ପଶ ଅଭ୍ୟନ୍ତରେ, ଯଦି କରିବ ସଫଳ

ଅମର ମାନବ ଆତ୍ମା, ହେରି ନିରଞ୍ଜନେ

ବ୍ରହ୍ମାଣ୍ଡନିର୍ଲିପ୍ତ ବ୍ରହ୍ମ, ସତ୍ୟଶିବମୟ ।’

ଏ ଗଭୀର ମହାନୀତି, ଏହି ପୁଣ୍ୟ ବାଣୀ,

ଏହି ଆଧ୍ୟାତ୍ମିକ ତତ୍ତ୍ୱ, ଏ ସାରୋପଦେଶ

ଲୁକ୍କାୟିତ ଏ ଅଶ୍ଲୀଳ ମୂର୍ତ୍ତି ଅନ୍ତରାଳେ ।

ଏଣେ ହେଉ ଦୃଷ୍ଟିପାତ, ଏହି ଯେ ମଣ୍ଡପ

ଦିଶୁଛି ସମ୍ମୁଖେ, ତାହା ଶ୍ରୀମୁକ୍ତିମଣ୍ଡପ,

ଧର୍ମପ୍ରାଣ ଶାସ୍ତ୍ରନିଷ୍ଠ ପଣ୍ଡିତମଣ୍ଡଳୀ

ବସି ଏଥି ସଂଗଠନ୍ତି ଯେବଣ ବ୍ୟବସ୍ଥା,

ହୁଏ ତାହା ଆର୍ଯ୍ୟାବର୍ତ୍ତେ ପୂଜିତ, ଗୃହୀତ,

 

ପାପେ ପ୍ରାୟଶ୍ଚିତ ବିଧି ଅର୍ପନ୍ତି ଏ ସଭା ।’’

ପୁଚ୍ଛିଲେ ବିକ୍ରମ, ‘‘ଯତି, ସ୍ୱର୍ଣ୍ଣରୌପ୍ୟ ଦାନେ

କରେ ପ୍ରାୟଶ୍ଚିତ ଲୋକ, ମାତ୍ର କି କ୍ଷମତା

ଧାତବ ପିଣ୍ଡର ଅଛି ପାପ ଉପରେ ବା ?

ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ-ଦୃଷ୍କୃତି ସୁମରି

ଅନୁତାପ, ଆଉ ପାପତ୍ୟାଗର ସଙ୍କଳ୍ପ ।’’

ଭାଷିଲେ ତାପସ, ‘‘ସତ୍ୟ, ଯା କହିଲ ରାଏ,

କିନ୍ତୁ ହେଲେ ପ୍ରଚଳିତ ସେ ଭଳି ବିଧାନ,

ନ ରହିବ ପାପ ପ୍ରତି ଭୟ ଆଉ କାର,

ସେଥିଲାଗି କାୟକ୍ଲେଶ ଭ୍ରମଣୋପବାସ

ଅର୍ଥଦଣ୍ଡ ଆଦି ଅଛି ପ୍ରାୟଶ୍ଚିତ ବିଧି ।

ଦେହୁକ୍ଲେଶ ଅର୍ଥନାଶ ବହୁଦିନଯାଏଁ

ରଖେ ସଂଜୀବିତ ପାପି-ମନେ ପୂର୍ବକୃତ

ପାପସ୍ମୃତି, ଅନୁକ୍ଷଣ ଆଣିଦିଏ ଭୀତି,

ସେ ଫଳରେ ଥାଏ ପାପୀ ପାପରୁ ବିରତ ।’’

ପୁଚ୍ଛିଲେ ବିକ୍ରମ ‘‘ମୁକ୍ତି-ମଣ୍ଡପ ତଳରେ

 

ଲାଗିଛି କେବଣ ଭୋଜୀ ?’’ ଈଷଦ୍ଧାସ୍ୟେ ତହୁଁ

ଉତ୍ତରିଲେ ଯୋଗୀ, ‘‘ନାହିଁ ଏହି ଦେବଭୋଗେ

ପ୍ରଭେଦ କିଛି ହିଁ ଜାତି ବା ସମ୍ପ୍ରଦାୟର,

ଜାତିଧର୍ମନିର୍ବିଶେଷେ ଏକତ୍ରେ ଯାତ୍ରୀଏ

କରନ୍ତି ପ୍ରସାଦସେବା, ନିର୍ବିକାର ମନେ

ଏକପାତ୍ରେ, ଧର୍ମର ଏ ମହୋଦର ନୀତି

ଅଛି ସଦା ପ୍ରଚଳିତ ଏହି କ୍ଷେତ୍ରବରେ ।’’

ଭାଷିଲେ ବିକ୍ରମ ତହୁଁ ଅତୁଳ ଆହ୍ଲାଦେ-

‘‘ସତ୍ୟ କି ହେ ବଚନ ? ଏହି ସମନ୍ୱୟ

ଧର୍ମର ସାଫଲ୍ୟ ସିନା-ମହତ୍ତ୍ୱ ଗୌରବ-

ଧର୍ମର ଧରମପଣ, ଏହି ସ୍ଥାନେ ଏକା

ଜୀବିତ ମୌଳିକ ଧର୍ମ, ଆହା କି ସୁନ୍ଦର

ରୀତି, ନିଶ୍ଚେ ଏ ଶୀକ୍ଷେତ୍ରେ ଜଗତେ ଦୁର୍ଲ୍ଲଭ,

ନିଶ୍ଚେ ଏଥି ପୂର୍ଣ୍ଣବ୍ରହ୍ମ ପୂର୍ଣ୍ଣ ଅଧିଷ୍ଠିତ ।

ଚାଲ ଏବେ ତପୋଜୀବୀ ପ୍ରବେଶି ଦେଉଳେ

ହେରି ପ୍ରାଣାରାମପଦ ଶମିବା ହୃଦୟ,

 

(ଯେ ପଦ ପ୍ରତ୍ୟାଶେ ଆତ୍ମା ଚିର-ପିପାସିତ)

ହେଉଛି ବ୍ୟାକୁଳ ପ୍ରାଣ, ସୁଧାପାତ୍ର ରଖି

ଅଗ୍ରେ, ହୋଇପାରେ ସ୍ଥିର କେନ ଭୁଞ୍ଜି ତାହା ?’’

 

ଏଥୁଅନ୍ତେ ଶ୍ରୀମନ୍ଦିରେ ପ୍ରବେଶି ଐନ୍ଦ୍ରଜ

ଦେଖିଲେ ଲାଗିଛି ତହିଁ ଭକ୍ତିର ଉତ୍ସବ,

ଭକ୍ତକଣ୍ଠ-ବିନିଃସୃତ ଛନ୍ଦୋବଦ୍ଧ ସ୍ତବେ

ମୁଖର ମନ୍ଦିର, ସର୍ବେ ଯାଚନ୍ତି ମୁକତି,

 

ମନ୍ଦିର ନୁହେଁ ତ ତାହା- ମୁକ୍ତିର ଆକର ।

କି ଅଜ୍ଞାତ ଆନନ୍ଦରେ ଉଠିଲା ଉଛୁଳି

ମନ, କି ସୁଧାପ୍ରବାହ ବହିଲା ହୃଦୟେ,

ଚିତ୍ତର ଅଜ୍ଞାତସାରେ, କେ ବୁଝିବ ତାହା ?

 

ହେରି ଦାରୁବ୍ରହ୍ମମୂତ୍ତି ନୀଳମଣିପ୍ରଭ

ଭକ୍ତିପ୍ରେମଭାବାବେଶେ ହୋଇ ବିହ୍ୱଳିତ

ବିହିଲେ ସାଷ୍ଟାଙ୍ଗେ ଲୁଟି ଅସଂଖ୍ୟ ପ୍ରଣତି,

ଉଠି ପୁଣି ଯୁକ୍ତକରେ ଭାଷିଲେ ଏସନ-

 

‘‘ନିସ୍ତରିଲି ନିସ୍ତରିଲି ପ୍ରଭୋ, ମୁକ୍ତ ହେବା

କେଉଁ ଛାର, ଧନ୍ୟ ହେଲି ମୁହିଁ, ଦେଇ ନାହିଁ

ତୁମ୍ଭେ ଏ ଚର୍ମନୟନ ଅଳୀକ ସ୍ୱପ୍ନର

ବ୍ୟର୍ଥତା ଦର୍ଶନ ଲାଗି, ପ୍ରଦତ୍ତ ତା ଦେବ

 

ଶ୍ରୀରୂପ ଦର୍ଶନେ ତବ, ବୁଝିଲି ମୁଁ ଏବେ,

ଚରମ ସାଫଲ୍ୟ ଲାଭ ହେଲା ଜୀବନର,

ବହୁଜନ୍ମ ଅପୂର୍ଣ୍ଣାଶା ପରିପୂର୍ଣ୍ଣ ଆଜି !

କି ଭେଟ ଅର୍ପିବି ହରି, ଯାହା କିଛି ମୋର,

 

ତାହା ତ ତୁମ୍ଭର, ପୁଣି ତୁମ୍ଭେ ସୁଦ୍ଧା ମୋର,

ଅର୍ପିଲି ତୁମ୍ଭଙ୍କୁ ଏଣୁ ତୁମ୍ଭରି ଉଦ୍ଦେଶ୍ୟେ !

ହୋଇଥାନ୍ତା ସ୍ୱର୍ଣ୍ଣପିଣ୍ଡ ଯଦି ଏ ହୃଦୟ,

ଯତନେ ନିର୍ମାଣି ତହିଁ ରୁଚିର କଠାଉ,

 

ଦିଅନ୍ତି ହରଷେ ତବ ଚରଣେ ପିନ୍ଧାଇ ।

ସନାତନ, ପୁରାତନ, ହେ ଚିର-ନୂତନ,

କର ପରିଗ୍ରହ ମୋର ସମଗ୍ର ପ୍ରାଣର

ସମସ୍ତ କାମନା, ପୂଜା ଉପାଦାନରୂପେ ।

 

ହେ ପୂର୍ଣ୍ଣ, ଏ ଜୀବନର ପ୍ରତି ଦଣ୍ଡ ଲତା ।

ପରିପୂର୍ଣ୍ଣ ହେଉ ତୁମ୍ଭ ପ୍ରାର୍ଥନା-ସଙ୍ଗୀତେ,

ଏତିକି ମାଗୁଣି ନାଥ, ସେ ଅଭୟ ପଦେ ।’’

ସ୍ତବି ଏହିରୂପେ ରାଏ, ରତ୍ନସଂହାସନେ

 

(ଲକ୍ଷସଂଖ୍ୟ ଶାଳଗ୍ରାମ ଶିରୋଧୃତ ଯାହା)

ମହାର୍ହ ରତନହାର ଅର୍ପି ଭେଟରୂପେ,

ବାନ୍ଧି ଉତ୍ତମାଙ୍ଗେ ଦେବପ୍ରସାଦ ଶିରୋପା,

ବାହାରିଲେ ଶ୍ରୀମନ୍ଦିରୁ ସନ୍ନ୍ୟାସୀ ସହିତ ।

 

ଆସୁ ଆସୁ ପଥେ ଯତି ପୃଚ୍ଛିଲେ ସାଗ୍ରହେ,

ଶ୍ରୀମୂର୍ତ୍ତି ସମସ୍ୟା, ‘‘ନୃପ, ପାରିଲ କି ଭେଦି ?’’

ଉତ୍ତରିଲେ ରାଏ, ‘‘ଅଛି ସନ୍ଦେହ ମୋ ମନେ,

ପୁଚ୍ଛିବି ପୁଚ୍ଛିବି ବୋଲି ଭାବିଥିଲି ଯାହା,

 

ଦୟା ବହି କଲ ତୁମ୍ଭେ ତା ଅବତାରଣା;

କିପାଁ ଜଗନ୍ନାଥଙ୍କର ମୂର୍ତ୍ତି ବିକଳାଙ୍ଗ,

ବୋଲନ୍ତୁ ଏଥିରେ ଅଛି କି ତତ୍ତ୍ୱ ନିହିତ ?’’

କହିଲେ ତାପସ, ‘‘ସତ୍ୟ ବିକଳାଙ୍ଗ ତାହା,

 

ଏ ରୂପ ଦେଖାଇ ବ୍ରହ୍ମ ବୋଲନ୍ତି ନୀରବେ,

‘ନାହିଁ ମୋର ହସ୍ତପଦ, ତଥାପି ସକଳ

କାର୍ଯ୍ୟର କାରଣ ମୁହିଁ, ଅତଃ ହେ ମାନବ,

ବହି ତୁମ୍ଭେ ହସ୍ତପଦ, ନ ହୁଅ ବିରତ

 

କର୍ମୁ, କର୍ମ ମାବନର ଅଭୀଷ୍ଟ ଦେବତା,

ତାହା ବରେ ଲଭେ ନର ସାରୂପ୍ୟ ମୁକତି’ ।’’

ତୁଷ୍ଟି ଲଭି ବିକ୍ରମାର୍କ ପୁଚ୍ଛିଲେ ଆବର,

‘‘ଏହି ଯେ ମାନବେ ଉଭା ଦୀର୍ଘକଣ୍ଠିଧାରୀ,

 

କେ ସେମାନେ, କରୁଛନ୍ତି କି ମନ୍ତ୍ର ଆବୃତ୍ତି ?’’

ଉତ୍ତରିଏ; ଧର୍ମାନନ୍ଦ- ‘‘ବୋଲାନ୍ତି ସେମାନେ

ପଣ୍ଡା, ତୀର୍ଥପ୍ରଦର୍ଶକ ଯାତ୍ରୀମାନଙ୍କର,

ଉଚ୍ଚାରନ୍ତି ମୁଖେ ଯାହା, ମନ୍ତ୍ର ନୁହେଁ ତାହା,

 

ଆଶୀର୍ବାଦ, ତିରସ୍କାର, ସର୍ବେ ଅର୍ଥ-ଦାସ,

ପାଇଲେ ସେ ଅର୍ଥ, କ୍ଷଣେ ଦିଅନ୍ତି ଉଠାଇ

ଯାତ୍ରୀ ସସ୍ତପୁରୁଷଙ୍କୁ ସପ୍ତସ୍ୱର୍ଗଶିରେ,

ନ ପାଇଲେ ଅର୍ଥ, ଆଣି ପକାନ୍ତି ନରକେ ।’’

 

କହିଲେ ନୃପତିମୌଳି, ‘‘ଯାହାଙ୍କ ଉଦର

କ୍ରୋଧ ଭର୍ସନାରେ ପୂର୍ଣ୍ଣ, ଘୃଣ୍ୟ, କଳୁଷିତ,

ନୁହନ୍ତି ସେ ଦ୍ୱିଜ, ତାଙ୍କ ବ୍ୟାଜ ଆଶୀର୍ବାଦ

ବଳେ ଅଭିଶାପୁଁ, ତୀର୍ଥ-କଣ୍ଟକ ସେମାନେ,

 

ମହାପାପ ସେ ପାପୀଙ୍କ ନାମ ଉଚ୍ଚାରଣ !

ମାତ୍ର ଯେ ପ୍ରକୃତ ପଣ୍ଡା, କରିପାରେ ସେହୁ

ପ୍ରଜ୍ଞାରେ ଉଜ୍ଜ୍ୱଳ ବେଦ, ସ୍ୱତନ୍ତ୍ର ତା କଥା,

କ୍ରୋଧ, କୁତ୍ସା, ପ୍ରଲୋଭନ ଡ଼ରେ ତାକୁ ଦୂରୁ,

 

ମଣେ ସେ ଜଗତଜନେ କୁଟୁମ୍ବ ସଦୃଶ,

ପାରେ କି ସେ ହୋଇ କେବେ ନୀଚ ହୀନମତି ?

ବଖାଣନ୍ତୁ ଦେବ, ଏବେ ଶ୍ରୀମ୍ଭୂର୍ତ୍ତିଆଖ୍ୟାନ,

ଏ ସରୂପ ବ୍ରହ୍ମେ କଲା ପ୍ରତିଷ୍ଠା କେ କେବେ ?

 

ମାନବ କି ଦେବତା ସେ, କିମ୍ବା ସ୍ଥାନ ତାର

ଏ ଦୁହିଁଙ୍କ ଊର୍ଦ୍ଧ୍ୱେ, ମୁଁ ତା’ ଶ୍ରବଣେ ଉତ୍ସୁକ ।’’

ଉତ୍ତରିଲେ ଯୋଗୀ ତହୁଁ ସାନନ୍ଦେ ସାଗ୍ରହେ,

‘‘ଭାରତର ମହାକ୍ଷେତ୍ର, ମହାଧ୍ୱଂସକ୍ଷେତ୍ର,

 

ଯଦୁବଂଶ-କୁରୁକ୍ଷେତ୍ର-ପ୍ରଭାସେ ଯେ କାଳେ

ତେଜି ମରତନ କୃଷ୍ଣ-ବୃଷ୍ଣିକୁଳଧ୍ୱଜ

କଲେକ ପ୍ରୟାଣ ସ୍ୱର୍ଗେ, ସେକାଳେ ତାଙ୍କର

ପବିତ୍ର ଶରୀର ହେଲା ନିହିତ ଅନଳେ,

ମାତ୍ର ତାହା ନ ଭକ୍ଷିଲା ସର୍ବଭକ୍ଷ ତିଳେ,

ଜାଣି ତା ଅଦାହ୍ୟ ବୋଲି ଦାହକନିକର

ବିସର୍ଜିଲେ ସିନ୍ଧୁଜଳେ, ଭାସି ଭାସି ତାହା

ମହାଦାରୁଦଣ୍ଡରୂପେ କିଛି ଦିନାନ୍ତରେ

ଲାଗିଲା ହିନ୍ତାଳବନେ ବାଙ୍କି ମୁହାଣରେ,

ଏହିରୂପେ କେତେ କାଳ ଗଲା ଅତିବାହି,

ତତ୍ପରେ ଘଟିଲା ଯାହା କହୁଛି ସକଳ ।

ନୁହେଁ ଏହା ଉପକଥା କିମ୍ବା ଜନଶ୍ରୁତି,

ବର୍ଣ୍ଣିତ ଏ ଗୂଢ଼ତତ୍ତ୍ୱ ଉତ୍କଳ-ପୁରାଣେ ।୧

ଇନ୍ଦ୍ରଦ୍ୟୁମ୍ନ ନାମେ ରାଜା ଥିଲେ ମାଳବରେ

ବିଷ୍ଣୁ ଭକ୍ତିପରାୟଣ, ବିଷ୍ଣୁଗତପ୍ରାଣ,

ତାହାଙ୍କ ଭକ୍ତିରେ ତୁଷ୍ଟି ଲଭି ଜଗନ୍ନାଥ,

୧ - ‘‘ଉତ୍କଳଖଣ୍ଡ’’ ପଠିତବ୍ୟ ।

 

ଜଗନ୍ନାହା, ଜଗତ୍ସାହ, କଲେ ସ୍ୱପ୍ନାଦେଶ-

‘ଦକ୍ଷିଣେ ସମୁଦ୍ର ତୀରେ ବାଙ୍କି ମହାଣରେ

ଲାଗିଛି ଯେ ମହାଦାରୁ, ମୋ ସ୍ୱରୂପ ତାହା

ବତ୍ସ, ତୁ ନିର୍ମାଣି ତହି ମୂର୍ତ୍ତି ତିନି, କର

ସଂସ୍ଥାପନ ନେଇ ନୀଳଗିରିଚୂଳେ, ତହିଁ

ବିସୃଜିଛି ଚକ୍ର ମୋର ପୂର୍ବୁ କ୍ଷେତ୍ରବର, ୨

କଳିରେ କୈବଲ୍ୟକ୍ଷେତ୍ର ନାମେ ସେ ନାମିତ ।’

ଇଷ୍ଟଦେବ ଆଜ୍ଞା ପାଇ ସେ ନୃପମଉଳି

୨ - ‘‘ପୁରୁଷୋତ୍ତମ ମାହାତ୍ମ୍ୟ’’ ଦ୍ରଷ୍ଟବ୍ୟ ।

ହେଲେ ପ୍ରେମାନନ୍ଦେ ଭୋଳ, ଭକ୍ତ ପକ୍ଷେ ସିନା

ପ୍ରଭୁଙ୍କ ଆଦେଶ-ରକ୍ଷା ଗୌରବ-ସମ୍ପଦ,

ସେହି ତାର ପ୍ରାଣକାଙ୍କ୍ଷା, ସେହି ତାର ସ୍ୱର୍ଗ,

ତେତିକି ପାଇଲେ ମଣେ କୃତାର୍ଥ ନିଜକୁ !

ତହୁଁ ରାଏ ଯଥାସ୍ଥାନେ ମିଳି ଯଥାକାଳେ,

ଉଠାଇ ସେ ରୁଦ୍ରଦାରୁ, ଶ୍ରୀମୂର୍ତ୍ତି ନିର୍ମାଣେ

ନିୟୋଜିଲେ ବାଛି ବାଛି ପ୍ରବୀଣ ବିନ୍ଧାଣି,

ମାତ୍ର ଏ ଅନନ୍ତ ବିଶ୍ୱ ଯାହାର ଭିଆଣ

 

କେ କ୍ଷମ ନିର୍ମାଣେ ତାକୁ ? କି ସାଧ୍ୟ ସୃଷ୍ଟିର

ନିର୍ମାଣିବ ସ୍ରଷ୍ଟା, ସୃଜିପାରେ ବୁଦ୍‌ବୁଦ୍‌କି

ସିନ୍ଧୁ ? ସର୍ବ ଶିଳ୍ପଦକ୍ଷ ଯାନ୍ତ୍ରିକମଣ୍ଡଳୀ

ନ ପାରିଣ ଗଢ଼ି ମୂର୍ତ୍ତି ପାଣପଣ ଯତ୍ନେ

 

ଭଜିଲେ ସ୍ୱଯନ୍ତ୍ର ସହ ବୈମୁଖ୍ୟ ଅତୀବ,

ଛଦ୍ମ ସୁତ୍ରଧରରୂପ ଧରି ତହୁଁ ହରି,

ନିର୍ମାଣିଲେ ନିକାଞ୍ଚନେ ଆପଣାକୁ ଆପେ,

ସାର୍ଥକିଲେ ଚରାରରେ ସ୍ୱୟମ୍ଭୂବ ନାମେ ।

 

ତୋଳାଇ ଦେଉଳ ନୃପ ନୀଳାଦ୍ରିଶିଖରେ,

କଲେ ତହିଁ ପ୍ରତିଷ୍ଠିତ ଏହି ମୂର୍ତ୍ତିତ୍ରୟ ।

ଦ୍ୱାଦଶ ବର୍ଷାନ୍ତେ ହୁଏ ନୂଆ କଳେବର,

ନବମୂର୍ତ୍ତି ସଂସ୍ଥାପିତ ହୋଇ ସିଂହାସନେ,

 

ବିସର୍ଜିତ ହୁଏ ତେବେ ପ୍ରାଚୀନ ପ୍ରତିମା ।’’

ଭାଷିଲେ ବିକ୍ରମ ଲଭି ବିସ୍ମୟ ବିଶେଷ-

‘‘ମୃତ୍ୟୁର ଯେ ମୃତ୍ୟୁ, ଅଛି ତାର ମୃତ୍ୟୁ ପୁଣି,

ଅହୋ କି ଅଦ୍ଭୁତ କଥା, କେବେ ନୁହେଁ ତାହା,

 

ଦେଖାନ୍ତି ଏରୂପେ ସିନା ଇଙ୍ଗିତେ ଶ୍ରୀହରି

ଜନ୍ମମୃତ୍ୟୁ ମହାଲୀଳା, ହୁଏ ଏ ରୂପରେ

ଦୁର୍ବୋଧ୍ୟ ସୁବୋଧ୍ୟ, ଭବେ ମରେ ନାହିଁ କେହି,

କିମ୍ବା ଜନ୍ମେ ନାହିଁ କେହି, ଜନ୍ମ ମୃତ୍ୟୁ ଖାଲି

 

ସ୍ୱବେଶ ପରିବର୍ତ୍ତନ, ଅଭିନୟେ ଯଥା ।

ଜନ୍ମର ନିଦାନ ମୃତ୍ୟୁ, ତଥା ମରଣର

ନିଦାନ ଜନନ, ନୁହେଁ ଅନ୍ୟଥା ଏ ରୀତି,

ବୃକ୍ଷୁଁ ଫଳ, ଫଳୁଁ, ବୃକ୍ଷ, ପ୍ରତ୍ୟକ୍ଷ ପ୍ରମାଣ ।

 

କହ ଯତି, ଅଛି କି ହେ ସେହିକାଳୁ ଭଲା

ଅକ୍ଷତ ଏ ଦେବାଳୟ, କିମ୍ବା ଅନ୍ୟ କେହି

ତୋଳାଇଛି ବାରାନ୍ତରେ ପରବର୍ତ୍ତୀ କାଳେ ?’’

ବିବରିଲେ ବ୍ରହ୍ମବେତ୍ତା- ‘‘ଦିନଶ୍ୱର ଭବେ

 

ନୁହେଁ ଅନଶ୍ୱର କେହି- ଜଡ଼ ବା ଜଙ୍ଗମ,

କେତେ ଥର ଏ ମନ୍ଦିର ହୋଇଛି ଚର୍ବିତ

କାଳର କୁଳିଶ ଦନ୍ତେ, କେତେ ଥର ପୁଣି

ଉଦ୍ଭବିଛି କାଳଗର୍ଭୁ, କେ କହିବ ତାହା ?

 

ଦର୍ଶନେ ଏହାର ସତ୍ତା କେତେ ପୁରାସ୍ମୃତି

କରେ କରାଘାତ ଆସି ହୃଦୟ-କପାଟେ,

ଲାଭ ଆଶେ ସୌଭାଗ୍ୟର ସ୍ୱପ୍ନ ସିଂହାସନ

ଯେତେ ବୀରେ ଆକ୍ରମିଲେ ଏ ଉତ୍କଳମହୀ,

ମାତ୍ର ସେ ମତ୍ସରିଗଣ ଦେଖାଇ ଆଟୋପ,

ଭୀଷଣ କାନ୍ତାର କାଳ ଘନାବଳୀ ପ୍ରାୟ *

* ଦୁର୍ଭିକ୍ଷ କାଳରେ ମେଘ ଆଡ଼ମ୍ବରରେ ଉଠାଏ; ମାତ୍ର ବିନ୍ଦୁପାତ ହୁଏ ନାହିଁ ।

ଭଜିଲେ ବିଲୟ ଶେଷେ, ଭୁଞ୍ଜିଲେ ପିଶୁନେ

ଉତ୍କଟ-କରଣୀ-ବୃକ୍ଷ ହଳାହଳ ଫଳ ।

ଥରେ ରକ୍ତବାହୁ ନାମେ ଦୈତ୍ୟକୁଳାଧମ

ଆକ୍ରମିଲା ଏ ଉତ୍କଳେ ଯାମ୍ୟଭାଗୁ ଆସି,

ଦହି ବହୁ ଗ୍ରାମ, ଧ୍ୱଂସି ବହୁ ଦେବାଳୟ,

ଲୁଣ୍ଠିଲା ଅକୁଣ୍ଠେ ଦୁଷ୍ଟ ଶ୍ରୀକୋଠଭଣ୍ଡାର ।

ଲଭି ତହୁଁ ଭୀତି ଦେବ- ସେବକନିକର,

ପ୍ରଚ୍ଛନ୍ନେ ଶ୍ରୀମୂର୍ତ୍ତି ଘେନି ପଳାଇ ତଡ଼ିତ

ମିଳି ସ୍ୱର୍ଣ୍ଣପୁର ମଧ୍ୟେ ଗୋପାଳା ଗ୍ରାମରେ

ରଖିଲେ ଦେବତାତ୍ରୟେ ଭୂଗର୍ଭେ ଲୁଚାଇ ।

 

ଏଣେ ଦୈତ୍ୟ ଜୟଦୃପ୍ତ, ଘେନି ରତ୍ନରାଶି

ବାହୁଡ଼ିବା ବେଳେ ପଥେ, ପ୍ରଚଣ୍ଡା ଚିଲିକା

ଧରି ବିଶ୍ୱଧ୍ୱଂସୀ ରୂପ ନାଶିଲା ତାହାକୁ,

ବୁଡ଼ିଲା ଚିଲିକାରେ ଆଶ୍ରୟ ତରଣୀ,

 

ଜୀବନ-ତରଣୀ ଯଥା କାଳସିନ୍ଧୁ ଗର୍ଭେ,

ରହିଲା ଉତ୍କଳ-ରତ୍ନ ଉତ୍କଳ-ଭଣ୍ଡାରେ ।

ଘଡ଼ିକେ ବିଜୟାନନ୍ଦ ହୋଇ ପରିଣତ

ଅଶ୍ରୁଧାରା ହାହାକାରେ, ମିଶିଗଲା ତାହା

 

ଚିଲିକା ଅନନ୍ତ ନୀରେ ଅନନ୍ତ ନିର୍ଘୋଷେ ।

କେତେ ଦିନ ପରେ ହେଲେ ଉତ୍କଳେ ସମ୍ରାଟ

ଯଯାତି କେଶରୀ, ବୈରି-କୁଞ୍ଜର-କେଶରୀ,

ମହାଧର୍ମଶୀଳ ରାଏ, ପୁଣ୍ୟ ସଂସୋଧନେ

 

ପୁଣ୍ୟର ପ୍ରତିଭୁ, ଧୋଇ ଦେଲେ ଯେହୁ ସ୍ୱୀୟ

ମହିମା-ମୟୂଖ-ସ୍ରୋତେ ଉତ୍କଳ ଲଲାଟ

ଅବନତି-ଅନ୍ଧକାରେ, ନବରବି ପ୍ରାୟ,

ନୁହନ୍ତି ଖାଲି ସେ ନୃପ-ଧର୍ମ-ଉପାସକ,

 

ସୌନ୍ଦର୍ଯ୍ୟ-ଆପଣେ ସୁଦ୍ଧା ଚିହ୍ନରା ଗ୍ରାହକ !

ଯୋଗଜନ୍ମା ସେ ନରେଶ ଲଭି ସ୍ୱପ୍ନାଦେଶ

ଜଗଦ୍ବନ୍ଧୁଙ୍କର, ଭୂମିଗର୍ଭୁ ଯଥାସ୍ଥାନୁ

ଉଦ୍ଧାରି ଶ୍ରୀମୂର୍ତ୍ତିତ୍ରୟ, ସଂସ୍ଥାପିଲେ ଆଣି

 

ନିର୍ମାଣି ଏ ଦେବାଳୟ, ଚାରୁକାରୁ ଠାଣି ।

ଏ ଜୀବନ୍ତ ମାନଦଣ୍ଡ ସତ୍ୟ, ସୂନ୍ଦରର,

ହେଉଛି ଧ୍ୱନିତ ମୁହୁଃ ସର୍ବାଙ୍ଗେ ଏହାର

ଧର୍ମର ଆଶକବାଣୀ, ଭାବନିଗୂଢ଼ିତ ।

 

ପ୍ରସ୍ତର ଏହାର ଯୋଡ଼ା ଭକ୍ତି ଉପାଦନେ,

ଯେଉଁ ଜାତିସ୍ୱତନ୍ତ୍ରତା, ଜାତୀୟ ପ୍ରାଧାନ୍ୟ

ରଖିଛି ସମ୍ପାଦି ଦେହେ ଶିଳ୍ପକଳାବ୍ୟାଜେ,

କରିବ ସେ ଭାବୀ ଯୁଗେ ପୁଣ୍ୟପ୍ରଭାମୟ

 

ଭବିଷ୍ୟ ଉତ୍କଳ ବଂଶ ମଳିନ ଜୀବନେ ।’’

କହିଲେ ବିଜୟୀ ନୃପ ଶୁଣି ଏ ଭାରତୀ-

‘‘ଏଭଳି ବିପୁଳକୀର୍ତ୍ତି ପାରନ୍ତି ଯେ ସ୍ଥାପି

ଧର୍ମରାଜ୍ୟେ, ସେ ଅମର, ଜୀବନ୍ମୁକ୍ତଭବେ,

 

ତାହାଙ୍କ ଦର୍ଶନେ ମିଳେ ପୁଣ୍ୟ, ଦୂର ହୁଏ

ମାନବ ସ୍ୱଭାବସିଦ୍ଧ ହୃଦସଂକୀର୍ଣ୍ଣତା,

କାହିଁଛନ୍ତି ସେ ମହାତ୍ମା, ସେ ସାଧୁପୁରୁଷ,

ବଳେ ତାଙ୍କ ବାସସ୍ଥାନ ତୀର୍ଥ ଦେବାଳୟୁ,

 

ଆତ୍ମା ପିପାସିତ ମୋର ତାଙ୍କ ଦର୍ଶନାଥେ ।’’

ଭାଷିଲେ ତପସ୍ୱୀ ତହୁ, ‘‘ଅଛନ୍ତି ଯଯାତି

ପଦ୍ମକ୍ଷେତ୍ରେ, ଜନଶ୍ରୁତି କରୁଛି ପ୍ରଚାର,

ଆସିବେ ବାହୁଡ଼ି ସେହୁ ନୀଳାଚଳେ ଆଜି,

 

କରନ୍ତୁ ଅପେକ୍ଷା ଏଥି ଆଜି ଏ ରାତିକି,

ଭେଟାଇବି କାଲି ନେଇ ଉତ୍କଳ-ସମ୍ରାଟେ ।’’

ପୁଚ୍ଛିଲେ ବିକ୍ରମ, ‘‘ଯୋଗି, କାହିଁ ଅବସ୍ଥିତ

ପଦ୍ମକ୍ଷେତ୍ର, କିପାଁ ବା ସେ ଉତ୍କଳେ ପ୍ରଖ୍ୟାତ ?

 

ବଖାଣନ୍ତୁ ତା ମାହାତ୍ମ୍ୟ ସଦୟେ ଆପଣ ।’’

ଉତ୍ତରିଲେ ସମାଗ୍ରହେ କ୍ଷିତୀଶେ ଯତୀଶ,

‘‘ଶୀକ୍ଷେତ୍ର ଆଗ୍ନେୟ ଦିଗେ ବାରିଧି-ବେଳାରେ

ବିରାଜିତ ପଦ୍ମକ୍ଷେତ୍ର, କୋଣାର୍କ ଅଖ୍ୟାତ,

 

ମୈତ୍ରେୟ କାନନ ନାମେ ପ୍ରସିଦ୍ଧ ପୁରାଣେ ।

ଦ୍ୱାଦଶ ବରଷ ତହିଁ ସାଧି ଘୋର ତପ

ପିତୃଶାପଗ୍ରସ୍ତ ଶାମ୍ବ, ଭାସ୍କର ଉଦ୍ଦେଶ୍ୟେ,

ଲଭିଥିଲେ ମହାବ୍ୟାଧି କବଳୁ ନିସ୍ତାର *

* ଶାମ୍ବଙ୍କର ଅଭିଶାପ ବୃତ୍ତାନ୍ତ ଶାମ୍ବପୁରାଣ ଏବଂ ନାରଦ-ଭକ୍ତିସୂତ୍ରନାମ ଗ୍ରନ୍ଥରେ ଅନୁସନ୍ଧେୟ ।

 

ମହାପୁଣ୍ୟପୀଠ, ମୁକ୍ତ ନିରାମୟ ତୀର୍ଥ,

ସ୍ୱୟଂ ତୀର୍ଥେଶ୍ୱର ଯାର ପ୍ରକ୍ଷାଳେ ଚରଣ,

ତହିଁ ଜାମ୍ବବତୀସୁତ ତପସ୍ମୃତି ରୂପେ

ସ୍ଥାପି ଅର୍କ ପ୍ରତିମୂର୍ତ୍ତି ରଖିଲେ କୀରତି,

 

ସେ ଦିନୁ ବିଦିତ ସ୍ଥଳୀ ଅର୍କକ୍ଷେତ୍ର ନାମେ ।

ଅଦୂରେ ତାହାର ସ୍ଥିତ ତୀର୍ଥ ଚନ୍ଦ୍ରଭାଗା ନଦୀ

ଆଲିଙ୍ଗେ ସାଗରେ ଯହିଁ ଚନ୍ଦ୍ରଭାଗା ନଦୀ

ଚନ୍ଦ୍ରିକାସ କାଶ ଶୁକ୍ଲ ଶାତକ-ସଲିଳା,

 

ସ୍ନାନେ ତହି ଛାଡିଯାଏ ରୋଗ, ପାପ, ତାପ ।’’

ଏଣେ ଚାରୁମୁଖ ଶୁଣି ଯଯାତି କେଶରୀ

ଶକାରି ଆଗମ ବାର୍ତ୍ତା, ଆରୋହି ଦ୍ୱିରଦେ,

 

ଆଦେଶିଲେ ମହାମାତ୍ରେ ୧ ବାହୁନ ଚାଳନେ

୧ - ହାଗ ମାହନ୍ତ ।

ଶ୍ରୀକ୍ଷେତ୍ରଭିମୁଖେ, ଆଜ୍ଞା ପାଳିଲା ମାହୁନ୍ତ,

ଯଥାକାଳେ ଯଥାସ୍ଥାନେ ମିଳି ଉତ୍କଳେଶ,

(ଉତ୍କଳକିରୀଟଭୁଷା ଊର୍ଦ୍ଧ୍ୱସ୍ୱଳହୀର)

ପ୍ରବେଶିଲେ ରାଜହର୍ମେ, ଏକାଳେ ତାପସ

ଭେଟାଇଲେ ବିକ୍ରମାର୍କେ ତାହାଙ୍କ ସହିତେ,

ଭେଟାଏ ଯେସନ କର୍ମ ଅପବର୍ଗ ସହ

ଜୀବେ, କିମ୍ବା ସତ୍ୟ ଯଥା ଭେଟାଏ ଧର୍ମକୁ

ଜୟ ସହ ନେଇ, ଅବେ ସତ୍ସଙ୍ଗ ଯେରୂପେ

ଭେଟାଏ ଆତ୍ମୋନ୍ନତିକୁ ମନୁଷ୍ୟତା ସଙ୍ଗେ ।

ମିଷ୍ଟ ଶିଷ୍ଟ ସମ୍ଭାଷଣେ ବେନି ନରବର

ଗ୍ରହି ପରସ୍ପର ପାଶୁ ସ୍ୱାଗତ ସନ୍ଦେଶ,

ବିଜେ ହେଲେ ସଖ୍ୟଭାବେ ଏକ ସିଂହାସନେ,

ବସିଲେ ସନ୍ନ୍ୟାସୀ ଅଗ୍ରେ ଯୋଗ ଆସନରେ ।

ଭାଷିଲେ ଅବନ୍ତୀପତି ଉତ୍କଳ-ମଣ୍ଡନେ-

 

‘‘ମଣିଲି ବରଣ୍ୟେ ଧନ୍ୟ ନିଜକୁ ମୁଁ ଆଜି,

ନରଦେବ, ଲଭି ତବ ପୁଣ୍ୟ ଦରଶନ,

 

ଦେବରାଜ୍ୟ ଏ ଉତ୍କଳ, ଚକ୍ରବର୍ତ୍ତୀ ଏଥି

ଚକ୍ରଧର, ତୁମ୍ଭେ ତାଙ୍କ ପ୍ରତିନିଧି ସିନା,

ମଣେ ମୁଁ ଦର୍ଶନେ ତବ ଶ୍ରିମୂର୍ତ୍ତି ଦର୍ଶନ ।’’

ଉତ୍ତରିଲେ ମହାସତ୍ତ ମହାତ୍ମା ଯଯାତି-

 

‘‘ଗୁଞ୍ଜେତୁଳେ ରତ୍ନଜୀବୀ ମାଣିକ୍ୟ ସହିତ,

ମାତ୍ର କି ଗୁଞ୍ଜର ମୂଲ୍ୟ ତା ମୂଲ୍ୟ ସମାନ ?

ନୁହେଁ ମୁହିଁ ପ୍ରତିନିଧି ମହାପ୍ରଭୁଙ୍କର,

ଯେ ଅଦ୍ୱୈତ, ଅଣାକାର, ଅତୁଲ୍ୟ, ଅନାଦି,

 

କିଏ ତାର ପ୍ରତିନିଧି ? ସେ ଅପ୍ରତିନିଧି,

କେଉଁ ଜନ୍ମ କେଉଁ ତପ ଫଳରେ କେଜାଣି

ଲଭିଛି ମୁଁ ମାତ୍ର ତାଙ୍କ ସେବକ- ସୌଭାଗ୍ୟ

ନତୁ ମୁଁ ଅଯୋଗ୍ୟ ତାଙ୍କ ନାମ ଉଚ୍ଚାରଣେ ।’’

କହିଲେ ବିକ୍ରମ, ‘‘ଆହା, କି ଆତ୍ମଧିକ୍କାର,

 

ଅଜ୍ଞର ସଙ୍ଖାଳି ଆତ୍ମପ୍ରଚାର କେବଳ,

ମାତ୍ର ତାହା ନୁହେଁ ଧର୍ମଜ୍ଞାନୀ ଭକ୍ତଙ୍କର,

ଯାର ଯେତେ ଭକ୍ତି, ତାର ଦୈନ୍ୟ ସୁଦ୍ଧା ତେତେ,

ଯେ ଯେଡ଼େ ପ୍ରଧାନ, ମଣେ ସେ ନିଜକୁ ସିନା

 

ତେତିକି ଇତର, ଏହା ମହାଜନଧାରା,

ମଣୁଥିଲେ ଦନ୍ତାବଳ ଆପଣାକୁ ବଡ଼,

ବହନ୍ତା କି ପୃଷ୍ଠେ କ୍ଷୁଦ୍ର ମାନବେ କଦାପି ?’’

ଏହିରୂପେ ବହୁବିଧ ବାକ୍ୟାଳାପ ପରେ

 

ନିବେଦିଲେ ବିକ୍ରମାର୍କ ଉତ୍କଳ ସମ୍ରାଟେ-

‘‘ଆସି ନାହିଁ ନୃପ, ମୁହିଁ ସୀମାବୃଦ୍ଧି ଆଶେ

ତବ ରାଜ୍ୟେ, ନାହିଁ ମୋର ଏ ରାଜ୍ୟେ ଲାଳସା,

ଜାଣୁ ଜାଣୁ ଅପହରି ଦେବସ୍ୱକେ କିପାଁ

 

ବରିବ ନରକ ମୃତ୍ୟୁ ଉଭେ ଯୁଗପତ,

କିଏ ଅବା କ୍ଷମ, ଦୁଜେ କିଏ ବା ସାହସୀ

ଉତ୍ପାଟନେ ସଂଜାଗ୍ରତ କେଶରିକେଶର ?

ଯାପନ୍ତି ଏ ମହାତୀର୍ଥେ ଭବିଷ୍ୟ ଜୀବନ,

 

ମାତ୍ର କି କରିବି, ପଛୁ ଝିଙ୍କୁଛି ସଂସାର,

ଯାଉଛି ମୁଁ ଅନିବୃତ୍ତ ଆକାଙ୍କ୍ଷା ଘେନିଣ,

ଆବର ଯାଉଛି ଘେନି ମହାସ୍ମୃତି, ପୁଣି

ମହାଶିକ୍ଷା, ତୁଳନାରେ ସେ ବେନି ରତ୍ନର

 

କୋଟିଏ ସାମ୍ରାଜ୍ୟ ସିନା ଅକିଞ୍ଚିତକର !

ରହିବ ଅଙ୍କିତ ଚିର ସେ ପବିତ୍ର ସ୍ମୃତି,

ହୃଦେ ମୋର, ଧାତୁ ପିଣ୍ଡେ ଖାତଲିପି ପ୍ରାୟ,

ସେ ସ୍ମୃତି-ଉଜ୍ଜ୍ୱଳ ଦ୍ୟୁତି ନ ହେବ ମଳିନ

 

କାଳର କଜ୍ଜ୍ୱଳକାନ୍ତ ଅଙ୍ଗ ସଂଘର୍ଷଣେ,

ତାପ-ତପ୍ତ ବ୍ୟଥାକ୍ଲିଷ୍ଟ ଜୀବନ-ନିଦାଘେ

ଢାଳିବ ସେ ଶିକ୍ଷା-ସେହି ଆବିସ୍ମୃତ ଶିକ୍ଷା,

ପ୍ରାଣେ ମୋର ମୃଦୁ ମନ୍ଦ ମଳୟ ଅନିଳ !

 

ଘେନୁଛି ମେଲାଣି ଏବେ, ରଖିଥିବ ମନେ,

ଏତିକି ମାଗୁଣି ଶେଷେ ନୃପ, ତବ କତି,

ଚଳାଇବ ଏ ଉତ୍କଳେ ତବ ଅଙ୍କ ସହ

ମୋ ଶକାବ୍ଦ, ପାଳିବ ଏ କ୍ଷୁଦ୍ର ଅନୁରୋଧ ।’’

 

ଆଲିଙ୍ଗି ସାଦରେ ତାଙ୍କୁ କହିଲେ ଯାଯାତି-

‘‘ଅନିବୃତ୍ତ ଆକାଙ୍କ୍ଷା- ଯା ବୋଇଲେ ଆପଣ,

ପ୍ରୀତିର ମାଧୁର୍ଯ୍ୟ, ପୁଣି ଧର୍ମର ଗାମ୍ଭୀର୍ଯ୍ୟ,

 

ଏ ଶ୍ରୀକ୍ଷେତ୍ରେ ସ୍ତରେ ସ୍ତରେ ରହିଛି ସଜ୍ଜିତ,

ଯହିଁ ଦେଖ, ତହିଁ ଶୋଭାଦେବୀ ଶରୀରିଣୀ,

(ହାସ୍ୟ-ଆସ୍ୟ ଲାସ୍ୟବେଶା ଉତ୍‌ଫୁଲ୍ଲନୟନା,)

ଅବଗାହି ଥରେ କେଉଁ ସୌନ୍ଦର୍ଯ୍ୟ-ସେବକ

 

ଏ ଶୋଭା-ପ୍ରୟାଗ-ତୀର୍ଥେ ଲଭିବ ତର୍ପଣ ?

ଶ୍ରୀକ୍ଷେତ୍ର ଭାବୁକ ନେତ୍ରେ ଭାବ-ହିମାଳୟ,

କବିନେତ୍ରେ ସାରସ୍ୱତ-ନିକୁଞ୍ଜନିଳୟ,

ଯୋଗିନେତ୍ରେ ଯୋଗବେଦୀ, ପ୍ରେମ-ପ୍ରସ୍ରବଣ

 

ପ୍ରେମିକ ନୟନେ, ରସ-ସିନ୍ଧୁ ରସିକର,

ସଂସାରି-ଦୃଷ୍ଟିରେ ମହା ଐଶ୍ୱର୍ଯ୍ୟଭଣ୍ଡାର,

ଦର୍ଶକ ପକ୍ଷରେ ଶୋଭା-ସ୍ୱପନ-ନନ୍ଦନ,

ଚିରଶାନ୍ତି ସ୍ୱର୍ଗ ପୁଣି ବୈରାଗି-ଚକ୍ଷୁରେ,

 

କି ଅଜ୍ଞାତ ବୈଦ୍ୟୁତିକ ଶକ୍ତି ପ୍ରଭାବରେ

ହରେ ସ୍ପର୍ଶମାତ୍ରେ ମନନେତ୍ର ଦର୍ଶକର ।

ଏ ବୈକୁଣ୍ଠ ଧାମେ ଚିରନିବାସ ଆକାଙ୍କ୍ଷା

ବ୍ୟର୍ଥ ସ୍ୱପ୍ନ ସିନା ତୁମ୍ଭ ମୋ ଭଳି ଲୋକର,

 

ସେ ଭାଗ୍ୟ-ସେ ସ୍ୱାଧୀନତା ଲେଖିବାକୁ ବିହି

ପରାଙ୍ମୁଖ ରାଜା-ଭାଲେ, ବୁଡି ଆଜୀବନ

ସଂସାରଗହଳେ ଆହା, ଯାପିବ ସମୟ

ତୁଚ୍ଛ ପ୍ରାଧାନ୍ୟର ତୀବ୍ର ଯନ୍ତ୍ରଣା ମଧ୍ୟରେ,

 

ଏହି ତ ରାଜଭାଗ୍ୟର ଜ୍ୱାଳାମୟ ସୁଖ !

ଗତି ପକ୍ଷେ ଦୂର ସିନା ତବ ରାଜଧାନୀ,

ମାତ୍ର ନୁହେଁ ମତି ପକ୍ଷେ ଦୂର, ଦୃଷ୍ଟସ୍ଥାନ

ମନର ନିକଟ ଅତି-ବ୍ୟବଧାନହୀନ ।

 

ପାଳିବି ଅବଶ୍ୟ ମୁହିଁ ତବ ଅନୁରୋଧ,

ମାତ୍ର ତାର ପ୍ରତିଦାନେ ରଖିବେ ଆପଣ

ମୋର ଏ ପ୍ରତ୍ୟନୁରୋଧ ବହି ଅନୁଗ୍ରହ,

ଆଜିକ ନଅରେ ମୋର ଗ୍ରହଣ ଆତିଥ୍ୟ,

 

ବାହୁଡିବେ କାଲି ପ୍ରାତୁ ସ୍ୱଦେଶାଭିମୁଖେ ।’’

ଏ ପ୍ରସ୍ତାବେ ବିକ୍ରମାର୍କ ପ୍ରକାଶି ସମ୍ମତି

ପ୍ରଦର୍ଶିଲେ କୃତଜ୍ଞତା ଉତ୍କଳେଶ ପାଶେ ।

ଏକାଳେ ଆଗତ ସନ୍ଧ୍ୟା ଦେଖି ବେନି ନୃପ

ବିଜେ ହେଲେ କକ୍ଷାନ୍ତରେ ସାୟଂକୃତ୍ୟ ହେତୁ ।

ପ୍ରଭାତେ ବିକ୍ରମାଦିତ୍ୟ ଧର୍ମାନନ୍ଦ ସହ

ଆରୋହି ମାତଙ୍ଗୋପରି ବାହୁଡ଼ିଲେ ଦେଶେ,

ଖଣ୍ଡେ ଦୂର ସହଯାତ୍ରୀ ହୋଇ ଉତ୍କଳେଶ

ପ୍ରଦର୍ଶିଲେ ଶିଷ୍ଟାଚାର, ବିଦାୟ ସମ୍ଭାଷ

ଅନ୍ତେ ଘେନି ପରସ୍ପର ସ୍ମୁତି ବେନି ନୃପେ

ଯାତ୍ରା କଲେ ପରସ୍ପର ପ୍ରତୀପାଭିମୁଖେ ।

ଚାଲିଲା ଦ୍ଗିରଦବର ସମଭୂମି ପଥେ,

ଭେଟିଲେ ଦିଦିନ ପରେ ଚିତ୍ରୋତ୍ପଳା ନଦୀ ।

କାଳ ପ୍ରତି ଅଟ୍ଟହାସ ପ୍ରକାଶି ତଟିନୀ

କଳ କଳ ଛଳେ, ଚାଲେ ବେନି କୂଳେ ଢ଼ାଳି

ଅମର ଅମୃତୌଷଦି ଅନନ୍ତ ଆସବ । *

ଭାଷିଲେ ଅବନ୍ତୀ-ପତି-‘‘ନଦୀ ନୁହେଁ ଏତ,

 

ନଦୀରୂପେ ପ୍ରବାହିତା ଭାଗ୍ୟ-ଲକ୍ଷ୍ମୀ-କୃପା,

କିମ୍ବା ଏହା ଦୁଗ୍ଧନାଳୀ ଚିରଦୁଗ୍ଧବତୀ

କାମଧେନୁ ଉତ୍କଳର, ଏହା ଦତ୍ତ ସିନା

ଉତ୍କଳର ‘ରତ୍ନପ୍ରସୁ’ ଅଭିଧା ଦୁର୍ଲଭ,

 

ବିଶ୍ୱପତିଙ୍କର ଏହା ଏ ଉତ୍କଳ ପ୍ରତି

ଅତିରିକ୍ତ ମହାଦାନ-ଅସୀମ ଶୁଭର ।

ଏଣେ ବାମଭାଗେ ଦିଶେ ଏ କେଉଁ ପର୍ବତ ?

ବତ୍ରପୁଚ୍ଛ ଭୀମ, ସୂପ୍ତ ଅଜଗର ପ୍ରାୟ ?’’

 

ଉତ୍ତରିଲେ ଯୋଗିବର-‘‘ନୃପ, ଏ ଉତ୍କଳେ

ଅବସ୍ଥିତ ପଞ୍ଚ ତୀର୍ଥେ ପଞ୍ଚ ଉପାସକେ,

ଯଜ୍ଞପୁର ଶାକ୍ତ ତୀର୍ଥ, ପୁରୀ ବୈଷ୍ଣବର,

କୋଣାର୍କ ଭୂବନେଶ୍ୱର ସୌର ଶୈବ ତୀର୍ଥ,

 

ଗାଣପତ୍ୟ ତୀର୍ଥ ନାମେ ଖ୍ୟାତ ଏ ଶିଖରୀ,

ସିଦ୍ଧିଦାତା ବିନାୟକ ଅବସ୍ଥାନ ହେତୁ

ଲୋକେ ଏ ଭୂଧର ହୁଏ ସେ ନାମେ ଆହୂତ ।*

ସ୍ଥିତ ତାର ପୂର୍ବ ପ୍ରାନ୍ତେ ଚନ୍ଦନ-ବନ୍ଦିତ

 

ଅଜତି ଅଚଳ, ସେହି ଏକା ସାର୍ଥକିଛି

ମହା ମହୀୟାସୀ ଏହି ଉତ୍କଳ ଭୂମିର

‘ମଳୟଜସୁଶୀତଳା’-ଗୌରବ ଉପାଧି ।

ଏହିରୂପେ ନାନା ଦୃଶ୍ୟ ଦେଖି ଗତିପଥେ ।

 

ମିଳିଲେ ସକଳେ ଯାଇ କେତେ ଦିନାନ୍ତରେ

ମେଘଶ୍ୟାମ ମେଘାସନ ସାନୁମାନ ପଦେ ।

ଭାଷିଲେ ବିକ୍ରମ ତହୁଁ ବିନୟେ ତାପସେ-

‘ଦେବ, ତବ ଉପକାର-ଋଣ, ଅଶୋଧିତ

 

ମୋହ ପକ୍ଷେ, ଲଭିଲି ମୁଁ ତୁମ୍ଭରି ପ୍ରସାଦେ

ନବ ଚକ୍ଷୁ, ନବ ଭାବେ ଚିହ୍ନିଲି ସଂସାରେ,
ତୁମ୍ଭରି କରୁଣା ଏକା ଫୁଟାଇଲା ସିନା

ଏ ନୀରସ ଶୁଷ୍କ ପ୍ରାଣେ ଆନନ୍ଦ-ମନ୍ଦାର,

 

ଆଣିଲା ସ୍ପନ୍ଦନ ମୋର ଅବସନ୍ନ ପ୍ରାଣେ ।

ବରିଲି ମୁଁ ଗୁରୁପଦେ ଆପଣଙ୍କୁ ଆଜି,

ଶିଷ୍ୟ ଅଧିକାର ପ୍ରଭୋ, ଅର୍ପି ଅଭାଜନେ

ସେ ପାବନ ପଦତଳେ କରନ୍ତୁ କୃତାର୍ଥ,

 

ମାଗୁଛି ମେଲାଣି ଏବେ, ଘେନା ହେଉ ମୋର

କୃତଜ୍ଞତା, ପ୍ରୀତିପୂଜା, ପ୍ରଣତି-ଆରତି ।’’

ତୃଷ୍ଟି ଲଭି ଏ ବଚନେ ବୃଦ୍ଧ ବ୍ରହ୍ମଚାରୀ,

ନୃପଶିରେ କର ନିହି କରି ଆଶୀର୍ବାଦ,

 

ଗମିଲେ ଆଶ୍ରମ ଦିଗେ ମୃଦୁ ପଦକ୍ଷେପେ,

ପ୍ରବେଶିଲେ ବିକ୍ରମାର୍କ ସ୍ୱକୀୟ ଶିବିରେ ।

 

ଏକାଦଶ ସର୍ଗ

 

କରଗତ କରି ଆର୍ଯ୍ୟମଣ୍ଡଳ ସମଗ୍ର

ଗମିଲା ଜିଗୀଷାନଳ, ଭଜିଲା ସାଫଲ୍ୟ

ଆଶା, ତହୁ ଚତୁରଙ୍ଗବାହିନୀ ସହିତେ

ମଣ୍ଡିଲେ ଅବନ୍ତୀ ମହୀ ଅବନ୍ତୀମଣ୍ଡନ,

 

ମଣ୍ଡନ୍ତି ଯେସନ ଆସି ପୂର୍ଣ୍ଣ ଶଶଧର

ତାରକାମଣ୍ଡଳୀ ସହ ପୂର୍ଣ୍ଣିମାରଜନୀ,

ଅଥବା ବସନ୍ତ ଯଥା ଋତୁକୁଳନାହା

ବିମଣ୍ଡେ ପ୍ରକୃତି, ଘେନି ଗହଣେ କୁସୁମ,

 

କୋକିଳ, ମତୟାନିଳ-ସଦସ୍ୟନିକରେ ।

ଲାଗିଲା ବିଜୟୋତ୍ସବ, ହସିଲା ନଗରୀ,

ଖେଳିଲା ଆନନ୍ଦ-ଢ଼େଉ ଚୌଦିଗେ ଚହଟି ।

ବିଜୟିନୀ ଉଜ୍ଜୟିନୀ ସ୍ୱଭାବେ ସୁନ୍ଦରୀ,

 

ଦୁଜେ ବିଭୁଷିତ ହୋଇ ବିଜୟ-ଭୂଷଣେ

ଧରିଲା ଅପୂର୍ବ ଠାଣି ବର୍ଣ୍ଣନା ଅତୀତ ।

ଏକେ ତ କୁସୁମକୁଞ୍ଜ ସୁଷମାନିର୍ଝର,

ଆଲଙ୍ଗିଲେ ତାକୁ ଆସି ବାସ ନ୍ତୀ ଚନ୍ଦ୍ରିକା

 

ମଧୁପ-ଭ୍ରମର ସହ, କି ଅନନ୍ତ ଶୋଭା-

ସ୍ରୋତ ହୁଏ ପ୍ରବାହିତ, କଳିବ କି ଭଲା

ସେ ଶୋଭା ଗାମ୍ଭୀର୍ଯ୍ୟ ଭାଷା, ହେଉ ପଛେ ଯେଡ଼େ

ପ୍ରାଣବତୀ, ଯେ ସୌନ୍ଦର୍ଯ୍ୟ ଅନନ୍ତ ପ୍ରବାହେ

 

ନ ପାରେ ସନ୍ତରି ଧନୀ ପ୍ରବଳା କଳ୍ପନା,

(ଚିର ସନ୍ତରଣଦକ୍ଷା ଭାବ-ପାରବାରେ)

ଭାଷା ସିନା ଅବହେଳେ ବୁଡ଼ିମରି ତହିଁ ।

ଉପମା ବା କି ଖଟିବ ତାକୁ, ଉପମା ତ

 

ଭାଷାର ଅଧୀନ, ଭଜେ ତା ସହ ବିଲୟ ।

ଚନ୍ଦ୍ରୋପରି ଚନ୍ଦ୍ରୋଦୟ ହୁଅନ୍ତା ଯଦ୍ୟପି

ତେବେ ବା ନଗରୀ ସହ ହୁଅନ୍ତା ତୁଳିତ ।

ସୁଖ-ସୁରଧୁନି-ସ୍ରୋତେ ଢ଼ାଳିଦେଲା ଦେହ

 

ଉତ୍ସବ-ଯମୁନା, ସେହି ପୁଣ୍ୟପ୍ରୟାଗରେ

ସାନ କରି ନାଗରିକେ ଶୀତଳିଲେ ଆତ୍ମା ।

ମାତ୍ର ଏ ଉତ୍ସବେ ଲିପ୍ତ ନୋହି ନୃପମଣି

ରତ ପୁରସ୍କାର ଦାନେ ସେନାନୀମଣ୍ଡଳେ ।

ଗୁଣ ତୁଳନାରେ ଲଭି ବୀରେ ବହୁଗୁଣ

ପୁରସ୍କାର, ମଣିଲେ ତା ଭାଗ୍ୟ ଆଶାତୀତ ।

ବିପକ୍ଷ ଭାବରେ ଯୁଝି ଯେଉଁ ଶୂରଗଣ

ଆସିଥିଲେ ବନ୍ଦୀ ହୋଇ, ଅର୍ପି ଅବ୍ୟାହତି

ତାଙ୍କୁ, ପୁରସ୍କାର ଦାନେ ଦେଲେକ ମେଲାଣି !

ଅହୋ କି ଗଭୀର ଦୟା, ସୁସ୍ନିଗ୍‌ଧ ଶୀତଳ,

ମିତ୍ର ପ୍ରତି ଦୟାର୍ଦ୍ରତା, ଧର୍ମ ସ୍ୱାଭାବିକ,

ମାତ୍ର ଯାର ଦୟା ବର୍ଷେ ଅରାତି ମସ୍ତକେ

ଦୈବୀ ବର ପ୍ରାୟ, ସେହୁ ଦେବଙ୍କର ଦେବ ।

ସଖୀନ୍ତ * ସହିତେ ଦିନେ ରୂପସୀ ପ୍ରମୀଳା,

ପାଟେଶ୍ୱରୀ ଇନ୍ଦୁମତୀ ପ୍ରିୟ ସହଚରୀ

ଭ୍ରମୁଥିଲା ଶୁଦ୍ଧାନ୍ତର ବହିରୂପବନେ ।

ବିସ୍ତାରି ଅଛନ୍ତି ତହିଁ ଅନନ୍ତ ସୁହାସ

*ସଖୀସମୂହ

 

ବାଳତରୁ ଲତାକୁଳ ପ୍ରସ୍ଫୁଟ-ପ୍ରସୂନେ,

ପଡ଼ୁଛି ସେ ହାସୁ ଝରି କି ଅମୃତମୁଖା

ମଧୁରିମା, କି ସ୍ୱର୍ଗୀୟ ପ୍ରୀତି-ପୂତ ଝର,

ହେରି ତାହା ହେଉଅଛି ନୟନ ଶୀତଳ ।

 

ଆନନ୍ଦେ ବାମାଏ ଫେଇ ଅଙ୍ଗୁ ଅଳଙ୍କାର

ମଣ୍ଡିଲେ ବନସୁନ୍ଦରୀ କୁସୁମିତ ବେର,

ଫିଟାଇ କେ କଣ୍ଠୁ ହାର ଲମ୍ବାଇଲା ନେଇ

ମଞ୍ଜୁହାସୀ କୁଞ୍ଜଲତା ହରିତିଳ ବକ୍ଷେ,

 

ଓହ୍ଲାଇ କେ ବାଜୁବନ୍ଧ ବାନ୍ଧିଲା ହରଷେ

ମାଳତୀ ବାହୁରେ, କେହି ପାଲଟି ସତର

ଜରିମୁହାଁ ପୀତ ପାଟ, ପିନ୍ଧାଇ ଗୋଲାପେ

ସଜାଇଲା କନ୍ୟାବେଶେ, ଖଞ୍ଜନ୍ତେ ପାହୁଡ଼

 

ପଦେ, ଫୁଟିଗଲା କରେ କଣ୍ଟା, ତହୁଁ ବାଳା

ପ୍ରକାଶିଣ ସ୍ନେହମିଶା କୃତ୍ରିମ ବିରାଗ

ଭାଷିଲେ, ‘‘ଉଦୁଣ୍ଡୀ ତୁ ଲୋ ବେଡ଼େ ଅଲାଜୁକୀ,

ଚିମୁଟୁଛୁ ମୋତେ ? ଛି ଛି ବିଟୋଳୀ ବାୟାଣୀ !’’

 

ଶୁଣି କହେ ଆନ ସଖୀ, ‘‘କି ଦୋଷ ତାହାର,

ସ୍ୱଭାବେ ସେ ଅପାର୍ଥିବ ଭୂଷଣ-ଭୂଷଣା,

ତାହାର ସେ ଗଣ୍ଠିରତ୍ନ ଚିର-ପ୍ରାଣପ୍ରିୟ,

ହରି ତୁହି କଲୁ ତାକୁ ଭାରକ୍ରାନ୍ତ ବୃଥା

 

ଲଦିଦେଇ ଗୁରୁ ଭୁଷା, ପାର୍ଥିବ, ଅସାର,

ତେଣୁ ସେ କୁପିତା, ଦେଲା ଉପଯୁକ୍ତ ଶାସ୍ତି ।’’

ଏରୂପେ କୌତୁକେ ଲିପ୍ତ ଅଛନ୍ତି ବାଳାଏ

ଏକାଳେ ପ୍ରବିଷ୍ଟ ତହିଁ ରୂପରାଜ ନାମେ

 

ପୁରୋଧାକୁମର, ଦେଖି ସମ୍ଭ୍ରମେ ପ୍ରମୀଳା

ପ୍ରଣମି ତାହାଙ୍କୁ, ଧୀରେ ଭାଷିଲା ଏସନ-

‘କୁଶଳ ତ ବିପ୍ରମଣି ? ତୁମ୍ଭେ ଭାଗ୍ୟଧର,

ନୃପତି ଗହଣେ ଭ୍ରମି ବହୁ ରମ୍ୟ ସ୍ଥାନେ

 

ଆସିଲ ବାହୁଡ଼ି ସାଧି ଚିତ୍ତପ୍ରସନ୍ନତା ।’’

ଉତ୍ତରିଲେ ଦ୍ୱିଜ-‘‘ସତ୍ୟ ତାହା, ଦେଖି ବହୁ

ଜନପଦ, ବନ, ନଦୀ, ଉତ୍ତୁଙ୍ଗ ଶିଖରୀ,

ସେବି ନାନାତୀର୍ଥ, ଲଭୁଥିଲି ନିତ୍ୟ ସୁଖ,

 

ମାତ୍ର ନୃପତିଙ୍କ ଦୁଃଖ ସେ ସୁଖେ ମୋହର

ଦେଉଥିଲା ବୋଳି ସଦା ବିଷାଦ-କାଳିମା ।’’

ପୁଚ୍ଛିଲା ପ୍ରମାଳା, ଭୀତି-ଉଦ୍‌ବେଗ ବିହ୍ୱଳେ-

‘‘ଅର୍ଦ୍ଧ ଭାରତର ଯେହୁ ରାଜରାଜେଶ୍ୱର,

 

ସମଗ୍ର ଆର୍ଯ୍ୟବର୍ତ୍ତ ଯା ଅଙ୍ଗୁଳି ସଙ୍କେତେ

ଚାଳିତ ପାଳିତ, ଭଲା କି ଦୁଃଖ ତାଙ୍କର ?’’

ବିବରିଲେ ରୂପରାଜ-‘‘କି ଦୁଃଖ ତାଙ୍କର ?

ଭୁଲିଥିଲେ କ୍ଷୁଧାତୃଷା ଏହି କେତେ ମାସ,

 

ମଣୁଛି କି ବିକ୍ରମାର୍କେ ମର୍ତ୍ତ୍ୟର ମାନବ ?

ଭ୍ରାନ୍ତ ସେ ଧାରଣା ତବ, ମହାଦେବତା ସେ

କେଉଁ ଗୁପ୍ତ ତ୍ରିଦିବର, ମର୍ତ୍ତ୍ୟେ ବା ବିହରେ

ପ୍ରୀତିର ପାବନ ମୂର୍ତ୍ତି, ହୃଦୟ ତାଙ୍କର

 

କରୁଣାର ଶୁଭ-ସ୍ୱର୍ଗ, ସ୍ନେହ ସିଂହାସନ !

କି ନିଷ୍କାମ ଧର୍ମ, କିବା ଆତ୍ମତ୍ୟାଗବ୍ରତ,

କି ନିଃସ୍ୱାର୍ଥ, କି ଜୀବନ୍ତ ପରହିତୈଷଣା,

ଦିନସାରା ନାହିଁ ତର ଭୀଷଣ ସମରେ,

 

ସନ୍ଧ୍ୟା ହେଲେ ଧରି ହସ୍ତେ ଜ୍ୱଳନ୍ତ ଦିହୁଡ଼ି

(ଶତ ପରିଚାର ସତ୍ତ୍ୱେ) ବିଜେ ନରମଣି

ଶତ୍ରୁପକ୍ଷ ରଣାହତ ସୈନିକ-ଶିବିରେ,

ଅମୃତ ପ୍ରଲେପ ଲେପି ଅସ୍ତ୍ରଲେଖା ପରେ

 

କରନ୍ତି କାହାକୁ ସୂସ୍ଥ, ଧୋଇ ସ୍ୱହସ୍ତରେ

କାହା କ୍ଷତସ୍ଥଳ, ଚିରି ଉତ୍ତରୀୟ ବାସ

ଦେଉଥାନ୍ତି ପଟି ବାନ୍ଧି ତହିଁ, କାହାର ବା

ବିଶୁଷ୍କ ଅଧର ପ୍ରାନ୍ତେ ଧରି ପଥ୍ୟ ପାତ୍ର

 

ଭୁଞ୍ଜାନ୍ତି ସସ୍ନେହେ ତାକୁ, ଦେଖି ଏହି ଦୃଶ୍ୟ,

ଏହି ବାଞ୍ଚନୀୟ ମହାଦୃଶ୍ୟ କରୁଣାର,

ଉଠୁଥାଏ ଶତ୍ରୁ ପକ୍ଷୁ ଧନ୍ୟ ଧନ୍ୟ ରବ !

ଆହତ ଶୂଶ୍ରୂଷା ପରେ ନ ଭଜି ବିଶ୍ରାମ,

 

ସାହିତ୍ୟ ସନ୍ଦର୍ଭେ ପୁଣି ହୁଅନ୍ତି ନିରତ ।

ସ୍ୱଭାବେ ସାହିତ୍ୟ-ରଙ୍କ ଆମ୍ଭ ନୃପବର,

ସାହିତ୍ୟକି ପ୍ରତିଭାର ତରୁଣ ତପନ,

କାବ୍ୟ-ସହକାର କୁଞ୍ଜେ କଳନାଦି-ପିକ,

 

ପଢ଼ୁଁ ପଢ଼ୁଁ କାବ୍ୟ, ଯାଏ ବିଭାବରୀ ପାହି,

କାହିଁ ଅବା ଅବସର ଯୋଗଣେ ଶୟନେ ?

ବିଳାସ କୋମଳ ଅଙ୍କେ ସଦା ଯେ ପାଳିତ,

ନୁହେଁ କି ତାହାଙ୍କ ପକ୍ଷେ କଷ୍ଟକର ଏହା ?’’

 

ଭଣିଲା ପ୍ରମୀଳା-‘‘ଦେବ, ନ ହେଲେ ସେଭଳି

ହୃଦୟାଳୁ, ଶୋଭନ୍ତା ବା କାହୁଁ ଶିରୋପରେ

ମଘବା-ମୁକୁଟ ଅର୍ଦ୍ଧଭାରତ-ସ୍ୱର୍ଗର ।

କହିଲ ତ ନୃପତିଙ୍କ କଥା, ଶୁଣ ଏବେ

 

ରାଣୀଙ୍କ ବେଭାର, ଗୁଣେ ଦୁହେଁ ଦୁହିଙ୍କୁ ହିଁ

ପଟାନ୍ତର, ଯୋଗ୍ୟ ମଣି ଏ ଆଦିତ୍ୟବରେ

ଛନ୍ଦିଲା ତା କରେ ବିହି ଏ କମଳିନୀକି ।

ନାହିଁ ଅଭିମାନ କିମ୍ବା ଆଳସ୍ୟ, ବିଳାସ,

 

ବହୁ ପରିଚାରୀ ସତ୍ତ୍ୱେ ସଦା କର୍ମରତା,

ସଦା ହାସ୍ୟମୟୀ, ସୁଖେ ଦୁଃଖେ କିବା ରୋଗେ,

କାନ୍ଦିଲେ କଦାପି, ସେହି କାନ୍ଦଣା ମଧ୍ୟରେ

ଉଠୁଥାଏ ଫୁଟି ହାସ, ଫୁଟି ଦିଶେ ଯଥା

 

କୁହେଳିକା-ମ୍ଳାନ ଲତା-କୋଳରେ ସୁମନ ।

ମହାସହ୍ୟଶୀଳା, ତେଣୁ ନ କାନ୍ଦନ୍ତି ସଦା,

ଯଦ୍ୟପି କାନ୍ଦନ୍ତି କେବେ, ତେବେ ପରଦୁଃଖେ,

କି ବାତ୍ସଲ୍ୟ, କି ମମତା, କି ଦୀନତା, ଆହା,

 

ସ୍ନେହ, ପ୍ରୀତି, ସରଳତା ଏ ତ୍ରିବେଣୀ ଅବା

ବହୁଅଛି ଏକାଧାରେ ! ଯୋଗଣ ସମୟେ

ଥରେ ମାତ୍ର ନେଇଛନ୍ତି ମୁଖକୁ ଆହାର,

ଏକାଳେ ଶୁଣିଲେ ଯଦି ଦୀନ ଆତୁରର

 

କରୁଣ ପ୍ରାର୍ଥନା ସ୍ୱର, ଉଠିଲେ ତକ୍ଷଣେ,

ସରିଲା ଯୋଗଣ, ଧାଇଁ ଯାଇ କଲେ ତାର

ଉଚିତ ସତ୍କାର । ଯଦି ଶୁଣିଲେ ପୀଡ଼ିତ

ନଅର ମଧ୍ୟରେ କେହି, ଦାସୀ ପଛେ ହେଉ,

 

ବଳେ ବଳେ ପାଖେ ବସି କଲେ ତାର ସେବା,

ନିବାରିବ ଯେବେ, ତେବେ ମିଳିବ ଉତ୍ତର-

‘‘ମାତୃଶକ୍ତିରୂପେ ଧାତା ସୃଜିଲେ ରମଣୀ,

କି ଅଛି ତାହାର ଧର୍ମପାଳନ ବ୍ୟତୀତ ?’’

 

ପୁଣି କେଡ଼େ ପାତିବ୍ରତ୍ୟ-ନିଷ୍ଠା, ହେଲା ଦିନ,

ନୃମଣି ପ୍ରବାସୀ, ତାଙ୍କ ରତ୍ନ-ପାଦୁକାକୁ

କରୁଥିଲେ ପୂଜାନିତି ଦେବତା ବିଧାନେ,

ପାଇଲେ ପ୍ରାଣେଶଙ୍କର ଶ୍ରୀହସ୍ତ ଚିଟାଉ

 

ଲଗାଇ ମସ୍ତକେ ପଛେ ଫେଡ଼ନ୍ତି ତା ମୁଦ,

ପାଠାନ୍ତେ ସାଇତା ହୁଏ ପୂଜା-କୋଥଳିରେ ।

ଯେଦିନ ନୃମଣି କଲେ ବାହୁଡ଼ା ବିଜୟ,

ରାଣୀହଂସପୁରେ ହେଲା ଦୁହିଙ୍କର ଭେଟ,

 

ହେଲା ଚାରିଚକ୍ଷୁ ଏକଚକ୍ଷୁ, ଆହା କିବା

ତରଳ ଶୀତଳ ଦୃଷ୍ଟି, କା ନେତ୍ର-ଚକୋର,

ପିଇଲା କା ମୁଖେନ୍ଦୁର ଅନନ୍ତ ଅମିୟ,

ହେଲା ନାହିଁ ବାରି ତାହା ମୂଳୁହୁଁ ତ କିଛି ।

 

ଦେଖୁଛି କି ପୂର୍ଣ୍ଣଶଶୀ ମରାମୁଖ, ଧରା

ଶଶିମୁଖ ? ମହାରାଣୀ ନମିଲେ ପୟରେ,

ନମେ କି ପାର୍ବତୀ ନଦୀ ସାଗର-ଚରଣେ ?

ଖେଳିଗଲା କି ପ୍ରେମର ମଳୟ ମାରୁତ,

 

ଫୁଟିଗଲା କି ଅବ୍ୟକ୍ତ ଘନାନୁରାଗର

ଶୁଭ ବର୍ଣ୍ଣବଳୀ, ଆହା, ସେକାଳ ଆନନ୍ଦ,

ସେକାଳର ଶୂନ୍ୟ ଶୋଭା, ଭୁଞ୍ଜିଲେ କେବଳ

ଆନନ୍ଦ-ସୌନ୍ଦର୍ଯ୍ୟ-ତୀର୍ଥଯାତ୍ରୀ ସେ ବେନିଏ ।

 

କି ମଙ୍ଗଳ ଦିନ ଆଜି, ଏଭଳି ସୁଦିନ

ଭାଗ୍ୟଧର ଜୀବନରେ ପ୍ରାୟଶଃ ଦୁର୍ଘଟ ।

ଧୋଇ ପତି-ପଦ୍ମପାଦ, ପଣତେ ପୋଛିଣ

ବସାଇ ଆସନେ କଲେ ଚାମର ବ୍ୟଜନ,

 

ନୃବର ଛଡ଼ାଇ ନେଇ ଚାମର ତଡ଼ତି

ଭାଷିଲେ ସମ୍ମିତେ, ‘ପ୍ରିୟେ, ଏତେ ସେବକୀରେ

ରହିବ କି ମୋର ସେବା ଅପୂର୍ଣ୍ଣ ତିଳେହେଁ

ତୁମ୍ଭର ଏ କାର୍ଯ୍ୟ ? ଛି ଛି ବସ ଆସି ପାଶେ;’

 

ଉତ୍ତରିଲେ ରାଣୀ, ‘‘ମୁଁ ଯେ ପ୍ରଧାନ ସେବକୀ ।’’

ଆହା, କି ଦାମ୍ପତ୍ୟ ପ୍ରେମ, ମଧୁର, ପାବନ,

ତା ମହତ୍ତ୍ୱ, ତା ଗାମ୍ଭୀର୍ଯ୍ୟ, ଜ୍ଞାତ ଭୁକ୍ତଭୋଗୀ ।

ପୁଚ୍ଛିଲେ ମହିଷୀ, ‘‘ବୀରବର, ପୂର୍ଣ୍ଣ ହେଲା

 

ନରମେଧ ? କି ନିଷ୍ଠୁର ବୀର ଶିଳାହୃଦ,

ନାହିଁ ଦୟା ମାୟା ଲେଶ, ଅକାତରେ ବୀରେ

ନିର୍ବିକାରେ ବିନାଶନ୍ତି କେତେ ମହାପ୍ରାଣୀ ।’’

ଉତ୍ତରିଲେ ନୃପ, ‘‘ପ୍ରିୟେ, ରମଣୀ କି ଊଣା ?

 

ବଧନ୍ତି ଅସ୍ତ୍ରରେ ବୀରେ, ମାତ୍ର ବିନା ଅସ୍ତ୍ରେ

ପାରନ୍ତି ରମଣୀ କରି କୋଟି ନରହତ୍ୟା

ମୁହୂର୍ତ୍ତକେ, ନାମେ ଭୀରୁ, ମାତ୍ର କାର୍ଯ୍ୟେ ବୀରା ।

କରିଛି ମୁଁ ହତ୍ୟା ସତ୍ୟ, ମାତ୍ର ସେ ହତ୍ୟାରେ

 

ତୁମ୍ଭରି ଅଗାଧ ସ୍ୱାର୍ଥ ନିବିଡ଼େ ଜଡ଼ିତ,

ଭୁଞ୍ଜିବ ସାମ୍ରାଜ୍ୟ, ବସି ସାମ୍ରାଜ୍ଞୀ ଆସନେ ।’’

ଉତ୍ତରିଲେ ଇନ୍ଦୁମତୀ ରାଣୀ, ‘‘ମହାରାଜ,

ଲୋଡ଼ା ନାହିଁ ସେ ସୌଭାଗ୍ୟ, ଲଭିଛି ମୁଁ ଯେଉଁ

 

ମହାରାଜ୍ୟ, ତବ ସୌମ୍ୟ ପୁଣ୍ୟ ପଦଦ୍ୱୟ,

ତାହା ତୁଳନାରେ ଏହି ସାମ୍ରାଜ୍ୟ ମୃଣ୍ମୟ-

ପର ରୁଧିରାଶ୍ରୁସିକ୍ତ ଏହି ତୁଚ୍ଛ ରାଜ୍ୟ

କେଉଁ ଛାର ନାଥ ? ତାହା ସ୍ୱର୍ଗରାଜ୍ୟ ମୋର,

 

ତଦ୍ଭିନ୍ନ ସୁବର୍ଣ୍ଣ ରାଜ୍ୟ ମୋ ପକ୍ଷେ ଅଲଣା ।’’

ଭାଷିଲେ ବିକ୍ରମାଦିତ୍ୟ ରାଣୀ କର ଧରି,

‘‘ଦେବି, ଏହି ଦୈନ୍ୟ ଏକା ମହତ୍ତ୍ୱ ତୁମ୍ଭର,

ତୁମ୍ଭେ ଗୁଣବତୀ, ସତୀ, ମୁଁ ତୁମ୍ଭର ପତି,

 

ଏହାହିଁ ମୋ ପକ୍ଷେ ଏକା ଗୌରବକାରଣ ।

ନୁହେଁ ଯୁଦ୍ଧ ଅକର୍ତ୍ତବ୍ୟ, ଧର୍ମରକ୍ଷାପାଇଁ,

ପୁଣି ଦୃଷ୍ଟ ଦମନାର୍ଥେ କର୍ତ୍ତବ୍ୟ ସମର,

ଏ ଭାରତେ ଧର୍ମରାଜ୍ୟ ବିଶୃଙ୍ଖଳା ଦେଖି

 

(ଦ୍ୱିଜାତିର ସ୍ୱାର୍ଥଭୂତ ଦୁର୍ବାର ପ୍ରାଧାନ୍ୟେ)

ଧର୍ମରାଜ୍ୟ ସ୍ଥାପନାର୍ଥେ ଧରିଥିଲି ଅସି,

ସାଙ୍ଗ ଏବେ ସେ ସୁବ୍ରତ, ଆଜିଠାରୁ ଦେବି,

ସେବିବି ମୁଁ ମସିଦଣ୍ଡ ଅସିଦଣ୍ଡ ତେଜି ।’’

 

ଶୁଣି ପତି ବାଣୀ ସତୀ ଭାଷିଲେ ଏସନ-

‘‘କେଉଁ ଅନ୍ତରାୟ ତବ ମନୋରଥ ପଥେ ?

କିନ୍ତୁ ନାଥ ସେବିକାର ଏତିକି ମାଗୁଣି,

କରିବେ ନିଯୁକ୍ତ ମୋତେ ଲେଖିକାପଣରେ ।’’

 

ଏହା କହି ପୁରୋହିତେ ପ୍ରମୀଳା ସୁନ୍ଦରୀ

ଗମିଲା ସଙ୍ଗିନୀ ସହ ଅନ୍ତଃପୁର ମୁଖେ,

ଯଥାସ୍ଥାନେ ପୂରୋହିତେ କଲେକ ପ୍ରସ୍ଥାନ,

ନୀରବିଲା ଉପବନ, ନୀରବେ ଯେସନ

ଉଡିଗଲେ ଶୁକସାରୀ ଆଦି ଖଗାଳିଏ ।

ଇନ୍ଦ୍ରଦତ୍ତ ସିଂହାସନେ ମହାସଭା ମଧ୍ୟେ

ବିଜେ ହୋଇ ଇନ୍ଦ୍ରନପ୍ତା ନରେନ୍ଦ୍ର-ଗୌରବ,

ସୁଶାସିଲେ ଆର୍ଯ୍ୟାବର୍ତ୍ତ ହିରଣ୍ମୟୀ ମହୀ ।

ଅନ୍ତର ସୌନ୍ଦର୍ଯ୍ୟମୟୀ ସେ ବିରାଟ ସଭା

ନବରତ୍ନେ ଜ୍ୟୋତିଷ୍ମତୀ, ଜ୍ୟୋତିଷ୍ମତୀ ଯଥା

ମାନବର ଆଶା-ନିଶା ସାଫଲ୍ୟ-ଜ୍ୟୋତିଷ୍ମେ,

କିମ୍ବା ଯଥା ହିମାଳୟ ଅନନ୍ତ କନ୍ଦରା,

ଚିରଦୀପ୍ତା ମହୌଷଧି ଜ୍ୟେତିର୍ଲତା ଯୋଗେ ।

ସେ ଅମୂଲ୍ୟ ମହାରତ୍ନ ଅନଶ୍ୱର ଆଭା

ଉଜ୍ଜ୍ୱଳି ଭାରତ ବକ୍ଷ, ଉଜ୍ଜ୍ୱଳାଏ ତାର

ସୀମାତାତ ସଂଖ୍ୟାତୀତ ଭୂଖଣ୍ଡ ଅଦ୍ୟାପି ।

ସଭା ଆଖ୍ୟାତ ସେ, ମାତ୍ର ପ୍ରକୃତ ପକ୍ଷରେ

 

ବାଣୀ-ମଣି-ଦେବାଳୟ, ପୂଜକମୁଖର,

ସେ ମହାପୂଜା ବୀଣାର ମଧୁର ମୂର୍ଚ୍ଛନା,

ସୁପ୍ତ ଇତିହାସ ଅଙ୍ଗେ ପ୍ରକାଶେ ସ୍ପନ୍ଦନ,

ଶୁଣୁଛି, ଶୁଣିବ ତାହା ଉତ୍କର୍ଣ୍ଣେ ଜଗତ,

 

ଶୁଣେ ଯଥା ସିନ୍ଧୁ କଣ୍ଠୁ, ନିର୍ବାଣ ସଙ୍ଗୀତ

ଯୋଗସ୍ଥା ଯୋଗିନୀ ବେଳା, ସତତ ତନ୍ମୟେ ।

ଶୋକସ୍ମୃତି ବିଜଡ଼ିତ ଏକାଳେ ତା ନାମ,

ମାତ୍ର ବୁଡ଼ି ଅତୀତରେ କରେ ସେ ଅଙ୍କିତ

 

ସୁଦୂର ଭବିଷ୍ୟତର ଜୀବନ୍ତ ଆଦର୍ଶ,

ଏଣୁ ତାର ସ୍ମୃତି-ଭସ୍ମ ବୋଳି ହୋଇ କାଳ,

ପ୍ରକାଶୁଛି କୃତଜ୍ଞତାଜ୍ଞାପକ ଗୁମାନ ।

ଆର୍ଯ୍ୟଜାତି-ସର୍ବବିଧ-ଉନ୍ନତି-ଜାହ୍ନବୀ

 

ଥିଲା ରୁଦ୍ଧସ୍ରୋତା ହୋଇ ବହୁକାଳଯାଏଁ,

ଐରାବତ ଦନ୍ତ ତୁଲ୍ୟ ଏ ସଭା ତାହାକୁ

କରିଦେଲା ଶତମୁଖୀ ଆବର ପ୍ରଖରା,

ଅନନ୍ତ ବିଜ୍ଞାନ-ସିନ୍ଧୁ ଅଭିମୁଖେ ତହୁଁ

 

ହେଲା ସେ ଧାବିତା, ଘେନି ଜ୍ଞାନ-ଫେନପୁଞ୍ଜ ।

ଗତ ଆର୍ଷ-ମହାଯୁଗ ସଭ୍ୟତା-ଲହରୀ

ଖେଳିଲା ଭାରତେ, ହେଲା ଭୂତ ବର୍ତ୍ତମାନ ।

କୋଟି ପରିମିତ ସୈନ୍ୟ ସେ ମହାସଭାର

 

ବିରାଟ ପରିଧି ବେଢ଼ି ଅବସ୍ଥିତ ସଦା,

ଉଜୃକାନ୍ତି ସେ ସଭାର ଏକ ଅଂଶେ ବସି

ମହାକବି କାଳିଦାସ, କାବ୍ୟ-କଳାବାସ,

ଆସନ ବସନ ଶୁଭ୍ର, ଶୁଭ୍ର ଉତ୍ତରୀୟ-

 

ଉପବୀତ ବିଲମ୍ବିତ ସ୍ୱଚ୍ଛ କବିତାର

ସରଳ ପ୍ରବାହ ପ୍ରାୟ, ମୂରତି ମଧୁର,

ଦୃଷ୍ଟି ରସିକତାପୂର୍ଣ୍ଣ, ବିରାଜନ୍ତି ଯଥା

ସାହିତ୍ୟ-ମହାସୌଧର ତୁଙ୍ଗ ସ୍ୱର୍ଣ୍ଣଚୂଡ଼ା ।

 

ଗାଢ଼ ଚିନ୍ତାଶୀଳତାର ସମୁଦାର ରେଖା

ଅଙ୍କିତ ସୁଢ଼ଳ ମୁଖେ, କେଜାଣି କେବଣ

ଚିନ୍ତାରାଜ୍ୟ ରହିଅଛି ସମ୍ମୁଖେ ବିସ୍ତୃତ,

କି ମହା କବିତା ଯେହ୍ନେ ରହିଛି ଅଧରେ

 

ଅସମ୍ଭାଳେ, ସତେ ଅବା ପଡ଼ିଲା ବାହାରି !

ବିରହୀ ଯକ୍ଷର କାକୁ କରୁଣ କବିତା

ବହିଯିବ ତଦ୍ଦଣ୍ଡେ ବା ତରଳ ଛନ୍ଦରେ ।

ସାରସ୍ୱତ ପୁଷ୍ପାସ୍ତୁତା ଲେଖନୀ ଯାହାର

ସଞ୍ଚିଲା ସାହିତ୍ୟ-କୋଷେ ବ୍ରହ୍ମଜାତି ହୀରା,

ମେଷଚକ୍ଷୁନୀଳା *, ପୁଣି ବାରବାନୀ ସୁନା,

ପ୍ରଦର୍ଶିଲା ଯେ ଲେଖନୀ ସମଗ୍ର ଜଗତେ

ଆର୍ଯ୍ୟସାହିତ୍ୟର ଶକ୍ତି, ବିଶ୍ୱବିଜୟିନୀ,

* ସର୍ବୋତ୍କୃଷ୍ଟ ବୀଳା

ଆବର ମହାପ୍ରାଣତା-ଗଭୀର, ଅକଳ,

ନିରୁପମା ଯା ଉପମା, ସ୍ୱୟଂ ବୀଣାପାଣି

କରନ୍ତି ନର୍ତ୍ତନ ଯାର ଜିହ୍ୱାଗ୍ରେ ସତତ,

ଯା ମହାପ୍ରତିଭା ପାଶେ ବିଶ୍ୱଚକ୍ଷୁ ରବି

ହୀନପ୍ରଭ, ହୀନପ୍ରଭ ଯଥା ଦୀପଶିଖା

ତାହାରି ଅନନ୍ତ ତେଜେ ନିମଜ୍ଜି ଦିବସେ,

ପ୍ରାତର୍ନମ୍ୟ କଳ୍ପଜୀବୀ ସେ ମହାପୂଂସର

ମହିମା ବର୍ଣ୍ଣନା ସିନା ଧୃଷ୍ଟତା କେବଳ

 

କେ ଗଣିବ ସମୁଦ୍ରର ଅନନ୍ତ ଲହରୀ ?

ଉପବିଷ୍ଟ ଆନ ଅଂଶେ ମହାବାଗ୍ମିବର

ବରରୁଚି, ଊର୍ଦ୍ଧ୍ୱଚୂଳ ମୁଣ୍ଡିତ ମସ୍ତକ,

ଦୀର୍ଘ ବପୁ, ତେଜସ୍ୱିତା ଜୀବନ୍ତ ପ୍ରତିଭୁ,

 

ପୂର୍ଣ୍ଣ-ସ୍ୱାଧୀନତା ଆଉ ସ୍ପଷ୍ଟବାଦିତାରେ

ଗଢ଼ା ଯେହ୍ନେ ଓଜସ୍ୱିନୀ ପ୍ରକୃତି ତାଙ୍କର ।

ସୂକ୍ଷ୍ମତମ ଯୁକ୍ତିତର୍କେ, ଅପକ୍ଷପାତିତ୍ୱେ,

ଅକାଟ୍ୟ ମନ୍ତ୍ରଣା ଦାନେ, ସୁମନ୍ତ୍ର କେବଳ

 

ହେଲେ ହେବେ ତାଙ୍କ ସରି ସାକେତ-ସଚିବ ।

ତାଙ୍କ ପାଶେ ଧନ୍ୱନ୍ତରୀ, ମହା ଦାର୍ଶନିକ

ଉପବିଷ୍ଟ ଯୋଗ୍ୟାସନେ, ସମାଧିସ୍ଥ ଯଥା

ପ୍ରକୃତିର ମହାଯୋଗୀ ପ୍ରାଚୀନ ଶିଖରୀ,

 

ଗାମ୍ଭୀର୍ଯ୍ୟ ଔଦାର୍ଯ୍ୟବୋଳା ଉଜ୍ଜ୍ୱଳ କପାଳ,

ଚିହ୍ନାଏ ସଙ୍କେତେ ତାଙ୍କୁ ବ୍ରାହ୍ମଣ ବୋଲିଣ ।

କି ଭକ୍ତି-ଉଜୁଡ଼ା ଦୃଷ୍ଟି, ବନ୍ଧା ରଖି ଆରେ

ହେବ ନାହିଁ ମୁକୁଳାଇ ତାହା ପାଶୁମନେ,

 

ଶାନ୍ତି, ତୃପ୍ତି, ସଂଯମର ମୁଦ୍ରା ସୁମୋହିନୀ

ମୁଦ୍ରିତ ବିଜ୍ଞାନଦୀପ୍ତ ନୟନଯୁଗଳେ ।

ତହିଁ ପରେ ଉପବିଷ୍ଟ ଧବଳଶ୍ମଶ୍ରୁଳ

ମିହିର-ତେଜସ୍ୱୀ ବୃଦ୍ଧ ବରାହମିହିର,

ଅନନ୍ତ ଅନନ୍ତେ ଯାଙ୍କ କଳ୍ପନା ସନ୍ତରି

ସୃଷ୍ଟିର ଜଟିଳ ଜାଲ ଭେଦି ଅବହେଳେ

 

କଲା ଗ୍ରହୁ-ଜଗତର ତତ୍ତ୍ୱ ଆବିଷ୍କାର,

ପ୍ରକାଶେ ଯେ କ୍ରିୟା ସଦା ନରଭାଗ୍ୟ ପରେ,

ଦୁରୂହ ଜ୍ୟୋତିଷ ତତ୍ତ୍ୱ ହେଲା ପ୍ରତିଭାତ

ବିଶ୍ୱନେତ୍ରେ, ଯାହା ବିଶ୍ୱକଲ୍ୟାଣନିଦାନ ।

 

ଏଡ଼ ବଡ଼ ହିତୈଷୀ ଯେ ଭବ-ପ୍ରପଞ୍ଚର,

କି ଆଶ୍ଚର୍ଯ୍ୟ, ହୃଦ ତାର ଈର୍ଷାର ନରକ,

କୁସୁମ ତ ନୁହେଁ ଖାଲି ସୁରଭି ଆଗାର,

ଦୁଷ୍ଟ ବିଷ କୀଟ ସୁଦ୍ଧା ଧରେ ସେ ଗରଭେ ।

 

ହା ବରାହ, କି ଅଶୁଭ କ୍ଷଣେ କେ ବିହିଲା

ଅଶିବ ଅଭିଧା ତବ ? ଆଚରିଲ ହାୟ,

 

ନାମ ଅନୂରୁପ ଧରମ, କେଉଁ ଗ୍ରହ ଦୋଷେ ?

ଯା ନଖ ଦର୍ପଣେ ଥିଲା ଭୁଗୋଳ, ଖଗୋଳ,

 

ଭାବୀ ବର୍ତ୍ତମାନ ତଥ୍ୟ, ସେହି ମୋଧାବିନୀ,

ସେ ମହାପ୍ରତିଭାବତୀ, ପ୍ରତିଭା ସୁନ୍ଦରୀ *

କଲା ଆତ୍ମହତ୍ୟା ସିନା ତୁମ୍ଭରି ସକାଶେ ?

ତୁମ୍ଭ ଦୋଷୁ ସିନା ଦେବୀ ଭାରତମାତାର

*ପ୍ରଚଳିତ ନାମ ଖନା। ମହାରାଜ ବିକ୍ରମାଦିତ୍ୟ ତାଙ୍କୁ ନବରତ୍ନରେ ସ୍ଥାନ ଦେବାକୁ ସଙ୍କଳ୍ପ କରିଥିଲେ; ମାତ୍ର ଖଳ ମିହର ସେଥିରେ ଅନ୍ତରାୟ ହେଲେ।

 

ମୁକୁଟ ମହାର୍ହ ମଣି ଝଡ଼ିଗଲା ଏକ !

ଜନନୀର ଆଶା-ପକ୍ଷୀ ଯାହାକୁ ନିରେଖି

ବାନ୍ଧି ଆସୁଥିଲା ନୀଡ଼, ସେ ସୌମ୍ୟ ଶାବକେ

ବଧି ତୁମ୍ଭେ ବ୍ୟାଧିରୂପେ, ଭାଙ୍ଗିଦେଲ ହାୟ,

 

ଅନନ୍ତ ଆକାଙ୍‌କ୍ଷାପୂର୍ଣ୍ଣ ସେ ସୁଖ-କୁଲାୟ,

କଲ ଦୁଃଖିନୀର ନେତ୍ର ଚିର ଅଶ୍ରୁଝର,

ସହିଲାଟି ଏହା ତୁମ୍ଭ ଦାରୁଣ ହୃଦୟ ?

ଏହି ମହାପାପ-ଏହି ଅଧୌତ କଳଙ୍କ,

 

ବହିବ ମସ୍ତକେ ତୁମ୍ଭେ ଇହ ପରକାଳେ ।

ବରାହ ପୂରତେ ସ୍ଥିର ଅମରପ୍ରତିଭ

ମହାତ୍ମା ଅମରସିଂହ, ଅଦ୍ଭୁତ ଶାବ୍‌ଦିକ,

ସୂକ୍ଷ୍ମ ଅଭିଧାନବେତ୍ତା ସରଳ ସ୍ୱଭାବ,

 

କଳେବର ତୁଳନାରେ ବୃହତ ମସ୍ତକ,

ଚିନ୍ତା-ନିର୍ମିମେଷ ନେତ୍ରେ ଭାବ-ଭାରାକ୍ରାନ୍ତ,

ଖେଳେ ତାର ପ୍ରାନ୍ତେ କିବା ମହିମାର ରାଗ

ତରଳ ଶୀତଳ, ଯଥା ଦୋବୁଲ୍ୟ ଚନ୍ଦ୍ରିକା ।

 

ତାଙ୍କ ପାର୍ଶ୍ୱେ ଯଥାକ୍ରମେ ଶଙ୍କୁ, କ୍ଷପଣକ,

ମନସ୍ୱୀ ବେତାଳଭଟ୍ଟ, ଶ୍ରୀ ଘଟକର୍ପୂର,

ଶ୍ରୂତସେନ, ମଣିତଥ, ତ୍ରିଲୋଚନ ହରି,

କୁଣ୍ଡଳୀ କୁମାର ସିଂହ, ଆଶୁଦତ୍ତମଣି,

 

ବାଦରାୟଣାଦି ଖ୍ୟାତି ପଣ୍ଡିତମଣ୍ଡଳୀ

ଅବସ୍ଥିତ ପ୍ରଭାବନ୍ତ ନକ୍ଷତ୍ରସଂକାଶ ।

ଏତଦ୍ଭିନ୍ନ ଷୋଳ ଜଣ ବିଜ୍ଞ ଗ୍ରହବିପ୍ର,

ପୁଣି ସେହି ପରିମିତ ଦକ୍ଷ ଚିକିତ୍ସକ,

 

ସତତ ସେ ସଭା ମଧ୍ୟେ ଥାନ୍ତି ଉପସ୍ଥିତ ।

ସେ ସଭା ଆର୍ଯ୍ୟସଭ୍ୟତା-ଦେବୀ-ମେରୁଦଣ୍ଡ,

କିମ୍ବା ଉନ୍ନତିର କଳ୍ପଲତା, ଧରିଲା ସେ

ନାନା ଫଳ-ଇତିହାସ, ସାହିତ୍ୟ, ବିଜ୍ଞାନ,

 

ଦର୍ଶନ, ଜ୍ୟୋତିଷ ଆଦି, ସୁସ୍ୱାଦୁ ରସାଳ,

ଯା ସ୍ଥାୟୀ ମଧୁର ରସ କରୁଛି ଅଦ୍ୟାପି

ଭାରତ ରସନା ତୃପ୍ତ, ପୁଣି ଧରଣୀର ।

ଆର୍ଯ୍ୟଜାତି ଉନ୍ନତିର ଯାବତ କଲ୍ଲୋଳ

 

ଜନ୍ମ ଲଭି ଏହି କେନ୍ଦ୍ରୁ ବ୍ୟାପୁଲା ସର୍ବତ୍ର,

ବ୍ୟାପେ ଯଥା ଲୋଷ୍ଟ୍ରାଘାତ-ସମୁତ୍ଥିତ ଢ଼େଉ

କ୍ରମଶଃ ଚାଳିତ ହୋଇ କାସାର ପରିଧି ।

ଏଭାଳି ସଭାରେ ବସି ଶ୍ରୀ ବିକ୍ରମାଦିତ୍ୟ

 

ଅଷ୍ଟଶତ ନରପତି ପରିବୃତ ହୋଇ

କରନ୍ତି ବ୍ୟବସ୍ଥାମତେ ବିଚାର ମୀମାଂସା ।

ଛାଙ୍କି ସୂକ୍ଷ୍ମ ବିଚାରକୁ ନ୍ୟାୟ-ଛାଙ୍କୁଣୀରେ

ନେଉଥିଲେ ତୋଳି ସାର, ସାରୁଁ ପୁଣି ସାର,

 

ହେଉ ବ୍ୟବହାର ଯେଡ଼େ ଜଟିଳ କୁଟିଳ,

ବିଚକ୍ଷଣ ଶକ୍ତିବଳେ ନିଅନ୍ତି ସେ ବାଛି

ସତ୍ୟଟିକ ତହୁଁ, ଦଣ୍ଡ ବିହନ୍ତି ତଦ୍ରୁପ ।

ପୁରସ୍କାର ରୁପାନ୍ତର ତାଙ୍କ ଦତ୍ତ ଦଣ୍ଡ,

 

କେବଳ ଦୋଷର ବିହି ଶାସ୍ତି ଯଥାତଥ

ନୁହନ୍ତ ସେ କ୍ଷାନ୍ତ, ମଣି ତେତିକିରେ ଖାଲି

ସ୍ୱକୀୟ କର୍ତ୍ତବ୍ୟ ଶେଷ, ତୀକ୍ଷ୍ମ ବୁଦ୍ଧିବଳେ

କରୁଥିଲେ ବାହାର ସେ ଅଶୁଭରୁ ଶୁଭ,

 

ଦୋଷୀର ଚରିତ୍ର ନୃପ କରି ସଂଶୋଧନ

ବିବିଧ ସୁଶିକ୍ଷାଦାନେ, ଆଣନ୍ତି ସତ୍ପଥେ

ତାକୁ, ଦଣ୍ଡଭୋଗ ପରେ ଯୋଗାଇ ସୁବୃତ୍ତି

ଗଢ଼ନ୍ତି ଜୀବନ ତାର ନବ ଉପାଦାନେ,

 

ଦେଖି ସେ ଗନ୍ତବ୍ୟ ପଥ ସରଳ ସୁଗମ

ମହାସୁଖେ ସାଧୁ ଭାବେ ହୁଏ ଅଗ୍ରସର ।

ଦୁର୍ଗମ ଦୁର୍ଜ୍ଞେୟ ଗୂଢ଼ ରାଜନୀତି ପଥ

କଲେ ସାଧାରଣ ପଥେ ସୁଗମ, ସୁଜ୍ଞେୟ ।

 

ବୟୋବୃଦ୍ଧି ସହ ତାଙ୍କୁ କଲା ଆଲିଙ୍ଗନ

ପ୍ରତିଭା, ସହସ୍ର ବାହୁ ବିସ୍ତାରି ଚୌପାଶୁ,

କରେ ଆଲିଙ୍ଗନ ଯଥା ଶୋଭା ସ୍ୱର୍ଣ୍ଣଲତା

ଚପଳା, ଆସନ୍ନବର୍ଷୀ ଆଡ଼ମ୍ବରୀ ଘନେ ।

 

ବ୍ୟାପିଲା ସର୍ବତ୍ର ଯଶ-ସମ୍ରାଟ-ବାଞ୍ଚିତ,

ହୋଇ ଆକର୍ଷିତ ତହିଁ ବହୁ ଗୁଣିଜନେ

ଆଶ୍ରିଲେ ତାହାଙ୍କୁ ଆସି, ଆଶ୍ରନ୍ତି ଯେସନ

କୁସୁମେ କୁସୁମଲିଟ ଚହଟିଲେ ବାସ,

 

ଅବା ପକ୍ୱଶାଳୀପୂର୍ଣ୍ଣ କେଦାରେ ଖଗାଳି,

କିମ୍ବା ଯଥା ଆଙ୍କାଙ୍‌କ୍ଷାକୁ ବିବିଧ ଉଦ୍‌ବେଗ,

ବୈରାଗ୍ୟେ ସଂଯମ, ଶାନ୍ତି, ସାମ୍ୟ, ତୃପ୍ତି, ପ୍ରୀତି ।

ଦେଖାଇ ସ୍ୱକୀୟ ବିଦ୍ୟା ଉତ୍କର୍ଷ ଛାମୁରେ,

 

ଲଭି ଉପଯୁକ୍ତ ବୃତ୍ତି ନିବସିଲେ ମୋଦେ ।

ବସେ ରାଜସଭା ମଧ୍ୟେ ନିତ୍ୟ ପ୍ରଦର୍ଶନୀ,

ପୁରସ୍କାର ପ୍ରଲୋଭନେ ପ୍ରବର୍ତ୍ତି ପ୍ରଜାଏ

ଉତ୍କୃଷ୍ଟ ପଦାର୍ଥ ବହୁ-କୃଷିଶିଳ୍ପଜାତ

 

ଭେଟନ୍ତି ଛାମୁରେ ଆଣି ପ୍ରତ୍ୟୟ ସୋତ୍ସାହେ ।

‘ନେ ହେଲେ ଅଭାବ ସହ କଠୋର ସଂଗ୍ରାମେ

ରତ, ଜନ୍ମେ ନାହିଁ ଆତ୍ମନିର୍ଭରିଣୀ ଶକ୍ତି’,

ଏ ଅମୂଲ୍ୟ ଉପଦେଶ ସତ୍ୟଶିବମୟ

ଅର୍ପଣ ବିକ୍ରମାଦିତ୍ୟ ପ୍ରଜାପୁଞ୍ଜେ ସଦା ।

 

ଦ୍ୱାଦଶ ସର୍ଗ

 

ସାହିତ୍ୟ ମାହାତ୍ସ୍ୟେ ସଭା ଭୂତଳେ ଅତୁଳ,

ମିଳନ୍ତି ପଣ୍ଡିତ କବି ଏକତ୍ରେ ଯେକାଳେ,

ସାରସ୍ୱତ-କଳକଣ୍ଠ ବିହଗେ ମୁଖର

ହୁଏ ସଭା, ଖେଳେ ନବରସର ଉଲ୍ଲୋଳ

 

କଲ୍ଲୋଳ ବିବିଧ ରଙ୍ଗେ, ବହେ ଜ୍ଞାନ-ରଙ୍ଗା,

ସତେ ଯେହ୍ନେ ବୀଣାପାଣି ବିଦ୍ୟାବିନୋଦିନୀ

ପରିଗ୍ରହ ବହୁ ରୂପ, କରିଣ ଖନନ

ଅନନ୍ତ ବିଦ୍ୟାରେ ଖଣି, ବିତରନ୍ତି ଦେବୀ

 

ଅନର୍ଗଳ ଅବିକଳ୍ପେ ଅନନ୍ତ ରତନ ।

ହୁଏ କେତେ ଗଦ୍ୟ ପଦ୍ୟ ସାହିତ୍ୟାଲୋଚନା,

ନ୍ୟାୟର ମୀମାଂସା, ଶ୍ଲୋକ ସମସ୍ୟା ପୂରଣ,

ଅଳଙ୍କାର ଶାସ୍ତ୍ରାଦିର ସରଳ ବିଚାର,

 

ବର୍ଷିଯାଏ ସ୍ନିଗ୍ଧ ସୁଧାମୃତ ସଞ୍ଜୀବନୀ,

ଫୁଟିଯାଏ ପାରିଜାତ-ପ୍ରାଣଉନ୍ମାଦକ,

ଉପୁଜେ କଳହ-ଯୁକ୍ତିପ୍ରତିଯୁକ୍ତି ସହ,

କି ମଧୁର ସେ କଳହ-କର୍ଣ୍ଣରସାୟନ,

 

କି ପବିତ୍ର, କି ସରସ, କେଡ଼େ ବା ଗଭୀର,

ନାହିଁ ସେ କଳହେ ତୀବ୍ର କଟୁକ୍ତିର ଜ୍ୱାଳା,

କିମ୍ବା ଘୃଣ୍ୟ ଲାଞ୍ଛନାର ମର୍ମାନ୍ତିକ ତାପ,

ଅବା କ୍ରୋଧ-ମାତ୍ସର୍ଯ୍ୟାଭ ଜନିତ ସ୍ତନିତ,

 

ଉଦ୍ଭାସିତ ସେ କଳହେ ପରମ କଲ୍ୟାଣ,

ସଂସାରର ଚିରନ୍ତନ ରହସ୍ୟ ନିଗୂଢ଼,

ମାନବବାଞ୍ଛିତ ତାହା, ମାନବପୂଜିତ,

ଆତ୍ମୋନ୍ନିତ ସାଧନର ଅମୃତ ସୋପାନ ।

 

ଜୀବନର ମଳିନତା ହୁଏ ତହିଁ ଦୂର,

କନକ-କଳଙ୍କ ଅଙ୍କ ଅନଳେ ଯେସନ ।

 

ଦିନେ ଶ୍ରୀ ବିକ୍ରମାଦିତ୍ୟ ପୁଚ୍ଛିଲେ ସଭାକୁ-

‘‘ଜନ୍ମାନ୍ତରବାଦ ସତ୍ୟ, କି ଭ୍ରାନ୍ତ ଧାରଣା ?’’

ପ୍ରଥମେ ଦଣ୍ଡାୟମାନ ହୋଇ କ୍ଷପଣବ

ଉତ୍ତରିଲେ-‘‘ଅନ୍ଧକାର ସୃଷ୍ଟିର ରହସ୍ୟ,

 

ମାନବର ଦୃଷ୍ଟ-ଜ୍ଞାତ, ଅଦୃଷ୍ଟ-ଅଜ୍ଞାତ,

ନୁହେଁ ଆତ୍ମ-ଅନୁଭୁତ ଯାହା, ତା ସନ୍ଦେହ,

କେ ଦେଖିଛି ବା ଭୁଞ୍ଜିଛି ଜନ୍ମାନ୍ତର କାହିଁ ?

କିଏ କହେ ଜନ୍ମାନ୍ତର ସତ୍ୟ, କିଏ କହେ

 

ମିଥ୍ୟା, ଏହି ମତଭେଦ ଅଛି ଚିରକାଳ,

ଯହିଁ ମତାନ୍ତର, ତହିଁ ଆତ୍ମପ୍ରତୀତିର

ପ୍ରତିବିମ୍ବ କ୍ଷୀଣତର, ଅସ୍ପଷ୍ଟ ଅତୀବ ।

ମାନବର ଜଣା ଅଳ୍ପ, ଅଜଣା ଅନନ୍ତ,

 

ସଷ୍ଟି ମହାତତ୍ତ୍ୱ, ନରଧାରଣା ଅତୀତ,

କହିବ ଏପରି ସ୍ଥଳେ କେବଣ ସାହସୀ

ଅସ୍ୱୀକାର୍ଯ୍ୟ ଜନ୍ମାନ୍ତର, ଅଥବା ସ୍ୱୀକାର୍ଯ୍ୟ ।’’

ଏହା ଭାଷି କ୍ଷଣପକ ଗ୍ରହନ୍ତେ ଆସନ,

 

ଉଭା ହେଲେ ଧନ୍ୱନ୍ତରି-ପୁରାଣସମ୍ବଳୀ,

କହିଲେ ସେ, ‘‘ସତ୍ୟ ନିଶ୍ଚେ ଜନ୍ମାନ୍ତରବାଦ,

ଯାହା ଶାସ୍ତ୍ରସିଦ୍ଧ, ମିଥ୍ୟା କେ କହିବ ତାହା ?

ଶାସ୍ତ୍ର ଯଦି ସୁବିଶ୍ୱାସୀ, ମହାସତ୍ୟପୂର୍ଣ୍ଣ,

 

ତେବେ କିପାଁ ଅବିଶ୍ୱାସ୍ୟ ମିଥ୍ୟା ଜନ୍ମାନ୍ତର ?

ପୁତ୍ରରୂପେ ଜନ୍ମେ ପିତା, ଶାସ୍ତ୍ରମତ ଏହା,

ଅତଏବ ଜନ୍ମାନ୍ତର ଧ୍ରୁବ ଧ୍ରୁବ ଧ୍ରୁବ ।’’

ଶେଷେ ଉଠି କାଳିଦାସ-ବାଣୀ-ବରଶିଷ୍ୟ,

 

ଭାଷିଲେ ଆଳଙ୍କାରିକ ଉତ୍ତେଜକ ଗୀରେ-

‘‘ପୁତ୍ରରୂପେ ଜନ୍ମେ ପିତା ନୁହେଁ ଜନ୍ମାନ୍ତର

ତାହା-ଅଂଶାନ୍ତର ମାତ୍ର, ନିହିତ ତହିଁରେ

ବ୍ୟଷ୍ଟି ସମଷ୍ଟିର ଭାବ, ସ୍ୱତନ୍ତ୍ର ସେ କଥା,

 

ଆଉ ଶାସ୍ତ୍ର, ସେ ତ ଅପ୍ରତ୍ୟକ୍ଷ ଘଟଣାର

ସୁପ୍ତ ପ୍ରତିଧାନ, ତେଜି ପ୍ରତ୍ୟକ୍ଷ ପ୍ରମାଣ

କେଉଁ ଫଳ ଅପ୍ରତ୍ୟକ୍ଷେ ନିବିଡ଼ ଆଶ୍ଲେଷେ ?

କିପାଁ କିଏ ନ ମାନିବ ଜନ୍ମାନ୍ତରବାଦ,

 

ଲାଗିଅଛି ଯାତାୟାତ ସଦା ଏ ସଂସାରେ

ସକଳର, କି ସ୍ଥାବର କି ଅବା ଜଙ୍ଗମ,

ଅସ୍ତଗତ ରବିଶଶୀ ହୁଅନ୍ତି ଉଦିତ,

ବାସ୍ପାକାରେ ଉଡ଼ିଯାଇ ଊର୍ଦ୍ଧ୍ୱେ ଜଳରାଶି

 

ଆସେ ପୁଣି ବର୍ଷାରୂପେ ଫେରି ଫୂର୍ବସ୍ଥାନେ,

କର କ୍ଷୁଦ୍ର ବୀଜଟିଏ ଭୂଗର୍ଭେ ପ୍ରୋଥିତ,

କିଛି କାଳେ କୋଟି ବୀଜ ଉପୁଜିବ ତହୁ,

ହୁଏ ନାହିଁ ଉପ୍ତ ବୀଜ ନଷ୍ଟ କଦାଚନ,

 

ପ୍ରାସ୍ତ ହୁଏ ଭାବାନ୍ତର ମାତ୍ର, ବୃକ୍ଷରୂପେ,

ପୁନଶ୍ଚ ସ୍ୱରୂପ ଧରି ଆସେ ବହୁଗୁଣେ,

ପ୍ରତ୍ୟକ୍ଷରେ ଦେଖି ଏହି ଜୀବନ ଦୃଷ୍ଟାନ୍ତ

କେଉଁ ଯୁକ୍ତି ବଳେ କିଏ କରିବ ଖଣ୍ଡନ

 

ଜନ୍ମାନ୍ତରବାଦ ? ଭବେ ସର୍ବେ ଗତିଶୀଳ,

ପୁଣି ଅବିନାଶୀ, ତେବେ ଖାଲି କି ଜୀବାତ୍ମା

ଅଚଳ ଆସାଢ଼ ପୁଣି ଧ୍ୱଂସର ଅଧୀନ ?

ଅମର ଅଜର ଆତ୍ମା, ଜୀର୍ଣ୍ଣ ବସ୍ତ୍ର ପ୍ରାୟ

 

ତେଜି ଏକ ରୂପ ସେହୁ ଧରେ ଅନ ରୂପ,

ଦେଖାଇଅଛନ୍ତି ପାର୍ଥେ ଶ୍ରୀକୃଷ୍ଣ ଏଥିର

ଚାକ୍ଷୁଷ ଦୃଷ୍ଟାନ୍ତ ସାର କୁରକ୍ଷେତ୍ର ରଣେ,

ତହୁଁ ସବ୍ୟସାଚୀ ହୋଇ ବିମୁକ୍ତସଂଶୟ

 

ହୋଇଥିଲେ ଯୁଦ୍ଧେ ରତ ଔଦାସ୍ୟ ବରଜି ।

ଦେହ ସଙ୍ଗେ ଆତ୍ମା ଯେବେ ହେଉଥାନ୍ତା ଧ୍ୱଂସ,

ହୁଅନ୍ତାଣି କେଉଁ କାଳୁ ତେବେ ଏ ଧରଣୀ

ଜୀବସୃଷ୍ଟିଶୂନ୍ୟ, ଭାଙ୍ଗି ସୁବର୍ଣ୍ଣ ନଷ୍ଟ ?

 

ଅତଃ ଜନ୍ମାନ୍ତର ସତ୍ୟ, ଏହା ନିଃସନ୍ଦେହ ।’’

ନୀରବନ୍ତେ ମହାକବି, ଉଠିଲା ସଭାରୁ

ପୃଥୁ ଧନ୍ୟ ଧନ୍ୟ ଶବ୍ଦ ସମର୍ଥନଶଂସୀ,

ଶୁଣି ଆର୍ଯ୍ୟାବର୍ତ୍ତ-ପତି ଲଭି ପରିତୋଷ,

 

ପ୍ରଦାନିଲେ କାଳିଦାସେ ବହୁ ପୁରସ୍କାର-

କନଳ କୁଣ୍ଡଳ, ବଳା, ଉପାଦେୟ ଗ୍ରନ୍ଥ,

ପଟ୍ଟବସ୍ତ୍ର, ସ୍ୱର୍ଣ୍ଣମୁଦ୍ରା, ପରିଚ୍ଛଦ ଆଦି ।

ଏହିପରି ନରବର ଅର୍ପନ୍ତି ଗୁଣର

 

ଅହରହ ଆଶାତୀତ ସଦ୍ୟ ପୁରସ୍କାର,

ମଣିମୁକ୍ତା ଗଜବାଜୀ ସ୍ୟନ୍ଦନ ପ୍ରଭୃତି

ଥିଲା ତାଙ୍କ ନିତ୍ୟ ଦାନ, ତାହାଙ୍କ ସମାନ

ପ୍ରତିଭାର ଉପାସକ, ପୁଣି ଗୁଣଗ୍ରାହୀ,

ଷୋତକଳାପୂର୍ଣ୍ଣ ନୃପ ତ୍ରିକାଳଦୂର୍ଲଭ ।

ପ୍ରଶ୍ନ କଲେ ଆଉ ଦିନେ ଶ୍ରୀ ବିକ୍ରମାଦିତ୍ୟ

ସଭା ପ୍ରତି, ‘‘ଆତ୍ମୋନ୍ନତି ସାପେକ୍ଷ କାହାର ?’’

ଉଭା ହୋଇ ତହୁ ଶଙ୍କୁ ଭାଷିଲେ ଏସନ-

‘‘ଭାଗ୍ୟର ସାପେକ୍ଷ ତାହା, ରାଜା, ଧନୀ,

ଦରିଦ୍ର, ପଣ୍ଡିତ, ମୂର୍ଖ, ସମସ୍ତେ ମାନବ,

ହସ୍ତ ପଦ ଚକ୍ଷୁ କର୍ଣ୍ଣେ ସମସ୍ତେ ସମାନ,

ମାତ୍ର ଦେଖ ଗୌରବରେ ଇତର ବିଶେଷ,

ପିତାର ଯୁଗଳ ପୁତ୍ର, ଉଭୟର ପ୍ରତି

ସମ ସ୍ନେହ, ସମ ଯତ୍ନ, ସମାନ ତାଡ଼ନା,

ତଥାପି ତ ଦେଖାଯାଏ ଜଣେ ଗଜମୂର୍ଖ,

ଅପର ପଣ୍ତିତ, ଏହି ତାରତମ୍ୟ ହେତୁ

ନୁହେଁ କି ଅଦୃଷ୍ଟ ? ଏକା ଅଦୃଷ୍ଟ ହିଁ ମୂଳ ।’’

 

ଉଠି ଖରେ କାଳିଦାସ କଲେ ପ୍ରତିବାଦ-

ଅଦୃଷ୍ଟ ହିଁ ମୂଳ, ଏହା ଗତରହୀନର *

ଶୂନ୍ୟଗର୍ଭ ଆଶା, ବ୍ୟର୍ଥ କଳ୍ପନାପ୍ରସୂତ,

 

‘ଅଦୃଷ୍ଟ ହିଁ ମୂଳ’ ଏହି ଅଚେତନ ଉକ୍ତି

* ନିଖଟ

 

ବାତବ୍ୟାଧି ପ୍ରାୟ, ତାର ଦାରୁଣ ବ୍ୟଥାରେ

ଘାରିଯାଏ ସର୍ବାଙ୍ଗର ଖଞ୍ଜା ପ୍ରତିଖଞ୍ଜା,

ପରାସ୍ତ ସେ ବ୍ୟାଧି ପାଶେ ସ୍ୱୟଂ ଧନ୍ୱନ୍ତରି ।

ଯାକୁ ବୋଲି ଅପ୍ରତ୍ୟକ୍ଷ, ଅଦୃଷ୍ଟ ତାହା ହିଁ,

 

ଫଳତଃ ସେ ଅନିଶ୍ଚିତ, ତା ପ୍ରତି ନିର୍ଭର

ପ୍ରାଣ, କି ବିଷମ କଥା, କରିବ କି ତେବେ

ମହାଶୂନ୍ୟେ ଶତପୁରୀ ଅଟ୍ଟାଳି ନିର୍ମାଣ ?

ସଂକଳ୍ପେ ଭୋଜନ ପାନ କରି ଯେବେ କେହି

ଧରିପାରେ ସଙ୍କଳ୍ପରେ ପ୍ରାଣ, କରୁ ତେବେ

ସେହୁ ଅଦୃଷ୍ଟୋପାସନା, ମାତ୍ର ତୁଷ୍ଟ ନୁହେଁ

 

ସଂକଳ୍ପରେ ଯେହୁ, ଲୋଡ଼େ ପ୍ରକୃତ, ତାହାର

କର୍ମ ବିନା ଗତ୍ୟନ୍ତର ନାହିଁ କେଉଁ କାଳେ,

ହସ୍ତେ ଧରି ମୁଖେ ନେଇ ନ ଦେଲେ ଆହାର,

ଅଦୃଷ୍ଟ କି ଦେବ ଆଣି ଉଦରେ ପୂରାଇ ?

 

ମୋ ମତରେ ଆତ୍ମୋନ୍ନତି ସାପେକ୍ଷ ଶ୍ରମର ।’’

ଲାଗନ୍ତେ ଅନେକ ତର୍କ ବିତର୍କ ଏପରି,

ଶେଷେ ନବରତ୍ନପାଳ କଲେ ଏ ମୀମାଂସା-

‘‘ଶ୍ରମେ ଆତ୍ମୋନ୍ନତି- ଖାଲି କହିଲେ ଏତିକି

 

ହେଲା ନାହିଁ ଏ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର,

ନ ହେଲେ ଅଭାବ କିପାଁ କେ କରିବି ଶ୍ରମ,

ନ ହେଲେ ବୁଭୂକ୍ଷା ଉଦେ, ଭୁଞ୍ଜିବ କି କେହି ?

ଅତଏବ ଅଭାବ ହିଁ ଉନ୍ନତିର ହେତୁ ।’’

 

ଏ ସୂକ୍ଷ୍ମ ମୀମାଂସା ଶୁଣି ସର୍ବସଭାଜନେ

ପ୍ରଶଂସିଲେ ଶତକଣ୍ଠେ ସମ୍ରାଟ ବିକ୍ରେମେ ।

ସାହିତ୍ୟ ସନ୍ଦର୍ଭେ ଦିନେ ରତ ନୃପନାହା

ଅନେକ ପଣ୍ତିତ କବି ସାହିତ୍ୟିକ ସହୁ,

 

ସାହିତ୍ୟର ସଂଜ୍ଞା ଘେନି ଲାଗିଅଛି ତର୍କ,

କେ କହେ, ‘‘ସମ୍ୟକ ହିତ କରେ ଯେ ସାଧନ,

ସେ ସାହିତ୍ୟ; ’’ କା ମତରେ ‘‘ହେଲେ ଅଳଙ୍କୃତ

ଭାଷା,ହୁଏ ଅଭିହିତ ସାହିତ୍ୟ ଆଖ୍ୟାରେ, ’’

 

କେ କହେ, ସାହିତ୍ୟ ରସସିକ୍ତ ବାକ୍ୟାବଳୀ;’’

ଆବର କେହି ବା କହେ, ‘‘ମହାପୁରୁଷଙ୍କ

ଉଚ୍ଚଭାବ, ଉଚ୍ଚଚିନ୍ତା ସାହିତ୍ୟ କେବଳ ।’’

ଶେଷେ ଉଠି କାଳିଦାସ ଭାଷିଲେ ଏସନ-

 

ସାହିତ୍ୟ ଜୀବନ୍ତ ଏକ ତେଜସ୍ୱୀ ଦେବତା,

ଭାଷା ତାର ପ୍ରାଣ, ଭାବ ଆତ୍ମା,ରସ ଦେହ

ଅଳଙ୍କାର ଅଳଙ୍କାର ତୁଲ୍ୟ । ସେ ଦେବତା

ସହ ମାନବର ନିତ୍ୟ ଅଚ୍ଛେଦ୍ୟ ସମ୍ପର୍କ,

 

ଏମନ୍ତ କି,ସହାୟ ସେ ମାନବ ମାତ୍ରର

ପ୍ରତି ନିଃଶ୍ୱାସରେ । ଆଣେ ଯେ ମହାପ୍ରାଣତା

ମାନବ ଜୀବନେ, ଯେହୁ ମହାମହୌଷଧ

ଜାତୀୟ ନୈରାଶ୍ୟ ଆଉ ଅବସାଦ-ରୋଗେ,

 

ସେ ମହାହିତୈଷୀ ଧରେ ସାହିତ୍ୟ ଅଭିଖ୍ୟା ।’’

ଏକାଳେ ପ୍ରବେଶି ଏକ ସୁପଣ୍ଡିତ ଦ୍ୱିଜ

ଥୋଇ ଲେଖ ଚକ୍ରବର୍ତ୍ତୀ ବିକ୍ରମ ଛାମୁରେ

ଭାଷିଲା ଆଶଷ ଅନ୍ତେ-‘‘ନୃପମୌଳିଟିକା,

 

ନିବାସ ବିଦର୍ଭେ ମୋର, ଶୁଣି ଛାମୁଙ୍କର

ନବରତ୍ନ-ସଭା-ଖ୍ୟାତି, ବିଦ୍ୱଜ୍ଜନମୟୀ,

ଆଣିଛି ଏ ଶ୍ଳୋକ ପଦେ ପୂରଣ ସକାଶେ ।’’

ଆଗନ୍ତୁକେ ସମ୍ମାନେ ବସାଇ ଆସନେ,

 

ସାଗ୍ରହେ ଅର୍ପିଲେ ରାଏ ଅସମ୍ପୂର୍ଣ୍ଣ ଶ୍ଳୋକ

ନବରତ୍ନ ସଭାକରେ, ହେଲା ଶ୍ଳୋକ ପାଠ

‘‘କବି ପକ୍ଷେ କାହା ତୁଲ୍ୟ ନୃପେନ୍ଦ୍ରକଟକ ?’’

ଲାଗିଲା ସମସ୍ୟାପୃର୍ତ୍ତି କବିକୂଳ ମଧ୍ୟେ,

 

କେ ବୋଇଲା ଶୂନ୍ୟେ ଚାହିଁ ଭାବି କ୍ଷଣକାଳ,

ଦରିଦ୍ର ଭାଗ୍ୟରେ ଯଥା ସଂପ୍ରାପ୍ତି କନକ ।’’

କେ ଭଣିଲା ଇତସ୍ତତଃ ହୋଇ ବାରମ୍ବାର,

‘‘ଆତୁର ଚାତକ ତୁଣ୍ତେ ଯଥା ଘନୋଦକ ।’’

 

କେହି ‘‘ଅବା ପୂର୍ଣ୍ଣ କଲା ଗଭୀରେ ଉଚ୍ଚାରି,

‘‘ବସନ୍ତ ଲଭିଲା ଯେହ୍ନେ ପ୍ରିୟା ମଣିବକ ।’’

ପରିଶେଷେ କାଳିଦାସ କହିଲେ ଏସନ-

 

‘‘ଶେଷ ପଦାଦ୍ୟରେ ଲେଖ ଅନୂସ୍ୱାର ଏକ ।’’ *

*ଶେଷ ପଦ ‘‘କଟକ’’ ର ଆଦ୍ୟବର୍ଣ୍ଣରେ ଅନୁସ୍ୱାର ଯୋଗ କଲେ ‘‘କଣ୍ଟକ’’ ହେଲେ, ଅର୍ଥାତ୍‌କବି ପକ୍ଷରେ ନୃପାଳୟ କଣ୍ଟକ ତୁଲ୍ୟ, ଏହାହିଁ ଭାବାର୍ଥ।

 

ଶୁଣି ଆଗନ୍ତୁକ ଦ୍ୱିଜ ଲଭି ମହାମୋଦ,

କହିଲା, ‘‘ଧନ୍ୟ ହେ ତୁମ୍ଭେ କବି କାଳିଦାସ,

(କବୀନ୍ଦ୍ର-କିରୀଟ ଭୂଷା-ସ୍ୱର୍ଣ୍ଣ ପାରିଜାତ)

କବିତ୍ୱ ଭଙ୍ଗିରେ ଦେଲ ପ୍ରଶ୍ନର ଉତ୍ତର,

ଧନ୍ୟ ହେ ବିକ୍ରମାଦିତ୍ୟ, ସାହିତ୍ୟ-ସମ୍ରାଟ,

 

ସାଧୁ ତୁମ୍ଭେ, ଧନ୍ୟ ତବ ରତ୍ନଗର୍ଭା ସଭା,

ଶୁଣିଥିଲି ଏତେ କାଳ ଯାହା ଲୋକମୁ୍ଖେ,

କଲି ମୁଁ ପ୍ରତ୍ୟକ୍ଷ ଆଜି ବହୁ ଗୁଣ ତାର,

ରାଜକୁଳେ ତୁମ୍ଭେ ସୁଖୀ, ମହାଭାଗ୍ୟଧର,

 

ଚିର ହାହାକାରମୟ ନରଜୀବନରେ

ସତ୍ୟପୂର୍ଣ୍ଣ ନିତ୍ୟ ସୁଖ କେବଳ ଯୋଡ଼ିଏ,

କାବ୍ୟରସ-ସୁଧା ପାନ, ସଜ୍ଜନ ଆଳାପ,

ସୌଭାଗ୍ୟରୁ ବେନି ସୁଖ ସୁଳଭ ତୁମ୍ଭର !

ତୁମ୍ଭେ ନବରତ୍ନାଶ୍ରୟ, ମଳୟାଦ୍ରି ବିନା

କେ ବୁଝିବ ଏ ସୂରଭି ଚନ୍ଦନ ଗୌରବ,

ଦେବ ପୁଣି ହୃଦେ ଠାବ, ପୋଷିବା ଶୋଣିତେ ?

ଧନ୍ୟ ତବ ମହାସଭା, ବିଶ୍ୱଜ୍ଞାନଗର୍ଭା,

ଏକା ଏ ଭାରତେ ନୁହେଁ, କରୁଛି ଏ ସଭା

ଜଗତେ ଉଜ୍ଜ୍ୱଳ, ଜାଳି ମାଣିକ୍ୟ-ଦିହୁଡ଼ି,

ସତ୍‌ସାହିତ୍ୟ ଆଲୋଚନା ହୁଏ ଯହିଁ ନିତି,

ପ୍ରତ୍ୟକ୍ଷ ବାରସ୍ୱତୀ *ସେ,ପୁଣ୍ୟରେଣୁ ତାର ଅମର-ବାଞ୍ଚିତ, ସ୍ୱର୍ଣ୍ଣ-ଶାନ୍ତିନିଳୟ ସେ

*ବୈକୁଣ୍ଠ ।

ଜଞ୍ଜାଳଝଟିକାପୂର୍ଣ୍ଣ ଅଶାନ୍ତ ସଂସାରେ,

ସତ୍‌ସାହିତ୍ୟ କରେ କ୍ଷୁଧା ପିପାସା ହରଣ ।

କି ଅବା ବର୍ଣ୍ଣିବି କାଳୀଦାସଙ୍କ ମହିମା,

ଯାହାଙ୍କ ଲେଖନୀରୂପ ହିମାଦ୍ରି-କନ୍ଦରୁ

 

ବହେ କାବ୍ୟାମୃତ-ଗଙ୍ଗା ସହସ୍ର ପ୍ରବାହେ,

ଅଶୁଷ୍କ ସେ ମହାଗଙ୍ଗା, ପୂର୍ଣ୍ଣ ସୂଧା-ରସେ,

ବାରିଧି ଶୋଷଣେ କ୍ଷମ ମହର୍ଷି ଅଗସ୍ତ୍ୟ,

ମାତ୍ର ଶତ ଅଗସ୍ତ୍ୟର ସୁତୀବ୍ର ଶୋଷଣେ

ହେବ ନାହିଁ ତିଳେ ଶୁଷ୍କ ସେ ଗଙ୍ଗା କଦାପି,

ପ୍ରତ୍ୟୁତ ଶୋଷିବ ଯେତେ, ତହୁଁ ବହୁ ଗୁଣେ

ଉଠିବ ସେ କୂଳଙ୍କଷା ବନ୍ୟାରେ ଉଛୁଳି !

ପ୍ରତ୍ୟୁତ୍ପନ୍ନମତିତ୍ୱରେ କବିତ୍ୱେ ପାଣ୍ତିତ୍ୟେ

କିଏ କାଳିଦାସ ସରି, ବର୍ତ୍ତମାନ ତେଜି

ଖୋଜିଲେ ଭବିଷ୍ୟେ, ଜଣେ ନ ମିଳିବ ଆନ ।

ଏ ଯୁଗେ ସେ ଅଦ୍ୱିତୀୟ ମହାକବି, ନୁହେଁ

ଅତ୍ୟୁକ୍ତି ଏ କଥା କେବେ, ତାଙ୍କ ତୁଳନାରେ

ଆନ କବି ଛତ୍ର ପାଶେ ଶିଳୀନ୍ଦ୍ର ୧ ସମାନ ।’’

ପ୍ରତ୍ୟହ ଏ ରୂପେ କେତେ ସାହିତ୍ୟସମସ୍ୟା,

ଧର୍ମନୀତି, ରାଜନୀତି, ସମାଜନୀତିର

ଗୂଢତତ୍ତ୍ୱ ସେ ସ୍ଥାନରେ ହୁଏ ମୀମାଂସିତ

୧-ଛତୁ

 

ଦେଶଦେଶାନ୍ତରୁ ଆସି, ସ୍ଥୂଳତଃ ସେ ସଭା

ମହୀରେ ଆଦର୍ଶ ମହାବିଶ୍ୱ-ବିଦ୍ୟାଳୟ,

ଚିର ସ୍ଥିର ଯାହା ଯୋଗୁଁ ଭାରତର ଆଣି,

ଯା ଯୋଗୁଁ ଭାରତମାତା ଜଗତର ରାଣୀ,

 

ବିଶ୍ୱପ୍ରପୂଜିତା, ନିତ୍ୟ ଗୌରବ-ଗର୍ବିତା ।

ଅନନ୍ତ ଉନ୍ନତିମୟ ଜାତୀୟ ଜୀବନ

କଲା ଗଠନ ସେ ସଭା,ତେଣୁ ତାହା ନାମ

ହୋଇଅଛି ଅଗ୍ରାସ୍ୟୁତ ମୁଖପତ୍ରରୁପେ

 

ଆର୍ଯ୍ୟଜାତି ସଭ୍ୟତାର ଅମରେତିହାସେ ।

ପ୍ରଜା ପାଇଁ ଅବାରିତ ସମ୍ରାଟଙ୍କ ଦ୍ୱାର,

ଶୁଣିବାକୁ ପ୍ରଜାଙ୍କର ପ୍ରାଣର ଗୁହାରି,

ନ ଥିଲା ତାଙ୍କର କାଳ ନିର୍ଘଣ୍ଟ ସ୍ୱତନ୍ତ୍ର,

 

ବେଳନିର୍ବିଶେଷେ ଯାଇ,ଛାମୁରେ ସକଳେ

ନିବେଦି ସ୍ୱଅଭିଯୋଗ, ଲଭୁଥିଲେ ତାର

ଯଥାଯୋଗ୍ୟ ପ୍ରତିକାର ନିର୍ବିଘ୍ନେ ତକ୍ଷଣେ,

କି ବାଳକ, କି ପ୍ରବୀଣ, ପ୍ରବଳ, ଦୁର୍ବଳ,

 

ସମସ୍ତଙ୍କ ଆବେଦନ ହୁଏ ସମଭାବେ

ଘେନା, ହୁଏ ବିଚାରିତ ଅପକ୍ଷପାତରେ ।

ରାଜକର୍ମଚାରୀ ହସ୍ତେ ଲାଞ୍ଚିତ, ପୀଡ଼ିତ

ନ ହେବେ ପ୍ରଜାଏ ଯହିଁ ଭ୍ରମେ ବା ସଦ୍ଧାନେ,

କରିଥିଲେ ରାଏ ତାର ବିହିତ ବିଧାନ ।

ନ ହୋଇ ସେବକ ମତେ ଚାଳିତ ବିକ୍ରମ,

ପ୍ରାକୃତି ନୃପତି ପ୍ରାୟ,କରୁଥିଲେ ତାଙ୍କୁ

ଚାଳିତ ସ୍ୱକୀୟ ମତେ ସତର୍କେ ସତତ ।

ଅପରାଧୀ କର୍ମଚାରୀ ଦଣ୍ତଭୋଗ ପରେ

ହେଉଥିଲା ରାଜକାର୍ଯ୍ୟେ ପୁଣି ନିୟୋଜିତ,

କ୍ଷଣେ ମାତ୍ର ରୁଦ୍ଧ କରି ତଟନୀର ବେଗ,

ପରକ୍ଷଣେ ଧରେ ତାକୁ ହୃଦେ ନଦୀନାଥ ।

ପୁତ୍ରର ମଙ୍ଗଳ ଲାଗି ଦଣ୍ତ ଅର୍ପେ ପିତା,

ମାତ୍ର ଇହମାକ ୧ ପରେ ବେଉଷି ତାହାକୁ

ଭୂଞ୍ଜାଏ ସୁଖାଦ୍ୟ ଆଣି, ଏହା ପ୍ରାକୃତିକ ।

ପିତାର ଯଦ୍ରୂପ ଅଛି ଶାସନକ୍ଷମତା,

୧-ମୁହୂର୍ତ୍ତକ ।

 

ଗୁରୁତମ ତହୁଁ ବଳି ପାଳନଦାୟିତ୍ୱ ,

ନୁହେଁ ତ ଅଜ୍ଞାତ ଏହା ଆଦର୍ଶ ପିତାର ।

କର୍ମଯୋଗୀ ବିକ୍ରମଙ୍କ ମାହାତ୍ମ୍ୟ ଅତୁଳ,

ଅଗାଧ, ବର୍ଣ୍ଣନାତୀତ, ବର୍ଣ୍ଣିଲେ ତାହାଙ୍କୁ

 

ଆଦର୍ଶ ନୃପତି ବୋଲି, ନ ହେବ ତାଙ୍କର

ପ୍ରତିଭାର ଅନୁରୁପ ଅର୍ଥପ୍ରାଣ ଭାଷା,

ଆଦର୍ଶର ମହାଦର୍ଶ କହିଲେ ତଥାପି

ପୂର୍ଣ୍ଣାଂଶରେ ହେବ ନାହିଁ ଉପମା ସଙ୍ଗତ ।

 

ବିକ୍ରମଙ୍କ ପରି ରାଜା, ଭାରତ ଭାଗ୍ୟରେ

ବିଧିଦତ୍ତ ଅତିରିକ୍ତ ମହାଦାନ ସିନା,

ପ୍ରକୃତିର ମହାକାର୍ଯ୍ୟ ସଂସାଧାନ ପାଇଁ

ସବୁ ଯୁଗେ ଧରାଧାମେ ହୁଅନ୍ତି ପ୍ରେରିତ

 

ବିଶିଷ୍ଟ ମହାତ୍ମାକୁଳ ଐଶୀ ଶକ୍ତିରୁପେ,

ମାତ୍ର ବିକ୍ରମଙ୍କ ପରି ପୂର୍ଣ୍ଣ କଳାଧାରୀ

କ୍ଷାତ୍ର ଶକ୍ତି ଅବତାର ଆସନ୍ତି କ୍ୱଚିତ ।

ଯଶୋନିଧି ବିକ୍ରମାର୍କ, ପ୍ରକୃତି ରାଣୀର

 

ପ୍ରଣୟ-ବନ୍ଧନଦକ୍ଷ ଆଦର୍ଶ ବଲ୍ଲଭ,

ଆଦର୍ଶ ସୋଦର, ପୁତ୍ର, ମିତ୍ର, ଭୃତ୍ୟଆ ।

ପ୍ରକୃତିର ପୁରୋହିତ, ପ୍ରକୃତର ପ୍ରାଣ,

ପ୍ରକୃତି ତାଙ୍କର ପ୍ରାଣ, ତାହାଙ୍କ ସଦୃଶ

ପ୍ରକୃତିର ମହାଗୁରୁ ପୁଣି ମହାଶିଷ୍ୟ

ସେହି ଏକା । ଭୁଞ୍ଜଥିଲେ ସିନା ଭାରତୀୟେ

ସଂକଳ୍ପରେ ରାମଯୁଗ-ସୁଖ ରାମାୟଣେ,

ମାତ୍ର ତା ବିକ୍ରମଯୁଗେ ଭୋଗିଲେ ଦେହକେ,

ସଂକଳ୍ପର ମଣ୍ତା ହେଲା ସତ୍ୟ ରସଗୋଲା । ୨

ହୋଇଥିଲା ମଧ୍ୟବର୍ତ୍ତୀ କାଳେ ଦଳମୟ

ଜାତୀୟ ଉନ୍ନତି-ସରଃ, ଫୁଟାଇଲେ ତହିଁ

ସ୍ୱପ୍ନସ୍ୱର୍ଣ୍ଣ-ଶତଦଳ ଅବନ୍ତୀ-ନାୟକ ।

୨-ମିଷ୍ଟାଳ୍ପ ବିଶେଷ ।

ଉନ୍ନତିର ବୈଦୁତିକ ତୀବ୍ର ଉତ୍ତେଜନା

ବହିଲା ଏ ଭାରତର ନିଃଶ୍ୱାସ-ପବନେ,

ଉଠିଲାକ ଚେଇଁ ସୁପ୍ତ ନିର୍ଦ୍ଦୋଷ ସଭ୍ୟତା ।

ନହିଲେ ସେ ଭାରତର ମନୀଷା-ମୁକୁଟେ

 

ମହାର୍ହ-ମହିମା-ମଣି, ସେ ମଣି ସମୀପେ

ପରାସ୍ତ ଦୁରନ୍ତକାଳ-ଧ୍ୱଂସପଟୁ-ହସ୍ତ !

ଏ ଭାରତ-କଳ୍ପଦ୍ରୁମ ଚିର ଫଳବାନ,

 

ଗୁଣିପଣେ ତା ମୁଳେ ସେ ଦେଲେ କାଟପାଣି ।୩

୩-ଫଳପାଣି, ଅର୍ଥାତ୍‌ମନ୍ତ୍ରିତ ପାଣି ଗଛ ମୂଳରେ ଦେଲେ ଫଳ ଅଧିକ ହୁଏ ।

 

ଚିର ଚିନ୍ତାବୀର ରାଏ, ଘେରିଥିଲା ତାଙ୍କୁ

ନିତ୍ୟ ନବ ନବ କର୍ମ, ନବୀନ ଚିନ୍ତାର

ଆଶାମୟ ଅବିଚ୍ଛିନ୍ନ ନୀରବ ଆହ୍ୱାନ,

ପ୍ରସ୍ତୁତ ସତତ ଯଥା ଆତ୍ମଦାନପାଇଁ

 

ଥାଏ ଫଳ, ତଥା ନୃପ ସଦା ପ୍ରତୀକ୍ଷିତ

ଅର୍ପିବାକୁ କର୍ମପଦେ ନିଜକୁ ସର୍ବଥା,

ଖୋଜିଥାନ୍ତି କର୍ମ ପୁଣି କର୍ମେ ଲିପ୍ତ ଥାଇ ।

ତାଙ୍କ ମହାଜୀବନର ପ୍ରତି ଦଣ୍ତ ଲିତା

ବିଶ୍ୱର କଲ୍ୟାଣମୟ ବିଧାନରେ ଭରା,

 

ପ୍ରଭୁତା-ମଦିରା ନିଶା ଥିଲା ନାହିଁ ପାରି

ଆଣି ତାହାଙ୍କର ପ୍ରାଣେ କ୍ଷଣକ ସକାଶେ

ସମୁଦ୍ଭ୍ରାନ୍ତ ଅନାୟତ୍ତ ବ୍ୟାକୁଳ ବାସନା,

ଅବା ଦୁରାକାଙ୍ସ । ବିଷ ଉଗ୍ର ଉନ୍ମାଦନା,

 

ନ ଥିଲା କୋଷ୍ଠୀରେ ତାଙ୍କ ଦୁର୍ବଳ-ଦଳନ ।

କ୍ରମେ କ୍ରମେ ରାଜ-ଅଙ୍ଗେ ଆକ୍ରମିଳା ଜରା,

 

(ଜୀବନ-ଭାରତ ଗ୍ରନ୍ଥେ ଶାନ୍ତିପର୍ବରୁପା)

ମାତ୍ର ଭୟେ ନ ପାରିଲା ପଶି ମନକତି,

ଦୈବେ ଯଦି ଛୁଇଁଥାନ୍ତା ତାକୁ, ନିଶ୍ଚେ ତେବେ

 

ପଡ଼ିଥାନ୍ତା ଦୃଷ୍ଟା ଆପେ ଆପଣା କବଳେ ।

ବୃକ୍ଷର ପଳଖେ ୧ ସିନା ମାଟି କରେ ଉଇ,

ମାତ୍ର ତାର କିବା ସାଧ୍ୟ ସ୍ପର୍ଶିବ ମଞ୍ଜକୁ ?

ବୟୋଧର୍ମେ ହୋଇଗଲେ ଇନ୍ଦ୍ରିୟେ ନିସ୍ତେଜ,

୧-ବାଳକ ।

 

କିନ୍ତୁ ଚିତ୍ତବୃତ୍ତି କେବେ ନୋହିଲା ମିଳିନ,

ସୁକର୍ମର କର୍ମଲିପ୍ସା ଅଜର, ଅମର ।

ସମୋତ୍ସାହେ ସମ ଧୈର୍ଯ୍ୟେ ଶାସି ବସୁନ୍ଧାରା

ଦୀର୍ଘ ଶତବର୍ଷ କାଳ ସୂଚାରୁ ଶାସନେ,

ଉପସ୍ଥିତ ବିକ୍ରମାର୍କ ଜୀବନ-ସାୟାହ୍ନେ,

ଶୁଣି ଅନୁକ୍ଷଣ ରାଏ ମାନସ-ଶ୍ରବଣେ

କେଉଁ ଅବିଷୟ ରାଜ୍ୟ ଅମୃତ ଆହ୍ୱାନ

ଭାଳିଲେ ଏସନ-‘‘ନୁହେଁ ପରାଜୟି କେବେ

ଭୋଗଦ୍ୱାରା ଭୋଗେ, ହୁଏ ତ୍ୟାଗଦ୍ୱାରା ତାହା,

ଇନ୍ଧନେ ଅନଳ କାହିଁ ଭଜିବ ନିର୍ବାଣ,

କିମ୍ବା ବାରିସେକେ ୨ ଭୁମି ଲଭିବ ଶୂଷ୍କତା,

ଭୁଞ୍ଜାଇଲେ ଯେତେ ଆଣି ରୋଗୀକୁ କୁପଥ୍ୟ,

୨-ସେଚନରେ ।

ତେତିକି ବଢିବ ସିନା ରୋଗର ଯନ୍ତ୍ରଣା !

ଯୌବନ-ବସନ୍ତ ଗତ, ଉପସ୍ଥିତ ଏବେ

ବାର୍ନ୍ଧକ୍ୟ-ନିଦାଘ, ଉଗ୍ର ବ୍ୟାଘ୍ର ପ୍ରାୟ ଦେହୁ

ଶୋଷିଲା ସେ ନହୁ, ତୀବ୍ର ଶୋଷଣ-କୌଶଳୀ,

 

ବିକୃତି ବୀଭତ୍ସ ବେଶ ଆଣିଦେଲେ ଜରା,

ଭଜିଲା ଶୁକ୍ଳିମା କେଶ, ଗଲା ଦନ୍ତ ଝଡ଼ି,

ଅସ୍ପଷ୍ଟୁ ଅସ୍ପଷ୍ଟ ହେଲା ଶବ୍ଦ ଉଚ୍ଚାରଣ,

ହୁଏ ଶ୍ଳେଷ୍ମା ବିନିର୍ଗତ ନବଦ୍ୱାର ପଥେ,

 

ଜୀବନ୍ତ ନରକ ଭୋଗ ଏହା ସିନା ପ୍ରାଣେ ।

କିନ୍ତୁ କି ଆଶ୍ଚର୍ଯ୍ୟ, ଅହୋ, ସଂସାର-କୁହୁକ,

ତେବେ ସୁଦ୍ଧା କହେ ଆଶା, ଅଳି ଯଥା ଫୁଲ

କର୍ଣ୍ଣମୂଳେ-ସଦା ଶ୍ରୁତି-ଶୀତଳ ବାଣୀରେ

 

କେଉଁ ମାୟା ଭୁବନର ଅଜୀବ ବାରତା-

କେବଣ ଅସତ୍ୟ ସ୍ୱର୍ଗ ସ୍ୱପନ କାହାଣୀ ।

ହୋଇ ତା ମୋହନ ମନ୍ତ୍ରେ ଆବାଲ୍ୟୁ ଦୀକ୍ଷିତ,

ସେବି ତା ଅତୃପ୍ତ ପଦ ପଡ଼ିଲଣି ଥକି,

 

ଶାନ୍ତି ଶ୍ରାନ୍ତି କ୍ରୋଡ଼େ ଏବେ ନିହି ଜୀର୍ଣ୍ଣ ତନୁ

ପ୍ରାପ୍ତ ହେଲେ ଅବସର, ମୃତ୍ୟୁ ପ୍ରତୀକ୍ଷାର

କରିବି ମୁଁ ପାରନ୍ତିକ ପାଥେୟ ସଂଗ୍ରହ ।

ବିଶେଷତଃ ଏ ଜୀବନ ଚିର ଢଳଢଳ

 

ପଦ୍ମପତ୍ରେ ଜଳବିନ୍ଦୁ ପାୟ, ଗଡ଼ି ପଡ଼ି

ଏହିକ୍ଷଣି ମିଣିପାରେ ଅନନ୍ତ ସଲିଳେ,

ନିୟତିର ପ୍ରତିକୂଳ ବାତ-ବିତାଡ଼ନେ,

କି ବିଶ୍ୱାସ ତାକୁ ? ଅତଃ ଜୀବନ ସଂଗ୍ରାମେ

ସନ୍ଧି ସଂସ୍ଥାପନେ ନୁହେଁ ଔଦାସ୍ୟ କର୍ତ୍ତବ୍ୟ,

ଜୀବନ ଦିନାନ୍ତ କାଳ ୩ ଉପସ୍ଥିତ ଆସି,

ହେବ ଏବେ ଅନ୍ଧକାରୁ ,ବେଳ ଗତପ୍ରାୟ,

ସୁଦୀର୍ଘ ଗନ୍ତବ୍ୟ ପଥ, ଥାଉଁ ଥାଉଁ ନଭେ

୩-ସନ୍ଧ୍ୟା

କ୍ଷୀଣ ସନ୍ଧ୍ୟାଲୋକ, ପଥ ଧରିବା ଉଚିତ ।’’

ଏହା ଭାବି ବିକ୍ରମାର୍କ ଶୁଭ ମୁହୂର୍ତ୍ତରେ

ସ୍ୱପୁତ୍ର‘‘କୁମାର ଗୁପ୍ତେ’’ ଅର୍ପି ରାଜ୍ୟଭାର

ହେଲେ ଚିରଦିନପାଇଁ ବିଷୟୁ ଅନ୍ତର,

ପୂର୍ଣ୍ଣମା ଦିନାନ୍ତ ଛବି ଧରିଲା ଅବନ୍ତୀ,

ଗଗନେ ପ୍ରଚୀନ ରବି ଭଜିଲେ ବିଶ୍ରାମ,

ନବ ପୁର୍ଣ୍ଣ-ଇନ୍ଦୁ ଉଇଁ ରଞ୍ଜିଲେ ଧରଣୀ ।

ରାଜର୍ଷି ବିକ୍ରମାଦିତ୍ୟ ତେଜି ରାଜଭୋଗ

 

ରତ ହେଲେ ଯୋଗେ, ପିନ୍ଧି ଗୌରିକ ବସନ,

ମହାଧର୍ମନିଷ୍ଠ ରାଏ, ପୂଣ୍ୟର ଦାୟାଦ,

ସାଧି ସୁକଠୋର ୟୋଗ ଏକାଗ୍ରତା ସବୁ,

ଯଥାକାଳେ ଦିବ୍ୟ ଲୋକେ କଲେକ ପ୍ରୟାଣ,

 

ଏକମାତ୍ର ପାରିଜାତ ଭାରତ- ନନ୍ଦନୁ

ପଡ଼ିଲା ମଉଳି ଅସ୍ତ କାଳ-ଅସ୍ତାଦ୍ରିଶିଖରେ !

ଚଳିଲେ ମହୀରୁ ହାୟ ସେ ମହୀ-ମଘବା,

ଯାଙ୍କ ତିରୋଧାନେ ହୁଏ ଜଗତର କ୍ଷତି,

 

ତାହାଙ୍କୁ ଦୀର୍ଘାୟୁ ଦାନେ ପ୍ରାୟଶଃ କୃପଣ

ଧାତା, ନତୁ କି ହୁଅନ୍ତେ ଅସ୍ତ ଶାକ୍ୟସିଂହ,

ଚୈତନ୍ୟାଦି ସତ୍ୟଧର୍ମ ସଂସ୍ଥାପକରଣ

ଅକାଳେ ବିଧିର ମହା କଠୋର ଆହ୍ୱାନେ ?

 

ଯାଇଛ ବିକ୍ରମାଦିତ୍ୟ, ମାତ୍ର ଏ ଭାରତେ

କରିଗଲ ଯେଉଁ ମହା ନବଶକ୍ତି ଦାନ,

ସେହି ଶକ୍ତିବଳେ, ହେଉ ପଛେ ଯେଡ଼େ କ୍ଷୀଣ

କଙ୍କାଳାବଶିଷ୍ଟ, ଯୁଗଚତ୍ର ଆବର୍ତ୍ତନେ

 

ଜାତୀୟେତିହାସ ଥିବ ପ୍ରାଣବନ୍ତ ସଦା ।

କେବଣ ଅଜ୍ଞାତ ଦେଶୁ ଆଣିକି କୌଶଳେ

ଜ୍ୟୋତିର୍ମୟ ପ୍ରଭାତର ଆନନ୍ଦ-ଆଲୋକ,

ଧୋଇଦେଇ ହେ ରାଜର୍ଷି ଭାରତ-ଲଲାଟ ?

 

ନିଦାଘ ଦିନାନ୍ତେ ଯଥା ଶୀତଳ ପବନ

ଅଦୃଶ୍ୟରେ ଲେପି ଦେଇ ଆଶୀର୍ବାଦ-ଲେପ

ରୌଦ୍ରତପ୍ତ ସୃଷ୍ଟିଶିରେ, ପ୍ରଦାନେ ତା ପ୍ରାଣେ

ନବନନ୍ଦ, ତଥା ତୁମ୍ଭେ କର ଏ ଭାରତେ ।

 

ଉଠାଇ ତୁମ୍ଭେ ହେ ଦେବ, ସ୍ୱର୍ଗେ ଏ ଭାରତେ

ଆଣିଲ ଭାରତେ ସ୍ୱର୍ଗେ । ନୈତିକ ଜୀବନେ

ଭାରତରେ ପ୍ରତିଷ୍ଠିଲ ଯେଉଁ ଉଚ୍ଚାଦର୍ଶ

ସତ୍ୟ ଶିବ ସୁନ୍ଦରର, ବର୍ଣ୍ଣିବାକୁ ତାହା

 

କାହିଁ ବାଣୀ-ଭଣ୍ତାରରେ ତୁଲ୍ୟମୂଲ୍ୟ ଭାଷା ?

କରୁଥିଲ ମାତୃଭୂମି ଅଭାବ ମୋଚନ

ଜୀବିତେ, ମରଣେ ମାତ୍ର ଚାପିଲେ ତା ବକ୍ଷେ

ଅଭାବର ଦୁର୍ବିଷହ ତୁଙ୍ଗ ହିମାଳୟ,

 

ଧରେ ଯେ ଅବ୍ୟକ୍ତିଗତ ଜୀବନ ମହୀରେ,

ପୁଣି ଯେ ଜୀର୍ଣ୍ଣକୁ ଭାଙ୍ଗି ସେହି ଉପାଦାନେ

କରିପାରେ ମନୋମତ ନୂତନ ସର୍ଜନା,

ତାହାରି ଅଭାବେ ମଣେ ଜଗତ ଅଭାବ ।

 

ଯେତେ କାଳ ଥିବେ ସୃଷ୍ଟି, ଥିବ ଏ ଭାରତ,

ତେତେ ଦିନଯାଏ ଦେବ, ଭାରତବାସୀଏ

ପୁଜିବେ ତୁମ୍ଭଙ୍କୁ ନିତି ଅର୍ପି ତବ ପଦେ

ସ୍ମୃତି-ସ୍ୱର୍ଣ୍ଣ-ପାରିଜାତ ଗୁନ୍ଥି ଅଶ୍ରୁଧାରେ ।